Unknown

 

 

 

 

 

 

 

 

 

 

 

ଅଂଧାରର ମୁହଁ

ନିମାଇଁ ପଟ୍ଟନାୟକ

 

ସୂଚୀପତ୍ର

 

୧.

ଜତୁ ଗୃହ

୨.

ଅନ୍ତଃସ୍ୱର

୩.

ଅଂଧାରର ମୁହଁ

୪.

ଆଗ୍ନେୟଗିରି

୫.

ଅବଂଧନ

୬.

ଶ୍ରାବଣର ଖରା

୭.

ମଣ୍ତୁକ

୮.

ଫଗୁଣ ସକାଳ

୯.

ଇନ୍ଦ୍ରଧନୁ

୧୦.

ପ୍ରଜାପତିର ଜନ୍ମ

୧୧.

ଅଂଧାରର ଛାଇ

୧୨.

ବିଲେଇ

୧୩.

ଲୋହିତ ଅଂଧାର

୧୪.

ଚୋରା ବାଲି

୧୫.

ମଧ୍ୟାହ୍ନର ମାନଚିତ୍ର

୧୬.

ସଂଧ୍ୟାର କାକଳି

୧୭.

ଶ୍ୱାପଦ

୧୮.

ପ୍ଳାବନ

୧୯.

ଅଲିଭା ଶିଖା

୨୦.

ଓଲଟା ଢେଉ

Image

 

ଜତୁଗୃହ

।। ଚଉହଦି ।।

 

ଓଃ ! ଏମିତି ଅପେକ୍ଷା କରିବା କି କଷ୍ଟ !

 

କେହି ହଠାତ୍‌ ଆସୁନାହିଁ ।

 

କିଛି ହେଲେ ଗୋଟାଏ ଘଟିଯାଉ ନାହିଁ ।

 

ସମୟ-ରାତି । ରାତି ଶୀଘ୍ର ପାହୁ ନାହିଁ ।

 

କେବଳ ଆଶଙ୍କା । ଆଶାଙ୍କାରେ ରକ୍ତ ତରଳୁଛି । ପାଣି ହେଉଛି ।

 

ଆଶଙ୍କାର ଖୋସା ଭିତରୁ ନିଶ ହଲ ହଲ କରି ଚାହୁଁଛି ଯନ୍ତ୍ରଣାର କୀଟ ।

 

ଛାତିରେ ଯନ୍ତ୍ରଣା । ଯନ୍ତ୍ରଣା ମଥା ଭିତରେ ।

 

ହେଇ ଏଠି, ଏଠି, ଏଠି; ହେଇ ସେଠି ।

 

ଅମିନ୍‌ଙ୍କର ପ୍ରତି ଲୋମ କୂପରେ ଯନ୍ତ୍ରଣା । ଆଃ !

 

ଆଶଙ୍କା : ମୃତ୍ୟୁ ଏକ କଳା ଶାଗୁଣାକୁ ରୂପାନ୍ତରିତ ହେବ ।

 

ଉଡ଼ି ଆସିବ ଏଇ ପାଚେରୀ ତଳକୁ । କହିବ-ହ୍ୟାଣ୍ତସ୍‌ ଅପ୍‌ ।

 

ମାତ୍ର ସେତେବେଳକୁ ରକ୍ତର ଶୋଭାଯାତ୍ରା ଆରମ୍ଭ ହୋଇ ଯାଇଥିବ ।

 

ମେଜର୍‌ ଅମିନ୍‌ ଆତଙ୍କିତ ହେଲେ । ଶତ୍ରୁ କବଳରୁ ପଳାଇ

 

ଆସିଛନ୍ତି । ନିରସ୍ତ୍ର । ଶତ୍ରୁ ପକ୍ଷର ସୈନ୍ୟମାନେ ତାଙ୍କର ପିଛା

 

କରୁଛନ୍ତି । ରାତି ଅଂଧାରରେ ସେ କାହାର ପାଚିରୀ ଡେଇଁ

 

ନିଜକୁ ଲୁଚାଇ ରଖିଛନ୍ତି । ଅଂଧାର ତାଙ୍କୁ ଆଶ୍ରୟ ଦେଇଛି ।

 

ଶତ୍ରୁ ଯେତେବେଳେ ଠଉରାଇ ନେବ ତାଙ୍କର ଗୁପ୍ତସ୍ଥଳୀ ?

 

ଶତ୍ରୁ ଯଦି ଲକ୍ଷ୍ୟ କରିଥିବ ତାଙ୍କର ଆଶ୍ରୟ ପୀଠ ?

 

ଅଂଧାର ଯେତେବେଳେ ପଛେଇ ଯିବ ଆଶ୍ରୟ ଦେବାକୁ ?

 

ଗତ ରାତିରୁ ଶତ୍ରୁ ସୈନ୍ୟମାନେ ସହର ଦଖଲ କରିଛନ୍ତି ।

 

ଆରମ୍ଭ ହୋଇଛି ସେମାନଙ୍କର ନୃଶଂସ ଦମନ ଲୀଳା ।

 

ଲୁଚି ଛପି ଥିବା ସୈନ୍ୟମାନଙ୍କୁ ଖୋଜି ବାହାର କରୁଛନ୍ତି ।

 

ଘରେ ଘରେ ପଶି ଅତ୍ୟାଚାର, ହତ୍ୟା, ଲୁଣ୍ଠନ ଚଳାଇଛନ୍ତି ।

 

ସେ ଜାଣନ୍ତି ମୃତ୍ୟୁ ନିଶ୍ଚିତ । ଆଉ ନିସ୍ତାର ନାହିଁ । ନିରୂପାୟ ।

 

ତେଣୁ ସେ ମୃତ୍ୟୁକୁ ଅପେକ୍ଷା କରୁଥିଲେ । କେତେବେଳେ ହୁଏ ତ ହଠାତ୍‌ ସେଇ ମୁହୂର୍ତ୍ତ ଆସିଯିବ ।

 

ସେ ଅପେକ୍ଷାରେ କି ଯନ୍ତ୍ରଣା !

 

ଅନାହାର କଷ୍ଟ ତାଙ୍କୁ ବାଧୁଥିଲା । ଗତ ଦୁଇ ଦିନ ଧରି ଶୂନ୍ୟ ଅଛି ଉଦରର କୋଠରୀ ଏବଂ ସେଇ କୋଠରୀ ଭିତରୁ କିଏ ଯେମିତି ବାୟୋନେଟ୍ ଧରି ମଝିରେ ମଝିରେ କେଞ୍ଚି ପକାଉଛି-

 

ଶତ୍ରୁ ତାଙ୍କୁ ଛାଡ଼ିଦେବ ନାହିଁ । ସତ ।

 

କ୍ଷୁଧା ବି ତାଙ୍କୁ ରଖିବ ନାହିଁ । ନିଶ୍ଚିତ ।

 

ଅମିନ୍‌ ବିରକ୍ତ ହେଲେ । ମରିବି ତ ମରିବି ।

 

ମୃତ୍ୟୁ ଆସିବା ଆଗରୁ ଏମିତି ମରିବି କାହିଁକି ? କାହିଁକି ?

 

କ୍ଷୁଧାରେ ସେ ଆତୁର ହେଲେ । ଅଧୀର ହେଲେ ।

 

ଆଖି ବନ୍ଦ ହୋଇ ଯାଉଥାଏ ।

 

ଆଖି ଖୋଲିଲେ ଅଂଧାର । ଆଖି ବୁଜିଲେ ଆଲୁଅ ।

 

ଆଲୁଅ କ’ଣ ? ଅଂଧାର କ’ଣ ?

 

ଅମିନ୍‌ ଆଖି ବୁଜି ଦେଲେ । ଦେଖିଲେ, ସେ ଧାଇଁଚନ୍ତି । ଭାରବାହୀ ପଶୁଟିଏ ହୋଇ ଧାଇଁଛନ୍ତି । ଧଇଁ ସଇଁ ହେଉଛନ୍ତି । କହିବାକୁ ଭାବୁଛନ୍ତି, କହି ପାରୁନାହାନ୍ତି । କହୁଛନ୍ତି, ଶବ୍ଦ ଆସୁ ନାହିଁ । ଚିତ୍‌କାର କରୁଛନ୍ତି–ଧାଁ ଧାଁ ଧାଁ ଧାଁ ଧାଁ ଧାଁ । ଠିଆ ହେବାକୁ ବେଳ ନାହିଁ । ପ୍ରତିବାଦ କରିବାକୁ ଶକ୍ତି ନାହିଁ । ଅଧିକାର ବି ନାହିଁ । ଧାଉଁଛନ୍ତି ସାରା ଜୀବନ । ଏ ପାଖରୁ ସେ ପାଖ । ସେ ପାଖରୁ ଆର ପାଖ । ଆର ପାଖରୁ ଆର ପାଖ ।

 

କେବଳ ସେ ନୁହଁନ୍ତି । ସମସ୍ତେ । କିଏ କାହାର ଖବର ରଖୁଛି ।

 

ପଛରୁ ଧାଇଁଛି କ୍ଷୂଧା । ସର୍ବଗ୍ରାସୀ । ଭୟଙ୍କର । ସେ କ୍ଷୂଧାର ରଙ୍ଗ ବଦଳୁଛି । ଘଡ଼ିକୁ ଘଡ଼ି । ମୁହୂର୍ତ୍ତକୁ ମୁହୂର୍ତ୍ତ । କେତେବେଳେ କେଉଁ ପ୍ରକାର ।

 

ମେଜର୍‌ ଅମିନ୍‌ ଅଂଧାରରେ ରୋଷେଇ ଘର ଭିତରେ ପଶିଲେ । ହାଣ୍ତି, ଆଟିକା, ଦରାଣ୍ତି ପକାଇଲେ ଓ ହାଣ୍ତିରୁ ବାସି ତୋରାଣି ପିଇଗଲେ ।

 

।। ପରିମିତି ।।

 

ପ୍ରଥମେ ଦ୍ୱାରମାନ ଫିଟିବାର ଶବ୍ଦ । ଗୋଟିକ ପରେ ଗୋଟିଏ । ତା’ପରେ ଫିଟିଗଲା କୋଠରୀର ଦ୍ୱାର ଓ ମିସ୍‌ ଚୌଧୁରୀ ଦ୍ୱାର ଦେଶରେ ଉଭା ହେଲେ ।

 

ସକାଳ ହୋଇ ଆସୁଥାଏ ।

 

ତାଙ୍କର ବାସି ମୁହଁ । ମୁହଁରେ ନିଦର କଷ ଲାଗିଛି । ଶୀର୍ଣ୍ଣ ଦେହ । ଦେହରେ ଯେମିତି ଓଜନ ନାହିଁ ।

 

ଆଖି ଓ ମୁହଁର ଭାବ ପ୍ରଥମେ ସହଜ ଥିଲା ।

 

କ୍ରମେ ଭାରାକ୍ରାନ୍ତ ହେଲା ।

 

ସେଇ ଆଶଙ୍କା : କେଉଁ ମୁହୂର୍ତ୍ତରେ ମୃତ୍ୟୁ ଏକ କଳା ବୁର୍ଖା ପିନ୍ଧି ପଶି ଆସିବ କୋଠରୀ ଭିତରକୁ । ପଚାରିବ ନାଁ କ’ଣ ? ତା’ପରେ ହସିଦେବ । ଶାଣିତ ହସ । ବୁର୍ଖା ତଳୁ ବାହାରିଆସିବ ଛୁରା । ଛକ୍‌ ଛାକ୍‌ । ତା’ପରେ ଘଣ୍ଟାର କଣ୍ଟାମାନ ହଠାତ୍‍ ବନ୍ଦ ହୋଇଯିବ ।

 

ପନ୍ଦର ଦିନ ତଳେ ଏମିତି ଏକ ଆକ୍ରମଣରେ ସେ ସମସ୍ତଙ୍କୁ ହରାଇଛନ୍ତି । ନିଜେ କେବଳ ବର୍ତ୍ତି ଯାଇଛନ୍ତି । ଏକା ଏକା ଜଗି ବସିଛନ୍ତି ଦେହର ଉଦ୍ୟାନକୁ ।

 

ମିସ୍‌ ଆରା ଚୌଧୁରୀ ବିବର୍ଣ୍ଣା ଦିଶିଲେ ।

 

ହଠାତ ନଜର ପଡ଼ିଲା ମେଜର ଅମିନ୍‌ଙ୍କ ଉପରେ । ଅମିନ୍‌ଙ୍କ ଦେହରେ ଯୁଦ୍ଧ ପୋଷାକ ।

 

ସେ ଆତଙ୍କିତା ହେଲେ । ଭୟ । ଥରିଲା ସବୁ ଅଙ୍ଗପ୍ରତ୍ୟଙ୍ଗ । ଯେମିତି ସବୁ ଖଣ୍ତ ଖଣ୍ତ ହୋଇ ଖସି ପଡ଼ିବ ।

 

ମେଜର ଅମିନ୍‌ ନିମ୍ନ ସ୍ୱରରେ ଅନୁଯୋଗ କଲେ । ଭୟ କରନି । ମୁଁ ଶତ୍ରୁ ନୁହେଁ । ତୁମରି ପକ୍ଷର । ହେଇ ଦେଖ ମୋର ବ୍ୟାଜ୍‌ । ଦେଖମୋର ପୋଷାକ । ସେମାନେ ମୋତେ ଖୋଜୁଛନ୍ତି । ସେମାନେ ସେମାନେ । ଗତ ରାତିରୁ ଖୋଜୁଛନ୍ତି । ଗୁପ୍ତ ତଥ୍ୟ ଆଦାୟ କରିବେ । ତା’ପରେ, ତା’ପରେ । ରାତିରେ ଏଇଠି ଆଶ୍ରୟ ନେଇଥିଲି । ହୁଏ ତ ସେମାନଙ୍କର ସନ୍ଦେହ ମୁଁ ଏଇଠି ଥିବି । ମୋତେ ଭୟ କରିବାର କୌଣସି କାରଣ ନାହିଁ । ମୁଁ ମୁଁ ।

 

ହଠାତ୍‌ ଗୋଟାଏ ବିସ୍ଫୋରଣ ହେଲା । ଭୟଙ୍କର ଶବ୍ଦ । ଆରା ଚୌଧୁରୀ ଚମକି ପଡ଼ିଲେ । ଘର ଭିତରକୁ ପଶିଗଲେ । ପଛେ ପଛେ ଅମିନ୍‌ ।

 

ବନ୍ଦ ହୋଇଗଲା କୋଠରୀର ଦ୍ୱାର !

 

ନୀରବ କୋଠରୀ । ତା’ର ଚଉକୋଣ । ତା’ ଭିତରେ ବହୁ ନିମଜ୍ଜିତ କଣ୍ଠର ଚିତ୍‌କାର–ସବୁ ସ୍ଥିର ।

 

ବାହାର ରାସ୍ତାରେ ବୁଟ୍‌ ଜୋତାର ମଚ୍‌ ମଚ୍‌ ଶବ୍ଦ, ଆର୍ତ୍ତଚିତ୍କାର ଓ କରୁଣ କ୍ରନ୍ଦନ । ମଝିରେ ମଝିରେ ଗୁଳିଗୋଳାର ଶବ୍ଦ ।

 

ସେମାନେ ସବୁ ଶୁଣୁଥାନ୍ତି । କେହି କାହାକୁ କିଛି କହୁ ନଥାନ୍ତି । କେହି କାହାକୁ ଚାହୁଁ ନ ଥାନ୍ତି । ଆଶଙ୍କା ସେମାନଙ୍କୁ ମାଡ଼ି ବସୁଥାଏ । ଯେମିତି ତା’ର ଓଜନ କଳି ହେଉନାହିଁ, ଯେମିତି ସମ୍ଭାଳି ହେଉନାହିଁ ।

 

ଆତଙ୍କ ଆରାଙ୍କ ମୁହଁରେ ଗାର କାଟୁଥାଏ । ଆଶଙ୍କା, ହୁଏ ତ ସେମାନେ ଦ୍ୱାର ଭାଙ୍ଗି ପଶି ଆସିବେ ଭିତରକୁ ।

 

ତା’ପରେ ?

 

ତା’ପରେ ?

 

ଚଟାଣ ଚିତ୍ରିତ ହେବ ରକ୍ତରେ । ଚିତ୍ରକୁ ଜଗି ରହିବ ଉଲଗ୍ନା କବନ୍ଧ । ହାତ ପାଦ ନ ଥିବ । ଛାତିର ମାଂସମାନ ନଥିବ । କେବଳ ଏକ ଧର୍ଷିତ ଧୂସର ଦେହ । ରକ୍ତାକ୍ତ । ସେ ଦିନ ଯେମିତି ଆବାଜାନ୍‌ଙ୍କ ଆଗରେ ପଡ଼ି ରହିଥିଲା ରୋସନ୍‌ ଓ ବସିରନ୍‌ଙ୍କ ଦେହ । ଆବାଜାନ୍‌ ବାୟୋନେଟ ବିଦ୍ଧହୋଇ ପଡ଼ି ରହିଥିଲେ ଏବଂ ସେ ନିଜେ ତାହା ଦେଖୁ ଦେଖୁ ବାଥ୍‌ରୁମ୍‌ ଭିତରେ ମୂର୍ଚ୍ଛା ହୋଇ ଯାଇଥିଲେ ।

 

ତାଙ୍କର ମୁହଁ ବିକୃତ ଦିଶିଲା । ଭୟରେ ଆତଙ୍କରେ ।

 

ଆରାଙ୍କ ଦେହ, ମୁହଁ କାନ ସତେ ଅବା । ଯନ୍ତ୍ରଣାରେ ଫାଟିଯାଉଥାଏ, ଫଟା ଭୂଇଁ ପରି-। ସେ ଯେମିତି କବନ୍ଧକୁ ରୂପାନ୍ତରିତ ହେଉଥାନ୍ତି ।

 

ବାହାରେ ଶତ୍ରୁମାନେ ସମ୍ଭବତଃ ଜଗିଥାନ୍ତି ।

 

ଶୁଭୁଥାଏ ସେମାନଙ୍କର ଧମକ–

 

ଆତ୍ମ ସମର୍ପଣ କର । ଅସ୍ତ୍ର ତ୍ୟାଗ କର ।

 

ଆତ୍ମ ସମର୍ପଣ କର । ଅସ୍ତ୍ର ତ୍ୟାଗ କର ।

 

ଅମିନ୍‌ କହିଲେ–ସେମାନେ ଆମକୁ ନୃଶଂସ ଭାବରେ ହତ୍ୟା କରିବେ । ଆମର ଦେହ, ମୁହଁ, ପାକସ୍ଥଳୀ, ଅନ୍ତବୁଜୁଳୀ ବିବର୍ଣ୍ଣ ହୋଇ ରାସ୍ତାର ଧୂଳିରେ ଲୋଟିଯିବ । ମୁଁ ଦେଖିଛି, ମୋ ଆଗରେ ମୋ ସୈନ୍ୟମାନଙ୍କୁ କେମିତି କଲବଲ କରି ହତ୍ୟା କରାଯାଇଛି । କି ଯନ୍ତ୍ରଣା !

 

ତିନି ଦିନ ତଳେ ସେମାନେ ବେତାର କେନ୍ଦ୍ର ଅଧିକାର କରିଥିଲେ, ଛାଡ଼ିଗଲେ । ସେଠାରେ ଗୋଟାଏ ହଲ୍‌ରୁ ଛପନ ଜଣ ଯୁବତୀଙ୍କର ଅତ୍ୟାଚାରିତ ଉଲଗ୍ନ ଦେହ ମିଳିଲା । ଛାତିର ମାଂସମାନ କଟା ହୋଇଯାଇଥାଏ । ଓଃ !

 

ବାହାରେ ସମ୍ଭବତଃ କୁମାରୀ କଣ୍ଠରେ ଚିତ୍କାର ଶୁଣାଗଲା । ତା’ ପରେ ଏକ ପୈଶାଚିକ ହସ ।

 

ଆରା ଝରକା ରନ୍ଧ୍ରରେ ଚାହିଁଲେ । ଦେଖିଲେ–ସାମନା ଘର ଝିଅର ଉଲଗ୍ନ ଦେହ ଲାଲ ହୋଇ ରାସ୍ତାରେ ପଡ଼ି ଛଟପଟ ହେଉଛି । ତାଙ୍କର ଦେହ ଶୀତେଇ ଉଠିଲା । ସେ ଆଉ ଚାହିଁ ପାରିଲେ ନାହିଁ ।

 

ଆରା ଅମିନ୍‌ଙ୍କ ମୁହଁକୁ ଚାହିଁଲେ ।

 

ଶୁଖିଲା କଣ୍ଠରେ ପଚାରିଲେ,-

 

ଆଉ ଉପାୟ କ’ଣ ?

 

ଅମିନ୍‌ ଆର୍ଦ୍ର ସ୍ୱରରେ କହିଲେ-

 

ଉପାୟ ଆଉ କ’ଣ ?

 

ସେମାନେ ନୀରବ ରହିଲେ । ଜଣାଗଲା, ସେମାନେ ନିରୂପାୟ । ଭୟ ସେମାନଙ୍କୁ ଭିଡ଼ି ଧରୁଥାଏ । ଛାତି ଧପ୍‌ ଧପ୍‌ ହେଉଥାଏ । ସେମାନେ ନିଶ୍ଚିତ ହେଲେ–ମୃତ୍ୟୁ ବିନା ଆଉ ନିସ୍ତାର ନାହିଁ ।

 

କୋଠରୀ ନୀରବ । କାନ୍ଥର ଘଣ୍ଟା ଅଚଳ ।

 

ସେମାନେ ଚୁପ୍‌ଚାପ୍ ବସିଥାନ୍ତି । ଆଶଙ୍କିତ ମୁହୂର୍ତ୍ତକୁ ଅପେକ୍ଷା କରୁଥାନ୍ତି ।

 

ଅମିନ୍‌ ଚାରିଆଡ଼କୁ ଚାହିଁଲେ । ଘରର କାନ୍ଥ, ଘଣ୍ଟା, ଆଲମାରୀ, ଫ୍ରିଜ୍‌, ବୁକ୍‌-ସେଲ୍‌ଫ, ରେଡ଼ିଓ, ତା’ ଉପରେ ଥିବା ଶିଙ୍ଘର ବଗ ଦମ୍ପତି, କାନ୍ଥ ର‍୍ୟାକ୍‌ରେ କାଠର ଶବର ଶବରୁଣୀ, ସେମାନଙ୍କର ଥର ଥର ମୁହଁ, କାଠର ବନ୍ଧୁକଧାରୀ ସୈନିକ ।

 

ଅମିନ୍‌ ଆଖି ଫେରାଇଲେ । ଆଖିପତା ପୁଣି ଉଠିଗଲା । କାଠର ବନ୍ଧୁକଧାରୀ ସୈନିକ ସେମିତ ଠିଆ ହୋଇଥାଏ । କ୍ଷୀଣ-ସ୍ୱରରେ କହିଲେ–

 

ମୃତ୍ୟୁକୁ ଏମିତି ଅପେକ୍ଷା କରିବା କି ଯନ୍ତ୍ରଣାଦାୟକ ।

 

ଆରା ଚୌଧୁରୀ ଦୀର୍ଘ ନିଃଶ୍ୱାସ ଛାଡ଼ିଲେ । ଦରଦ ଘେନି ଆସିଥିବା ଦୀର୍ଘଶ୍ୱାସଟି ସମୟର ଛାତିରେ ବେଲୁନ୍‌ ପରି ହଠାତ୍‌ ଫାଟିଗଲା ।

 

ଆରା ଅମିନ୍‌ଙ୍କୁ ଚାହିଁଲେ । ଅମିନ୍‌ଙ୍କ ମୁହଁ ଭାରାକ୍ରାନ୍ତ ନିଷ୍ପ୍ରଭ ଓ କ୍ଷୂଧାତୁର ଜଣାଯାଉଥାଏ ।

 

ଆରା ଉଠି ଠିଆ ହେଲେ ।

 

ଫ୍ରିଜ୍‌ ଫିଟାଇ ସ୍ଲାଇସ୍‌ ବେଡ଼୍‌, ବଟର ଓ ଜାମ୍‌ ଆଣିଲେ । ଆଲମିରାରୁ ଷ୍ଟିଲ୍‌ ଛୁରୀ କାଢ଼ି ଦୁଇ ଟିପରେ ପୋଛି ନେଲେ । ଅମିନ୍‌ଙ୍କ ପାଇଁ ବ୍ରେଡ଼୍‌ରେ ବଟର୍‌ ଲଗାଇଲେ ।

 

ଅମିନ୍‌ ଉଠି ଠିଆ ହେଲେ ।

 

କହିଲେ–ଏମିତି ଆଉ ଅପେକ୍ଷା କରି ହେବନି ।

 

ମୁଁ ବାହରକୁ ଯାଉଛି । ବରଂ...

 

ପାଉଁରୁଟି ଉପରେ ଆରାଙ୍କର ଛୁରୀଧରା ହାତ ହଠାତ୍‍ ସ୍ଥିର ହୋଇଗଲା । ସେ ଆପତ୍ତି କଲେ, ନା ନା ଯା’ନ୍ତୁନି । ବରଂ

 

: ଆଉ ଏମିତି ରହି ହେଉନାହିଁ । ଗତ ରାତିସାରା ଏମିତି ପ୍ରତିଟି ମୁହୂର୍ତ୍ତ ମୁଁ ମୃତ୍ୟୁର ଆଶଙ୍କାରେ କଟାଇଛି । ଅଥଚ କିଛି ହେଲେ ଗୋଟାଏ ଘଟି ଯାଉନାହିଁ ।

 

: ଗତ ପନ୍ଦର ଦିନ ଧରି ମୁଁ ବି ଏମିତି ଆଶଙ୍କା ଭିତରେ କାଳ କାଟୁଛି । ଭାରି ଅସହ୍ୟ ଲାଗୁଛି । ହେଲେ ଉପାୟ କ’ଣ ? ମୋର ଆଗରେ ଆମ ଘରେ ସମସ୍ତଙ୍କୁ ହତ୍ୟା କରାଗଲା । ସେମାନେ ମୋତେ ଦେଖିଥିଲେ ଛାଡ଼ି ନ ଥାନ୍ତେ । ପରେ ଆତ୍ମହତ୍ୟା କରିବାକୁ ଚେଷ୍ଟାକଲି । ମାତ୍ର ହେଲାନାହିଁ । ସେ ବେଳା ନ ଆସିବା ଯାଏଁ କିଛି ହେବନି । ସେ ଯାଏଁ ଏମିତି ଅପେକ୍ଷା କରିବାକୁ ପଡ଼ିବ ।

 

: ସେ ଠିକଣା କରୁଛି ସେ ବେଳା ? କିଏ ସେ ? ମେଜର୍‌ ଅମିନ୍‌ ବିବ୍ରତ ହେଲେ । ପୁରୁଣା ପ୍ରଶ୍ନ ତାଙ୍କୁ ଆନ୍ଦୋଳିତ କଲା । ସେ ପ୍ରଶ୍ନ କଲେ-

 

ତା’ ହେଲେ ମୃତ୍ୟୁବେଳା ଆସିବା ପୂର୍ବରୁ ପ୍ରତି ମୁହୂର୍ତ୍ତରେ ଜଣେ ଏମିତି ମରୁଥିବ କାହିଁକି ? ମରିବ ତ ମରିବ । ମଲାଯାଏଁ ଭଲ କରି ବଞ୍ଚିବ ନାହିଁ କାହିଁକି ? କିଏ କରିଛି ଏମିତି ବିଧି ? କିଏ ? କିଏ ସେ ?

 

ଆରା ଚୌଧୁରୀଙ୍କ ମନକୁ କଥାଟି ଛୁଇଁଲା ।

 

ସତ କଥା । ମଣିଷ ବଞ୍ଚି ଶିଖି ନାହିଁ ।

 

ସେଥିପାଇଁ ଏତେ କଷ୍ଟ । ଏତେ ଯନ୍ତ୍ରଣା ।

 

ମାତ୍ର ସେ କିଛି କହିଲେ ନାହିଁ । ତାଙ୍କର ଦେହ ସଙ୍କୁଚିତ ହେଉଥାଏ ! ରକ୍ତ ପାଣି ଫାଟୁଥାଏ ।

 

ଅମିନ୍‌ ଓ ଆରା ମୃତ୍ୟୁ ବେଳାକୁ ଅପେକ୍ଷା କରିବା ବ୍ୟତୀତ ଗତ୍ୟନ୍ତର ନାହିଁ । ସେମାନଙ୍କୁ ଜଣାଯାଉଥାଏ, ସମୟ ଯେମିତି ସେମାନଙ୍କ ପାଇଁ ଖଣ୍ତ ଖଣ୍ତ ହୋଇ ଫାଟି ପଡ଼ୁଛି ଏବଂ ସେମାନେ ସମୟର ସ୍ତୂପ ସ୍ତୂପ ଭଗ୍ନାଂଶ ଭିତରେ ଏକାଠି ପୋତି ହୋଇ ପଡ଼ୁଛନ୍ତି ।

 

ସମୟ ସେମାନଙ୍କୁ କହିଲା–ଶୁଣ ଅମିନ୍‌ ! ଶୁଣ ଆରା ! ଆମ୍ଭେ ଜାଣୁ ତୁମେମାନେ ବିବ୍ରତ । ଯନ୍ତ୍ରଣା ପୀଡ଼ିତ । କିଏ ଜାଣିଛି ଯନ୍ତ୍ରଣାର ନିଜ ଘର ? କାହାର ସେ ଯନ୍ତ୍ରଣା ? ଦେହର ନା ଆତ୍ମାର ? ଦେହ ଓ ଆତ୍ମା ଅଲଗା । ଦେହ ଆଧାର । ଆତ୍ମା ଆଧେୟ । ଏ ଯାବତ୍‌ ତୁମେ ଦୁହେଁ ତ ଅପୂର୍ଣ୍ଣ । ଦେହକୁ ଜାଣି ନାହଁ । ଦେହର ଚୌହଦି ନଜାଣି ଜୀବନର ପରିମିତି କଳିବା କି ବୋକାମି !

 

ସେମାନେ ସମୟର ଘୋଷଣା ଶୁଣିଲେ । ଅମିନ୍‌ ସିଧା ଆରାଙ୍କୁ ଚାହିଁଲେ । ପଚାରିଲେ–କ’ଣ ହେଲା ?

 

ଆରା ଚାହିଁଲେ ଅମିନ୍‌ଙ୍କୁ, କହିଲେ–କେଉଁ କଥା ?

 

ସେମାନେ ପରସ୍ପର ସାମନାସାମନି ହେଲେ ।

 

ଅମିନ୍‌ ପଚାରିଲେ–ସେଇ ପୁରୁଣା ପ୍ରଶ୍ନ-

 

ମୃତ୍ୟୁ ତ ଅନିବାର୍ଯ୍ୟ । ମାତ୍ର ତା’ ପୂର୍ବ ମୁହୂର୍ତ୍ତ ପର୍ଯ୍ୟନ୍ତ ମଣିଷ ବଞ୍ଚିଲା ପରି ବଞ୍ଚିବ ନାହିଁ କାହିଁକି ? ସେ ଭୟକୁ ଭୁଲିଯିବ ନାହିଁ କାହିଁକି ? ମାନସିକ ଯନ୍ତ୍ରଣାକୁ ପାସୋରି ଦେବ ନାହିଁ କାହିଁକି-?

 

ଆରା କହିଲେ–

 

ମତେ ପଚାରିବାର ମାନେ କ’ଣ ?

 

ସେଇ ପ୍ରଶ୍ନ ଭିତରେ ତ ଉତ୍ତର ଅଛି ।

 

ଖୋଜିଲେ ହେଲା । ପାଇଲେ ହେଲା ।

 

ବାହାରେ ଶତ୍ରୁଙ୍କର ଉନ୍ମାଦନା ପ୍ରକାଶ ପାଉଥାଏ ।

 

ଚିତ୍କାର ଶୁଭୁଥାଏ–

 

ଆତ୍ମ ସମର୍ପଣ କର । ଅସ୍ତ୍ର ତ୍ୟାଗ କର ।

 

ସମୟ ପୁନରାୟ ତା’ର ଘୋଷଣାଟିଏ ପାଠ କଲା, ପ୍ଲାଟ୍‌ଫର୍ମରେ ଗାଡ଼ି ଛାଡ଼ିବା ସମ୍ପର୍କୀତ ଘୋଷଣା ପରି–

 

ମୃତ୍ୟୁଭୀତି ଭୁଲିଯିବାକୁ ଚାହଁ ? ଦେହର ଦେହଳୀ ଦେଇ ଚାଲିଆସ ।

 

ଦେଖିବ ଜୀବନର ପୁରମାନ କେମନ୍ତ ସୁନ୍ଦର ।

 

ଜୀବନକୁ ନ ଜାଣିଲେ ବଞ୍ଚିବାର ମାନେ କ’ଣ ?

 

ସେତେବେଳକୁ ସେମାନେ ପରସ୍ପର ଆଗରେ ଠିଆ ହୋଇଥିଲେ । କେତେ ସମୟ ଧରି ଏମିତି ଠିଆ ହୋଇଛନ୍ତି, ଜାଣନ୍ତି ନାହିଁ । ଆରାଙ୍କର ସତେଇଶ ବର୍ଷର ଦେହ ମୁହଁ ଅସ୍ତ ସୂର୍ଯ୍ୟର କିରଣ ଭଳି କେମିତି ଲାଲ ହୋଇ ଆସୁଥିଲା । ଅମିନ୍‌ କ’ଣ ଭାବିଲା ପରି କହିଲେ,–ଆଃ, ଏତେ ରକ୍ତ !

 

ଉଭୟେ ପରସ୍ପରକୁ ଚାହିଁଲେ । ଉଭୟେ ଉଭୟଙ୍କୁ କ୍ରମେ କ୍ରମେ ଅସ୍ପଷ୍ଟ ଜଣାଗଲେ ଓ ହଠାତ୍‌ ଅଦୃଶ୍ୟ ହେଲେ ।

ଅମିନ୍‌ ଡାକିଲେ–କେଉଁଠି ?

ଆରା ଡାକିଲେ–କେଉଁଠି ?

କେହି କାହାକୁ ଚିହ୍ନନ୍ତି ନାହିଁ । କେହି କାହାକୁ ଜାଣନ୍ତି ନାହିଁ । କେବଳ ଏତିକି ସେମାନଙ୍କର ପରିଚୟ–ସେମାନେ ଏକାଠି ମୃତ୍ୟୁର ନିକଟତର ହେଉଛନ୍ତି । କ୍ରମେ ସେମାନଙ୍କୁ ବୋଧ ହେଲା ସେମାନେ ହୁଏ ତ ପରସ୍ପରକୁ କେବେ କେଉଁଠି ଦେଖିଛନ୍ତି । ମୁହଁ ଲାଗିଲା ଚିହ୍ନା ମୁହଁ ପରି । ସ୍ୱର ଲାଗିଲା ଚିହ୍ନା ସ୍ୱର ପରି । ଆଖିରେ ପରସ୍ପରକୁ ନିଜ ଭିତରେ ଖୋଜିବା ଚାହାଁଣି-

ସମୟ ସେତେବେଳେ ଲୁଚି ବସିଥାଏ । ସେମାନଙ୍କୁ ଚାହୁଁଥାଏ ।

ଉଭୟେ ଉଭୟଙ୍କୁ ଖୋଜୁଥାନ୍ତି । ଏ କୋଣରୁ ସେ କୋଣ । ସେ କୋଣରୁ ଆର କୋଣ । ଆର କୋଣରୁ ଆର କୋଣ । କିଏ ଜାଣୁଛି କେତେ ତାହାର ଆୟତନ, କେତେ ପରିମିତି-?

କେବଳ ଖୋଜା ଚାଲିଥାଏ, ଜଣେ ଆର ଜଣକୁ । ଆର ଜଣକ ଏ ଜଣକୁ । ଦେହର କୋଣ ଅନୁକୋଣ ଧରି ଖୋଜୁଥାନ୍ତି । କେବଳ ଦେହର ସମାସ ଅମିନାରା । କେହି କାହାକୁ ପାଉ ନ ଥାନ୍ତି ।

ତଥାପି ଖୋଜିବା ଶେଷ ହେଉ ନ ଥାଏ । ସେ ଯେପରି ଆଦିମ ମନୁଷ୍ୟର ସେହି ଚିରନ୍ତନ ଅନ୍ୱେଷଣ । ଏକ ନୂତନ ଚେତନାର ମଳୟରେ ଯେପରି ଖୋଲିଯାଉଥାଏ କୋଠରୀ ପରେ କୋଠରୀ ।

କେତେବେଳକୁ ଅମିନ୍‌ ଡାକିଲେ–ଆରା !

ଆରାଙ୍କ ମୁଖ-ମଣ୍ତଳରେ ଏକ ଅନିର୍ବଚନୀୟ ପ୍ରଶାନ୍ତି । ସେ ଯେପରି ଆଉ କିଛି କହିବାକୁ କ୍ଳାନ୍ତ ।

 

।। ଅପେକ୍ଷିତ ମୁହୂର୍ତ୍ତ ।।

 

ହଠାତ୍‌ ଏକ ବିସ୍ଫୋରଣରେ କମ୍ପି ଉଠିଲା ମେଦିନୀ ଏବଂ କୋଠରୀର କାନ୍ଥମାନ ଭୁଷୁଡ଼ି ପଡ଼ିଲା ।

 

ଅମିନ୍‌ ଓ ଆରା ଜାଣିଲେ ସେମାନଙ୍କୁ କାନ୍ଥ ମାଡ଼ି ବସିଛି ଓ ସେମାନେ ପରସ୍ପରର ଅତି ନିକଟରେ ଅଛନ୍ତି । ପରସ୍ପରର ବାହୁ ଭିତରେ ଅଛନ୍ତି । ସେହିକ୍ଷଣି ଯନ୍ତ୍ରଣା ସେମାନଙ୍କୁ ପୀଡ଼ା ଦେଲା । ଯନ୍ତ୍ରଣା ଭିତରେ ଉଭୟେ ଉଭୟଙ୍କୁ ଚାହିଁଲେ । କହିଲେ,–ଆଶଙ୍କିତ ମୃତ୍ୟୁବେଳା ଏଇ ମାତ୍ର ଆସିଲା । ମାତ୍ର କାହାରି ତୁଣ୍ତରୁ ଶବ୍ଦ ସ୍ଫୁରିଲା ନାହିଁ । ଅଥଚ ଭୟ କାହାରିକୁ ଆତଙ୍କିତ କରାଇ ପାରିଲା ନାହିଁ ।

 

କିଛି କ୍ଷଣ ପରେ ବେଶ୍‌ ଲମ୍ବା ଏକ ବାୟୋନେଟ୍ ସେମାନଙ୍କୁ ଏକାଠି ଗୁନ୍ଥି ପକାଇଲା ଏବଂ ଲାଲ୍‌ ରକ୍ତର ପିଚକାରୀରେ ଓଦା ହୋଇଗଲା ଆତତାୟୀର ବୁଟ୍‌ ଓ ପୋଷାକ ପତ୍ର ।

 

ସେମାନଙ୍କର ବିବର୍ଣ୍ଣ ଦେହ ମୁହଁକୁ ନିଜେ ସେମାନେ ଆଉ ଚିହ୍ନି ପାରିଲେ ନାହିଁ ।

 

ଅନ୍ତଃସ୍ୱର

 

ରୋଷନାରା ମହିଳା କଲେଜ ହଷ୍ଟେଲର ଛାତ୍ରୀମାନେ ଭୟ ଓ ଆଶଙ୍କାରେ ସମୟ ବିତାଉଥିଲେ–କିଏ ଜାଣେ କେତେବେଳେ କ’ଣ ଘଟିଯିବ ? ଅନିଶ୍ଚିତତା, ଅସ୍ଥିରତା ସେମାନଙ୍କ ମୁହଁକୁ ଫିକା କରି ଦେଇଥିଲା ।

 

ଘୁଁ କରି ଗୋଟାଏ ଅଗ୍ନି-ଚକ୍ଷୁ ‘ନାଟ୍‌’ ବିମାନ ଛଞ୍ଚାଣ ପରି ଝାମ୍ପମାରି ଚାଲିଗଲା । ଛାତ୍ରୀ ନିବାସର ନୀରବ ପରିବେଶକୁ ବିଦୀର୍ଣ୍ଣ କରିଗଲା । ଲୁହା ଟୋପି ଓ ବାୟୋନେଟ୍‌ଧାରୀ କେତେକ ସୈନ୍ୟ ଦରଜା ଭାଙ୍ଗି ପଶିଆସିଲେ ଭିତରକୁ । ଆତଙ୍କିତା ଛାତ୍ରୀମାନେ କିଏ କେଉଁଆଡ଼େ ପଶିଗଲେ ।

 

ଆଲେୟା ବେଗମ୍ ଛାତ ଉପରକୁ ପଳାଇଯାଇ ଭୟରେ ଥରୁଥାଏ । ଛାତ ଉପରେ ଏପାଖ ସେପାଖ ହେଉଥାଏ । କ’ଣ କରିବ, କୁଆଡ଼େ ଯିବ ଜାଣିପାରୁ ନ ଥାଏ । କିଏ ଜାଣେ କେତେବେଳେ ବିପଦ ସୈନିକର ପୋଷକରେ ଚାଲିଆସିବ ଉପରକୁ । ତଳେ ସୈନ୍ୟମାନେ ଛାତ୍ରୀମାନଙ୍କ ଉପରେ ଅତ୍ୟାଚାର କରୁଥାନ୍ତି । ତଳ ମହଲାରୁ ଶୁଣାଯାଉଥାଏ କିଶୋରୀ କଣ୍ଠର ଆକୁଳ ଚିତ୍କାର ।

 

ରକ୍ଷଣଶୀଳ ପରିବାରର କନ୍ୟା ଆଲେୟା । ଦୂର ମଫସଲରୁ ଆସି କଲେଜ ଜୀବନରେ ପ୍ରବେଶ କରିଛି । ଜୀବନକୁ ଚିହ୍ନି ନାହିଁ । ଜୀବନର ବୈଚିତ୍ର୍ୟ ଜାଣିନାହିଁ । ଜୀବନର ବିଭତ୍ସତା ଦେଖିନାହିଁ । କେବଳ ଶୁଣିଛି ଜୀବନ ଦୁଃଖ ପୂର୍ଣ୍ଣ । ନିଜକୁ ବେଳେ ବେଳେ ପ୍ରଶ୍ନ କରିଛି,–ମଣିଷ ତା’ହେଲେ ଜନ୍ମ ହେଉଛି କାହିଁକି ? କେଉଁ ସୁଖ ପାଇଁ ? ମାତ୍ର ଉତ୍ତର ଖୋଜି ପାଇ ନାହିଁ । ଦିନରେ ତିନି ଥର ଉଜୁ କରି ନମାଜ ପଢ଼ୁଛି । ଅସଦାଚରଣକୁ ଘୃଣା କରି ଶିଖିଛି । ପାପକୁ ପାପ, ପୁଣ୍ୟକୁ ପୁଣ୍ୟ ବୋଲି ମାନୁଛି ।

 

ଆଲେୟା ବେଗମ୍‌ ନିଜ ବୃତ୍ତର ପରିଧିରେ ଘୂରି ଲାଗିଛି । ଛାତି ଦମ୍‌ ଦମ୍‌ ହେଉଛି । ଦୁଲୁକୁଛି । ଦୁଲୁକୁଛି ଛାତି ଓ ମୁହଁର ମାଂସ । ଲାଗୁଛି ଯେମିତି ହୃତ୍‌ପିଣ୍ତ ଛିଡ଼ି ଖସିପଡ଼ିବ ।

 

କୁମାରୀ ଆଲେୟା ଭୟର ଭଉଁରୀରେ ଉବେଇ ଟୁବେଇ ହେଉଛି । ଭୟ–ସତେ ଯେପରି ନାଗଟାଏ ଆସୁଛି ଏଇନେ ଗୁଡ଼େଇ ହୋଇଯିବ ଦେହରେ । ତଳୁ ଉପର ଯାଏଁ । ଉପରୁ ତଳଯାଏ । ଗୁଡ଼େଇ ହେଉଥିବ । ସଲ ସଲ ହେଉଥିବ । କ୍ରମେ କଠିନ ହୋଇଯିବ ତା’ର ଦେହ ବନ୍ଧ । ତା’ପରେ ଭିଡ଼ି ଧରିବ । ଭିଡ଼ି ଧରିବ ଆଉ ଛାଡ଼ିବନି । ଛାଡ଼ିବ ନାହିଁ ପୂରା ନିସ୍ତେଜ ହେଲା ଯାଏଁ ।

 

ତା’ପରେ ଦେହର ଶିରାମାନ ନେଳୀ ହୋଇଯିବ ଏବଂ ସେ ଗିଳିବାକୁ ଆରମ୍ଭ କରିବ । ପ୍ରଥମେ ମସ୍ତକ : ଆଖି, ନାକ, କାନ, ଗଣ୍ତ । ତା’ପରେ ଦେହ : ସ୍ତନ, ଉଦର, କଟି, ବାହୁ ସହିତେ । ତାପରେ ନିତମ୍ବ, ଜଘନ, ଜାନୁ ଏବଂ କ୍ରମେ କ୍ରମେ ତଳକୁ ତଳକୁ । ଗିଳିଦେବ । ଭିଡ଼ି ମୋଡ଼ି ହେବ-। ଭାଙ୍ଗି ଦେହର ହାଡ଼ମାନ । ତା’ପରେ ଡେଇଁ ପଡ଼ିବ ରାଜ ରାସ୍ତାକୁ ଓ ଖୁସିରେ ଶିଶିରୀମାରି ଚାଲିଯିବ ।

 

ଆଲେୟାର ଦେହ ଭୟରେ କମ୍ପିଗଲା । ସେ ବିଚଳିତ ହେଲା–କିଛି ବୁଦ୍ଧି ଦିଶୁନାହିଁ । କ’ଣ କରିବ ? ବିପଦ ମାଡ଼ି ଆସୁଛି ।

 

ଆଲେୟା ଦେଖିଲା,–ସିଡ଼ି ଦ୍ୱାରରେ ଠିଆ ହୋଇଛି ଶତ୍ରୁ ପକ୍ଷର ସୈନିକ । ହସୁଛି । ଶୁଷ୍କ ହସ । ନିଷ୍ପ୍ରାଣ ହସ । ସେ ହସ ଭଲ ଲାଗୁନାହିଁ । ସହି ହେଉନାହିଁ ।

 

ସୈନିକଟି କ’ଣ କହିଲା ।

 

ଆଲେୟା କିଛି ଶୁଣିପାରୁ ନ ଥାଏ । ଭୟ ତା’ ରକ୍ତରେ ଜମାଟ ବାନ୍ଧୁଥାଏ । ରକ୍ତ ହେଉଥାଏ ବରଫ ଓ ସେ ବରଫ ପୁଣି ତରଳି ଯାଉଥାଏ ।

 

ଚାହୁଁ ଚାହୁଁ ସାମନାରେ ଠିଆ ହେଲା ସୈନିକ ।

 

ଆଲେୟାର ଆଖି ଆଗରେ ଦୃଶ୍ୟମାନ ତଳ ଉପର ହେଲାପରି ଜଣାଗଲା ।

 

ସୈନିକଟା ଆଲେୟା ପାଖକୁ ଲାଗି ଆସିଲା । ବଳିଷ୍ଠ ଆବେଗ ଓ କୋମଳ କାତରତା ଯେପରି ପରସ୍ପରର ଆଗରେ ଠିଆହେଲେ ।

 

ଆବେଗର ପୁଷ୍ଟ ଅଙ୍ଗ ।

 

କୋମଳତାର ସଂକୁଚିତ ଶରୀର ।

 

ଆବେଗର ଧମନୀରେ ରକ୍ତର ଗତି ପ୍ରଖର ହେଉଛି । କାତରତାର ଶିରାରେ ରକ୍ତ ପାଣି ଫାଟୁଛି ।

 

ଆବେଗ ଚାହୁଁଛି କାତରତାକୁ ନିଜ ଦେହରେ ଲୀନ କରିଦେବ ।

 

ଆବେଗର ସ୍ୱର :

 

: ମାରିବିନି, ମାରିବିନି, ମାରିବିନି, ମାରିବିନି, ମାରିବିନି

 

କାତରତାର ସ୍ୱର–

 

: ଛାଡ଼ିଦିଅ, ଛାଡ଼ିଦିଅ, ଛାଡ଼ିଦିଅ, ଛାଡ଼ିଦିଅ, ଛାଡ଼ିଦିଅ

 

: କିଛି କରିବିନି, କିଛି କରିବିନି, କିଛି କରିବିନି, କିଛି କରିବିନି

 

: ନା ନା ନା ନା ନା ନା ନା ନା ନା

 

: ରହ ରହ ରହ ରହ ରରରର ରରରର ।

 

: ଆରେ ଆରେ ଆରେ ଆରେ ଆରେ ଆରେ

 

: ରରରରରରରର (ପ୍ରଶ୍ୱାସ) ରରରରର

 

ପ୍ରଥମ ରକ୍ଷା କବଚ ଫାଟିଲା । ଆଲେୟା କ’ଣ କରିବ କିଛି ଜାଣି ପାରିଲା ନାହିଁ ।

 

ସୈନିକଟି ଯେମିତି ସାପପରି ଗୁଡ଼ାଇ ହୋଇଯାଉଛି ଦେହରେ । କ୍ରମେ ଶକ୍ତ ହେଉଛି ତା’ର ଦେହ ବନ୍ଧ ।

 

ଆଲେୟା ନିଜକୁ ସଂବୃତ୍ତ କଲା । ନିଜ ଶାମୁକା ଭିତରକୁ ସଂକୁଚିତ ହୋଇଗଲା ଗେଣ୍ତାପରି ।

 

ଫାଟିଗଲା ଦ୍ୱିତୀୟ ରକ୍ଷା କବଚ । ଦୁଇଟା ଶକ୍ତ ହାତ ଆଲେୟାର ଛାତି ଉପରେ ଛକପରି ଥିବ ତା’ ହାତକୁ ଜୋର୍‌ କରି କାଢ଼ିନେଲା ।

 

ଆଲେୟାର ଦେହ ପୁଣି ସଂକୁଚିତ ହେଲା । ପୁଣି ସଂକୁଚିତ ହେଲା । ଜାଣିଲା ପାପ ତାକୁ ମାଡ଼ି ବସୁଛି । ପାପର ତନୁ ସଂକଟରୁ ରକ୍ଷା ପାଇବାର ଉପାୟ ନାହିଁ । କ’ଣ କରିବ ବୁଦ୍ଧି ଦିଶୁ ନାହିଁ ।

 

ସେ ସୈନିକକୁ କହିଲା-

 

ତମେ ଅନ୍ତତଃ ମାନ ଯେ ଆମ ଦେଶ ଉପରେ ତୁମର ଆକ୍ରମଣ ଅନ୍ୟାୟ । ଆମର ଦାବୀ ଯୁକ୍ତିଯୁକ୍ତ ।

 

ସୈନିକ ଉତ୍ତର ଦେଲା–

 

ମାନୁଛି ତୁମ ଦେଶର ଦାବୀ ଯଥାର୍ଥ । ଆମେ ଅନ୍ୟାୟରେ ଆକ୍ରମଣ କରିଛୁ ।

 

ତଥାପି ଆଲେୟା ସନ୍ତୁଷ୍ଟ ହେଲା ନାହିଁ । ପାପ ହିଁ ପାପ । ପାପ ପାପ ହୋଇ ରହୁଛି । ରୂପ ବଦଳାଉନାହିଁ । ଆଲେୟା କାରଣ ଖୋଜୁଛି–ପାପକୁ ପାପ ନ ଗଣିବାର କାରଣ । ତା’ ବ୍ୟତୀତ ଆଉ ଉପାୟ କ’ଣ ?

 

ଆଲେୟା ପଚାରିଲା–

 

ତମେ ମତେ ଭଲ ପାଅ ?

 

ଅବାନ୍ତର ପ୍ରଶ୍ନ । ସେତେବେଳେ ଏ ପ୍ରଶ୍ନ କେମିତି ବେଖାପ ଶୁଣାଗଲା ।

 

ସୈନିକ କହିଲା–

 

ତୁମ ରୂପ ମତେ ପାଗଳ କରିଛି । ସତରେ ମୁଁ ତୁମକୁ ଭଲ ପାଇବସିଛି ।

 

ତୃତୀୟ ରକ୍ଷା କବଚ ଫାଟିଗଲା ।

 

ସୈନିକଟା ଦାନ୍ତରେ ଟିକ୍ ଟିକ୍‌ କରି ଚିରି ପକାଇଲା କନାର ଆବରଣମାନ ।

 

ସୈନିକର ଦେହ କୁହୁଳିଲା । ଦେହ କୁହୁଳିବାର ଗନ୍ଧ ରାସ୍ତା କଡ଼ରେ କେଉଁଠି ପିଚୁ ତରଳା ହେଉଥିଲା ପରି, କେଉଁଠି ସାଇକେଲ୍ ଟାୟାରରେ ନିଆଁ ଲଗାଯାଇ-ଥିଲା ପରି ।

 

ଦେହ ଟକ ମକ ହୋଇ ଫୁଟୁଥାଏ–ଟକ ମକ ତତଲା ପାଣିରେ ଯେମିତି ସିପ ଫିଟୁଥାଏ । ଦେହର ଶାମୁକା ଚୂନ ହେଉଥାଏ । ନିଜର ଚୂନ ଖାଇ ଯାଉଥାଏ ନିଜକୁ ।

 

ଆଲେୟା ଅନୁଭବ କଲା ଯେମିତି ଗୋଟାଏ ଶକ୍ତ ସମୁଦ୍ର କଙ୍କଡ଼ା ତା’ର ଛାତିକୁ ଚାପି ବିଦୀର୍ଣ୍ଣ କରି ପକାଉଛି ।

 

ଗୋଟାଏ ଓଜନଦାର ଆନ୍ଦୋଳିତ ନିତମ୍ବର ଚାପାରେ ଆଲେୟାର ମାର୍ବଲ-ଶୁଭ କୋମଳ ଜଘନ କ୍ରମେ ଶୀତଳ ହୋଇ ଆସୁଥିଲା, ଯେପରି ଏକ ଅରଣ୍ୟ ଅଜଗରର କବଳରେ ଧଳା ଠେକୁଆଟିଏ ଛାଟିପିଟି ହୋଇ ହୋଇ କ୍ରମେ ନିସ୍ତେଜ ଓ ଶୀତଳ ହୋଇଯାଉଛି ।

 

ଆଲେୟା ଚାହୁଁ ଚାହୁଁ ଅଚେତ ହୋଇଗଲା ।

 

।। ୨ ।।

 

ସେ ସ୍ୱପ୍ନ ଦେଖିଲା ।

 

ଅଜବ ସ୍ୱପ୍ନ :

 

ଶିମିଳୀ ଗଛ ତଳେ ସେ ଶୋଇଛି । ଗଛ ଉପରେ ଫୁଲ-ଶାଗୁଣାର ପିଲାମାନେ କାନ୍ଦୁଛନ୍ତି । କ୍ଷୂଧାରେ ଆତୁର ହେଉଛନ୍ତି । ଫୁଲ-ଶାଗୁଣା ପିଲାମାନଙ୍କୁ ବୋଧ ଦେଉଛି ଏଇ ଦେଖ କେମିତି ନାଗଟାଏ ଏଇ ଆଡ଼କୁ ମାଡ଼ି ଆସୁଛି । ଭୟ କରନାହିଁ । ଗଛମୂଳେ ସେ ପ୍ରଥମେ ରାଜ କୁମାରୀକୁ ଦେଖିବ । ନାଗଟା ପଶିଯିବ ରାଜକୁମାରୀର ଗର୍ଭ ଭିତରକୁ । ରାଜକୁମାରୀ ଚିତ୍କାର କରିବ । ଚିତ୍କାର ଶୁଣି ଧାଇଁ ଆସିବ ରାଜକୁମାରଟିଏ । ରାଜକୁମାରଟି ପଚାରିବ, କ’ଣ ହେଲା ? ରାଜକୁମାରୀ କିଛି କହିପାରୁ ନ ଥିବ । ସେତିକିବେଳେ ସେ ରାଜକୁମାରୀର ସ୍ପର୍ଶ ପାଇବ । ପୂର୍ବରୁ ତାକୁ ଅଭିଶାପ ଅଛି–କୁମାରୀ କନ୍ୟା ସ୍ପର୍ଶ କଲେ ତା’ ଉପରେ ଅକାଳ ଚଡ଼କ ପଡ଼ିବ ଓ ସେ ପ୍ରାଣ ଛାଡ଼ିବ । ଆଉ କାନ୍ଦ ନାହିଁ ମୋ ଧନ । ଅପେକ୍ଷା କର । ଏଇନେ ମନ ଇଚ୍ଛା ପେଟ ପୂରାଇ ଖାଇବ-। ଏ କଥା ଶୁଣି ଯେ ଯାହାକୁ କହିବ ସେ ପଥର ହୋଇଯିବ ।

 

ଆଲେୟା ସ୍ୱପ୍ନରେ ଅନୁଭବ କଲା ନାଗ ପଶିଯାଉଛି ତା’ ଗର୍ଭ କୋଠରୀକୁ । ଫୁତ୍‌କାର କରୁଛି । ପ୍ରତି ଫୁତ୍‌କାରରେ ବିଷ ବର୍ଷୁଛି । ଉତ୍ତପ୍ତ ବିଷ ।

 

ଆଲେୟା ଭୟରେ ଚିତ୍କାର କଲା ଓ ତା’ର ନିଦ ଭାଙ୍ଗିଗଲା ।

 

।। ୩ ।।

 

ଆଲେୟା ଚାରିଆଡ଼େ ଚାହିଁଲା । ନିଜକୁ ସଜାଡ଼ି ଠିଆ ହେଲା ।

 

ଦେଖିଲା, ଅକାଳ ଚଡ଼କ ପଡ଼ିଛି । ଛାତ ଉପରେ ସୈନିକର ନିର୍ବେଦ ଶରୀର ପଡ଼ିଛି । ତଳୁ ମୁକ୍ତିବାହିନୀଙ୍କ ଗୁଳିରେ ଟଳି ପଡ଼ିଛି ସୈନିକଟା ।

 

ଉପରେ ଆକାଶ ଓ ଶୂନ୍ୟତା ।

 

ଶୂନ୍ୟ ଆକାଶ ବିଦ୍ରୂପ କରୁଛି-

 

ଆଲେୟାର ଦେହ କଳଙ୍କିତ ।

 

ଆଲେୟାର ଦେହ ପାପଗ୍ରସ୍ତ ।

 

ଆଲେୟାର ଆତ୍ମା କଳୁଷିତ ।

 

ଦେହ ଓ ଆତ୍ମା ବାହାରେ ତା’ର କି ପରିଚୟ ଅଛି ?

 

ଆଲେୟା ଜାଣିଲା ତା’ର ନୈତିକ ମେରୁଦଣ୍ତ ଭାଙ୍ଗି ଯାଇଛି । କେମିତି କାହାକୁ ସେ ମୁହଁ ଦେଖାଇବ ? କାହାକୁ କେମିତି ସେ କ’ଣ କହିବ ? ନିଜେ ନିଜକୁ କ’ଣ ବା କୈଫିଏତ୍ ଦେବ-? କ’ଣ କରିବ ?

 

କିଛି ସ୍ଥିର କରି ନ ପାରି ସେ ସୈନିକର ରିଭଲ୍‌ଭରଟି ହଠାତ୍‌ ଦେଖି ଉଠାଇ ନେଲା । କାନ ମୂଳେ ଲଗାଇ ଟ୍ରିଗର୍‌ ଉପରେ ଆଙ୍ଗୁଠି ରଖିଲା ।

 

ପାପ ଆଉ ମନକୁ ହରାଇ ପାରିବ ନାହିଁ । ହୃଦୟକୁ ପୀଡ଼ା ଦେଇ ପାରିବ ନାହିଁ । ଆଶ୍ଚର୍ଯ୍ୟ, ଆଙ୍ଗୁଠି ଟ୍ରିଗର୍‌ ଚାପୁନାହିଁ ।

 

ସେ ଭାବିଲା ଏକ ଠାରୁ ଶହେଯାଏଁ ଗଣିଯିବ ଏବଂ ଠିକ୍‌ ଶହେ କହିଲା ବେଳକୁ ଟ୍ରିଗର୍‌ ଚାପିଦେବ ।

 

ଆଲେୟା ଗଣିବାକୁ ଆରମ୍ଭ କଲା–

 

ଏକ ଦୁଇ ତିନି ଚାରି ପାଞ୍ଚ ଛ ସାତ ଆଠ ନ ଦଶ... ଏବଂ ଗଣୁ ଗଣୁ ମଝିରେ ମଝିରେ ବାରମ୍ବାର ସଂଖ୍ୟା ଭୁଲିଗଲା । ହେଲାନି । ଆଉ ଥରେ ଗଣିବାକୁ ହେବ ।

 

ଏଇ ଥର, ଏଇଥର ନିଶ୍ଚୟ ।

 

ଆଲେୟା ପୁଣିଥରେ ଗଣି ବସିଲା । ଗଣୁ ଗଣୁ କେତେବେଳେ ଶହେ ଗଣି ସାରିଲାଣି-। ଟ୍ରିଗର ଚିପିବାକୁ ମନେ ନାହିଁ ।

 

ନା’ ନା’ ଏଇ ଥର କୋଡ଼ିଏ ଯାଏଁ

 

ନା’ ନା’ ତିରିଶ, ତାରିଖ ଯାଏଁ ଗଣିବ

 

ଏବଂ ଠିକ୍‌ ତିରିଶ ବେଳେ

 

ଆଲେୟା ଗଣୁଛି, ହଠାତ୍‌ କବାଟ ଠକ୍ ଠକ୍‌ ହେଲା ।

 

କବାଟ ଖୋଲିଲା ଏବଂ ଆସିଲେ ଛାତ୍ରୀମାନେ ।

 

ଅସ୍ତବ୍ୟସ୍ତ ରୂପ । ବେଶଭୂଷା ବିପର୍ଯ୍ୟସ୍ତ । ସେମାନଙ୍କର ଧର୍ଷିତ ଦେହ । ବିବର୍ଣ୍ଣ । ଅବଶ ।

 

ଚନ୍ଦନ ବନର ଗଛମାନଙ୍କରେ ଗୁଡ଼ାଇ ହୋଇ ସାପମାନେ ଗର୍ଜୁଥିଲେ । ଛାଡ଼ି ଯାଇଛନ୍ତି-। ବିଷ ଦାଉରେ ଗଛର ସତେଜ ସବୁଜ ପତ୍ରମାନ କୁହୁଳି ଯାଇଛି ଯେମିତି ।

 

ସେମାନେ ଆଲେୟାକୁ ଦେଖିଲେ ଓ ପଚାରିଲେ,-

 

: କ’ଣ ହେଇଛି ?

 

: କ’ଣ ହେଲା ?

 

: କ’ଣ କଲା ?

 

: କ’ଣ କିଲୋ ?

 

: ସମସ୍ତଙ୍କର ତ ସେଇ ଏକା ଦଶା । କହୁନୁ ?

 

ଆଲେୟା ଗୋଟିଏ ଉତ୍ତର ଦେଲା–କିଛି ନାଇଁ ।

 

ସେମାନେ ଦେଖିଲେ ସୈନିକର ମୃତ ଦେହ ପଡ଼ିଛି । ସମସ୍ତେ ଗୋଇଠାଏ ଗୋଇଠାଏ ମାରିଲେ ଏବଂ କହିଲେ–

 

: ମୁକ୍ତିବାହିନୀ ନ ଆସିଥିଲେ

 

: ସୈନ୍ୟଗୁଡ଼ାକ ଯେମିତି ହଷ୍ଟେଲରେ ପଶିଥିଲେ

 

: ଶେଷରେ ହତ୍ୟା କରିଥାନ୍ତେ

 

: ଆଲେୟା ବଞ୍ଚିଗଲା

 

: ବଞ୍ଚିଗଲା ?

 

ଆଲେୟା ସହିତେ ସେମାନେ ତଳକୁ ଆସିଲେ । ତା’ କୋଠରୀରେ ବସିଲେ । ସମସ୍ତେ ସମସ୍ତଙ୍କ ମୁହଁକୁ ଚାହିଁଲେ । କେହି କାହାକୁ କିଛି କହିଲେ ନାହିଁ ।

 

ସେତେବେଳକୁ ପରୀକ୍ଷା ସରି ଆସିଥାଏ ଓ ଛାତ୍ରୀ ନିବାସରେ ସେଇ କେତେ ଜଣ ଛାତ୍ରୀ ଥାଆନ୍ତି ।

 

ଆଲେୟା ସେମାନଙ୍କୁ କାନ୍ଥର କାଲେଣ୍ତରଟିଏ ଦେଖାଇଲା । କହିଲା ସେମାନେ ଏଇ ମସ୍‌ଜିଦ୍‌ର ଗମ୍ବୁଜମାନ ବୋମା ମାଡ଼ରେ ଭାଙ୍ଗି ଦେଇଛନ୍ତି ।

 

: ସହର ଛାତିରେ ଯେତେ ଭଲ ଭଲ ମସ୍‌ଜିଦ୍‌ ଅଛି, ସେମାନେ ସବୁରି ଗମ୍ବୁଜମାନ ଭାଙ୍ଗି ଦେଇଛନ୍ତି ।

 

: ସବୁରି ଗମ୍ୱୁଜ ଭାଙ୍ଗି ଦେଇଛନ୍ତି ?

 

: ସବୁରି ଗମ୍ବୁଜ ଭାଙ୍ଗି ଦେଇଛନ୍ତି ।

 

ସମସ୍ତେ ହସିଲେ । କାହାରି ଓଠ ବିଶେଷ ଖୋଲିଲା ନାହିଁ ।

 

ଆଲେୟାର ମନେ ପଡ଼ିଲା,

 

ରିଭଲ୍‌ଭରଟା ଛାତ ଉପରେ ପଡ଼ିଛି । ଥାଉ ପାଖରେ । କେତେବେଳେ କ’ଣ ଦରକାର ହେବ ।

 

ସେ ସିଡ଼ିରେ ଉପରକୁ ଉଠିଗଲା । ପାହାଚ ପରେ ପାହାଚ । ଗୋଟିକ ପରେ ଗୋଟିଏ-। ନାନା ନାନା ପ୍ରଶ୍ନ ତା’ ମନକୁ ଭାରାକ୍ରାନ୍ତ କରୁଥିଲା ।

 

ପ୍ରଥମ ପାହାଚ (ସେମାନଙ୍କୁ ତ ଏଥିପାଇଁ ଲାଜ ଲାଗୁନି ? )

 

ଦ୍ୱିତୀୟ ପାହାଚ (କାହାରିକୁ କେମିତି ଖରାପ ଲାଗୁନାହିଁ ? )

 

ତୃତୀୟ ପାହାଚ (ସମସ୍ତେ ତ ସମସ୍ତଙ୍କ ଘଟଣା ଜାଣିଛନ୍ତି)

 

ଚତୁର୍ଥ ପାହାଚ (କାହାରି ମନରେ ତ ପାପ ଭୟ ନାହିଁ ? )

 

ଆଲେୟା ସିଡ଼ିର ମୋଡ଼ ବୁଲିଲା ।

 

ପଞ୍ଚମ ପାହାଚ (ପାପ କ’ଣ ? )

 

ଷଷ୍ଠ ପାହାଚ (ପୁଣ୍ୟ କ’ଣ ? )

 

ସପ୍ତମ ପାହାଚ (ପାପର ଧାରଣା ଦେଲା କିଏ ? କାହିଁକି ?)

 

ଅଷ୍ଟମ ପାହାଚ (ପୁଣ୍ୟର ଧାରଣା ଦେଲା କିଏ ? କାହିଁକି ?)

 

ଆଲେୟା ଛାତ ଉପରେ ପହଞ୍ଚିଲା ।

 

ଏପାଖ ସେପାଖ ହେଲା । ଚାରି ଆଡ଼କୁ ଚାହିଁଲା ।

 

ତଳେ ରାସ୍ତାରେ ଗାଡ଼ି ମଟର ଧାଇଁଛି । ଜୀବନ ଧାଇଁଛି ।

 

ବଂଚିବାର ଚେଷ୍ଟା ସବୁଠାରେ । ସମସ୍ତଙ୍କର ।

 

ଉପରେ ଆକାଶ । ମିଛ ଆକାଶ ଏବଂ ଶୂନ୍ୟତା ।

 

ଆଲେୟା ମନରେ ସେଇ ପ୍ରଶ୍ନ ଆନ୍ଦୋଳିତ ହେଉଥିଲା,

 

ମଣିଷ ମନରେ ପାପପୁଣ୍ୟର ଧାରଣା ଦେଲା କିଏ ? କାହିଁକି ? ମୁଁ କାହାର ଧାରଣାର ଚାକର ହୋଇ ରହିବି କାହିଁକି ?

 

ପାପ ମିଛ ।

 

ପୁଣ୍ୟ ମିଛ ।

 

ସତ କେବଳ ଏଠି ବଞ୍ଚିବା ।

 

କ୍ରମେ କ୍ରମେ ଉଚ୍ଚ ସ୍ୱରରେ ଶବ୍ଦ ଗୁଡ଼ାକ ଉଚ୍ଚାରିତ ହୋଇଗଲା । ଆଲେୟା ନିଜର ସ୍ୱର ଶୁଣି ସଚେତନ ହୋଇଗଲା । ଛାତ ଉପରେ ପଡ଼ିଥିବା ରିଭଲ୍‌ଭରକୁ ଚାହିଁଲା । ଚାହିଁଲା ସୈନିକକୁ । ତା’ର ବଳିଷ୍ଠ ଦେହ ମୁହଁକୁ । ମୁହଁର ପୌରୁଷକୁ । ଲୋକଟାର ବୟସ କେତେ ହେବ-?

 

ଆଲେୟା ମନରେ ମୁହୂର୍ତ୍ତକ ପାଇଁ ଏ ପ୍ରଶ୍ନ ଜାଗି ଉଠିଲା ।

 

ଲୋକଟାର ଆଖିକୁ ସେ ଲକ୍ଷ୍ୟ କଲା । କିଛି ସମୟ ପୂର୍ବରୁ ଯେଉଁ ଆଖିରେ କାମନାର ଆଗ୍ନେୟଗିରି ଅଗ୍ନି ଉଦ୍‌ଗୀରଣ କରୁଥିଲା, ତାହା ବର୍ତ୍ତମାନ ଏକ କାଚର ଆଖି ପରି ସ୍ଥିର ଓ ଶୀତଳ-। ସ୍ଥିର ଆଖିରେ ସୈନିକଟା ସତେ ଯେମିତି ଆଲେୟାକୁ ଚାହିଁଛି ।

 

ଆଲେୟା ଚାରିଆଡ଼କୁ ଚାହିଁଲା । ଚାହିଁଲା ସୈନିକର ମୁହଁକୁ ।

 

ସେ ସୈନିକ ଆଡ଼କୁ ଝୁଙ୍କି ପଡ଼ିଲା ଓ ତା’ କପାଳରେ ଚୁମା ଦେଇ ସିଡ଼ିରେ ତଳକୁ ପାହାଚେ ପାହାଚେ ଓହ୍ଲାଇଗଲା ।

Image

 

ଅଂଧାରର ମୁହଁ

 

ଅଂଧାରର ଗୋଟାଏ କି ମାୟା... !!

 

ସୁରବାବୁଙ୍କ ମନ ଉତୁରି ପଡ଼ିଲା ଏବଂ ସେ ଅଂଧାରକୁ ବୁଝିବାକୁ ଚେଷ୍ଟା କଲେ । ଚାରିଆଡ଼େ ଅଂଧାର । ରାତିର ଅଂଧାର ସବୁ ଆବୋରି ରଖିଛି–ନଇନାଳ, ଗଛଲତା, ବଣପାହାଡ଼-। ଆକାଶ ତୋଫା ଦିଶୁଛି । ଆକାଶର ତୋଫା ରଙ୍ଗରେ ନଈ ନାଳ, ବଣ ପାହାଡ଼ର ଆକାର ଜାଣି ହେଉଛି । ସବୁ ଦିଶୁଛି ଝାପ୍‌ସା । ସବୁ ରହିଯାଉଛି ପଛରେ । ରାତି ଅଂଧାରରେ ଡାକଗାଡ଼ି ଆଗକୁ ଛୁଟି ଚାଲିଛି । ଗାଡ଼ିର ଶବ୍ଦରେ ବିଜନ ରାତି ଜଣାପଡ଼ୁଛି ଭାରି ଗମ୍ଭୀର ।

 

ଅଂଧାର ତାଙ୍କୁ ଭଲ ଲାଗୁଛି । ସୁରବାବୁ ଗାଡ଼ି ଭିତରୁ ବାହାରକୁ ଚାହିଁଛନ୍ତି । ଅନେକ ଦିନପରେ ସେ ଆଜି ଅଂଧାରର ମାୟା ବୁଝୁଛନ୍ତି ।

 

ପାଖ ସିଟ୍‌ରେ ସ୍ତ୍ରୀ ଶୋଇଛନ୍ତି । ତାଙ୍କୁ ନିଦ ଲାଗିଛି । ପନ୍ଦର ବର୍ଷ ଘରକଲା ଭିତରେ ସୁରବାବୁଙ୍କୁ ସେ ବିଶେଷ କିଛି ଦେଇ ପାରିନାହାନ୍ତି । ସନ୍ତାନଟିଏ ବି ନୁହେଁ । ତାଙ୍କ ମନରେ ଦୁଃଖ, ସ୍ୱାମୀଙ୍କୁ ସୁଖୀ କରାଇ ପାରିଲି ନାହିଁ । ରୋଗ ସଦା-ବେଳେ କାଳ ହେଲା । ଶେଷକୁ ଥିଲା କ୍ୟାନ୍‌ସର । ଏଥର ଭେଲୋରରୁ ଆଉ ଫେରି ପାରିବି କି ନାହିଁ କିଏ ଜାଣେ ।

 

ସୁରବାବୁ ସ୍ତ୍ରୀଙ୍କୁ ଚାହିଁଲେ । ଚଦରରେ ତାଙ୍କ ଦେହ ଘୋଡ଼ାଇ ଦେଲେ । ମନେ ମନେ କହିଲେ–ଆହା, ବିଚାରି ! ଜୀବନରେ ସୁଖ କ’ଣ ଜାଣିଲାନି । ଭେଲୋରରୁ ଭଲ ହୋଇ ଏଥର ଫେରି ଆସିଲେ...

 

ପ୍ରଥମ ଶ୍ରେଣୀର କୋଠରୀଟିରେ କୋଳାହଳ ନାହିଁ । ସେ ପାଖର ଝରକା ନିକଟରେ ଆଉ ଜଣେ କେବଳ ଭଦ୍ରମହିଳା ବସିଛନ୍ତି । ତାଙ୍କ ଆଖିକୁ ନିଦ ଆସିନି । ନେଳୀ ଆଲୁଅଟିଏ ଜଳୁଛି ନ ଜଳିଲା ପରି । କୋଠରୀଟି ସାରା ଛାଇ ପଡ଼ୁଛି । ସୁରବାବୁ ଭଦ୍ରମହିଳାଙ୍କୁ ଚାହିଁଲେ । ଭାବିଲେ-ଏତେବେଳ ଯାଏଁ ସେ ଶୋଇ ନାହାନ୍ତି । ରାତି ତ ଅନେକ ହେଲାଣି । ତାଙ୍କୁ କ’ଣ ଅଂଧାର ଭଲ ଲାଗୁଛି ?

 

ସେ ବାହାରକୁ ଚାହିଁଲେ । ରାତିର ଅଂଧାର ତାଙ୍କୁ ଆହୁରି ଭଲ ଲାଗିଲା । ଲାଗିଲା–ଅଂଧାର ଯେମିତି ତାଙ୍କର ବହୁଦିନର ଚିହ୍ନା ଏବଂ ତାହା ସେ ଏବେ ଜାଣି ପାରିଛନ୍ତି ।

 

ରାତି କ୍ରମେ ଗାଢ଼ ହେଉଛି । ଅଂଧାର ବି । ସୁରବାବୁ ହାତଘଡ଼ିକୁ ଚାହିଁଲେ । ଘଡ଼ିଟା ବନ୍ଦ ହୋଇଯାଇଛି । ଭାବିଲେ–

 

ଭଦ୍ରମହିଳାଙ୍କୁ ସମୟଟା ପଚାରିବି । ନା, ତାଙ୍କର ଭାବନାରେ ବାଧାଦେବା, ଠିକ୍‌ ହେବନି ।

 

ସଂଜବେଳେ ସହାନୁଭୂତିରେ ଭଦ୍ରମହିଳା ଆଗଭର ହୋଇ ପଚାରିଥିଲେ–ତାଙ୍କର (ସ୍ତ୍ରୀଙ୍କର) କ’ଣ ହୋଇଛି ? ଭଦ୍ରାମିରେ ପଚାରିଲି–ଆପଣ କୁଆଡ଼େ ଯାଉଛନ୍ତି । ସଂକ୍ଷେପରେ ସେ କହିଲେ–ପ୍ରାଚୀନ ମୂର୍ତ୍ତି ରହସ୍ୟ ବିଷୟରେ ଗବେଷଣା କରୁଛି । ଯାଉଛି–ଦକ୍ଷିଣ ଭାରତର ପ୍ରାଚୀନ ମନ୍ଦିରର ମୂର୍ତ୍ତି ସବୁ ବୁଲି ବୁଲି ଦେଖିବି ।

 

ସୁରବାବୁ ଝରକା ଉପରେ ମୁଣ୍ତ ଢଳାଇ ବସିଲେ ।

 

ଟେଲିଫୋନ ତାର ଖୁଣ୍ଟି ସବୁ ପଛକୁ ଧାଇଁଛନ୍ତି । ସୁରବାବୁ ତାର ଗୁଡ଼ାକର ଢେଉ ଭଳି ଗତିକୁ ନଜର କଲେ । ସମୟ ଜାଣି ନ ପାରିବାରୁ ତାଙ୍କୁ ଖରାପ ଲାଗିଲା । ପୁଣି ଇଚ୍ଛା ହେଲା ସମୟଟା ପଚାରି ଦେବେ । ସେ ପାଖର ଝରକାରେ ଭଦ୍ରମହିଳା ବାହାରକୁ ଚାହିଁଛନ୍ତି । ବୟସ ୩୦ କି ୩୨ ହେବ । ସଂଭବତଃ ବିବାହ କରିନାହାନ୍ତି । ଗବେଷଣା କରୁ କରୁ ଦିନ ଯାଉଛି । ସଂସାର କରିବାକୁ ମନ ବଳି ନାହିଁ ।

 

ନଈପୋଲ ଉପରେ ଗାଡ଼ି ଚାଲିଛି । ଓସାରିଆ ନଈ । ନଈରେ ଢେଉ ନାହିଁ । ପାଣି ଚହଲୁ ନାହିଁ । ରାତି ଅଂଧାରରେ ନଈ ଦିଶୁଛି ଆକାଶ ପରି । ସୁରବାବୁ ଭାବିଲେ ଏ ନଈ ପାଣିକୁ କିଏ ଅବା ବଂଧ ପକାଇ ଅଟକାଇ ରଖିଛି । ଭାଙ୍ଗି ଯାଆନ୍ତା କି ବନ୍ଧଟା । ଗାଡ଼ି ହୁଇସିଲ୍‌ ଦେଲା । ନୀରବ ରାତିରେ ସେ ଶବ୍ଦ ସୁରବାବୁଙ୍କୁ ଭାରୀ ଗହୀରିଆ ଶୁଭିଲା । ଲୁହା ପାହି ଉପରେ ଗାଡ଼ିର ଶବ୍ଦ ଶୁଭୁଥାଏ ଧଡ଼ାସ୍‌ ଧଡ଼ାସ୍‌...ଧଡ଼ାସ୍‌, ଧଡ଼ାସ୍‍, ଧଡ଼ାସ୍‌...ଧଡ଼ାସ୍‌, ଧଡ଼ାସ୍‌... ।

 

ସୁରବାବୁଙ୍କ ମନରେ କେମିତି ଏକ ଚମକ ଲାଗିଲା । ତାଙ୍କର ଭାରୀ ଇଚ୍ଛା ହେଲା ପଚାରିଦେବେ-

 

କେତେଟା ବାଜିଲା କି ? ମୋ ଘଣ୍ଟାଟା ଦେଖିଲା ବେଳକୁ, ବନ୍ଦ ହୋଇଯାଇଛି ଯେ...ନେଳୀ ଆଲୁଅଟି ଦପ କରି ଜଳି ଉଠିଲା ଜୋରରେ । କ୍ଷଣକପରେ ଆଗଭଳି ଫିକା ପଡ଼ିଲା ପୁଣି । ପୁଣି ତେଜ ଦିଶିଲା । ପୁଣି ମିଂଜି ମିଂଜି ହୋଇଗଲା ।

 

ସୁରବାବୁଙ୍କ ମନ ଭିତରୁ କିଏ କହି ଦେଲା-

 

ପଚାରିଦିଏ ମ ସମୟଟା ।

 

ଭଦ୍ରମହିଳା ଜଣକ ହଠାତ୍‌ ଗାଡ଼ି ଭିତରକୁ ମୁହଁ ଫେରାଇଲେ ଓ କିମିତି ଏକ ଆବେଗରେ ପଚାରି ଦେଲେ–ଏଇଟା କି ନଈ କି ?

 

ତାଙ୍କ କଥାରୁ ଜଣାପଡ଼ିଲା ସେ ଅଭିଭୂତ ହୋଇପଡ଼ିଛନ୍ତି । ତାଙ୍କ ସ୍ୱର ସୁରବାବୁଙ୍କୁ ଭଲ ଲାଗିଲା ଓ ସେ ଗଦ୍‌ଗଦ୍‌ ହେଲେ ।

 

କହି ପାରିବିନି । ରାତିଟା ବୋଲି କିଛି ଜାଣି ହେଉନି । ...କେତେଟା ବାଜିଲା କି ?

 

ସାଢ଼େ ଗୋଟେ । ସାଢ଼େ ଗୋଟେ !! ଭଦ୍ରମହିଳା ଚକିତ ହେଲେ–ଏତେ ରାତି ହୋଇଗଲାଣି !

 

ସାଢ଼େ ଗୋଟେ ! ସୁରବାବୁ ଆଶ୍ଚର୍ଯ୍ୟ ହେଲେ । ଆଉ କ’ଣ ପଚାରିବାକୁ ଇଚ୍ଛା ହେଉଥିଲା, ପଚାରି ପାରିଲେନି ।

 

ନଈ ରହିଗଲାଣି ପଛରେ । ନେଳୀ ଆଲୁଅଟି ଜଳୁଥିଲା । ଜଳୁ ଜଳୁ ପୋଡ଼ିଗଲା । କୋଠରୀ ଭିତରେ ଝାପ୍‌ସା ଅଂଧାର । ଅଂଧାର ଆଉ ନୀରବତା ମିଶାମିଶି । ମଶାଗୁଡ଼ାକ ଗୁଣୁଗୁଣୁ ହେଉଛନ୍ତି । ସେ ପାଖର ଝରକା ପାଖରେ ଭଦ୍ରମହିଳା ଜଣକ ବସିଛନ୍ତି । ତାଙ୍କୁ ନିଦ ଆସି ନାହିଁ । ଅଂଧାର ଭିତରେ ତାଙ୍କର ଆକୃତି ଜାଣି ହେଉଛି । ସ୍ତ୍ରୀ ଶୋଇଛନ୍ତି–ତାଙ୍କର ଚେତା ଚପଟ ନାହିଁ । ସୁରବାବୁ ନୀବରେ ବସିଛନ୍ତି, ତାଙ୍କୁ ଅଂଧାର ଭଲ ଲାଗୁଛି ।

 

କ୍ରମେ ଅଂଧାର ଭିତରେ ସବୁ ଝାପ୍‌ସା ଦେଖି ହେଲା । ସୁରବାବୁ ଦେଖିଲେ–ଭଦ୍ରମହିଳାଙ୍କ ମୁହଁ ଝାଳୁଆ ଦିଶୁଛି । ତୋଫା ଆକାଶ ତା ଉପରେ ଚହଟୁଛି । ସେ ଏଇ ଆଡ଼କୁ ମୁହଁ କରି ବସିଛନ୍ତି, କଣ ଭାବୁଛନ୍ତି ? ତାଙ୍କୁ ନିଦ ଆସିନି–କାହିଁକି ଆସିନି ?

 

ସୁରବାବୁଙ୍କର ଧାରଣା ହେଲା ଭଦ୍ରମହିଳା ତାଙ୍କରି କଥା ହିଁ ଭାବୁଛନ୍ତି । କ’ଣ କହିବାକୁ ଚାହୁଁଛନ୍ତି କହିପାରୁ ନାହାନ୍ତି । ତାଙ୍କ ମୁହଁ ଝାଳେଇଛି । ତାଙ୍କ ଛାତି ଉଠୁଚି, ପଡ଼ୁଚି–ସବୁ ଜାଣି ହେଉଛି ଆକାଶର ତୋଫାରେ ।

 

ସୁରବାବୁଙ୍କ ଇଚ୍ଛା ହେଲା, ତାଙ୍କୁ ପଚାରିବେ-

 

କାହିଁକି ଶୋଇ ନାହାନ୍ତି ?

 

କ’ଣ ଭାବୁଛନ୍ତି ଏତେ ?

 

ରାତି କେତେ ହେଲାଣି,

 

ଦେହ ଖରାପ ହେବ ।

 

ସେ ମନକୁ ମନ ପ୍ରଶ୍ନ କଲେ-

 

ମୁଁ କିଏ ତାଙ୍କୁ ପଚରିବାକୁ ? ସେ ନ ଶୋଇଲେ ମୋର କ’ଣ ଯାଉଛି ?

 

ସୁରବାବୁଙ୍କ ମନ ଏ ପାଖ ସେ ପାଖ ହେଲା । ପଚାରିବେ କି ନାହିଁ ସେ ସ୍ଥିର କରି ପାରିଲେନି ।

 

ତାଙ୍କର ଧାରଣା ହେଲା, ସେ ଭଦ୍ରମହିଳାଙ୍କୁ କେଉଁଠି ଦେଖିଛନ୍ତି ଓ ଜାଣିଛନ୍ତି । ମାତ୍ର କେବେ, କେଉଁଠି କେଉଁ ପ୍ରକାରେ ତାଙ୍କ ସହ ଜଣାଶୁଣା ସେ ତାହା ମନେ ପକାଇ ପାରୁ ନ ଥିଲେ-

 

ସୁରବାବୁ ଭାବିଲେ, ଭଦ୍ରମହିଳା ଜଣକ ବୋଧହୁଏ ତାଙ୍କୁ ଜାଣିଛନ୍ତି, ପରିଚୟ ଦେବାକୁ ଚାହିଁଛନ୍ତି, ମାତ୍ର ସାହସ କରୁନାହିଁନ୍ତି ।

 

କେଜାଣି କାହିଁକି ହଠାତ୍‌ ତାଙ୍କ ମନକୁ ଛୁଇଁଲା,-

 

ଏ କ’ଣ ଆଉ ଉମା କି ?

 

ଉମା !!

 

ଉମା–ଯାହା ସହିତ ସେଇ କେତେଦିନର ପାଗଳକରା ସଂପର୍କ ଦୈବାତ ଜଣା ପଡ଼ିଯିବାରୁ ଓ ପରେ ପରେ ତା’ର ସ୍ଥାନ ପରିବର୍ତ୍ତନ ହେତୁ ତା ସହିତ ଯୋଗାଯୋଗ ଆଉ ସମ୍ଭବ ହେଲାନି ?

 

ଭଦ୍ରମହିଳା ସୁରବାବୁଙ୍କୁ ଉମା ପରି ଲାଗିଲେ/ଲାଗିଲେନି/ଲାଗିଲେ/ଲାଗିଲେନି ।

 

ସୁରବାବୁ ଦ୍ୱନ୍ଦରେ ପଡ଼ିଲେ । କ’ଣ କରିବେ କିଛି ଭାବି ପାରିଲେନି ।

 

ତାଙ୍କୁ ଭାରି ଛଟପଟ ଲାଗିଲା ।

 

ସେ ଉଠି ପଡ଼ିଲେ ।

 

କବାଟ ପାଖକୁ ଯାଇ ଠିଆହେଲେ ।

 

ବାହାରକୁ ଚାହିଁଲେ ।

 

‘‘କିଛି ଭଲ ଲାଗୁନି ।’’

 

ଝରକା ପାଖକୁ ଫେରି ଆସି ବସିଲେ ।

 

‘‘ବସିବାକୁ ଇଚ୍ଛା ହେଉନି । ଉଃ’’...

 

ଗାଡ଼ି ଗୋଟାଏ ରାବ ଦେଲା ।

 

ଅଧରାତିର ସେ ଗହୀରିଆ ରାବରେ ତାଙ୍କ ମନ ଚହଲିଗଲା । ସେ ବିଚଳିତ ହେଲେ ।

 

ଭଦ୍ରମହିଳା ଗୋଟାଏ ଦୀର୍ଘ ନିଃଶ୍ୱାସ ଛାଡ଼ିଲେ । ନୀରବ ରାତିରେ ଦୀର୍ଘନିଃଶ୍ୱାସର ସେ ଶବ୍ଦରେ ସୁରବାବୁଙ୍କ ଛାତି ରାମ୍ପୁଡ଼ି ହୋଇଗଲା ଭଳି ଲାଗିଲା । ସେ ପୁଣି ଠିଆ ହୋଇଗଲେ । ଠିଆ ହେଲାବେଳେ ତାଙ୍କୁ ଜଣାଗଲା, ଭଦ୍ରମହିଳା ଅବା କ’ଣ କହିଲେ । ମାତ୍ର କ’ଣ କହିଲେ ଠିକ୍ ଶୁଣାଗଲା ନାହିଁ । ତାଙ୍କ ଚେତନା ତାଙ୍କୁ ଜଣାଇଦେଲା, ଭଦ୍ରମହିଳା କହୁଛନ୍ତି,–ଆପଣ କ’ଣ ମୋର ଅସୁବିଧା ଜାଣି-ପାରୁ ନାହାନ୍ତି ?

 

ସୁରବାବୁଙ୍କ ଦେହ ମନ ଉଲସି ଉଠିଲା । ସେ ମନକୁ ମନ କହିଲେ,-

 

ଭଦ୍ରମହିଳାଙ୍କର କ’ଣ ହେଉଛି ?

 

ସେ ସମ୍ଭବତଃ ଯଂନ୍ତ୍ରଣାରେ ଛଟପଟ ହେଉଛନ୍ତି ।

 

ତାଙ୍କୁ ସାହାଯ୍ୟ କରିବାକୁ ପଡ଼ିବ ।

 

କାରଣ ଏଠି ତାଙ୍କର ଆଉ କିଏ ଅଛି ?

 

କିନ୍ତୁ ଏତେବେଳେ ସାହାଯ୍ୟ କରିବା ଠିକ୍‌ ହେବ କି ନାହିଁ ଭାବିବା ଆଗରୁ ସେ କେମିତି ଏକ ଉତ୍ତେଜନାରେ ଥରିଲେ । ବତିଶ ବର୍ଷ ଭିତରେ ଏମିତି ଉତ୍ତେଜନା ତାଙ୍କୁ କେବେ ଛୁଇଁଥିବାର ମନେ ପଡ଼ିଲାନି । ଉତ୍ତେଜନାରେ ଥରି ଥରି ସେ ଆଗେଇ ଗଲେ ।

 

କିଏ ସେ ଇଏ ?

 

କ’ଣ ୟା’ଙ୍କର ହଉଚି ?

 

ଆଗରୁ ତ ୟା’ଙ୍କୁ ଦେଖିଚି ।

 

କୋଉଠି ଦେଖିଚି ? କୋଉଠି ଜାଣିଚି ? କୋଉଠି ଜାଣିଚି ?

 

ଭଦ୍ରମହିଳା ମନକୁମନ ବାରମ୍ବାର ପ୍ରଶ୍ନ କଲେ ।

 

ସୁରବାବୁ ତାଙ୍କର ନିକଟତର ହେଲେ ।

 

ଭଦ୍ରମହିଳାଙ୍କର ଛାତି ଦୁଲୁକିଲା । ସେ ଠିଆହୋଇ ପଡ଼ିଲେ ଓ ଗୋଟାଏ ଆବେଗରେ କେମିତି କହି ପକାଇଲେ–

 

ସୁରବାବୁ ! କ’ଣ ହଉଚି ?

 

ଭଦ୍ରମହିଳାଙ୍କ କଣ୍ଠରେ ନିଜ ନାଁ ଶୁଣି ସୁରବାବୁ ଚମକି ପଡ଼ିଲେ । ପାଦ ଚଳିଲା ନାହିଁ ।

 

ଭଦ୍ରମହିଳା ଜଣକ ନିଜେ ବି ଚମକି ପଡ଼ିଲେ । ତାଙ୍କର ଦେହ ରୋମାଞ୍ଚିତ ହେଲା । ତାଙ୍କର ମଥା ଝିମ୍‌ ଝିମ୍‌ ହେଲା ଓ ସେ ପ୍ରାୟ ଥରି ଥରି ଲଥ୍‌ କରି ବସି ପଡ଼ିଲେ ।

 

ସୁରବାବୁ ବିସ୍ମିତ ଓ ବିମୋହିତ କଣ୍ଠରେ କହିଲେ-

 

‘ସୁ-ର-ବା-ବୁ !! କେମିତି ଜାଣିଲେ ମୋ ନାଁ ?

 

ଭଦ୍ରମହିଳାଙ୍କ କପାଳ ରିସ୍‌ ରିସ୍‌ ହେଲା । ଆଖି ବୁଜି ବୁଜି ହୋଇଗଲା । ଉତ୍ସୁକା ହୋଇ ସେ ପଚାରିଲେ-

 

ଆପଣଙ୍କ ନାଁ ସୁରବାବୁ ?

 

ସୁରବାବୁ କହିଲେ–

 

ହଁ । ସୁରବାବୁ । ସୁର ପଟ୍ଟନାୟକ ।

 

କେମିତି ଜାଣିଲେ ମୋ ନାଁ ??

 

ଆପଣ... ?

 

-ତନୁଜା ମହାନ୍ତି ।

 

ସୁରବାବୁ ଚକିତ ହେଲେ । ଏପରି ନାମଧାରିଣୀ କୌଣସି ଭଦ୍ରମହିଳାଙ୍କ ସହିତ ତ ସେ ପରିଚିତ ନୁହଁନ୍ତି ! ସେ କିଛି ଭାବି ପାରିଲେ ନି ।

 

ନୀରବରେ କେତୋଟି ମୁହୂର୍ତ୍ତ ବିତିଗଲା ।

 

ଭଦ୍ରମହିଳା କେତେ ସମୟ ପରେ ଥରି ଥରି କହିଲେ,-

 

ଅନେକ ଦିନ ତଳେ ଯେତେବେଳେ ପ୍ରଥମେ ପ୍ରଥମେ ମୋର ବାହାଘର କଥା ପଡ଼ୁଥିଲା, ମୋ ପାଇଁ ଆଲୋକିତ ହେଉଥିବା କେତେଗୁଡ଼ିଏ ପ୍ରସ୍ତାବର ନାଁ ମଧ୍ୟରୁ ସେତେବେଳେ ଏଇ ‘ସୁରବାବୁ’ ନାଁଟି କେଜାଣି କାହିଁକି ଦିନେ ମୋ ମନକୁ ଭାରି ଛୁଇଁଲା । ଏଇ ନାଁରେ ମୋ ସାଙ୍ଗମାନେ ମତେ ରାଣ ଦେଉଥିଲେ । ଶେଷରେ ଏମିତି ହେଲା ଯେ ଏଇ ନାଁ ସହିତ ମୁଁ କଳ୍ପନାରେ ଗୋଟିଏ ରୂପ ଯୋଡ଼ି ଦେଇଥିଲି । ଦଶ ବାର ବର୍ଷ ପରେ ଆଜି ହଠାତ୍‌ ସେ ନାଁ, ସେ ଦିନର ସେ କଳ୍ପିତ ରୂପ ଓ ଆପଣ...ସବୁ ଯେମିତି ମୋ ମନ ଭିତରେ ଏକାଠି ହୋଇ...

 

ଭଦ୍ରମହିଳା ଆଉ କହିପାରିଲେ ନାହିଁ ।

 

କହୁ କହୁ ସେ ପ୍ରାୟ ବିମୋହିତ ହୋଇ ପଡ଼ିଥିଲେ ।

 

ସୁରବାବୁଙ୍କୁ ଚା’ଉଁକରି ଲାଗିଲା । ତାଙ୍କର ସମସ୍ତ ଚେତନା ଭିତର ଦେଇ ସେ ଗୋଟାଏ ଶିହରଣରେ ଥରିଗଲେ–ବିଜୁଳୀ ତାରରେ ହଠାତ୍‌ ହାତ ଲାଗିଗଲା ଭଳି । ତାଙ୍କର କମ୍ପିତ ଚେତନା ଭିତରୁ ଗୋଟାଏ ଡାକ ଅସ୍ପଷ୍ଟ ଭାବରେ ତାଙ୍କ କାନରେ ବାଜିଲା ଓ ସେ ଡାକିଲେ, ତନୁଜା !

 

ଭଦ୍ର ମହିଳା ଶୁଣିଲେ । ମାତ୍ର ତାଙ୍କର କିଛି କହିପାରିବାର ଶକ୍ତି ନ ଥିଲା ।

 

ସୁରବାବୁ ବାହାରକୁ ଚାହିଁଲେ । ଦେଖିଲେ ଦୁଇ ଯୋଡ଼ା ରେଳ ପହି ଏକାଠି ଯୋଡ଼ି ହୋଇ ପୁଣି ଅଲଗା ହୋଇଯାଉଛି ।

 

ଗାଡ଼ିଟି ତା’ରି ଉପର ଦେଇ ଗୋଟାଏ ଅଜଣା ଷ୍ଟେସନକୁ ଅଂଧାରରେ ଅତିକ୍ରମ କରିଗଲା । ଗାଡ଼ିର ଶବ୍ଦରେ ଝଙ୍କାଳିଆ ଗଛ ପତ୍ର ଗୁଡ଼ାକ ଝାଇଁ ଝାଇଁ ହୋଇ ଚମକି ଗଲା ନିଷିଦ୍ଧ ଅଂଧାର ଭିତରେ ।

 

ବିଜନ ଷ୍ଟେସନର ଗୋଟାଏ କୋଣରେ ଗୋଟିଏ ମାତ୍ର ବତୀଖୁଣ୍ଟ । ମିଂଜି ମିଂଜି ହୋଇ ବତୀଟିଏ ଜଳୁଥିଲା । ସେଇଠି ନାଲି ନାଲି ଅକ୍ଷରରେ ଲେଖାଥିଲା ଷ୍ଟେସନର ନାଁ । ସେ ନାଁଟି ଉପରେ ସୁରବାବୁଙ୍କର ନଜର ପଡ଼ିଲା । ଗାଡ଼ିଟା ସେଇ ଅଂଧାରରେ ହୁଇସିଲ ଦେଇ ଆଗେଇଗଲା ।

 

ସ୍ତ୍ରୀ ହଠାତ୍‌ ହାଉଳିରେ ଉଠି ବସିଲେ । ପଚାରିଲେ, ଏଠା କୋଉଠା ?

 

ସୁରବାବୁଙ୍କର ସେ ଷ୍ଟେସନ ନାଁଟା ଆଉ ମନେ ପଡ଼ିଲାନି ।

Image

 

ଆଗ୍ନେୟଗିରି

 

ଆଶ୍ୱିନର ଗୋଟିଏ ଅପରାହ୍ନ ।

 

ପ୍ରିୟନାଥ ଦାସ ଅଧ୍ୟାପକ । ସୁଠାମ ଚେହେରା । ମୁହଁରେ ସ୍ୱାଭାବିକ ଗମ୍ଭୀରତା । ମୋଟା ନିଶ । ମୋଟା ଚଷମା । ତେଜିଆନ୍‌ ଆଖି । ସବୁଥିରେ ଦୃଢ଼ତା ଫୁଟି ଉଠେ । ସବୁଥିରେ ବ୍ୟକ୍ତିତ୍ୱର ଚିହ୍ନ ।

 

ବୟସ କେତେ ହେବ ଠିକ୍‌ କହି ହେବନି । ତେବେ ଯୁବକ ବୋଲି ତାଙ୍କୁ ଧରାଯାଇ ପାରେ । ସେ ଯୁବକ, ଯେହେତୁ ସେ ବିବାହ କରିନାହାନ୍ତି ।

 

ପ୍ରିୟନାଥ ଦାସ ଚାଲିଛନ୍ତି ।

 

ନିୟମର ବ୍ୟତିକ୍ରମ ତାଙ୍କଠାରେ ଦେଖାଯାଏ ନାହିଁ । ସେ ବେଶ୍‌ ନିଷ୍ଠାପର । ନୈତିକତାର ଅର୍ଥ ବୁଝିଛନ୍ତି । ପାଖରେ ଗୀତା ରଖିଛନ୍ତି । ଖବର କାଗଜ ବି ମଗାନ୍ତି । ରେଡ଼ିଓରୁ ଜାତୀୟ ସଙ୍ଗୀତ ଶୁଣିଲେ ଠିଆ ହୋଇ ପଡ଼ନ୍ତି । ସିନେମା ହଲ୍‌ରେ କେଉଁ ପରିଚିତ ଗୀତ ଶୁଣିଲେ ତା’ ସହିତ ନିଜର ସ୍ୱର ମିଳାନ୍ତି ନାହିଁ କିମ୍ବା କୌଣସି ପ୍ରଣୟମୂଳକ ଅଭିନୟ ଦେଖି ହସନ୍ତି ନାହିଁ କି ହସ ଲାଗିବାର ଆଭାସ ଦିଅନ୍ତି ନାହିଁ । କଥା କହନ୍ତି ଅଳ୍ପ । ମାପଚୁପ କଥା । ଦରକାର ହେଲେ କିଞ୍ଚିତ ହସି ପାରନ୍ତି, ପରିହାସ ବି କରିପାରନ୍ତି ଏବଂ ବନ୍ଦନା ଦାସ (ଯାହା ନାଁରେ କଲେଜ କାଣ୍ଟିନ୍‌ରେ କଫି ଖିଆଯାଇ ପାରେ ଓ ସେ କଫି କୁଆଡ଼େ ଭାରି ଭଲ ଲାଗେ)କୁ ଅପମାନ ଦେଇପାରନ୍ତି ଓ ଘୃଣା କରିପାରନ୍ତି । ଅନ୍ତତଃ ଏଇଟା ତାଙ୍କ ଚରିତ୍ରର ଗୋଟାଏ ବିଶିଷ୍ଟ ଗୁଣ ।

 

ପ୍ରିୟନାଥ ଦାସ ନିରୋଳା ରାସ୍ତାରେ ଚାଲୁଛନ୍ତି । ଏହା ଯେ ତାଙ୍କ ପାଖରେ ଏକ ବ୍ୟତିକ୍ରମ ନୁହେଁ, ତା’ କିଏ କହି ପାରିବ ? ହୁଏ ତ ଏହା ଲକ୍ଷ୍ୟ କରି ବଜାର ଛକ ଉପରେ କେହି ବ୍ୟକ୍ତି ଯେ କିଛି ମନ୍ତବ୍ୟ କରି ନ ଥିବେ, ତା’ ବି ଅସମ୍ଭବ ନୁହେଁ । ସେ ପାଦରେ ଚାଲି ଚାଲି ଯିବାର କେହି କେବେ ଦେଖିନାହିଁ । ଢାଉ ରଙ୍ଗର ଗୋଟିଏ ଭେସ୍‌ପା ତାଙ୍କୁ ବୋହିନିଏ ଏଠାରୁ ସେଠାକୁ, ସେଠାରୁ ଏଠାକୁ । ଆଜି ସେ ଚାଲ ଚାଲ ହୋଇ କେତେବାଟ ଆସିଗଲେଣି । ସହର ରହିଗଲାଣି ପଛରେ ।

 

ଆଗରେ କିଛି ଦୂରରେ ପରସ୍ପର ଲଗାଲଗି ଦୁଇଟି ଅଳ୍ପ ଉଚ୍ଚର ପାହାଡ଼–ଟାଙ୍ଗରା ଓ ଉପର ଭାଗ ଗୋଲାକାର । ନୂଆ ଅଧ୍ୟାପନା କରୁଥିବା ଗୋପାଳ ବାବୁଙ୍କୁ ସେ ଦୁଇଟି କୁଆଡ଼େ ସତକୁ ସତ ନାରୀ ପୟୋଧର ଭଳି ଦେଖାଯାଏ ।

 

ପ୍ରିୟନାଥ ଦାସ ସଂଯମ ଆଚରଣ କରିଛନ୍ତି । ଅନ୍ତତଃ ଏପରି ଚିନ୍ତା କରନ୍ତି ନାହିଁ । ତାଙ୍କର ଓଠ ଦୁଇଟି ସାମାନ୍ୟ ଓସାରି ହୋଇଗଲା ଉପହାସ କଲାଭଳି ଏବଂ ସେ ଭାବିଲେ,–ଗୋପାଳବାବୁ ପିଲାଲୋକ । ଛେଃ...... ।

 

କିନ୍ତୁ ହଠାତ୍‌ କେମିତି ତାଙ୍କର ମନେ ପଡ଼ିଗଲା ପିଲାଦିନର ଗୋଟିଏ ଘଟଣା,-

 

ସେ ଏକ ନିଛାଟିଆ ଖରାବେଳ । ବୀର ନାହାକର ନୂଆ ବୋହୂଟା ପୋଖରୀରେ ଗାଧୋଇ ଓଦା ଲୁଗାଟା କାନ୍ଧ ଉପରୁ ଖସାଇ ଆଣି ଚିପୁଡ଼ୁଥିଲା । ସେ ଦିନର ଦଶମ ଶ୍ରେଣୀର ଛାତ୍ର ପ୍ରିୟନାଥ ବୁଦା ଉହାଡ଼ରେ ବସି ଲୁଚି ଲୁଚି ଅତି ଆଗ୍ରହରେ ଚାହିଁ ରହିଥିଲେ ତା’ର ମୁକୁଳା ଛାତିଟାକୁ । ପଚିଶ ବର୍ଷ ତଳର ସେଇ ଦୃଶ୍ୟଟି ତାଙ୍କ ଆଖି ଆଗରେ ବିରଳ ଭାବରେ ନାଚିଗଲା ।

 

ଏ ଅପଚିନ୍ତାରୁ ମନକୁ ଫେରାଇ ଆଣିବାକୁ ସେ ଚେଷ୍ଟା କଲେ । ତେଣୁ ସେ ମନେ ମନେ ଜଗନ୍ନାଥଙ୍କର ରୂପ କଳ୍ପନା କଲେ । ମନେପଡ଼ିଲା କେଉଁ ଭକ୍ତର ଡାକ–‘‘ଦେଖିଲି ପଦ୍ମମୁଖ, ଗଲା ସକଳ ଦୁଃଖ ! ଆହେ ଚକାଡୋଳା !’’

 

ଜଗନ୍ନାଥଙ୍କର ହସ ହସ ମୁହଁ । ଚକା ଚକା ଆଖି । ତା’ ଭିତରେ ଚକା ଚକା ଦୁଇଟି କଳା ଡୋଳା । କି ସୁନ୍ଦର । ସେ ଭୋଳ ହୋଇଗଲେ ।

 

ମାତ୍ର ହଠାତ୍‌ ତାଙ୍କୁ ଦେଖାଗଲା ଜଗନ୍ନାଥଙ୍କ ଚକା ଚକା ଡୋଳା ସ୍ଥାନରେ ବୀର ନାହାକ ବୋହୂର ସେଇ ମୁକୁଳା ଛାତିର ମାଂସଳ ସ୍ତନ ଦୁଇଟି । ପ୍ରିୟନାଥ ବାବୁ ଆଖି ବନ୍ଦ କରି ପକାଇଲେ । ମନ ଭିତରେ ଏମିତି ଅସଂଗତ ଭାବନା ଜାଗିଥିବାରୁ ତାଙ୍କୁ ଦୁଃଖ ଲାଗିଲା ଓ ସେ ମନ ଭୁଲାଇବାକୁ ଅନ୍ୟକଥା ଭାବିଲେ ।

 

ପିଚୁ ରାସ୍ତା ଛାଡ଼ି ସେ କେତେବେଳେ ଆଗେଇ ଆସିଲେଣି ଏକ ସରୁ ଦଣ୍ତା ରାସ୍ତାରେ-। ଗେରୁ ରଙ୍ଗର ସରୁ ରାସ୍ତାଟି ସେଇ ଟାଙ୍ଗରା ପାହାଡ଼ ଦୁଇଟି ପାଖକୁ ଲମ୍ବିଯାଇଛି । ପାହାଡ଼ ଦୁଇଟି ଦେଖି ଗୋପାଳ ବାବୁ ମନେ ପଡ଼ିଲେ । ଗୋପାଳ ବାବୁ, ସେଇ ପରିହାସ ପ୍ରିୟ ଲୋକଟି-। ବୟସରେ କେତେ ସାନ । ଅଥଚ ବେଳେ ବେଳେ ପରିହାସ କରନ୍ତି ଅନ୍ତରଙ୍ଗ ବଂଧୁ ଭଳି । ତାଙ୍କୁ କିଛି କହି ହୁଏନି । ନିହାତି ପିଲାଳିଆ । ଦୁଇଦିନ ତଳେ ପରିହାସ ଛଳରେ ପ୍ରିୟନାଥ ବାବୁଙ୍କୁ କହିପକାଇଲେ,–ବୁଝିଲେ ସାର୍‌ ! ଆପଣ ତ ବାହାହେଉ ନାହାନ୍ତି । ନହେଲେ ଆପଣଙ୍କ ପ୍ରତି ଟୋଣ୍ଟିଫୋର୍‌ (ଗୀତା ଦାସ) ର ପ୍ରବଳ ୟାଁ ହୁଁ, ମାନେ ହେଁ...ହେଁ । ସମବୟସ୍କ ବନ୍ଧୁମାନେ କଥାଟାକୁ ସମର୍ଥନ କରି ପାଳି ଧରିଲେ । ସେତେବେଳେ ସେ ଲାଜରା ହୋଇଗଲେ ।

 

ପ୍ରିୟନାଥଙ୍କର ଗତି କିଂଚିତ୍‌ ଥମିଗଲା ଓ ସେ ଭାରି ଗମ୍ଭୀର ଜଣାଗଲେ । ମନେ ମନେ କହିଲେ–ପ୍ରିୟନାଥ ଦାସ ଭଳି ଲୋକ ନାଁରେ ସେମାନେ କଳଙ୍କ ଲଗାଇବେ: ପ୍ରିୟନାଥ ଦାସ ଗୀତା ଦାସ......ଅସମ୍ଭବ, ଅସମ୍ଭବ, ଚିନ୍ତା କରି ହୁଏନା ! କି ଅସୁନ୍ଦରୀ, ବେଢ଼ଙ୍ଗୀ ଝିଅ ! ଛେଃ...-

 

ଗୀତା ଦାସର ମୁହଁଟା ତାଙ୍କର ମନେ ପଡ଼ିଲା ଓ ସେ ତା’ ଉପରେ ଚିଡ଼ି ଉଠିଲେ । କାରଣ ଏଭଳି ଏକ ଧାରଣା ଜାତ ହେବା ପଛରେ ଗୀତା ଦାସର ହାବଭାବ ହୁଏତ ଅନେକ ପରିମାଣରେ ଦାୟୀ ।

 

ପ୍ରିୟନାଥ ଦାସ ପାହାଡ଼ ତଳେ ଠିଆହେଲେ, ଉପରକୁ ଚାହିଁଲେ ଓ ଚଢ଼ିବାକୁ ଆରମ୍ଭ କଲେ ।

 

ଗୀତା ଦାସର ହାବଭାବ ତାଙ୍କର ମନେ ପଡ଼ିଲା । ସେ ତା’ ଉପରେ ରାଗିବାକୁ ଆରମ୍ଭ କଲେ କାରଣ ନାରୀ ପ୍ରତି ତାଙ୍କର ଟିକିଏ ମାତ୍ର ବି ଅନୁରକ୍ତି ନାହିଁ । ତାଙ୍କ ଚରିତ୍ରର ଅନ୍ତତଃ ଏଇ ବୈଶିଷ୍ଟ୍ୟ ପାଇଁ ସେ ମନେ ମନେ ଗର୍ବ କରନ୍ତି ।

 

ଅଥଚ ଅଯଥାରେ ଗୀତା ଦାସକୁ କେନ୍ଦ୍ର କରି...

 

ପ୍ରିୟନାଥ ଦାସ ପାହାଡ଼ ଉପରକୁ ଉଠୁଛନ୍ତି ।

 

ଗୀତା ଦାସ ସେମିତି କିଛି ଅସାଧାରଣ ସୁନ୍ଦରୀ ନୁହେଁ । ତେବେ ସୌନ୍ଦର୍ଯ୍ୟକୁ ଧରି ରଖିବାର ପ୍ରଶଂସନୀୟ ଚେଷ୍ଟା ଅଛି । ସେଇ ହେତୁ ସେ କାହାରି କାହାରି ଦୃଷ୍ଟି ଆକର୍ଷଣ କରି ଥାଇପାରେ ଓ ସମ୍ଭବତଃ ସେଇଥିପାଇଁ ତା’ର ନାଁ ଗୋପାଳବାବୁ ପ୍ରଭୃତିଙ୍କର ଆଲୋଚନା ସ୍ତରକୁ ଆସିଯାଇଛି ।

 

ଗୀତା ଦାସ, ଗୀତା ଦାସ, ଗୀତା ଦାସ । ସତେ ଯେମିତି ଆଉ କିଛି ଚିନ୍ତା ନାହିଁ ।

 

ଗୀତା ଦାସ ପ୍ରତି ବିରକ୍ତିରେ ପ୍ରିୟନାଥଙ୍କ ମନ କୁହୁଳି ଉଠୁଛି ।

 

ସେ ପାହାଡ଼ ଚଢ଼ିବାରେ ଲାଗିଛନ୍ତି ।

 

ପ୍ରାକ୍ଟିକାଲ ଖାତା ନେବା ପାଇଁ ଗୀତା ଦାସ ମୋ କୋଠରୀକୁ ଏକା ଏକା ଚାଲି ଆସିଲା । କ’ଣ ବା ଏମିତି ଜରୁରୀ ଦରକାର ଥିଲା । ଅନ୍ୟଦିନେ ସେମିତି ସେ ବାରଣ୍ତାରେ ବହିଟିଏ ମାଗି ଦେଲା । ତା’ର ସେତେବେଳର ଭଙ୍ଗୀ କୁଆଡ଼େ ସନ୍ଦେହଜନକ । ଝିଅମାନଙ୍କର ଏଭଳି ଢଙ୍ଗକୁ ସେ ଆଦୌ ପସନ୍ଦ କରିପାରନ୍ତି ନାହିଁ । ଅଥଚ ଗୀତା ଦାସ ଯୋଗୁଁ ଅଯଥାରେ ତାଙ୍କ ନାଁରେ ଏମିତି ଏକ ଅପବାଦ ଖେଳିଗଲା !! ଗୀତା ଦାସକୁ ଦାୟୀ କରି ସେ ମନେ ମନେ ଖୁବ୍ ରାଗିଗଲେ ।

 

ପ୍ରିୟନାଥ ଦାସ ପାହାଡ଼ ଉପରେ ପହଁଞ୍ଚିଲେ । ତାଙ୍କର ଗମ୍ଭୀର ମୁହଁ ଅଧିକ ଗମ୍ଭୀର ଜଣାଗଲା ।

 

ପାହାଡ଼ ତଳେ ଗଉଡ଼ ପିଲାଟିଏ ଲହରେଇ ଲହରେଇ କାନ୍ଦୁଥିଲା–ଇଁ, ଇଁ, ଇଁ,.......ଯୋଉ ଶଳା ମତେ ମାଇଲା ତା’...ଇଁ, ଇଁ, ଇଁ......(ତା’ପରେ କିଛି ଅଶ୍ରବ୍ୟ ଗାଳି)......ଇଁ, ଇଁ, ଇଁ...... (ପୁଣି କିଛି ଅଶ୍ଳୀଳ ଗାଳି)...... ଇଁ, ଇଁ, ଇଁ...

 

ପ୍ରିୟନାଥ ଦାସଙ୍କର ହଠାତ୍‌ ଇଚ୍ଛା ହେଲା ସେ ଗୀତା ଦାସଙ୍କୁ ଗାଳି ଦିଅନ୍ତେ ।

 

ପାହାଡ଼ ଉପରେ ଠିଆ ହୋଇ ସେ ଚାରିଆଡ଼କୁ ଚାହିଁଲେ ଓ ପାହାଡ଼ ତଳେ ଥିବା ବନ୍ଧ ପାଣିକୁ ଗୋଟିଏ ପଥର ମାରିଲେ । ପଥରଟି ଗୁବ୍‌ କରି ଶବ୍ଦ କଲା ଏବଂ ସେଠାରେ ନାଭିଚକ୍ର ଭଳି ଭଉଁରୀଟିଏ ଖେଳିଗଲା । ତାଙ୍କ ମନ ଉଲ୍ଲସି ଗଲା । ସେ ଖୁବ୍‌ ଜୋର୍‌ରେ ଆଉ ଗୋଟିଏ ପଥର ମାରିଲେ ଓ ତା’ର ଶବ୍ଦକୁ ଅନୁକରଣ କରି ଦାନ୍ତ ଚାପି କହିଲେ–‘ଗୁବ୍‌’ ।

 

ଆଗରେ ଅନ୍ୟ ପାହାଡ଼ଟି । ପାହାଡ଼ ସବୁକୁ ଯୋଗକରୁଥିବା ବଂଧ ଉପରେ ଗଉଡ଼ ପିଲାଟି କାନ୍ଦି କାନ୍ଦି ଯାଉଥିଲା । ମୁହଁରେ ତା’ର ସେଇ ଅସଭ୍ୟ ଗାଳି ।

 

ପାହାଡ଼ ଭିତରୁ ଗୋଟିଏ ହନୁର ହୁଁକାର ଶୁଣାଗଲା । ପାହାଡ଼ର ଆବଦ୍ଧ ନୀରବତା ଭିତରେ ସେ ଶବ୍ଦ ଖୁବ୍ ଗମ୍ଭୀର ଶୁଣାଗଲା ।

 

ପ୍ରିୟନାଥ ଦାସ ହଠାତ୍‌ କେମିତି ଉତ୍ତେଜିତ ହୋଇ ପଡ଼ିଲେ । ଗୀତା ଦାସର ନା ସହିତ ନିଜ ନାଁ ଯୋଡ଼ି ଯୌନକ୍ରିୟା ବିଷୟକ ଗୋଟିଏ ଅଶ୍ଳୀଳ ମନ୍ତବ୍ୟ କଲେ । ମୁହୂର୍ତ୍ତକ ପରେ ତା’ର ପ୍ରତିଧ୍ୱନି ଶୁଣାଗଲା । ସେ ହସି ପକାଇଲେ । ପୁଣି ସେହି ଅଶ୍ଳୀଳ ମନ୍ତବ୍ୟଟି ସେ ବଡ଼ ପାଟିରେ ଉଚ୍ଚାରଣ କଲେ ଓ ତା’ର ଗମ୍ଭୀର ପ୍ରତିଧ୍ୱନି ଶୁଣି ହସିଲେ ।

 

ପାହାଡ଼ ଭିତରୁ ପୁଣି ହନୁର ହୁଁ କାର ଶୁଭିଲା । ପ୍ରିୟନାଥ ଦାସ ଅଧିକ ଉତ୍ତେଜିତ ହୋଇ ବଡ଼ ପଥର ଖଣ୍ତେ ସଜୋରରେ ଉପରକୁ ଉଠାଇ ସେହି ସ୍ତନାକୃତି ପାହାଡ଼ ଉପରେ କଚାଡ଼ି ଦେଲେ । ପଥରଟି ଭାଙ୍ଗି ଖଣ୍ତ ଖଣ୍ତ ହୋଇ ପାହାଡ଼ରୁ ତଳକୁ ଗଡ଼ିଗଲା ।

 

ତାଙ୍କୁ ଭାରି ଅବଶ ଲାଗିଲା । ଦେହ ହାଲୁକା ଲାଗିଲା । ପାହାଡ଼ ଉପରୁ ଚାରି ଆଡ଼କୁ ଚାହିଁ ଅତି ସନ୍ତର୍ପଣରେ ତଳକୁ ଓହ୍ଲାଇ ଗଲେ ଓ ପାହାଡ଼ ଦୁଇଟିର ଛାଇ-ଅଂଧାର ଭିତରେ ଅଦୃଶ ହୋଇଗଲେ ।

Image

 

ଅବଂଧନ

 

ସତ୍ୟଜିତ ବାବୁ ବିଛଣା ଉପରୁ ହାତ ବଢ଼ାଇ ରେଡ଼ିଓ ଲଗାଇଲେ ।

 

ସମୟ–ସକାଳ ଛଅଟା ବାଜି ପଚାଶ ମିନିଟ୍ ।

 

ସେ ଗୋଟିଏ ହାଇ ମାରିଲେ । ସମୟ ବେଶୀ ହୋଇନାହିଁ । ପାଗ ସାମାନ୍ୟ ମେଘୁଆ ହେତୁ ତୋଫା ଖରା ପଡ଼ିନାହିଁ । ଆଉ କିଛି ସମୟ ଶୁଆଯାଇ ପାରେ ।

 

ତାଙ୍କର ଭାବନାର ଝରକା ଖୋଲିଗଲା । ଏମିତି ପାଗରେ କ’ଣ ଏତେ ଶୀଘ୍ର ଶେଯ ଛାଡ଼ି ହୁଏ ।

 

ଏଃ, ଝରକା ବାଟେ ଆକାଶ ଦିଶୁଛି–ମାଛ କାତିର ଆକାଶ, ଅଗଣିତ ସ୍ମୃତି ଭଳି ଚେନା ଚେନା ହୋଇ ମେଘ । ବାହାରେ ଖରା ପଡ଼ିଛି । ପତଳା ନରମ ଖରା । ଲାଗୁଛି, ଶୀତ ଯେମିତି ଫିକା ହଳଦିଆ ଟସର ଚାଦରଟିଏ ଘୋରି ହୋଇ ଫୁଲ ବଗିଚାର ପାଚିରୀ ଉପରେ ବସିଛି । ଯେମିତି ରାତିର କୁଲି ଭୋର ଗାଡ଼ିକୁ ଅପେକ୍ଷା କରି ଜାକିଜୁକି ହୋଇ ଏକୁଟିଆ ବସିଥାଏ ବେଞ୍ଚ ଉପରେ ।

 

ସତ୍ୟଜିତ ବାବୁ ପାଦତଳୁ ପତଳା ଚଦରଟି ଟାଣି ଆଣିଲେ । ମୁଣ୍ତ ପର୍ଯ୍ୟନ୍ତ ଢାଙ୍କି ଦେଲେ । ଚଦର ଭିତରେ ଶୀତ ପଶି ଥରୁଛି । ନିଜର ପାଦ ହଲାଇ ହଲାଇ ଶୀତକୁ ସେ ଟିକିଏ ଉଷୁମ୍‌ କରି ଦେଲେ ଏବଂ ଆଖି ବୁଜି ଶୀତକୁ ଅନୁଭବ କଲେ । ଭାବିଲେ–ଶୀତଟା ଗୋଟିଏ ଗୁଲୁଗୁଲିଆ ଦୁଷ୍ଟ ପିଲା । ରାଗିଲେ ରାମ୍ପୁଡ଼ି ବିଦାରି ପକାଏ । ତଥାପି ଭଲ ଲାଗେ ।

 

ସୁନନ୍ଦା ଗୀତ ଗାଉଛନ୍ତି–ଜୀବନ ପାତ୍ର ମୋ ଭରିଛି କେତେ ମତେ... । ତାଙ୍କ କଣ୍ଠରେ ଲାଳିତ୍ୟ ଫୁଟୁଛି । ସକାଳୁ ସକାଳୁ ମନେ ପଡ଼ିଲା ଗୋପାଳ ପାତ୍ର (ଦିନଟା କେମିତି କଟିବ କେଜାଣି)ଙ୍କ କଥା । ସକାଳୁ ଟିକିଏ ଦୁଷ୍ଟାମି ନ କଲେ ସେ ଶେଯ ଛାଡ଼ନ୍ତି ନାହିଁ । ଛେଃ, ନିହାତି ପିଲାଳିଆ । ପ୍ରଗଳ୍‌ଭ ।

 

ସତ୍ୟଜିତ ବାବୁ ବିଛଣାରେ ସେହିପରି ପଡ଼ି ରହିଲେ । ନିଦୁଆ ସ୍ୱରରେ ଡାକିଲେ, କୀର୍ତ୍ତନ ! କୀର୍ତ୍ତନ ।

 

କୀର୍ତ୍ତନ ଆସି ପାଖରେ ଠିଆହେଲା । ସେ ତାକୁ ଚାହିଁଲେ । ମୁହଁ ମାଡ଼ି ଶୋଇରହି କହିଲେ, ‘ଉଁ’ । ସେଥିରୁ ବୁଝିହେଲା ଯେ ତାଙ୍କୁ ଅଳସ ଲାଗୁଛି । ତାଙ୍କର ଘଷି ହେବା ଦରକାର ଓ ତାହା କୀର୍ତ୍ତନ ହିଁ କରିପାରିବ ।

 

କୀର୍ତ୍ତନ ପିଠି ଚାପିଦେଲା । ସେ ତୃପ୍ତିବୋଧକ କେତୋଟି ଶବ୍ଦ କଲେ । ଭାବିଲେ ଏଣିକି କୀର୍ତ୍ତନର ମାନ ସମ୍ମାନ ପ୍ରତି ସଜାଗ ହେବାକୁ ପଡ଼ିବ । କାରଣ ତା’ର ବୟସ ହେଲାଣି । ନାରୀ ଛବି ଥିବା କାଲେଣ୍ତର ପ୍ରତି ତା’ର ସଉକ ବଢ଼ିଲାଣି ।

 

ମନେ ମନେ ସେ ହସିଲେ ତାଙ୍କର ବି ଏମିତି ଏକ ବୟସ ଥିଲା । ମାତ୍ର ସେ କିଛି କହିଲେ କାହିଁ ।

ସତ୍ୟଜିତ ବାବୁ ବିଛଣାରେ ଉଠି ବସିଲେ । ପାଇପ୍‌ରେ କ୍ୟାପ୍‌ଷ୍ଟାନ୍‌ ଟବାକୋ ଦେଇ ନିଆଁ ଧରାଇଲେ । ଧୁଆଁ ଛାଡ଼ିଲେ । ତା’ ପରେ ଯନ୍ତ୍ର ସଙ୍ଗୀତ ଶୁଣିବା ପାଇଁ ରେଡ଼ିଓର କେନ୍ଦ୍ର ବଦଳାଇଲେ ।

କୀର୍ତ୍ତନ ସକାଳର ଖବର କାଗଜ ପାଖରେ ରଖିଦେଇ ଅନ୍ୟ ଆଦେଶ ପାଇଁ ଅପେକ୍ଷା କରି ରହିଲା । ସତ୍ୟଜିତ ବାବୁ ସକାଳର ଖବର କାଗଜ ଉପରେ ଆଖି ବୁଲାଇଲେ । ଓଠ କୋଣରେ ପାଇପ୍ ଚାପି କହିଲେ-କଫି । କୀର୍ତ୍ତନ ଗଲା ଉତ୍ତାରୁ ସାମାନ୍ୟ ଉଚ୍ଚ ସ୍ୱରରେ କହିଲେ–କଫି ଲାଇଟ୍‌ କରିବୁ । ନବୀନା ଆସିଲାଣି ?

କିନ୍ତୁ ସେ ଉତ୍ତରକୁ ଅପେକ୍ଷା କଲେ ନାହିଁ । ଉତ୍ତର ଭିଏତ୍‌ନାମ୍‌ରେ ବୋମା ମାଡ଼ଠାରୁ ଆରମ୍ଭ କରି ଓଡ଼ିଆ ଯୁବକଙ୍କ କୃତିତ୍ୱ ଓ ବାଳକ ନିରୁଦ୍ଦିଷ୍ଟ ପର୍ଯ୍ୟନ୍ତ ସମ୍ବାଦର ଶିରୋନାମା ଗୁଡ଼ିକ ସ୍ଥିର ମନରେ ପଡ଼ିଗଲେ । ଭାବିଲେ–ପୃଥିବୀ ତା ରୁଟିନ୍‌ ବନ୍ଧା କାମରେ ଚାଲିଛି । କୌଣସି ଘଟଣା ତାଙ୍କୁ ଚମକାଇ ଦେଲାନାହିଁ ।

ବେଳେ ବେଳେ ସବୁ ଘଟଣା ତାଙ୍କୁ ଏମିତି ଘଟଣାହୀନ ବୋଧହୁଏ ।

ଇତି ମଧ୍ୟରେ କଫି ଖିଆ ଶେଷ ହେଲା । ସେ ବଗିଚା ଆଡ଼କୁ ଗଲେ ।

ବଗିଚାରେ ମାଳୀ ନବୀନା ତାଙ୍କୁ ମୁଣ୍ତ ନୁଆଇଁ ନମସ୍କାର ଜଣାଇଲା । ସେ ତାହା ଗ୍ରହଣ କଲେ ଓ ଖୁସିହେଲେ । ମାତ୍ର ପ୍ରଭୁତ୍ୱ ଦେଖାଇ କହିଲେ–ଆଜିକାଲି କାମରେ ଟିକିଏ ଅବହେଳା ହେଉଛି, ନୁହେଁ ?

 

ନବୀନା ହାତ ଯୋଡ଼ି କହିଲା,–ନାଇଁ ଆଜ୍ଞା । ଆପଣ ଅନ୍ନଦାତା । ଆପଣଙ୍କ କାମରେ ହେଳା କରିବି ?

 

ଅନୁଗୃହୀତଠାରୁ ଏହିଭଳି ଏକ ଉତ୍ତର ପାଇବାକୁ ସେ ଇଚ୍ଛା କରିନଥିଲେ । ତେଣୁ ଏହା ତାଙ୍କୁ ଭଲ ଲାଗିଲା ।

 

ସେ ଦେଖିଲେ ଲିଲି ଗଛରେ ଲାଲ, ଗୋଲାପୀ ଦୁଇଟି ଫୁଲ । ଫୁଲ ଦୁଇଟିକୁ ସେ ହାତରେ ଧରିଲେ ଓ ତା’ର କୋମଳତା ଅନୁଭବ କଲେ । ହଳଦିଆ ଗୋଲାପ ଗଛଟିରେ ଏ ପର୍ଯ୍ୟନ୍ତ କଢ଼ ଧରି ନାହିଁ । ପୁରୁଣା ପଙ୍କ ଦେବାରୁ ମନିପ୍ଲାଣ୍ଟର ପତ୍ର ବଡ଼ ବଡ଼ ହେଲାଣି ।

 

ତାପରେ ସେ ବ୍ଳିଡ଼ିଂହାର୍ଟ ଗଛ ପାଖରୁ ଗଲେ, ଯାହାର ପ୍ରଥମ କଢ଼ିଟି ଗତ ସନ୍ଧ୍ୟାରୁ ଫୁଟିବାର ଅପେକ୍ଷା କରିଥିଲା–ତାହା ସେ ଜାଣନ୍ତି । ନୂଆ ଗଛର ପ୍ରଥମ ଫୁଲ–ସତେଜ ଓ ସୁନ୍ଦର । ନାଁଟି ଯେମିତି, ଦେଖିବାକୁ ବି ସେମିତି । ତାଙ୍କ ମୁହଁ ସରସ ଦେଖାଗଲା । ସେ ଓଠ ଧାରରୁ ପାଇପ୍‌ଟି ଧରି ନେଇ ଧୂଆଁର କେତୋଟି କୁଣ୍ତଳୀ ଛାଡ଼ିଲେ ।

 

ତାଙ୍କ ମନକୁ ଏଇ ଭାବ ଛୁଇଁଲା–ମୋ ହାତ ଲାଗିଲେ ଗଛ ସବୁ ତ ବେଶ୍‌ ଉତୁରି ପାରୁଛି । ଭଲ ଗଛ ଉତାରି ପାରିବା ଗୋଟିଏ ଆର୍ଟ୍‌–ଆଉ ଏଇ ସଉକଟା ହେଉଛି ଗୋଟାଏ ଆରିଷ୍ଟ୍ରୋକ୍ରାସି (ଆଭିଜାତ୍ୟ) ।

 

ସେ ଦିନ ଭାଇସ୍‌-ଚାନ୍‌ସେଲର୍‍ କେମିତି କଥା ଛଳରେ କହିଲେ–ଡକ୍ଟର ଦାସଙ୍କର ବାସ୍ତବିକ୍‌ ସବୁଥିରେ ଗୋଟାଏ ଆରିଷ୍ଟ୍ରୋକ୍ରାସି ଅଛି ।

 

ଓଠ ଦୁଇଟି ତାଙ୍କର ଚଉଡ଼ା ହୋଇଗଲା । ସେ ମନେ ମନେ ଗର୍ବ ଅନୁଭବ କଲେ । ନବୀନାକୁ କହିଲେ,–ଆଚ୍ଛା ଏତେ ଭେରାଇଟି (ପ୍ରକାରର) ଗଛ ଆଉ କାହାର ଅଛି ? ନବୀନାର ଉତ୍ତରରେ ସେ ଖୁସି ହେଲେ ଏବଂ କହିଲେ,–ତୁ ଯାଇ ମିଷ୍ଟର ଭୌମିକ୍‌ଙ୍କ ଘରୁ ଗୋଟାଏ ମାଗ୍ନାଲିଆ ଚାରା ଆଣିବୁ । ସେ କହିଥିଲେ ଦେବେ । ମୁଁ କଲେଜ ଗଲାବେଳେ ତାଙ୍କ ଘର ବାଟେ ଯିବି ।

 

ତା’ପରେ ସେ ତାଙ୍କର ବଗିଚା ସଉକ ସମ୍ପର୍କରେ ନବୀନାକୁ ସଂକ୍ଷିପ୍ତ ଭାଷଣଟିଏ ଦେଲେ । ନବୀନାର ମୁହଁର ଭାବ ଭଲ ଲାଗିଲା ଓ ସେ ଭାରି ଖୁସି ହେଲେ ।

 

ସକାଳର କୃତ୍ୟ ଶେଷ କରି ସେ କଲେଜ ଯିବା ପାଇଁ ପ୍ରସ୍ତୁତ ହେଲେ ।

 

ସତ୍ୟଜିତ ବାବୁ ଓରଫ ଡକ୍ଟର ସତ୍ୟଜିତ ଦାସ ନୃତତ୍ତ୍ୱର ଅଧ୍ୟାପକ । ସ୍ୱାସ୍ଥ୍ୟବାନ ଓ ସୁନ୍ଦର । ସୁନ୍ଦର ଗୋରା ଦେହ । ସଂସାର କରିନାହାନ୍ତି । ଅବଶ୍ୟ ଇତି ମଧ୍ୟରେ ତାଙ୍କର ପ୍ରୌଢ଼ତ୍ୱ ଆସି ଯାଇଛି । ମାତ୍ର ତାଙ୍କର ଚେହେରାରୁ ତା’ର ପରିଚୟ ମିଳେ ନାହିଁ ।

 

ଡ୍ରେସିଂ ଟେବୁଲର ବଡ଼ ଦର୍ପଣ ସାମନାରେ ଠିଆ ହୋଇ ସେ ନିଜକୁ ଦେଖିଲେ । ଦେହ ମୁହଁରେ ପାଉଡ଼ର ଚର୍ଚ୍ଚା କଲେ । ପାଇପ୍‌ଟି ଓଠରେ ଦେଇ ଧୁଆଁ ଖାଇଲେ । ନିଜର ଚେହେରା ତାଙ୍କୁ ଭଲ ଲାଗିଲା ଓ ସେ ସାମାନ୍ୟ ହସିଲେ । ତାଙ୍କର ଦର ହସରୁ ସୂଚିତ ହେଲା ଯେ ସେ ମନେ ମନେ ନିଜ ରୂପକୁ ପ୍ରଶଂସା କରୁଛନ୍ତି ।

 

ସବୁଠାରୁ ସେ ବେଶୀ ଭଲ ପାଆନ୍ତି ନିଜକୁ । ଅପରର ସ୍ନେହ, ସହାନୁଭୂତିକୁ ସେ ପ୍ରାୟ ବିଶ୍ୱାସ କରନ୍ତି ନାହିଁ । କେହି କେହି କହନ୍ତି–ଏହା ହିଁ ସେ ଏ ଯାବତ୍‌ ବିବାହ ନକରି ଥିବାର ହୁଏତ ଏକ କାରଣ ।

 

ତାଙ୍କର ମତ–ଅନ୍ୟର ସ୍ନେହ, ପ୍ରେମ, ଲାଭ କ୍ଷତି ଅଙ୍କ କଷିବାର ଗୋଟାଏ ଫର୍ମୂଲା । ତେଣୁ ଅନ୍ୟର ସ୍ନେହ, ପ୍ରେମ ଉପରେ ଆସ୍ଥା ନ ରଖି ମଣିଷ ନିଜକୁ ଭଲ ପାଇ ଶିଖୁ । ନିଜ ଉପରେ ଭରସା ରଖୁ । ତା ନ ହେଲେ ଜୀବନ ସଂଘର୍ଷର ମୁକାବିଲା କରିବାରେ ସେ ହୁଏତ ପଛେଇ ଯିବ ।

 

ମାତ୍ର ତାଙ୍କ ଚିତ୍ରର ଗୋଟିଏ ବିଶେଷତ୍ୱ–ସେ କାହାର ଅନିଷ୍ଟ ଚିନ୍ତା କରନ୍ତି ନାହିଁ । ଦୁଃଖୀର ଦୁଃଖ ବୁଝି ପାରନ୍ତି । ବିପଦଗ୍ରସ୍ତକୁ ସାହାଯ୍ୟ କରନ୍ତି । ଆଶଂକିତକୁ ଅଭୟ ଦିଅନ୍ତି ।

 

ଅଥଚ ତାଙ୍କର ଅଯଥା ଶତ୍ରୁ ବହୁତ । ଏପରିକି ସେ ଯେଉଁମାନଙ୍କୁ ସାହାଯ୍ୟ କରିଥାନ୍ତି, ଶେଷରେ ସେଇମାନେ ହିଁ ପଛରେ ତାଙ୍କ ପ୍ରତି ଶତ୍ରୁତା ଆଚରଣ କରିଥାନ୍ତି ।

 

ସତ୍ୟଜିତ ବାବୁ କଲେଜକୁ ବାହାରିଲେ ।

 

ଆଗରେ ମିଷ୍ଟର୍‌ ଭୌମିକଙ୍କ ଘର । ତାଙ୍କର ସମୃଦ୍ଧ ଫାଟକ ଓ ଫୁଲ ବଗିଚା । ଫାଟକରେ ନିର୍ଦ୍ଦେଶ ଅଛି–‘କୁକୁର ପ୍ରତି ସାବଧାନ ।’ ସତ୍ୟଜିତ ବାବୁ ରିକ୍‌ସାବାଲାକୁ ରିକ୍‌ସା ରଖିବାକୁ ନିର୍ଦ୍ଦେଶ ଦେଲେ ।

 

ପାଗ ସାମାନ୍ୟ ମେଘୁଆ ଅଥଚ ଉଜ୍ଜ୍ୱଳ । ମାତ୍ର ବର୍ଷାର ସମ୍ଭାବନା ନାହିଁ ।

 

ମିସେସ୍‌ ଭୌମିକ୍‌ ଫୁଲ ବଗିଚାରେ ବୁଲୁଥିଲେ । ସେ ଯୁବତୀ ଓ ସୁନ୍ଦରୀ । ବେଶ ପରିପାଟିରେ ତାଙ୍କର ଗୋଟିଏ ନିର୍ଦ୍ଦିଷ୍ଟ ରୁଚି ଅଛି ବୋଲି ମାନିବାକୁ ପଡ଼ିବ ।

 

ତାଙ୍କର ସକାଳର ସେଇ ନିଦୁଆ ମୁହଁ (ମିସେସ୍‌ ଭୌମିକ୍‌ ସକାଳ ସାଢ଼େ ଆଠଟାରେ ଶେଯ ଛାଡ଼ନ୍ତି ।) ଆଉ ଶିଥିଳ ରିଙ୍ଗ୍‌ ଖୋଷାରେ ସକାଳର ସଜ ଫୁଟା ଦୁଇଟି ସେବତୀ ଫୁଲ–ବେଶ୍‌ ସୁନ୍ଦର ।

 

ସତ୍ୟଜିତ ବାବୁ ତାଙ୍କର ଏଇ ରୁଚିକୁ ମନେ ମନେ ପସନ୍ଦକଲେ । ମାତ୍ର ମିସେସ୍‌ ଭୌମିକଙ୍କ ସମ୍ପର୍କରେ ତାଙ୍କ ମନରେ ଅନ୍ୟ କୌଣସି ଭାବନା ଜନ୍ମିଲା ନାହିଁ ।

 

କିନ୍ତୁ ମିସେସ୍‌ ଭୌମିକଙ୍କର ସେଇ ଶିଥିଳ ରିଙ୍ଗ୍‌ ଖୋଷା ତାଙ୍କୁ ମନେ ପକାଇ ଦେଲା ପିଲାଦିନର ଗୋଟିଏ ସ୍ମୃତି-

 

ସେ ଦିନ ସବୁ ବାଳ ଝିଅମାନେ ମୁଣ୍ତ ଧୋଇ ଖରାରେ ବାଳ ଶୁଖାଉଥିଲେ । ସେତେବେଳେ ତାଙ୍କୁ ଲାଗୁଥିଲା ସତେ ଅବା ମେଘରୁ କଳାକଳା ପାଣି ଧାର ଝରୁଛି । କେତେ ଗହଳ ବାଳ ! କେତେ ଲମ୍ବା ଲମ୍ବା ! ତା’ପରେ ଚାଲିଲା ବେଣୀ ବନ୍ଧା–ଯାହାର ଯେମିତି ରୁଚି । କାହାର ମଳା ଖୋଷା, କାହାର ପିଣ୍ତୁଳା ଖୋଷା, କାହାର ଫପ୍‌ସା ସାଦା ଗଣ୍ଠି, କାହାର କାନ ଦେଖା ଯିବ ନାହିଁ । କାହାର କାନ ଗହଳ ବାଳ ଭେଦି ବାହାରିବ, କାହାର ଲମ୍ବା ସୁନ୍ଥା ହେବ, କାହାର ଛୋଟ ସୁନ୍ଥା–ଏମିତି କେତେ ପ୍ରକାରର । ଏ ସବୁ ଦେଖି ତାଙ୍କର ମନେ ପଡ଼ିଥିଲା କେଶବତୀ କନ୍ୟାର କାହାଣୀ । ବାଳୁତ ମନରେ କୌତୂହଳ ଜାଗିଲା–ଇନ୍ଦୁ ଅପାର ବାଳ କଅଁରା ନୁହଁ ସୁନାଳିଆ, ବାରହାତ ଲମ୍ବ । ସେ ଦିନ ସେ ଇନ୍ଦୁ ଅପାର ଅଢ଼ୁଆ ବାଳ ପୁଟୁଳାଟି ଲୁଚାଇ ଆଣି ଫିଟାଇି ହାତରେ ମାପୁଥିଲା ବେଳେ ଧରାପଡ଼ି ବୋଉଠାରୁ ଚାପୁଡ଼ାଟେ ଖାଇଥିଲେ । ବୋଉ କୁଆଡ଼େ ମରି ହଜି ସ୍ୱର୍ଗରେ ରହିଲାଣି ।

 

ପିଲାଦିନର ସ୍ମୃତି ସତ୍ୟଜିତ ବାବୁଙ୍କ ମନ ଭିତରେ ଜୀବନ୍ତ ହୋଇ ଉଠିଲା ଓ ମିସେସ୍‌ ଭୌମିକ୍‌ଙ୍କ ବେଣୀ ବନ୍ଧା ଦେଖି ତାଙ୍କର ମନ ଓଜନ ଜଣାଗଲା । ସେ କଳେ ଧୂଆଁ ଛାଡ଼ି ପାଇପ୍‌ଟା ହାତକୁ ନେଲେ । ଦେଖିଲେ ମିସେସ୍‌ ଭୌମିକ୍‌ ଚାହିଁଛନ୍ତି । ଫୁଲ ଗଛ ଆର ପାଖରୁ ସେ ଚାହିଁଛନ୍ତି-। ଦିଶୁଛି ପରଦା ଉହାଡ଼ରୁ ଦୁଇଟି ଆଖି ଚାହିଁଥିଲା ଭଳି । ସେ ଚାହାଣୀ କହୁଛି–କିଏ ଆପଣ ? କାହାକୁ ଖୋଜୁଛନ୍ତି ? କ’ଣ ଦରକାର ? କହୁ ନାହାନ୍ତି ?

 

ସତ୍ୟଜିତ ବାବୁ ତାର ଉତ୍ତର ଦେଇ ପାରିଲେ ନାହିଁ । ମିଷ୍ଟର୍‌ ଭୌମିକ୍‌ଙ୍କୁ ଡାକିବେ ନା ଫେରି ଯିବେ ଚିନ୍ତା କଲେ । ତା’ପରେ ରିକ୍‌ସାବାଲାକୁ କହିଲେ ଡାକିବା ପାଇଁ ।

 

ମିଷ୍ଟର ଭୌମିକ୍‌ ଘରେ ନାହାଁନ୍ତି । ଫେରିବେ ରାତିରେ । ମିସେସ୍‌ ଭୌମିକ୍‌ ସତ୍ୟଜିତ ବାବୁଙ୍କୁ ତାଙ୍କର ପରିଚୟ ପଚାରିଲେ । ସତ୍ୟଜିତ ବାବୁଙ୍କୁ ଟିକିଏ ସଙ୍କୋଚ ଲାଗିଲା । ସଂକ୍ଷେପରେ ସେ କହିଲେ କହିଦେବେ ସତ୍ୟଜିତ ବାବୁ ଆସିଥିଲେ ।

 

ତା’ପରେ ସେ କଲେଜ ଆଡ଼କୁ ଆଗେଇଲେ ।

 

XX ସମୟ ଚାରିଟା ବାଜି ତିରିଶ୍‌ ମିନିଟ୍‌ । ଦିନର ଅଧ୍ୟାପନା ପରେ କଫିଖିଆ ଏଇ ମାତ୍ର ଶେଷ ହେଲା । ନୃତତ୍ତ୍ୱ ବିଭାଗର ତାଙ୍କ ସ୍ୱତନ୍ତ୍ର କୋଠରୀରେ ଏବେ କିଛି ସମୟ ବିଶ୍ରାମ କରାଯିବ ଓ ସେଇ ଅବସରରେ ଉପନ୍ୟାସ ପଢ଼ା ହେବ । ତା’ପରେ ସେ ଫେରି ଯିବେ ବସାକୁ । ସ୍ନାନାଦି ପରେ ଘାସ ଲନ୍‌ ଉପରେ ଶୋଇ କିଛି ବେତାର ସଙ୍ଗୀତ, କିଛି କ୍ୟାପ୍‌ଷ୍ଟାନ୍‌ ଟବାକୋ, କପେ ଇନ୍‌ଷ୍ଟାଣ୍ଟ୍‌ କଫି ସହିତ ଉପନ୍ୟାସ ଭିତରେ ପୁଣି ହଜିଯିବାକୁ ହେବ ସନ୍ଧ୍ୟାର ଅଂଧାର ପର୍ଯ୍ୟନ୍ତ ।

 

ସତ୍ୟଜିତ ବାବୁ ପାଇପ୍‌ରେ ଟବାକୋ ଦେଇ ନିଆଁ ଧରାଇଲେ ଓ କେତୋଟି ପରିଚିତ ଭଙ୍ଗୀରେ ଧୂଆଁ ଛାଡ଼ିଲେ । ତାଙ୍କ ମୁହଁରୁ ଜଣାଗଲା ଯେ ତାଙ୍କ ମନ ହାଲୁକା ଅଛି ଓ ବର୍ତ୍ତମାନ ହିଁ ଉପନ୍ୟାସ ପଢ଼ିବାର ବେଳ । ଏହାଦ୍ୱାରା ମନର କ୍ଳାନ୍ତି ଦୂର କରିହେବ, କିଛିଟା ଆନନ୍ଦ ମିଳିବ ଓ କିଛି ସମୟ ବି କଟିଯିବ ।

 

ସତ୍ୟଜିତବାବୁ ଟେବୁଲ ଉପରୁ ବହିଟି ଆଣିଲେ ଓ ଚିହ୍ନିତ ଅଂଶଠାରୁ ପଢ଼ିବାକୁ ଆରମ୍ଭ କଲେ ।

 

ତାଙ୍କୁ ଉପନ୍ୟାସ ସାହିତ୍ୟର ଜଣେ ରୁଚିଶୀଳ ପାଠକ ହିସାବରେ ଗ୍ରହଣ କରାଯାଇପାରେ । ବେଳେ ବେଳେ ତାଙ୍କର ଧାରଣା ହୁଏ ଯେ ସେ ଉପନ୍ୟାସ-ସାଗର ମନ୍ଥନ କରିଛନ୍ତି ଏବଂ ଦିନ ଆସିବ ଯେତେବେଳେ କି ସେ ଏକ ଉପନ୍ୟାସ ଲେଖି ଲେଖି ଉପନ୍ୟାସ ରାଜ୍ୟରେ ଚହଳ ପକାଇ ଦେବେ ।

 

କବାଟଟା ଆସ୍ତେ ଖଟ୍‌କରି ଖୋଲିଗଲା ଓ ଆପେ ଆପେ ବନ୍ଦ ହୋଇଗଲା । ସତ୍ୟଜିତ ବାବୁ ସେ ଆଡ଼କୁ ଚାହିଁଲେ ନାହିଁ । ମାତ୍ର ଜାଣିଲେ ଯେ କେହି ଜଣେ ଆସିଲା । ସେ ତା’ର ନମସ୍କାର ଗ୍ରହଣ କଲେ ।

 

-ସାର୍‌, ପ୍ରାକ୍‌ଟିକାଲ ଖାତାଟା ।

 

ଖାତାଟି ଟେବୁଲ ଉପରେ ରଖିଦେବା ପାଇଁ ସେ ସଙ୍କେତ ଦେଲେ ଓ ତାକୁ ନ ଚାହିଁ ଉପନ୍ୟାସର କେତେଗୁଡ଼ିଏ ପଂକ୍ତି ନୀରବରେ ପଢ଼ିଗଲେ ।

 

ତା’ପରେ ସେ ମୁହଁ ଟେକି ଚାହିଁଲେ ।

 

-ଓ, ଉର୍ମି ?

 

ପାଇପ୍‌ରେ ସେ ଚୁମ୍ବକ ଦେଇ ପୁଳାଏ ଧୂଆଁ ଛାଡ଼ିଲେ ଓ କହିଲେ–କିଛି ମନେ କରିବିନି, ମାନେ ଏ ବହିଟାରେ ଏମିତି ଗୋଟାଏ ସସ୍‌ପେନ୍‌ସ ଚାଲିଥିଲା ଯେ ଆଇ କୁଡ଼୍‌ ନଟ୍‌ ହେଲପ୍‌ । ଆଚ୍ଛା, ଖାତାଟା ଅପ୍‌ଟୁଡ଼େଟ୍‌ ହୋଇଯାଇଛି ତ ? ଏଇ ଶେଷ ବର୍ଷଟି ଟିକିଏ ବେଶୀ ପରିଶ୍ରମ କର, ବୁଝିଲ ? ଡିପାର୍ଟମେଣ୍ଟ ତୁମ ଉପରେ ଭରସା ରଖିଛି ।

 

ସତ୍ୟଜିତ ବାବୁ ବହି ଉପରକୁ ମୁହଁ ଫେରାଇଲେ ଓ ଊର୍ମି ପଟ୍ଟନାୟକ ଫେରିଯିବାକୁ ଅପେକ୍ଷା କରି ଉପନ୍ୟାସର ବାକୀ ପୃଷ୍ଠା ଗୁଡ଼ିକ ବାଁ ହାତର ବୁଢ଼ା ଆଙ୍ଗୁଠି ଟିପ ସାହାଯ୍ୟରେ ଲେଉଟାଇଲେ ।

ଊର୍ମି ପଟ୍ଟନାୟକ ରୂପବତୀ ଓ ମେଧାବିନୀ । ତେଣୁ ସତ୍ୟଜିତ ବାବୁଙ୍କ ପ୍ରଶଂସା ତାକୁ କିପରି ଘରୋଇ ବୋଧ ହେଲା । ଅନେକ ଦିନରୁ କହିବାକୁ ଭାବୁଥିବା କଥାଟି ସେ ହଠାତ୍‌ କହି ପକାଇଲେ–ସାର ଆପଣ କେତେ ଧୂଆଁ ଖାଉଛନ୍ତି ?

ସତ୍ୟଜିତ ବାବୁ ହଠାତ୍‌ ଆଶ୍ଚର୍ଯ୍ୟ ହୋଇଗଲେ ଓ ସେ ପରିସ୍ଥିତି ତାଙ୍କୁ ଅଡ଼ୁଆ ଲାଗିଲା-। ସେ ଊର୍ମି ପଟ୍ଟନାୟକ ମୁହଁକୁ ଚାହିଁଲେ । ଦେଖିଲେ ତା’ର ଦୁଇ ଗୋଟି ଆଖି ଅଛି ଓ ତାହା ସୁନ୍ଦର ।

ଊର୍ମି ପଟ୍ଟନାୟକ ଆନତ ଆଖିରେ ଉପନ୍ୟାସଟିକୁ ଚାହିଁଲା । ପବନରେ ବହିର ପୃଷ୍ଠା ଉଡ଼ୁଛି । ଚାହିଁଲା ସତ୍ୟଜିତ ବାବୁଙ୍କୁ, ତାଙ୍କ ଆଖିକୁ ତାଙ୍କ ଆଖି ତାକୁ ଭାବ ଭରା ବୋଧ ହେଲା । ସେ କହିଲା–ବେଶୀ ଧୂଆଁ ପିଇଲେ ପରା ଫୁସ୍‌ଫୁସ୍‌ ଖରାପ ହୋଇଯାଏ । ଆପଣଙ୍କୁ ବାରଣ କରିବାକୁ କେହି ଜଣେ ନାହିଁ ବୋଲି ସିନା !

ସତ୍ୟଜିତ ବାବୁ ଲାଜରା ହୋଇଗଲେ । ତାଙ୍କ କାନ ଶିରା ଦୁଇଟି ହଠାତ୍‌ ଗରମ ହୋଇଗଲା । ସେ ଊର୍ମି ପଟ୍ଟନାୟକକୁ ଚାହିଁ ପାରିଲେ ନାହିଁ । ତାଙ୍କ ନାକ ଉପରେ ବିନ୍ଦୁ ବିନ୍ଦୁ ଝାଳ ଜମିଗଲା । ତାଙ୍କୁ ବୋଧ ହେଲା ସେ ଯେମିତି କେଉଁଠି କିଛି ଭୁଲ କରି ପକାଇଛନ୍ତି । ମାତ୍ର କ’ଣ କରିବେ ସ୍ଥିର କରି ପାରିଲେ ନାହିଁ ।

ଊର୍ମି ପଟ୍ଟନାୟକଙ୍କର ଆଖି ମୁହୂର୍ତ୍ତକ ପାଇଁ ବନ୍ଦ ହୋଇଗଲା । ତା’ ପରେ ସେ ଦେଖିଲା ଚଉକୀ ଉପରେ ଯେ ବସିଛନ୍ତି ସେ ସତ୍ୟଜିତ ବାବୁ ନୁହଁନ୍ତି, ଆଉ କିଏ ଜଣେ । ବିଚଳିତା ହୋଇ ସେ ସେଠାରୁ ଚାଲିଗଲା ।

ସତ୍ୟଜିତ ବାବୁ ତା’ର ଫେରିଯିବା ଲକ୍ଷ୍ୟ କଲେ । ଦେଖିଲେ ତାର କଜଳ କଳା ମୁକୁଳାବାଳ ସାଂପୁ ହୋଇ ପବନରେ ଉଡ଼ୁଛି । ଗହଳ ବାଳ ନିତମ୍ବ ଛୁଇଁ ଯାଇଛି ।

ସେଗଲା ପରେ କବାଟଟା ଆପେ ଖଚ୍‌ କରି ବନ୍ଦ ହୋଇଗଲା ଓ ତା’ର ନାଲି ପଣତ ଓ ମୁକୁଳା ବାଳ କବାଟରେ ଚାପି ହୋଇଗଲା । ତାଙ୍କ ଆଖି ଆଗରେ ଗୋଟିଏ ଦୃଶ୍ୟ ଖେଳିଗଲା–ସତେ ଯେପରି ନରମ ଦେହୀ ଝିଟିପିଟିଟିଏ କବାଟ ଫାଙ୍କରେ ଚାପିହୋଇ ଯାଇଛି ।

ସେ ଏକ ବେଦନାବୋଧର କରୁଣାରେ ହଠାତ୍‌ ତରଳି ଗଲେ ଓ ମୁହୂର୍ତ୍ତକର ଉତ୍ତେଜନାରେ ଠିଆହୋଇ ପଡ଼ି ତାଙ୍କର ପାଇପ୍‌ ଓ ଟବାକୋ ପର୍ସଟି ଝରକାବାଟେ ତଳକୁ ଫୋପାଡ଼ି ଦେଲେ ଏବଂ ବିଚଳିତ ହୋଇ ଚଉକିଟା ଆଡ଼େଇ ପକାଇଲେ ।

ଏତିକିବେଳେ କବାଟଟି ପୁଣି ଆସ୍ତେ ଖୋଲିଗଲା ଓ ବନ୍ଦ ହୋଇଗଲା ।

ସେ ଫାଙ୍କା ଆଖିରେ କାନ୍ଥକୁ ଚାହିଁଲେ । ଧଳା କାନ୍ଥରେ କେତେ ଗୁଡ଼ିଏ ନାଲି ନେଳି ଠୋପା ଝିଲ୍‌ ମିଲ୍‌ କଲା ଭଳି ତାଙ୍କୁ ଦେଖାଗଲା । ସେ ମୁହୂର୍ତ୍ତକ ପାଇଁ ଆଖି ବନ୍ଦ କରି ଦେଲେ ଓ ତା’ ପରେ ଉପନ୍ୟାସ ବହିଟି ଆଣି ପଢ଼ି ପକାଇଲେ ।

ସମୟ ଛଅଟା ବାଜି ତିରିଶ ମିନିଟ୍ । ସନ୍ଧ୍ୟା ନଇଁ ଆସୁଛି । ଅନେକ ସମୟ ବିତି ଗଲାଣି, ଖିଆଲ ନାହିଁ । ସତ୍ୟଜିତ ବାବୁ ଏ ଭିତରେ ଉପନ୍ୟାସଟି ଶେଷକରି ପକାଇଛନ୍ତି, ଯଦିଓ କ’ଣ ପଢ଼ିଛନ୍ତି ତାଙ୍କର ପ୍ରାୟ ମନେ ନାହିଁ ।

 

ସତ୍ୟଜିତ ବାବୁ ତଳକୁ ଓହ୍ଲାଇ ଆସି ଘାସ ପଡ଼ିଆ ଉପରେ ଠିଆ ହେଲେ । ତଳୁ କଲେଜର ଦୋତାଲାରେ ଥିବା ତାଙ୍କର କୋଠରୀଟି ଅନୁମାନ କଲେ ।

 

ସନ୍ଧ୍ୟାର ପାଣିଚିଆ ଅଂଧାର ବିଶ୍ୱବିଦ୍ୟାଳୟର ହତାକୁ ଓହ୍ଲାଇ ଆସିଛି । ଆକାଶରେ ଚୂନା ଚୂନା ନାଲିମେଘ–ଆକାଶର ଫୁଲବନରେ ସତେ ଯେମିତି ନିଆଁ ଲାଗିଛି । ସେ ଚାରିଆଡ଼କୁ ଚାହିଁଲେ । ତା’ ପରେ ତାଙ୍କ କୋଠରୀଟିର ଝରକା ସିଧା ଠିକ୍‌ ତଳକୁ ଘାସ ପଡ଼ିଆ ଉପରେ ନଇଁ ପଡ଼ି ନିଜର ପ୍ରିୟ ପାଇପ୍‌ ଓ ଟବାକୋ ପର୍ସଟି ଖୋଜିବାରେ ଲାଗିଲେ । ଏପରି ଅବସ୍ଥାରେ ସେ ଜଣେ ଛାତ୍ରଙ୍କୁ ଦେଖି ପ୍ରଥମେ ଅପ୍ରସ୍ତୁତ ହୋଇଗଲେ । ମାତ୍ର ତତ୍‌କ୍ଷଣାତ୍‌ ତାଙ୍କର ପାଇପ୍‌ ଓ ଟବାକୋ ପର୍ସଟି ନ ମିଳିଥିଲେ ହୁଏତ ତାଙ୍କୁ ବେଶୀ ଅପ୍ରସ୍ତୁତ ହେବାକୁ ପଡ଼ିଥାନ୍ତା ।

 

ଛାତ୍ରଟି ସହିତ କଥାବାର୍ତ୍ତା କଲାବେଳେ ସେ ଜାଣିଲେ ଯେ ଆଜି ଊର୍ମି ପଟ୍ଟନାୟକ ତାଙ୍କ ପିରିଅଡ଼୍‌ରେ ନ ଥିଲା । ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା–ସତେ ତ ସେ ଆଜି କ୍ଳାସକୁ ଆସିନି (କାହିଁକି ?) ତେବେ ସାଢ଼େ ଚାରିଟା ପରେ ମୋ ରୁମ୍‌କୁ..... !! ଉପର ବେଳା ମୋ ପାଖକୁ ସେ ତା’ହେଲେ ଆସିନି !! କଫି ପରେ ତ ଉପନ୍ୟାସଟି ଶେଷ ହେଲା । ସେ ଆଉ ଆସିଲା କେତେବେଳେ ?

 

ତାଙ୍କର ଖିଆଲ ହେଲା ଯେ କେହି ଜଣେ ତାଙ୍କୁ କହିଥିଲା ଆସିବାକୁ, ମାତ୍ର ଊର୍ମି ପଟ୍ଟନାୟକ ବା ଆଉ କେହି ତ ଉପରବେଳା ତାଙ୍କ କୋଠରୀକୁ ଆସିନାହିଁ । ସମ୍ଭବତଃ ଉପନ୍ୟାସ ପଢ଼ିବାବେଳେ ଉପନ୍ୟାସର ଏଇଭଳି କୌଣସି ଘଟଣାରେ ମନ ଭିତରେ ଏମିତି ଏକ ଅଦ୍ଭୂତ ଚିତ୍ର ଆଙ୍କି ହୋଇଯାଇଛି । ତେଣୁ ନିଜ ପାଖରେ ସେ ନିଜେ ଅପରାଧୀ ଭଳି ଧରା ପଡ଼ିଲେ ଓ ମନେ ମନେ ଲଜ୍ଜିତ ହେଲେ ।

 

କଥାବାର୍ତ୍ତା କରି ଗଲାବେଳେ ତାଙ୍କ ମନରେ ପ୍ରଶ୍ନ ଜାଗିଲା–କୋଠରୀରେ ତାଲା ପଡ଼ିଛି ତ ? ତାଲା ପରୀକ୍ଷା କରିବା ପାଇଁ ସେ ସିଡ଼ିରେ ଉପରକୁ ଉଠିଲେ । ତାଙ୍କ ଗତିରୁ ମନର ଚଞ୍ଚଳତା ଜଣାପଡ଼ି ଯାଉଥିଲା । ସେ କୋଠରୀ ପାଖରେ ପହଞ୍ଚିଲେ । ଦେଖିଲେ ତାଲା ପଡ଼ିଛି । ମନ ଭିତରେ ହଠାତ୍‌ କୌତୁହଳ ଜାଗିଲା ଓ ସେ କୋଠରୀଟି ଖୋଲି ଦେଖିବା ପାଇଁ ଚାବିଟି ପକେଟ୍‌ରୁ ଖୋଜି ଖୋଜି ବାହାର କରି ତାଲାରେ ଲଗାଇଲେ । ଛାତ୍ରଟିର ଟର୍ଚ୍ଚରେ ସେ ଦେଖିଲେ ଗୋଟିଏ ଲମ୍ବା କେଶ କବାଟ ଧାରରୁ ତାଲା ଉପର ଦେଇ ତଳକୁ ଲମ୍ବି ଯାଇଛି । ତାଙ୍କୁ ହଠାତ୍‌ ଚାଉଁ କରି ଲାଗିଲା ।

 

ସତ୍ୟଜିତ ବାବୁ ତାଲାରୁ ଚାବିଟି ଖସାଇ ଆଣିଲେ ଓ ନିଜ କାନ୍ଧ ଉପରେ ନିଜର ପୁରୁଣା ଶବଟି ରଖି ସିଡ଼ି ଉପରୁ ଧୀରେ ଧୀରେ ତଳକୁ ଓହ୍ଲାଇ ଗଲେ ।

Image

 

ଶ୍ରାବଣର ଖରା

 

ଏମାନେ ଚିହ୍ନି ନାହାନ୍ତି । ଏଇଥର ଚିହ୍ନିଯିବେ ।

 

ରାତି କେତେ ହେବ କେଜାଣି । ଅଂଧାର ରାତି । ଭଲ ହେଇଚି । ଆଜି ହେଡ଼ମାଷ୍ଟର ଘରେ ନାଲିବତୀ ଜଳିବ ।

 

ଏତିକି ବେଳକୁ ଘଣ୍ଟାଟା ବନ୍ଦହେଇ ଯାଇଚି । ରମେଶ ଯଦି ଘରୁ ଯାଇ ନଥିବ, ସବୁ ଭଣ୍ତୁର ହୋଇଯିବ । ଶହେ ପୋଷ୍ଟର ମାରୁ ମାରୁ ରାତି ପାହିଯିବ । ନାଲିବତୀ ଜଳିବ କେତେବେଳେ ?

 

ଅଂଧାର ରାତି ! ରାସ୍ତାଟା ସାରା ଅଂଧାର । ବୁଲୁ ଆଗକୁ ଆଗକୁ ପାଦ ବଢ଼ାଇଲା ।

 

ଆଜି ବୁଢ଼ା ଘରେ ନାଲିବତୀ ଜଳିବ । କାହିଁକି ପିଲା ଫେଲ-ହେଇ ରହିବେ ? ତାଙ୍କ ବାପ ପଇସାରେ କ’ଣ ସନ ନାଇଁ ? ‘କପି ଏଠି ଚଳିବନି ।’’ କାହିଁକି ଚଳିବନି ?

 

ବୁଲୁ ଗଛମୂଳେ ଠିଆହେଲା । ଜୋରରେ ନିଃଶ୍ୱାସ ଚାଲିଛି । ନିଃଶ୍ୱାସରେ ଦିଆସିଲି କାଠିଟା ଲିଭିଗଲା । ସେ ପୁଣି ଦିଆସିଲି ମାରି ସିଗାରେଟ୍‌ ଲଗାଇଲା । ଆଲୁଅ ଚମକିଗଲା ତା ଝାଳୁଆ ମୁହଁଟାରେ ।

 

ନାକ ତଳେ ନିଶ ଗଜୁରୁଚି । ଖିଅର ହେଲେ ବି ଗାଲର ରୁମ କଳା ଧରିନି । ଦଶମ ଶ୍ରେଣୀର ଛାତ୍ର ବୁଲୁ । ନହକା ଦେହ । ପତଳା ଚେହେରା । ଦେହରେ ଛକ ଛକ କନାର ହାଓ୍ୟାଇ । ଛାତିରେ ଦମ୍ଭ ଅଛି । ମନରେ ସାହସ ଅଛି । ମୁହଁରେ ଜୋରଅଛି । କାହାରିକୁ ଡରନାହିଁ । ଭୟନାହିଁ । ଆଗକୁ ପଛକୁ ବିଚାର ନାହିଁ । ଯାହା କହିବ, ତା’ ଠିକ୍‍ ।

 

ସେଥିରୁ ଅନ୍ୟଥା ହେଲେ ଆଗ ହାତ ଉଠିଯିବ । ତେଣିକି ଯାହାହେବ ଦେଖା ଯିବ । ବୁଲୁ ଆଗେଇଲା । ପାଦ ଚଞ୍ଚଳ ଚଞ୍ଚଳ ପଡ଼ୁଚି । ଜାଣି ହେଉଚି ମନର ଚଞ୍ଚଳତା । ରାସ୍ତା ଦି’ପାଖରେ କଳା କଳା ଗଛ ଗୁଡ଼ାକ ପଛକୁ ପଳାଉଛନ୍ତି । ବରଷା ଦିନର ଆକାଶ ପରି ମନଟା ଭାରୀ ଅଛି । ବୁଲୁ ଚାଲିଚି ।

 

ବୁଢ଼ା ଯୋଉ ଭିଡ଼ ଦେଖାଉଚି, ସବୁ ଏଇଥର ଛାଡ଼ିଯିବ । ସବୁ କଥାରେ ବୁଢ଼ାର ଆଗ ମାଡ଼, ପଛେ ବିଚାର । ସେ ଦିନ ଘରୁ ଗଣିତ କରି ଆସି ନଥଲି ବୋଲି ଗଣିତ ସାରେ ବୁଢ଼ାକୁ କହିଦେଲେ । ବୁଢ଼ା ଅଫିସକୁ ଡାକି ଗୋଡ଼ରୁ ମୁଣ୍ତଯାଏଁ ପିଟିଦେଇ ଗଲା । ସେଠି ସିନା କିଛି କହିଲିନି । ସହଜେ ଛାଡ଼ୁଛି ବୁଢ଼ାକୁ । ମୁଁ ଯଦି ଇଆର ପ୍ରତିଶୋଧ ନ ନେଇଛି, ମୁଁ ଶଳା କରଣ ପିଲା ନୁହଁ । କୋଉ ମଫସଲ୍‌ ସ୍କୁଲରେ ହେଡ଼ମାଷ୍ଟର ଥିଲା ବୋଲି ଏଠି ଜିଲ୍ଲା ସ୍କୁଲରେ ସେ ତାଉ ବାହାର କରୁଛି । ଜାଣିନି କିଏ ବୋଲି ! ଡରାଉଛି–ଫେଲ୍‌ କରିଦେବ । ମନୁ ଦାରୁଗା ଭଳି କଡ଼ାଲୋକ ଦବିଗଲାଟି । ରାତିରେ ଟେକାମାଡ଼ ହେବାରୁ ଥଣ୍ତା । ମିଆଁ ପାନ ଦୋକାନୀଟା ସେମିତି ଭାରି ତର ଦେଖାଉଥିଲା । ସ୍କୁଲ ପିଲାବୋଲି ଖାତର ଆସିଲାନି । କହିଲା ସିଗାରେଟ୍‌ ବାକି ଦେବିନି । ସକାଳକୁ ଦେଖିଲା, ରାତି ରାତି ଦୋକାନ ସାଫ୍‌ । ପୁଅ ଏବେ ଆଲ୍ଲା ଭଜୁଥାଉ ।

 

ହେଡ଼ମାଷ୍ଟରଟା ଶଳା ପୁଞ୍ଜିପତିଙ୍କ ଦଲାଲ ଅଛି । ସେକ୍ରେଟେରୀଟା ସାଙ୍ଗରେ ପଡ଼ି ଦିହେଁ ସବୁ ଟଙ୍କା ଖାଇଯାଉଛନ୍ତି । ପଂଝାଏ ମାଷ୍ଟ୍ରଙ୍କୁ ହାତରେ ରଖି ଲଗେଇଛନ୍ତି ଗୋଟେ ପାଲା । ପାଠପଢ଼େଇବାର ନାଁ ନାଇଁ କି ଗନ୍ଧ ନାଇଁ । କପି ହବନି କାଇଁକି ? ଆଜି ସବୁ ଭିଡ଼ ଛାଡ଼ିଯିବ । ଆଜି ବୁଢ଼ା ଘରେ ନାଲିବତୀ ଜଳିବ । ସେ ଗାନ୍ଧୀ ଫଟୋ ଭଙ୍ଗାଯିବ । ନିଆଁରେ ପୋଡ଼ାଯିବ ।

 

ବୁଲୁ ରମେଶ ଦୁଆରେ ପହଞ୍ଚିଲା । ଚାରିଆଡ଼େ ଅଂଧାର । ଅଂଧାର ଭିତରେ ଦେବଦାରୁ ଗଛ ଦି’ଟା କଥାବର୍ତ୍ତା ହେଲା ଭଳି ଦିଶୁଛି । ରମେଶ ଘରେ ଅଛି କି ନାହିଁ କେଜାଣି । ବୁଲୁ ଟିକିଏ ଦୂରକୁ ସିସୁରୀ ମାରି ଡାକିଲା । ରମେଶ ଘରେ ନାହିଁ ! ଥିଲେ ତ ବାହାରକୁ ଆସିଥାନ୍ତା-! ଭିତରୁ କାହାର ହସ ଶୁଭିଛି । ଖିଲି ଖିଲି ହସ । କୁତୁକୁତୁ ଲାଗିଲା ଭଳି । ଜୁଲି ହସୁଛି-। ହେଡ଼ମାଷ୍ଟରଙ୍କ ଝିଅ ଜୁଲି । ସବୁ କଥାରେ ଖାଲି ହସ । ତା’ର ବଳିଲା ବଳିଲା ଦେହ । ଦେହରେ ଚିପା ଚିପା ପଞ୍ଜାବୀ ଆଉ ସେଲୁଆର । ସବୁ ରଙ୍ଗିନ୍‌ କନାର । ପାଠ ପଢ଼ୁଛି ଦଶମରେ-। ଗୀତ ଗାଇବ, ନାଚିବ, ସାଇକେଲ ବି ଚଢ଼ିବ, ବାଙ୍ଗାଳୀ ଡାକ୍ତର ଝିଅ ଭଳି ! ବଙ୍ଗାଳୀ ଡାକ୍ତର ଝିଅ କେଡ଼େ ରେସ’ରେ ସାଇକେଲ ଛାଡ଼ୁଥିଲା । ଥରେ ଥାନା ଶଙ୍ଖ ପାଖରେ ସାଇକେଲକୁ ସାଇକେଲ ଦେଲି ଚି କରି ଯେ ଶଙ୍ଖ ତଳକୁ ଲେଉଟି ପଡ଼ିଲା ପାରା ପରି । ସେଇ ଦିନଠୁ ସାଇକେଲ୍‌ ଚଢ଼ା ମଜା ଛାଡ଼ିଗଲା ଟୋକୀର ।

 

ଜୁଲି ଏଠିକି କାହିଁକି ଆସିଛି ? ଏଃ କୁଲୁ କୁଲୁ ହଉଚି ସେ ଘରେ । କୁଲୁକୁଲୁ ହଉଚି । ଶାଳୀ ଟୋକୀ କି ମାରନ୍ତି ଏକ ଥାପଡ଼୍‌ ଯେ.... । ହଉ, ହଉ । କାଲିକି ସବୁ କୁଲୁକୁଲୁ ଛାଡ଼ିଯିବ । ଆଜି ଖାଲି ପୋଷ୍ଟର ଗୁଡ଼ାକ ମରାହୋଇ ଯାଉ । ରଙ୍ଗ ପିମ୍ପୁଡ଼ି (ଗଣିତ ସାର) କେମିତି ପିଠିରେ ପଡ଼ିବ ଦେଖିବା । ହେଡ଼ମାଷ୍ଟ୍ର ରଙ୍ଗ ପିମ୍ପୁଡ଼ି ସାଙ୍ଗରେ ପଡ଼ି ସବୁ କଥାରେ ଆଇନ ବାହାର କରୁଛି । ନନ୍ଦିବାବୁ ଗଣିତ କ୍ଳାସରେ ଆଉ ପରୀକ୍ଷା ହଲ୍‌ରେ ରାଗି ଲାଲହୋଇ ଖାଲି ଖିଙ୍କାରି ହଉଛନ୍ତି । ମିଛରେ ତାଙ୍କ ନାଁ ରଙ୍ଗପିମ୍ପୁଡ଼ି ଦିଆ ହେଇଚି । ରଙ୍ଗପିମ୍ପୁଡ଼ି ପୁଅ ଦିଲୀପ୍‌ ଟିକିଏ ଭଲ ପାଠ ପଢ଼ୁଚି-। ଦେଖିବାକୁ ଟିକିଏ ଗୋରା । ସେଥିପାଇଁ ଜୁଲି ଆଗରେ ଦେଖେଇ ହଉଛି । ଜୁଲିକି କଣ ଊଣା କରିବ । ଅସଲ ଖଣ୍ତେ । ଏକ ନମ୍ବର... । ତାଙ୍କ ବାରିପଟେ ସେଇ ଲମ୍ବା ଶାଳ ଗଛର ବଣ-। ପାହାଡ଼ ଯାଏଁ ଲମ୍ବିଛି । ଛୁଟିଦିନ ଦି’ ପହରେ ସେମାନେ ସେଇଠି ହାତ ଧରାଧରି ହେଇ ବୁଲୁଛନ୍ତି-। ଗୋଡ଼ିଆ ଗୋଡ଼ି ହଉଛନ୍ତି । ଜହ୍ନ ପକ୍ଷରେ ଘାସ ପଡ଼ିଆ ଉପରେ ଏକାଠି ବସୁଛନ୍ତି । ଫୁସୁର ଫାସର ହଉଛନ୍ତି । ହସୁଛନ୍ତି । କାଶି କହୁଥିଲା, ସେମାନେ ବନ୍ଧୁବାନ୍ଧବ । କି ବନ୍ଧୁବାନ୍ଧବ ବେ ।

 

ସେଦିନ ଖରାବେଳେ ଦୁହେଁ ପାହାଡ଼ ତଳକୁ ଯାଇଥିଲେ । ମତେ ଦେଖିଥିଲେ ନା ଡରି ଯାଇଥାନ୍ତେ । ଇଚ୍ଛା ହେଉଥିଲା ଯାଇ କହିଥାନ୍ତି–କୁଆଡ଼େ ବୁଲୁଚ ? ମତେ ସାଙ୍ଗରେ ନିଅ । ନହେଲେ ହେଡ଼ମାଷ୍ଟ୍ରରଙ୍କୁ ଡାକିବି । ମାଡ଼ ଖୁଆଇବି । ଏତିକି ବେଳକୁ ହରଡ଼ ଚଢ଼େଇଟାଏ ଉଡ଼ି ଆସି ଏ ଗଛକୁ ସେ ଗଛ ହେଲା । ତାକୁ ମାରିବା ପାଇଁ ଏଣେ ଏଣେ ଚାଲି ଆସିଲି । ବୁଲୁ ଶୁଣିଲା ରମେଶ ଘରେ ତା’ରି କଥା ପଡ଼ିଛି । ସେ ଚୁପ୍‌ ହୋଇ ଠିଆହେଲା । ମାଇପି ମହଲରେ ତା’ରି ଦୁଷ୍ଟାମି ବିଷୟରେ କ’ଣ ବିଚାର ପଡ଼ିଚି । ହେଡ଼ମାଷ୍ଟ୍ରାଣୀଙ୍କ ସ୍ୱର ଶୁଣା ଯାଉଚି ଜୋର୍‌ରେ ତା ଦେହ ନିଆଁ ହୋଇଗଲା ।

 

ଠିକ୍‌ଅଛି । ଆଜି ହେଡ଼ମାଷ୍ଟ୍ରାଣୀ ଚିହ୍ନିଯିବ । ଜୁଲି ଓ ଦିଲୀପ ନାରେ ଏବେ ପୋଷ୍ଟର୍‌ ମରା ଚାଲିଥିବ । ରମେଶ ସେ କାମ କରୁଥିବ । ଶହେ ପୋଷ୍ଟର୍‌ । ସେଥିରେ ଚିତ୍ର ବିଚିତ୍ର ହୋଇ ସବୁ ଘଟଣା ଲେଖା ହୋଇଚି । ଯିବେ କୁଆଡ଼େ ? ରାତିରେ ପୁଣି ତାଙ୍କ ବାରିପଟ ଚାଳରେ ନିଆଁ ଲାଗିବ । ଜଗୁ ଭଗିଆ ସେଥିପାଇଁ ରେଡ଼ି ହେଇଛନ୍ତି । ଆଜି ମଜା ବାହାରି ଯିବ । ହେଡ଼ମାଷ୍ଟର ଠିକଣା ହେଇଯିବ । ଜୁଲି ବି ସାବାଡ଼୍‌ ହେଇଯିବ ।

 

ବୁଲୁ ଉତ୍ତେଜିତ ହୋଇଗଲା । ଭାବିଲା–ଏଠି ଡେରିକରି ଲାଭନାଇଁ । ତେଣେ ପୋଷ୍ଟର୍‌ ମରା କାମ ଦେଖିବାକୁ ହେବ । ଶେଷରେ ପୁଣି ନିଆଁ ଲାଗିବ । ଫେରିଲା ବେଳେ ସେ ଶୁଣିଲା ଜୁଲିର ସ୍ୱର । ପାହାଚ ଉପରେ ଦଣ୍ତେ ଠିଆହେଲା । ଶୁଣିଲା ଜୁଲି କହୁଚି–ନାଇଁ ନାଇଁ ସମସ୍ତେ ସିନା କହୁଛନ୍ତି, ହେଲେ ବୁଲୁ ଆଦୌ ସେମିତି ପିଲା ନୁହେଁ । ସେ ଯେଉଁମାନଙ୍କ ସାଙ୍ଗରେ ବୁଲୁଚି, ସେଇମାନେ ଦୁଷ୍ଟ । ସେମାନଙ୍କ ଯୋଗୁ ମିଛରେ ସିଏ ସିନା ଦୋଷୀ ହଉଚି ।

 

ବୁଲୁ ଝରକା ପାଖକୁ ଲାଗି ଆସିଲା । କାନପାରି ଶୁଣିଲା । ଜୁଲି କହିଚାଲିଚି–ପୁଅ ପିଲା ସବୁ ଝିଅଙ୍କୁ ଶୁଣେଇଁ ଶୁଣେଇଁ କେତେ କଥା କହୁଛନ୍ତି । ବାଟ ଚଳେଇ ଦଉ ନାହାନ୍ତି । କାଇଁ ବୁଲୁ ତ ସେମିତି କହିବାର ମୁଁ ଶୁଣିନି । ଦିନେ ଅଙ୍କ କଷି ନଥିଲା ବୋଲି ବାପା ତାକୁ ଅଫିସକୁ ଡାକି ଆଣି ଗୋଗୋଛ ବାଡ଼ିଆ କଲେ । ସେ ସେଇମିତି ମୁହଁ ପୋତି ଠିଆହୋଇ ମାଡ଼ ଖାଉଥାଏ-। ମୋ ଆଖିରୁ ଲୁହ ଖସି ପଡ଼ିଲା । ସେ ପାଟି ଫିଟାଇନାହିଁ କି ହୁଁ ଚୁ କହିନାହିଁ । ଆଉ କିଏ ହେଇଥିଲେ... ? ମିଆଁ ଦୋକାନ ସେଦିନ ଛିନ୍‌ ଛତର ହେଲା । ସମସ୍ତେ ତା ନାଁ କହିଲେ । କିନ୍ତୁ ସେ ଯେଉଁ ମନିପର୍ସଟା ପାଇ ଥାନାରେ ଦେଇ ଦେଲା... ? ସମସ୍ତେ ତାକୁ ଭୁଲ ବୁଝିଛନ୍ତି-। ସେଥିପାଇଁ ସେ ଏମିତି ହେଉଚି ।

 

ଜୁଲିର କଥା ଶୁଣି ବୁଲୁ ଆଶ୍ଚର୍ଯ୍ୟ ହୋଇଗଲା । ଜୁଲିର ତା’ପ୍ରତି ଏମିତି ଧାରଣା ଅଛି ! ସେ କେବେ କଳ୍ପନା କରି ନ ଥିଲା । ଶୁଣିଲା, ଜୁଲି ସମସ୍ତଙ୍କୁ ବୁଝାଉଛି । ହାତ ଉପରେ ମୁହଁ ଭାର ଦେଇ ସେ ବାରଣ୍ତାରେ ବସିପଡ଼ିଲା । ଖରାରେ ବୁଲି ବୁଲି ଆସି ଥଣ୍ତା ପାଣିରେ ବୁଡ଼ିପଡ଼ିଲା ପରେ ଯେମିତି ଲାଗେ, ତାକୁ ସେମିତି ଜଣାଗଲା । ତା’ ଦେହର ରକ୍ତ ସତେ ଯେପରି ହଠାତ୍‌ ଥଣ୍ତା ହୋଇଗଲା । ଭାବିଲା, ଜୁଲିଟି ଭଲପିଲା । ଏମିତି କଥା ତ ସେ ଶୁଣିନି ।

 

ତା’ ଛାତି ଦି’ଥର ଧକ୍‌ ଧକ୍‌ ହୋଇଗଲା । ତାକୁ କେଜାଣି କେମିତି ଖୁସି ଖୁସି ଲାଗିଲା–ଲଗାଣ ମେଘଅଂଧାର ଦିନରେ ଟିକିଏ ଖରା ପଡ଼ିଗଲା ପରି । ଭାବିଲା–କୁଆଡ଼େ ନା କୁଆଡ଼େ ଦୌଡ଼ିଯାନ୍ତା । ତା’ ମନ ହାଲୁକା ହାଲୁକା ଲାଗିଲା–ପରୀକ୍ଷା ସରିଗଲା ଦିନ ମନଟା ଯେମିତି ଲାଗେ । ତା’ର ଇଚ୍ଛାହେଲା ସେଇ ଘାସ ପଡ଼ିଆ ଉପରେ ଗଡ଼ିଯାଆନ୍ତା ।

 

ରାସ୍ତାର ଦୁଇ ପାଖରେ ପୋଷ୍ଟର ସବୁ ମରା ହୋଇଯାଇଛି । ଅମଲାପଡ଼ା ମୁଣ୍ତରୁ ପୋଷ୍ଟର ସବୁ ମରାହେଇ ଯିବାକଥା, ହୋଇଗଲାଣି । ବଡ଼ ବଡ଼ ପୋଷ୍ଟର । ଚିତ୍ର ହୋଇ ଲେଖାଯାଇଛି । ଦିନବେଳେ ନିଜ ହାତରେ ଲେଖିଥିବା ପୋଷ୍ଟର ଗୁଡ଼ାକ ରାତିରେ ତାକୁ ଭାରି ବିଭତ୍ସ ଆଉ ଅସଭ୍ୟ ଦେଖାଗଲା । ହିଂସ୍ରଜନ୍ତୁ ପରି ସେ ପୋଷ୍ଟର ଗୁଡ଼ାକ କାନ୍ଥରୁ ରାମ୍ପୁଡ଼ି ଆଣି ଚିରି ପକାଇଲା । କେତେନା କେତେ ପୋଷ୍ଟର ମରା ହୋଇଗଲାଣି । ବୁଲୁ ସେଗୁଡ଼ାକ ସବୁ ଚିରି ଟିକି ଟିକି କରି ଆଗକୁ ଚାଲିଛି । ନଖ ଭିତରେ କାନ୍ଥର ଚୂନ ଭର୍ତ୍ତିହୋଇ ଗଲାଣି । ତଥାପି ସେ ଚିରି ପକାଇବାରେ ଲାଗିଛି । ରାତି କେତେ ହେଲାଣି ଜଣାନାହିଁ । ବୁଲୁ ଛକ ଉପରେ ପହଞ୍ଚିଲା । ରମେଶ, ଆଉ ଦି’ଜଣ ସେଠାରେ ହାଲିଆ ମାରୁଛନ୍ତି । ପାଖରେ ଅଠା ବାଲ୍‌ଟି ଓ କେତେଗୁଡ଼ାଏ ପୋଷ୍ଟର ଥୁଆ ହୋଇଛି । ବୁଲୁ କହିଲା–ରମେଶ ! ଆଉ ପୋଷ୍ଟର ମରା ହବନି । ଯାହା ମରା ହେଇଥିଲା ମୁଁ ସବୁ ଚିରି ଦେଇଛି । ତୁ ଧାଇଁ ଯା ଜଗୁ, ଭଗିଆଙ୍କୁ କହିବୁ ନିଆଁ ଲଗାଯିବନି ? ମୁଁ ଗଲେ ସେକଥା ବୁଝିବି । ରମେଶ ପାଟିକଲା,–କାହିଁକି ନିଆଁ ଲାଗିବନି ? କାହିଁକି ପୋଷ୍ଟର ମରା ଯିବନି । ବୁଲୁର କେବଳ ଗୋଟିଏ କଥା–ନା ସେ ସବୁ କିଛି ହବନି । ମୁଁ କହୁଚି ହବନି । ରମେଶ ପ୍ରତିବାଦ କଲା,–ଅଲବତ୍‌ ହବ । ଆମେ କିଛି ଶୁଣିବୁନି, ସବୁ ହବ । ତୁ ଏବେ ନାହିଁ କରିବାକୁ କିଏ-? ଉଠରେ, ମାର ପୋଷ୍ଟର । ବୁଲୁର ରକ୍ତ ଗରମ ହୋଇଗଲା । ରମେଶକୁ ଠୋ କରି ଚାପୁଡ଼ାଏ ପକାଇ ସେ ଠିଆହେଲା ଦମ୍ଭରେ । ସମସ୍ତେ ଅବାକ୍‌ ହେଲେ ।

 

ବୁଲୁ ନୀରବରେ ଠିଆହେଲା ! ଦେଖିଲା ଏ ପାଖ ଲାଲ ଦିଶୁଛି ।

 

କ’ଣ ନିଆଁ ଲାଗିଗଲା !

 

ବୁଲୁ ଏକ ନିଃଶ୍ୱାସରେ ଧାଇଁଲା ହେଡ଼୍‌ମାଷ୍ଟରଙ୍କ ଘର ଆଡ଼କୁ । ଜୋରରେ ଦୌଡ଼ି ଦୌଡ଼ି ତାର ପାଦ ଏଣେ ତେଣେ ପଡ଼ିଲା । ଲାଗିଲା, ଗୋଡ଼ ଦୁଇଟା ଜଙ୍ଘଠାରୁ ଛିଡ଼ିଯିବ ।

 

ସେ ଆଉ ଦୌଡ଼ି ପାରିଲା ନାହିଁ । ବାଟରେ ବରଗଛ ମୂଳେ ଥକାହୋଇ ବସି ପଡ଼ିଲା । ଦେଖିଲା, ଜଗୁ ଭଗିଆ ବି ସେଠାରେ ଅଛନ୍ତି । ସେ ପଚାରି ବୁଝିଲା ଯେ ନିଆଁ ଲାଗିନାହିଁ । ହେଡ଼୍‌ମାଷ୍ଟରଙ୍କ ଘର ଆଡ଼କୁ ଭଲକରି ଚାହିଁ ଆଶ୍ୱସ୍ତ ହେଲା–ସତେ ନିଆଁ ଲାଗିନି । ଅଥଚ କେମିତି ସେମିତି ଦିଶୁଥିଲା ନିଆଁ ଲାଗିଲା ଭଳି ।

 

ଟିକିଏ ଦମ୍‌ ମାରି ସେ ଠିଆହେଲା । ଦୃଢ଼ ସ୍ୱରରେ କହିଲା,-

 

ହେଡ଼୍‌ମାଷ୍ଟରଙ୍କ ଘରେ ନିଆଁ ଲଗାଯିବନି ।

 

ସେମାନେ ଆଶ୍ଚର୍ଯ୍ୟ ହେଲେ ।

 

ସେ ପକେଟରୁ ଛୁରୀଟା ବାହାର କରି ଧରିଲା । ଦମ୍ଭରେ ଠିଆହୋଇ କହିଲା,-

 

କୋଉ ଶଳା ନିଆଁ ଲଗେଇବ ଦେଖିବି ।

 

ମଣ୍ତୁକ

 

: ମତେ ଭଲ ଲାଗୁନି...

 

: ଲାଗିବ ମ ।

 

: ନାଃ, ଭଲ ଲାଗୁନି...କିଛି ଭଲ ଲାଗୁନି ।

 

: କ’ଣ ଲାଗୁଚି ?

 

: କ’ଣ ଲାଗୁଚି ? କେମିତି କହିବି ?

 

: ତୁମ ଦେହ ରିସ୍‌ରିସ୍‌ ଲାଗୁଚି ।

 

: (ଅନୁଭବ କରି) ସତେ ତ... ।

 

: ମୁଣ୍ତ ?

 

: ଝିମ୍‌ ଝିମ୍‌ ଲାଗୁଚି ।

 

: ଜିଭ ?

 

: ଟାଣି ଟାଣି ହୋଇଯାଉଚି ।

 

: ଆଖି ?

 

: ଲାଗୁଚି ଛୋଟ ପେଣ୍ତୁ ପରି, ଆଉ ଭିତରକୁ ପଶି ପଶି ଗଲାପରି ।

 

: ହୁଁ...

 

: କିନ୍ତୁ କାହିଁକି ?

 

: କାହିଁକି ? ...ହଁ ତ, କାହିଁକି ?

 

: ଆପଣ ଜାଣି ନାହାନ୍ତି ?

 

: ନା’ । ତମେ... ?

 

: ନା’ ତ ।

 

: କିନ୍ତୁ ଆ-ପ-ଣ ?

 

: ମୁଁ... ?

 

: ଆପଣ କିଏ ?

 

: ମୁଁ ? ମୁଁ ତୁମ ଦେହର ରିସ୍‌ରିସ୍‌–ତୁମ ମୁଣ୍ତର ଝିମ୍‌ ଝିମ୍‌–ତୁମ......

 

: ଆପଣଙ୍କ ବେକରେ ମନ୍ଦାର ମାଳ... ।

 

: କେମିତି ଜାଣିଲ ?

 

: ଦେଖିୁଚି ତ ।

 

: ଦେଖି ପାରୁଚି ? କେମିତି ? ଆଉତ କେହି ଦେଖି ପାରିନି ?

 

: ଆଉ କେହି ଦେଖିପାରୁ ନାହାନ୍ତି ?

 

: ନା ତ ।

 

: ଖାଲି କ’ଣ ମତେ ଦେଖାଯାଉଚି ? ଅନ୍ୟମାନଙ୍କୁ ନୁହେଁ ?

 

: ନା’ ।

 

: କିନ୍ତୁ କାହିଁକି ? (ଭୟଭୀତ ସ୍ୱରରେ)

 

: କାରଣ ତମେ ହୁଏତ ମତେ...ମତେ ଭଲପାଇବାକୁ ଆରମ୍ଭ କରିଛ...ମୋର ନିକଟତର ହୋଇ ଆସୁଛ ।

 

: ଆପଣଙ୍କର ?

 

: ହୁଏ ତ ।

 

: ଆଉ ଅନ୍ୟମାନଙ୍କର ?

 

: ଦୂର ହୋଇ ଯାଉଚ ।

 

: ହୁଏ ତ ମୁଁ ସେଇଆ ଖୋଜୁଥିଲି ।

 

: କ’ଣ ଖୋଜୁଥିଲ ?

 

: ବୋଧହୁଏ ସମସ୍ତଙ୍କଠାରୁ ଦୂର ହୋଇ ଯିବାକୁ କିନ୍ତୁ ମୁଁ ବୋଧେ ଜାଣିପାରୁ ନଥିଲି ।

 

: ଏବେ କେମିତି ଜାଣିଲ ?

 

: କେଜାଣି ।

 

: ଏବେ ଜାଣି ପାରୁଚ ?

 

: ପାରୁଚି । ହୁଏ ତ ସେଇଥିପାଇଁ ମତେ କିଛି ଭଲ ଲାଗୁନି...କିଛି ଭଲ ଲାଗୁନି । କେହି ଭଲଲାଗୁନି ।

 

: କେହି ଭଲ ଲାଗୁନି ? ସ୍ତ୍ରୀ... ?

 

: ନା’ ମୋର ତ ସନ୍ଦେହ ହୁଏ, ସେ...ସେ...

 

: କୁହ ?

 

: ସେ...ସେ ଗୋଟାଏ ସ୍ତ୍ରୀ ଭଳି ହୁଏ । ସେ...

 

: ଝିଅ ?

 

: ସେ...ସେ ଅତି ଗୁଡ଼ାଏ ଭକ୍ତି କରେ । ଭାରି ଭକ୍ତି । ମତେ ଭଲ ଲାଗେନା ।

 

: ଆଉ... ?

 

: ଆଉ କାହା କଥା କହୁଛନ୍ତି ?

 

: ସେଇ, ଯାହା ଛବି ଆଙ୍କିବାକୁ ଭଲ ଲାଗୁଥିଲା ?

 

: ଛବି ଆଙ୍କିବା ?

 

: ହଁ, ଅଙ୍ଗାରରେ, ଚକ୍‌ରେ ।

 

: ଅଙ୍ଗାରରେ, ଚକ୍‌ରେ !! କାହା ଛବି ? କିଏ ସେ ?

 

: ସେ ? ସେ ‘+’

 

: ଯୁକ୍ତ ?

 

: ହଁ, ‘-’ ବି ।

 

: ବିଯୁକ୍ତ ବି ?

 

: ହଁ, ସେ ଯୁକ୍ତ, ଆଉ ସେ ବିଯୁକ୍ତ ।

 

: ତେବେ ସେ ତ ‘୦’ (ଜିରୋ) ।

 

: ହଁ, ସେ ଅବ୍ୟୟ ଅକ୍ଷୟ...

 

: ଓ ନିତ୍ୟ ପଦାର୍ଥ ?

 

: ହୋଇ ପାରନ୍ତି । ମାତ୍ର ସବୁ ଅନିତ୍ୟ ବସ୍ତୁରେ ରହି ପାରନ୍ତି ।

 

: ଆପଣ ତାଙ୍କୁ ଦେଖିଛନ୍ତି ?

 

: ଦେଖିଲି, ଦିନେ ଛାଇ ଅନ୍ଧାରେ ଅନ୍ଧାରେ ସେ ଗୋଟାଏ କଳା ପେଣ୍ଟ୍‌ କଳା କୁର୍ତ୍ତା ପିନ୍ଧି ତୁମରି ଝରକାବାଟେ ହଠାତ୍‌ ତୁମ ଘର ଭିତରକୁ ଡେଇଁ ପଡ଼ିଲେ ।

 

: ମୋ ଘରକୁ ?

 

: ହଁ, ଆଉ ଦିନେ ବଗିଚା ଭିତରେ, ଦିନେ ଏଠି, ଦିନେ ସେଠି, ଦିନେ ସବୁଠି ।

 

: ଏଠି, ସେଠି, ସବୁଠି ? ତେବେ ସେ ଆତ୍ମା... ?

 

: ନା’ ।

 

: ଭଗବାନ୍‌ ?

 

: ନା’ । ହୁଏ ତ ହୋଇପାରେ ।

 

: କିନ୍ତୁ ମୁଁ ଭଗବାନଙ୍କୁ ବିଶ୍ୱାସ କରେନା ।

 

: ମୋ ଜାଣିବାରେ ସେ ତ ସେ ଦିନ ମରିଗଲେ ।

 

: ପ୍ରେମ ?

 

: ପ୍ରେମ ? ସେ ତ ମତେ ଅସହ୍ୟ ଲାଗେ ।

 

: ଅସହ୍ୟ ! କେମିତି ? କାହିଁକି ?

 

: କୁହନ୍ତୁନି । ସେ କଥା ବଖାଣିଲେ ହୁଏତ ମୋର ଶ୍ୱାସ ରୁଦ୍ଧ ହୋଇଯିବ ।

 

: ତେବେ ତୁମେ ଚାହୁଁଚ କଣ ?

 

: କ’ଣ ଚାହୁଁଚି ? କେଜାଣି । ତେବେ ମତେ ଲାଗୁଚି, ମୁଁ କିଛି ଗୋଟାଏ ଚାହୁଁଚି । କିନ୍ତୁ କ’ଣ ଜାଣି ପାରୁନି ।

 

: ଅଦ୍ଭୁତ !

 

: ଆଶ୍ଚର୍ଯ୍ୟ ବି ।

 

: ଆଚ୍ଛା, ମୁଁ ତେବେ ଆସେ ।

 

: କୁଆଡ଼େ ଯାଉଛନ୍ତି ।

 

: ଯେଉଁଠୁ ଆସିଥିଲି ।

 

: ଠିକ୍‌ ଅଛି । ମୁଁ ବି ଯିବି ।

 

: କୁଆଡ଼େ ଯିବ ?

 

: ଆପଣ ଯେଉଁଠୁ ଆସିଛନ୍ତି ।

 

: ଜାଣିଛ, ସେଠା କେଉଁଠା ?

 

: ଜାଣିଛ ଦରକାର କ’ଣ ? ମୋର ଯିବା ଦରକାର । ତେଣୁ ମୁଁ ଯିବି ।

 

: କ’ଣ ଦରକାର ?

 

: ଦରକାର ଯିବା । ମତେ ଏଠି ବିରକ୍ତ ଲାଗିଲାଣି ।

 

: କାହିଁକି ? କ’ଣ ଅଭାବ ଏଠି ?

 

: ଅଭାବ ? କିଛିନାଇଁ । ଅଭାବ ସେଇ ଯାଗା, ଯେଉଁଠୁ ଆପଣ ଆସିଛନ୍ତି, ଆଉ ମୁଁ ଯେଉଁଠାକୁ ଯିବାକୁ ଚାହୁଁଚି । ମୁଁ ଯିବାକୁ ଚାହୁଁଛି......

 

: କାରଣ ?

 

: କାରଣ, ଏଠାରେ ବୋମା ପଡ଼ୁନାହିଁ । ଏଠିତ ବୋମା ପଡ଼ିବାର ଥିଲା–ପଡ଼ୁନି କାହିଁକି-? କୋଉ ଦିନ ଆଉ ପଡ଼ିବ ? ମତେ ଚିଡ଼ି ଲାଗୁଚି...ହଠାତ୍‌ ଗୋଟାଏ ବଡ଼ ଛିଙ୍କ ଆସୁ ଆସୁ ପୁଣି ବନ୍ଦ ହୋଇଗଲେ ଯେମିତି ଲାଗେ ।

 

: କିନ୍ତୁ କାହିଁକି ?

 

: କାହିଁକି କଣ ? ବଡ଼ ଅସହ୍ୟ ଲାଗୁଛି । କେଜାଣି କାହିଁକି ଭାରି ଅସହ୍ୟ ଲାଗୁଚି । ଲାଗୁଚି ମୁଣ୍ତ କଚାଡ଼ି ଦେବି । ଲାଗୁଚି କାହାକୁ କ’ଣ କରି ପକେଇବି । କିନ୍ତୁ କାହାରିକୁ ବିଶ୍ୱାସ କରି ହେଉନି ।

 

: ଗଲେ କ’ଣ ହେବ ?

 

: ନ ଗଲେ ବଞ୍ଚି ହେବନି । ଏଠି ଏତେ ଆଲୁଅ । ମତେ ଲାଗୁଚି ମୁଁ ଅଂଧାର ଭିତରେ ହାତ ଗୋଡ଼ ପିଟି ପହଁରୁଛି ।

 

ଓ, ତୁମେ ତେବେ ବଞ୍ଚିବାକୁ ଚାହୁଁଚ ?

 

: ନା’ ମୋଟେ ନୁହେଁ । ମୁଁ ହୁଏ ତ......ନାଁ, ମୁଁ କ’ଣ ଚାହୁଁଚି ବି ମୁଁ କହିପାରୁନି । ମୁଁ ହୁଏତ ଚାହୁଁଚି...ମୁଁ...ମୁଁ...ମୁଁ...

 

: ତେବେ ତୁମେ ଗୋଟେ କଥା କର । ତୁମେ ଆତ୍ମହତ୍ୟା କର ।

 

: ଓଃ, ସେତ ପୁରୁଣା ଉପାୟ ।

 

: କିନ୍ତୁ ଗଲେ ହୁଏତ ବଞ୍ଚିପାରିବି ନି ।

 

: ହୁଏ ତ ସେଇଆ ଦରକାର । ଚାଲନ୍ତୁ ଯିବା । ଚାଲନ୍ତୁ । ଚାଲନ୍ତୁ ।

 

: କେମିତି ଯିବ ? ଗାଡ଼ିରେ ? ଆମ୍ବାସଡ଼ର୍‌...

 

: ଗାଡ଼ିରେ ? ନା’ ମତେ ବିରକ୍ତ ଲାଗିଲାଣି......

 

: ମଟର ସାଇକେଲ୍‌ରେ ?

 

: ଓଃ, ନା’ ନା’, ସେତ ସେଇ ପୁରୁଣା କଥା ।

 

: ଘୋଡ଼ାରେ ?

 

: ନାଃ, ବାପା ଚଢ଼ୁଥିଲେ...ରଜା, ମହାରାଜା...

 

: ମଇଁଷିରେ ?

 

: ମଇଁଷିରେ !!

 

: ହଁ ମଇଁଷିରେ । ନା’ ତୁମେ ଯାଇ ପାରିବ ନି । ହେଇଟି, ମୁଁ ଚାଲିଲି । (ଆଗନ୍ତୁକ ଚାଲିଗଲେ)

 

: ଶୁଣନ୍ତୁ... ଶୁଣନ୍ତୁ...

 

: କହ...କହ (କ୍ରମେ କ୍ରମେ ଦୂରରୁ)

 

: ଶୁଣନ୍ତୁ......ଶୁଣନ୍ତୁ......ଶୁଣନ୍ତୁ......

 

: ଦୌଡ଼ନି, ଦୌଡ଼ନି......ଆରେ ଦୌଡ଼ନି...

 

: ଶୁଣନ୍ତୁ...ଶୁଣନ୍ତୁ...ଶୁଣନ୍ତୁ...ଶୁଣନ୍ତୁ...ଶୁଣନ୍ତୁ ।

 

ଫଗୁଣ ସକାଳ

।। ୧ ।।

 

କେତେପାଣି । ନେଳି ଚକ୍‌ ଚକ୍‌ ପାଣି । ଭଅଁର ଭଳି ନେଳି । କେନାଲରେ ପାଣି ପୂରି ଚାଲିଛି । ନାଳପାଣି କୁଳୁ କୁଳୁ ହୁଏ । ଏ ପାଣି ହେଉନି ।

ଆକାଶରେ କେତେ ସୂନ୍ଦର ମେଘ । ଚୂନା ଚୂନା ଧଳା ମେଘ । ଫ୍ରକ୍‌ ପରି ଧଳା ।

ଦଶ ବରଷର ଝିଅ ରେଖା ତା’ ଧଳା ଫ୍ରକ୍‌କୁ ଚାହିଁଲା । ମେଘଟା ଖାଲି ଧଳା ନୁହେଁ । କଳା ଧଳା ଏକାଠି ମିଶାମିଶି । ପାଣିରେ ତା’ର ଛାଇ ଭାସୁଛି । ପାଣି ହସୁଛି । ମେଘ ହସୁଛି । କେନାଲ କୂଳର ସିମେଣ୍ଟ ବେଞ୍ଚ ଉପରେ ବସି ରେଖା ଗୋଡ଼ ହଲାଇଲା ।

ଥଣ୍ତା ପବନ ଆସୁଛି । ଧଳା ଫ୍ରକ୍‌ଟା ଉଡ଼ୁଛି ପବନରେ । ପବନ ତା’ ଭିତରେ ପଶୁଛି । ଭଗବାନ୍‌ ରାମ୍‌ ପେଟଭଳି ଠୋଲେଇ ଯାଉଛି ଫ୍ରକ୍‌ଟା । ବାଣୀ ଆସିବାକୁ କହିଥିଲା । ଏତେବେଳଯାଏଁ ଆସିନି ! ଆଉ ଆସିବ ନି । ବାଣୀଟା ମିଛେଇ ।

ରେଖା ସେଇଠି ବସିଥିଲା । ଏକା ଏକା ବସିବାକୁ ତାକୁ ଭଲ ଲାଗୁଥିଲା । କେନାଲ ପାଣିରେ ବିଭିନ୍ନ ଛାଇ ଖେଳିଲା ପରି ତା ମନରେ କେତେ ଛବି ଖେଳୁଥିଲା ।

କେନାଲରେ ମାଇପିଗୁଡ଼ାକ ଗାଧୋଉଛନ୍ତି । ଛାତିରେ ଓଦା ଲୁଗା ଛପି ଛପି ଯାଇଛି । ପାଣିରେ ତାଙ୍କର ଛାଇ ଖେଳୁଛି ।

ତାଙ୍କୁ କ’ଣ ଲାଜ ଲାଗୁ ନି ? ଅପା ଗାଧୁଆଘର କବାଟ ବନ୍ଦକରି ଗାଧୁଏ । ତାକୁ ଭାରି ଲାଜ ।

କେନାଲ ଆର ପାଖେ ସିନେମା ଘର । ରାତିରେ ଖୁବ୍ ସୁନ୍ଦର ଦେଖାଯାଏ ।

ରେଖା କେବେ ସିନେମା ଦେଖି ନି ।

ସେଇଥର ସ୍କୁଲ ହତାରେ ସିନେମା ହେଉଥିଲାବେଳେ ଯେତିକି ଦେଖା ହୋଇଥିଲା, ଆଉ ମନେ ପଡ଼ୁନି । କ’ଣ ତ...... କିଏ ଜଣେ ରାଣୀଟାକୁ ଟାଣି ଟାଣି ନେଇଗଲା ଗୋଟାଏ ବଡ଼ ଘରକୁ । ମସ୍ତବଡ଼ ଘର । କେତେ ରାଜା ସେଠାରେ ବସିଥାଆନ୍ତି । ସମସ୍ତଙ୍କ ଆଗରେ ସେ ରାଣୀଟିକୁ ଲଙ୍ଗଳା କରିବାକୁ ବସିଲା । ଓଃ, କେଡ଼େ ଖରାପ ଲୋକ ! ଯାହାହେଉ, ଦିଅଁଙ୍କ କୃପାରୁ ତା’ ଦେହରୁ ଲୁଗା ସରିଲାନି । ତା’ପରେ......ତା’ପରେ କ’ଣ ହେଲା ? –ଆଉ ମନେ ପଡ଼ୁନି । କେତେ ଦିନ ହୋଇଗଲାଣି ।

ବୋଉ ଆଉ ରତିଅପା ସିନେମା ଦେଖି ଯାଆନ୍ତି । ସାଙ୍ଗରେ ନିଅନ୍ତିନି । ସେଦିନ ତାଙ୍କ ସାଙ୍ଗରେ ସିନେମା ଦେଖି ଯିବାକୁ କହିବାରୁ ବୋଉ କହିଲା, ସାନ ପିଲାଙ୍କୁ ସିନେମା ଦେଖିବା ମନା-। ବୋଉଟା କେଡ଼େ ମିଛେଇ । ବାଣୀ କେମିତି ତା’ ବୋଉ ସାଙ୍ଗରେ ସିନେମା ଦେଖି ଯାଉଛି-?

 

ସେଦିନ ରେଖାବୋଉ ତା’ ରତିଅପାକୁ ନେଇ ସିନେମା ଦେଖିଯିବା ପରେ ରେଖା ଓ ବାଣୀ ଦୁହେଁ ସିନେମାଘର କାନ୍ଥରେ ମରାହୋଇଥିବା ଫାଟୋଗୁଡ଼ାକ ଦେଖିବାକୁ ଗଲେ ।

 

କେନାଲ ପୋଲ ଡେଇଁଗଲେ ସିନେମାଘର । ସିନେମା ଛବିଗୁଡ଼ାକ ସେଇଠି କାନ୍ଥରେ ମରାହୋଇଛି । କାନ୍ଥ ମଝିରେ ଗୋଟାଏ ରଙ୍ଗିନ୍‌ ଛବି–ମରଦଟାଏ ମାଇପିଟିକୁ ଜାକିଧରି ଗେଲ କରୁଛି । ତାକୁ ଦେଖି ବାଣୀ ଖାଲି ହସିଲା, ଆଉ ଚୁମୁଟି ଦେଲା । ସେଗୁଡ଼ାକ ବୋଧହୁଏ ଖରାପ କଥା । ସେଇଥିପାଇଁ ବୋଉ ନାହିଁ କରୁଥିଲା ସିନେମା ଯିବାକୁ । ବାଣୀ ସେତେବେଳେ କିଛି କହିଲା ନି । ଖାଲି ହସି ହସି ପେଲିଦେଲା । ବାଣୀ କାହିଁକି ଏତେ ହସିଲା ସେଦିନ ?

 

ବୋଉ କାହିଁକି ରତିଅପାକୁ ନେଇ ସିନେମା ଦେଖି ଯାଉଛି ? ସେ କ’ଣ ବୋଉ ଭଳି ବଡ଼ ? ତା’ହେଲେ ସେ ଗୀତ-ସ୍କୁଲକୁ ଗଲାବେଳେ ବୋଉ କାହିଁକି ମତେ କହୁଛି ତା’ ସାଙ୍ଗରେ ଯିବାକୁ ? ଏକା ଯିବାକୁ କ’ଣ ଅପାକୁ ଭୟ ଲାଗୁଛି ?

 

ସେଦିନ ଗୀତ-ସ୍କୁଲରେ ଗୀତ ସାରେ ଏକୁଟିଆ ଦେଖି ଅପାକୁ ଗେଲ କରୁଥିଲେ । ମତେ ଦେଖି ତର ତର ହୋଇ ପଳାଇଗଲେ । ସେଦିନ ଫେରିଲାବେଳେ ବାଟରେ ଅପା କହିଲା–‘‘ରେଖା : ଗୀତ ସାରେ ମତେ ଗେଲ କରୁଥିଲେ ବୋଲି ତୁ ବୋଉକୁ କହିବୁ ନି । ମୁଁ ତୋ ପାଇଁ ଭଲ ସ୍ୱେଟରଟେ ବୁଣିଦେବି ।’’ ଅପା ସେଦିନ ବାଟରେ କେତେ ଚକୋଲେଟ୍‌ କିଣି ଖାଇବାକୁ ଦେଲା । ଗେଲ କଲା ।

 

ଅପା ରାଗ ହେଲାବେଳେ ‘ବୋଉକୁ ସେକଥା କହିଦେବି’ ବୋଲି କହିଲେ, ସେ ଡରିଯାଏ । ଅପା କାହିଁକି ଏତେ ଡରୁଛି ? କାହିଁକି, ବୋଉକୁ କହିଲେ କ’ଣ ହେବ ? ଗୀତ ସାରେ ଗେଲ କରୁଥିଲେ ବୋଲି ଜାଣିଲେ ବୋଉ କ’ଣ ତାକୁ ରାଗହେବ !!

 

କେନାଲ ଭିତରେ ଲଞ୍ଚ୍‌ ଯାଉଛି । ପାଣି ଦି’ଭାଗ ହୋଇଯାଉଛି, ପୁଣି ମିଶିଯାଉଛି । ରତିଅପା ହେଇଟି ଡାକିଲାଣି । କ’ଣ କାମ ବତେଇବ ।

 

-‘‘ରେଖା ! ଏଇ କନାଟା ନେଇ ଗୁନାଭାଇଙ୍କୁ ଦବୁ କି, କହିବୁ,–ରତିଅପା କହିଛି, ଏଥିରେ ଗୋଟେ ଭଲ ସିନେରୀ ଆଙ୍କି ଦିଅ ।’’

 

ଗୁନାଭାଇ କେଡ଼େ ସୁନ୍ଦର ଛବି ଆଙ୍କନ୍ତି । ତାଙ୍କ ଘରେ କେତେ ଛବି କାନ୍ଥରେ ମାରିଛନ୍ତି-। ରତିଅପା କହୁଥିଲା, ଗୁନାଭାଇ ଆର ବର୍ଷ ପ୍ରଫେସର ହେବେ । ଗୁନାଭାଇ ହେଲେ ଆମ ସ୍କୁଲରେ ମାଷ୍ଟ୍ର ହୁଅନ୍ତା । ତାଙ୍କ ମେସ୍‌କୁ ଗଲେ ମଣ୍ଟୁ ଭାଇ କହିବେ ଗୀତ ବୋଲିବାକୁ । ଗୁନାଭାଇ କହିବେ ନି । ବାଣୀଟା ତାଙ୍କ ବସାରେ ଗୀତ ବୋଲେ–

 

‘‘ବସନ୍ତ ଆସିଲା ଫଗୁଣ ସକାଳେ

କୁହୁ କୁହୁ ଡାକେ କୋକିଳ’’

ନରମ ଖରାରେ ଧରା ଚମକିଲା

ମହକିଲା ବନେ ବଉଳ ।’’

 

ବାଣୀଟା ଗୀତ ବୋଲେ, ନାଚେ । ତାକୁ ଲାଜ ଲାଗେନି । ସେ ନାଚ ଶିଖୁଛି । ଗୁନାଭାଇ କୂଅଚାନ୍ଦିନୀ ଉପରେ ବସି ଗୀତ ଶୁଣନ୍ତି । ମୁରୁକି ମୁରୁକି ହସନ୍ତି । ଆଉ ମଣ୍ଟୁ ଭାଇ–ହେଁ ହେଁ ହୋଇ ହସିବେ, ଦିନ ରାତି ଗୁଡ଼ାଖୁ ଘଷିବେ, ସିଗାରେଟ୍‌ ଖାଇବେ । ତାଙ୍କ ମେସ୍‌କୁ ଗଲେ ମଣ୍ଟୁ ଭାଇ ଖାଲି ଅପା କଥା ପଚାରିବେ । ଗୁନାଭାଇ କିଛି ପଚାରିବେ ନି । ଗୁନାଭାଇ ଭାରି ଭଲମଣିଷ । ରତିଅପା କହୁଥିଲା–ଗୁନା ଭାଇ ପରୀକ୍ଷାରେ ଫାଷ୍ଟ ହେବେ ।

 

ଗୁନା ଭାଇ ନାହାନ୍ତି । କୁଆଡ଼େ ଯାଇଛନ୍ତି । ମଣ୍ଟୁ ଭାଇ ତ କ’ଣ ତାଙ୍କ ଚିତ୍ର ଖାତା ଦେଖିୁଛନ୍ତି । ଏଇ ଚିତ୍ର ଖାତାଟା କେଡ଼େ ସୁନ୍ଦର ଦିଶୁଛି । ନାଲି ନେଳି ତାରରେ ଖାତାଟି ବନ୍ଧା ହୋଇଛି ।

 

-‘‘ଏ ମଣ୍ଟୁ ଭାଇ ! ଦେଖି ଦେଖି, ସେ ଛବିଗୁଡ଼ାକ ମୁଁ ଟିକିଏ ଦେଖିବି ।’’

 

-‘‘ଛବି ଦେଖିବୁ ଏଥିରୁ ? ଆଚ୍ଛା,...ହେଇଟି ଦେଖ ।’’

 

ଖାତାଟାରେ କେତେଟା ଲଙ୍ଗଳା ମାଇପି ଛବି । ମଣ୍ଟୁ ଭାଇ ସେଗୁଡ଼ାକ ଦେଖାଉଛନ୍ତି । ଛିଃ, କି ଅସନା ଛବି ।

 

ରେଖା ଦୌଡ଼ି ପଳାଇ ଆସିଲା ସେଠାରୁ ।

 

X X X X ଛବି ଅଙ୍କା ହେବାପାଇଁ କନାଟାକୁ ରତି ତା’ ବୋଉ ହାତରେ ଗୁନାଭାଇଙ୍କ ପାଖକୁ ପଠାଇଲା । ରେଖା ତା’ ବୋଉ ସଙ୍ଗେ ଗଲା । ଗୁନାଭାଇ ଏକାକୀ ଅଛନ୍ତି । ଅଗଣାରେ ବସି ସେ କନାଟାରେ ଛବି ଆଙ୍କିଲେ । ରେଖା ତା’ ବୋଉ ପାଖରେ ବସିଥିଲା । ତା’ର ମନେ ପଡ଼ିଲା ସେଇ ଛବି ଖାତାଟା କଥା । ସେଠାରୁ ଉଠି ଧୀରେ ସେ ସେଇ ଘର ଭିତରକୁ ପଶିଗଲା । ଟେବୁଲ ଉପରେ ଖାତାଟି ଥୁଆ ହୋଇଛି । ରେଖା ଦୁଆର ପାଖରେ ଗୁନାଭାଇଙ୍କୁ ଟିକିଏ ଚାହିଁଦେଇ ଯାଇ ଖାତାଟି ଦେଖିଲା ।

 

ଖାତାଟାରେ କେତେ ସୁନ୍ଦର ସୁନ୍ଦର ସିନେରୀ ଅଙ୍କା ହୋଇଛି । ରତିଅପା ଏଗୁଡ଼ାକ ଦେଖିଲେ କାର୍ବୁନ ପେପର ପକାଇ ସବୁ ଉଠାଇ ନେବାକୁ କହନ୍ତା । ଏଃ ! କେତେ ସୁନ୍ଦର ଚଢ଼େଇ ଆଉ ହରିଣ ! ମଣ୍ଟୁଭାଇ କ’ଣ ଏଇଖାତାଟା ଦେଖୁଥିଲେ ?

 

ରେଖା ଛବିଗୁଡ଼ାକ ସବୁ ଦେଖିଗଲା । ଖାତାର ଶେଷ ଆଡ଼କୁ ବିଭିନ୍ନ ଭଙ୍ଗୀରେ ସ୍ତ୍ରୀମାନଙ୍କର ନଗ୍ନ ଛବି । ରେଖା ଧୀରେ ଦୁଆର ପାଖକୁ ଆସି ଗୁନାଭାଇଙ୍କୁ ଆଉ ଥରେ ଚାହିଁଦେଇ ଯାଇ ଛବିଗୁଡ଼ାକ ଭଲ କରି ଦେଖିଲା ।

 

-ଇସ୍‌ ! ଗୁନାଭାଇ କେଡ଼େ ଅସଭ୍ୟ ।

 

ରେଖା ବୋଉକୁ ଅପେକ୍ଷା ନ କରି ଘରକୁ ଚାଲିଗଲା ।

 

।। ୨ ।।

 

ଦାଣ୍ତ ବାରଣ୍ତାରେ ରେଖା ବସିଛି । ରତିଅପା ଗୁନାଭାଇଙ୍କ ପାଖକୁ ପଠାଇବାରୁ ଗଲା ନି । ଏବେ କେତେଦିନ ହେଲା ସେ ଆଉ ତାଙ୍କ ମେସ୍‌କୁ ଯାଉ ନି । ରେଖା ସେଇଠି ବସିଥିଲା । ଗୁନାଭାଇ ଭିତରୁ ଆସି ଡାକିଲେ,–ରେଖା ! ଏ ରେଖା ! ଆରେ...ତୋ କାନକୁ କ’ଣ ଶୁଣାଯାଉ ନି କି ?

 

ରେଖା ନୀରବରେ ବସି ରହିଲା ।

 

ଗୁନାଭାଇ ପୁଣି ଡାକିଲେ,–ତୋ’ର କ’ଣ ହୋଇଛି କି ? ଏବେ ଯେତେବେଳେ ଡାକିଲେ କାହିଁକି ମୁହଁଟାକୁ ଆଟିକା ଭଳି କରିଛୁ ?

 

ରେଖା ଭାବୁଥିଲା,–ଗୁନାଭାଇ ଡାକୁଛନ୍ତି । ଡାକୁଥିଲେ ଡାକୁଥାଆନ୍ତୁ । ସେ କେମିତି ଇମିତି ଅସନା ଛବିଗୁଡ଼ାଏ କଲେ ।

 

ଛବିଗୁଡ଼ାକର ଦେହ କେମିତି ମାଉଁସିଆ ମାଉଁସିଆ ଜଣା ପଡ଼ୁଥିଲା । ଆଉ ହାତ ଗୋଡ଼ ଗୁଡ଼ିକ ବଳିଲା ବଳିଲା ଭଳି ଗୋଲ ଗୋଲ । ଅସଭ୍ୟ ।

 

ରେଖା ଉଠିଗଲା ଗାଧୋଇବାକୁ । ଗାଧୋଇଲାବେଳେ ତା’ ଅପା ଭଳି ଗାଧୁଆଘର କବାଟଟା ବନ୍ଦ କରିଦେଲା ଭିତରୁ । ସେଇ ଘରେ ସେ ତା’ର ଲଙ୍ଗଳା ଦେହଟା ଉପରେ ଆଖି ବୁଲାଇଲା,–କେଡ଼େ ସୁନ୍ଦର ଦେଖାଯାଉଛି ଦେହଟା ! ଗୋରା ତକ୍‌ ତକ୍‌ ଦେହ । ହାତ ମାରି ଦେଲେ ଲାଲ ପଡ଼ିଯାଏ । ରତି ଅପା ପରା କହେ-

 

‘‘କୋଦେଇ ମାତା

ଦିଅଁ ଦେବତା ।’’

 

ଦେହ ! ଗୁନାଭାଇଙ୍କର ସେଇ ଛବିଗୁଡ଼ାକର ଦେହ ପରି । ଗୁନାଭାଇ କେମିତି ଜାଣିଲେ ମୋ ଦେହ କେମିତି ? କାଲି ରାତିରେ ସେଇ ଛବିଗୁଡ଼ାକ ସ୍ୱପ୍ନ ଦେଖିଲି । ଗୁନା ଭାଇଙ୍କୁ ବି । ନିଦ ଭାଙ୍ଗିଗଲା । ସେତେବେଳକୁ ବାପା ବୋଉ ସେଇ ଛବି-ଗୁଡ଼ାକ ଭଳି......ବାପା ବୋଉ କି ଭୂତ କେଜାଣି । ଭୟରେ ମୁହଁ ଘୋରାଇ ଶୋଇ ପଡ଼ିଲି ।

 

ଗୁନାଭାଇଙ୍କର ଛବିଗୁଡ଼ାକ ତା’ ଆଖି ଆଗରେ ନାଚିଲା । ରେଖା ଦେଖିଲା ତା’ ଦେହରେ ଶିହରଣ ଖେଳୁଛି ।

 

।। ୩ ।।

 

ଆକାଶରେ ଧଳା ଧଳା ମେଘ । କେନାଲ କୂଳରେ ଧାଡ଼ି ଧାଡ଼ି ଗଛ–ନିମ, ପାଇକେରା ଓ ଦେବଦାରୁ । ଆଉ ଧାଡ଼ି ଧାଡ଼ି ଟେଲିଫୋନ୍‌ ତାରଖୁଣ୍ଟି । ଧଳା ମେଘ ସାଙ୍ଗକୁ ପାଇକେରା ଗଛ ଓ ଟେଲିଫୋନ୍ ତାରଖୁଣ୍ଟି ଖୁବ୍‌ ସୁନ୍ଦର ଦିଶୁଛି । ଟେଲିଫୋନ୍‌ ତାର ଉପରେ ସକାଳୁ ଘରଚଟିଆଙ୍କର ସଭା ବସିଛି । ରେଖା କାନ୍ଥକୁ ଆଉଜି ଠିଆ ହୋଇ ସେଇ ଆଡ଼କୁ ଚାହିଁଥିଲା । ଘର ଭିତରୁ ସୀତାରର ସ୍ୱର ଶୁଭୁଛି, ରେଖାର ମନଟା କେମିତି ହାଲୁକା ହାଲୁକା ଲାଗୁଥିଲା । ସକାଳ ପବନରେ ତା’ର ଧଳା ଫ୍ରକ୍‌ ଓ ନେଳି ଦୋପଟା ଉଡ଼ୁଥିଲା । ରେଖା ସୀତାରର ଝଙ୍କାର ସାଙ୍ଗରେ ତାଳ ପକାଇ ଗାଇଲା,–‘ବସନ୍ତ ଆସିଲା ଫଗୁଣ ସକାଳେ....

 

ଗୁନାଭାଇ ତାଙ୍କ କବାଟ ଖୋଲି ବାହାରକୁ ଆସିଲେ । ରେଖା କାହିଁକି ଲାଜରେ ପଳାଇଗଲା ଘର ଭିତରକୁ । ରତିଅପା ପଚାରିଲା,–‘‘କ’ଣ କିଲୋ ?’’ ରେଖା କହିଲା,–‘‘କିଛି ନାଇଁ ।’’ ସେ ପୁଣି କବାଟ ପାଖରେ ଚାହିଁଲା । ଦେଖିଲା ଗୁନାଭାଇ ତା’ ଆଡ଼କୁ ଚାହିଁଛନ୍ତି ।

 

-‘‘ଛିଃ, ସେ ଦିନ ଗୁନାଭାଇ ଏତେ ଡାକିଲେ ଶୁଣିଲି ନି । କ’ଣ ଭାବିଥିବେ ।’’

 

ରେଖା କବାଟଟା ଆଉଜାଇ ଦେଲା ।

Image

 

ଇନ୍ଦ୍ରଧନୁ

 

ବାଗନ୍‌ଭିଲିଆ ଗଛର ଫାଳକରେ ଜହ୍ନ ପଡ଼ିଛି । ଆଉ ହେନାଟା–ଅଂଧାରରେ ଠିଆ ହୋଇଛି ନଙ୍ଗଳା ଭୂତ ଭଳି । ଲେଡ଼ି ହେମିଙ୍ଗ୍‌ ଟନ୍‌ ଗଛରେ କଢ଼ ଧରିଲାଣି । ଫୁଲ ଫୁଟିବ ଏଥର,–ସୁନାଫୁଲ-ହଳଦିଆ, ହଳଦିଆ । ଜହ୍ନ, କାକୁଡ଼ି ଫୁଲ ପରି । ବଗିଚା ଆରପାଖେ ଜହ୍ନି, କାକୁଡ଼ି ଗଛ ମାଡ଼ିଛି । କେତେ ଫୁଲ ଫୁଟିଛି ସେଥିରେ । ଅସୁମାରି ଫୁଲ-ସତେ ଯେମିତି ତାରା ଫୁଟିଛି ।

 

ଜହ୍ନି ଫୁଲ ଠୋ ଲୋ

କାକୁଡ଼ି ଫୁଲ ଠା

ଡୁଙ୍ଗେଇମୂଷା କହିଯାଇଛି

ଚାଉଳ ପୁଞ୍ଜିଏ ଥୋଇଥା’ ।

 

ରେଖା ମନେ ମନେ ଗୀତାଟା ଗାଇଲା । ଏଗାର ବରଷର ଝିଅ ରେଖା । ରାତିରେ ନିଦ ଭାଙ୍ଗି ଯିବା ପରେ ଖଟ ଉପରେ ଶୋଇ ଝରକା ବାଟେ ଚାହିଁ ରହିଥିଲା ଫୁଲ ବଗିଚା ଓ ବୁଡ଼ିଲା ଜହ୍ନ ଆଡ଼କୁ । ରାତି ପାହିଲେ କୁମାର ପୂର୍ଣ୍ଣିମା । ଆଖିରେ ଆଉ ନିଦ ନାହିଁ ।

 

ଜହ୍ନ ବୁଡ଼ିଆସିଲାଣି । ରାତି ପାହିବାକୁ ଘଡ଼ିଏ ସମୟ । ଟିକିଏ ପରେ ରତିଅପାକୁ ଉଠାଇବାକୁ ହେବ । ସୂର୍ଯ୍ୟ ଉଇଁବା ପୂର୍ବରୁ ଆଞ୍ଜୁଳିଟେକା ଯେପରି ସରିଯିବ । ନହେଲେ କୁଆଡ଼େ ବୁଢ଼ା ବର ମିଳିବ । ଆଞ୍ଜୁଳିଟେକା ଡେରିହେଲେ, କି କଷି କଷି ଜହ୍ନି, କାକୁଡ଼ିରେ ଆଞ୍ଜୁଳି ନ ଧରିଲେ ବୁଢ଼ା ବର ପରା ବାହାହେବ । ଗୋପିଆ-ମାଈଭାଲୁ ତ କହୁଥିଲା । ସତ କି ମିଛ କିଏ ଜାଣିଛି ? କାଲି ତ କହୁଥିଲା । ବେଳବୁଡ଼େ ସେଇ ଜହ୍ନି କାକୁଡ଼ି ତୋଳିଲାବେଳେ । କହିଲା,–ଜହ୍ନି ଓଷା ପାଳି, କଷି କଷି ଜହ୍ନି, କାକୁଡ଼ି ଆଞ୍ଜୁଳି ଧରି ତମ ରତିଅପା କିମିତି ପାଇଲେ ଟୋକାବର–ତମ ଗୀତ ସାର୍‌ଙ୍କୁ ।

 

ରତିଅପା କୁଆଡ଼େ ଲୁଚିକରି ଗୀତ ସାର୍‌ଙ୍କ ସାଙ୍ଗରେ କଲିକତା ପଳେଇ ଯିବାକୁ ବସିଥିଲା; ସୁବିଧା ହେଲା ନି । କ’ଣ ସତ ? କାହିଁକି ?

 

ସେଇଥିପାଇଁ ବୋଧହୁଏ ସେଦିନ ବାପା ବୋଉ ତାକୁ ରାଗ ହେଉଥିଲେ । ରତିଅପା କାନ୍ଦୁଥିଲା । ବୋଉକୁ ପଚାରିବାରୁ ବୋଉ ରାଗିକରି କହିଲା,–ତୁ କ’ଣ ପାଇବୁ ସେଥିରୁ ? ଯା’ । ସେଇ ଦିନଠୁ ତ ବୋଉ ତାକୁ ଆଉ ଗୀତ ସ୍କୁଲକୁ ଛାଡ଼ୁନି ।

 

ରତିଅପା କ’ଣ ଗୀତ ସାରଙ୍କୁ ବାହାହେବ ? ବାହାହେବ ଗୋଟାଏ କାହିଁକି ମ ? ବାଣୀ କହୁଥିଲା,–ବାହାହେଲେ କୁଆଡ଼େ ଭଲ । ଭାରି ମଜା । ବାଣୀ କିମିତି ଜାଣିଲା ? ରତିଅପା ସେଇଥିପାଇଁ ତେବେ......

 

ସେଥର ସେମିତି ଗୀତ ସ୍କୁଲରେ ଗୀତ ସାରେ ତାକୁ ଏକୁଟିଆରେ ଗେଲ କରୁଥିଲେ । ମତେ ଦେଖିବାରୁ ଉଠିଗଲେ । ଫେରିଲାବେଳକୁ ସେଦିନ ରତିଅପା କେତେ ଚକୋଲେଟ୍‌ ଖାଇବାକୁ ଦେଲା । କେତେ ପାଲେଇଲା ବୋଉକୁ ଏ କଥା ନ କହିବାକୁ–ବୋଉ ରାଗହେବ ବୋଲି । ଗୀତ ସାରେ ଯେତେ ଭଲ ଭଲ ଜିନିଷ ଆଣିବେ ସବୁ ଦେବେ ରତିଅପାକୁ । ସାରେ ଖାଲି ଏକୁଟିଆ ତାକୁ ଭଲ ପାଉଛନ୍ତି । ଏଇ କଥା କହିଲାରୁ, କହିଲେ–‘‘ତୁ କ’ଣ ରତି ପରି ହେଇଛୁ ?’’

 

ରତିଅପା କ’ଣ ମୋଠାରୁ ସୁନ୍ଦର ? ମୋଠୁଁ ଗୋରା ? ପେଚୀମୁହିଁ, ଠୁରୀବେଙ୍ଗ, ମୋଠୁଁ ପୁଣି ସୁନ୍ଦର ? ଭାରି କହିଲାବାଲା ! ଖାଲି ପାଉଡ଼ର, ସୁରମା, ଲିପଷ୍ଟିକ ଲଗାଇ ପକାଉଛି ବୋଲି......

 

ଏଇ ଫୁଲ ବଗିଚାରେ ବୁଲୁଥିବାବେଳେ ଗୋପିଆ କେମିତି ବେଳେବେଳେ କହେ,–‘‘ଦେଈ ! ତୁମେ ଯାହା ହେଇଚ ନାଁ...... । ରତି ଦେଈ କି ବାଣୀ ଦେଈ କେହି ତମ ପାସଙ୍ଗରେ ପଡ଼ିବେ ନାହିଁ ।’’

 

ସେଦିନ ପୁଣି କହୁଥିଲା,–ତମର ସମୟ ଆସିଗଲେ, କେତେ କିଏ ତୁମଲାଗି ପାଗଳ ହୋଇଯିବେ ।

 

ସମୟ ଆସିଗଲେ.......

 

ପାଗଳ ହୋଇଯିବେ ?

 

କାହିଁକି ? କାହିଁକି ?

 

ଯେତେବେଳେ ଯାହା କହିବ ପଚାରିଲେ ଖାଲି ବାଆଁରେଇବ । ଗୋପି-ଭୂତ-ମାଈଭାଲୁ । ବାଣୀ ତାକୁ ଠିକ୍‌ ଚିଡ଼ାଉଛି–

 

ମା-ଇ-ଗୁ-ଲି-ଆ ଗୋ-ପି-ଆ-ସା-ହୁ

 

ମା-ଇ-ପ-ହା-ତ-ରେ କ-ହୁ-ଣୀ-ଖା-ଉ

 

ମାଇ ଗୁଲିଆ ଗୋପିଆ ସାହୁ

 

ମାଇପ ହାତରେ କହୁଣୀ ଖାଉ ।

 

ଆରେ ! ଜହ୍ନ ତ କେତେବେଳୁ ବୁଡ଼ି ଗଲେଣି । ରାତି ପାହିଯିବ ଏଥର ।

 

ରେଖା ତା’ ବୋଉ ଓ ରତିଅପାକୁ ଉଠାଇଲା ଆଞ୍ଜୁଳି ଧରିବାକୁ ।

 

X X X ଖରା ଆସିଗଲାଣି । ଏଇନେ ଗଛ ଉପରେ ଖରା ଥିଲା । ଆର ସାଇ ଟୋକୀଏ ଏଥର ବୁଲିବାକୁ ଆସିଯିବେ । କେତେ ରଙ୍ଗରେ ଆସିବେ । ଫୁଲେଇ, ଡହରୀଗୁଡ଼ାକ, ମନେ ମନେ ସତେ ଯେମିତି ଭାରି ସୁନ୍ଦରୀ ।

 

ରେଖା ତା ଅପା ଘରେ ପଶି କବାଟ ବନ୍ଦ କରିଦେଲା । ଅପାର ପାଉଡ଼ର, କଜ୍ଜଳ ଓ ଲିପ୍‌ଷ୍ଟିକ୍‌ ଲଗାଇ ଚାହିଁଲା ଦର୍ପଣକୁ । ଦର୍ପଣରେ ନିଜ ପ୍ରତିଛବି ଦେଖି ସେ ବିସ୍ମିତ ହୋଇଗଲା ।

 

ସତେ ! କେଡ଼େ ସୁନ୍ଦର ଦେଖାଯାଉଛି !!

 

ରେଖା ତା ଆଖିରେ କଜ୍ଜଳଗାରକୁ କାନ ପର୍ଯ୍ୟନ୍ତ ଲମ୍ବାଇ ଦେଲା । ‘‘ଆଇବ୍ରୋ’’ ପେନ୍‌ସିଲରେ ଭ୍ରୂଲତାଟି ସଜାଇ ନେଇ ଝରକା ଆଡ଼କୁ ଚାହିଁଲା । କାନ୍ଥରେ ଝୁଲୁଥିବା ଶିବପାର୍ବତୀ ଚିତ୍ର ଉପରେ ତା’ର ନଜର ପଡ଼ିଲା । ମୁହଁ ଫେରାଇ ରେଖା ଦର୍ପଣରେ ନିଜ ମୁହଁ ଦେଖିଲା ।

 

ଆଖି ! –ଦିଶୁଛି ଶିବଙ୍କ ଭଳି-ନା, ପାର୍ବତୀଙ୍କ ଆଖି ଭଳି ! ଓଡ଼ିଶୀ ନାଚ ନାଚିବାବେଳେ ବାଣୀ କଣେଇ କଣେଇ ଚାହିଁଲେ ଯେମିତି ଦିଶେ ।

 

ଦର୍ପଣକୁ ଚାହିଁ ନିଜର ଡୋଳାଚାଳନ ଭଙ୍ଗୀ ଲକ୍ଷ୍ୟ କରି ରେଖା ହସି ପକାଇଲା ।

 

ହସିଲେ କେମିତି ସୁନ୍ଦର ଦିଶୁଛି ମୁହଁଟା ।

 

ଗୁନାଭାଇଙ୍କ ଭଳି ଟିକିଏ ଓଠ ଚାପି ଚାପି ହସିଲେ......

 

ରେଖା ଓଠ ଚାପି ଚାପି ହସିବାକୁ ଚେଷ୍ଟାକଲା ।

 

ଆଃ...

 

ରେଖା ମୁଗ୍‌ଧ ଚକିତ ହୋଇ ଚାହିଁ ରହିଲା ଦର୍ପଣକୁ । କିଛି ସମୟ ପରେ ତାକୁ ଯେପରି ଜଣାଗଲା, ଦେହଟା ତା’ର ଯେମିତି ଝିମି ଝିମି ଲାଗୁଛି । ଦର୍ପଣଟାକୁ ସେ ଗାଲ ଉପରେ ଚିପି ଧରିଲା । ଆଖି ଦୁଇଟା ତା’ର ବନ୍ଦ ବନ୍ଦ ହୋଇ ଆସିଲା ।

 

ଦୁଆରେ କରାଘାତର ଶବ୍ଦ । ରେଖା ଚମକି ପଡ଼ିଲା–(ନିଦରୁ ଉଠିଲାଭଳି) ।

 

କିଏ ? ଗୋପିଆ ! ବାଣୀ ଆସିଛି କି ରେ ?

 

ଆସି ନି ! ବୋଉ ଖୋଜିଲେ କହିବୁ–ମୁଁ ବାଣୀ ଘରକୁ ଯାଇଛି ।

 

ରେଖା ସଡ଼କ ଉପରକୁ ଉଠିଲା ।

 

ସକାଳ ଖରାରେ କେଡ଼େ ସୁନ୍ଦର ଦିଶୁଛି ଏ ଗଛଗୁଡ଼ାକ–ନିମ, ପାଇକେରା ଓ ଦେବଦାରୁ । ସଡ଼କ ଧାରେ ଧାରେ ଧାଡ଼ି ଧାଡ଼ି ହୋଇ ଲାଗିଛି । ତା’ ତଳକୁ ବାଁ ପାଖେ କେନାଲଟା । କେତେ ପାଣି ! ମାଇପିଗୁଡ଼ାକ ଗାଧୋଉଛନ୍ତି । ଓଦା ଲୁଗା ଚପି ଯାଇଛି ଛାତିରେ । ଛାତିଟା ଜଣାପଡ଼ି ଯାଉଛି, ଛିଃ ! କେମିତି ଲାଜ ଲାଗୁ ନି ! ଅଣ୍ତିରାଗୁଡ଼ାକ ସେଇଠି ଗାଧୋଉଛନ୍ତି, ତାଙ୍କ ଆଡ଼କୁ ଚାହୁଁଛନ୍ତି । ଛିଃ, ଛିଃ !

 

ରେଖା ଛାତି ଉପରର ଦୋପଟାଟା ସଜାଡ଼ି ନେଲା ।

 

ନାଲିଆ ସିଲ୍‌କ ପଞ୍ଜାବୀ ସାଙ୍ଗକୁ ଧଳା ନାଇଲନ୍‍ ଦୋପଟା, ଧଳା ସେଲୁଆର ବେଶ୍‌ ମାନୁଛି ତ !

 

ରେଖା ପଞ୍ଜାବୀଟାକୁ ଟିକିଏ ତଳକୁ ଟାଣିଦେଲା ।

 

ହେଇଟି, ସଡ଼କ ଉପରେ ଦୁଇଟି ହଂସ ଯାଉଛନ୍ତି । କେନାଲ କୂଳକୁ ଯାଉଛନ୍ତି ବୋଧହୁଏ । ତାଙ୍କର କମଳା ରଙ୍ଗର ପାଦ–ମଞ୍ଜୁଆତିରେ ପଚାଇଲା ଭଳି । ମୋଟା ମୋଟା ଦେହ-! ଧୀର ଧୀର ଚାଲି କେଡ଼େ ସୁନ୍ଦର !

 

ରେଖାର ଚାଲି ବଦଳିଗଲା । ତାକୁ ଜଣାଗଲା, ସତେ ଯେମିତି ସେ ହଂସପରି ଚାଲୁଛି-। ରେଖା ହଂସ ଦୁଇଟିର ଗତି ଲକ୍ଷ୍ୟ କଲା ।

 

ଦୁଇଟି ହଂସ । ସ୍ୱାମୀ ଓ ସ୍ତ୍ରୀ, ଦି’ ପ୍ରାଣୀ–ବାବା ବୋଉ । ବାପା ସ୍ୱାମୀ ଆଉ ବୋଉ ସ୍ତ୍ରୀ-। ସେଦିନ ଜଣେ ଭଦ୍ରଲୋକଙ୍କୁ ବାପା ଦାଣ୍ତଘରେ କହୁଥିଲେ,–‘‘ଆମେ ସ୍ୱାମୀ ସ୍ତ୍ରୀ-ଦି’ ପ୍ରାଣୀ-।’’ କହିଲାବେଳେ ନିଜ ଆଡ଼େ ଓ ବୋଉ ଆଡ଼େ ଆଙ୍ଗୁଠି ଦେଖାଇଲେ, ବୋଉ ଚିଡ଼ିଲା । ବୋଉ ବାହା ହୋଇଛି ବାପାଙ୍କୁ ।

 

ଗୋପିଆ କହୁଥିଲା–ବାପା ପ୍ରଫେସର ଥିଲାବେଳେ ବୋଉ ତାଙ୍କ’ ପାଖରେ ପଢ଼ୁଥିଲା-। ସେତେବେଳେ ବୋଉ ସୁନ୍ଦର ଦିଶୁଥିଲା ବୋଲି ବାପା ତାକୁ ବାହାହେଲେ । ବୋଉ କୁଆଡ଼େ ଆମ ଜାତି ନୁହେଁ । ବ୍ରାହ୍ମଣ !

 

ବାପା ବୋଉ ତେବେ ଅପାକୁ କାହିଁକି ସେଦିନ ରାଗ ହେଉଥିଲେ ? ମିଛ କଥା ! ଗୋପିଆ-ମାଈଭାଲୁ, ଯେତେ ସବୁ ବାଜେ କଥା କହିବ । ଅପା ପୁଣି ଗୀତ ସାର୍‌ଙ୍କୁ ବାହାହେବ, ମିଛୁଆ । ଗୀତ ସା’ରେ-ଓଃ ! ଯେଉଁ ମଣିଷ ତ, କହିଲେ–ତୁ କ’ଣ ରତି ଭଳି ହେଇଛୁ ?

 

ରେଖା ଆଗକୁ ଆଗକୁ ପାଦ ବଢ଼ାଇଲା । ଗଲାବେଳେ ଭାବୁଥିଲା ଯିବା ଆସିବା କରୁଥିବା ଲୋକେ ତାକୁ ଆଜି ପ୍ରଶଂସାକଲା ଆଖିରେ ଚାହିଁବେ । କିନ୍ତୁ ତାକୁ କେହି ଚାହିଁଥିବାର ଲକ୍ଷ୍ୟ କରି ପାରିଲା ନି । ମନରେ ତା’ର ଆଘାତ ଲାଗିଲା ।

 

ରତିଅପା ସ୍କୁଲକୁ ଗଲାବେଳେ ଲୋକଗୁଡ଼ାକ ତାକୁ ଚାହୁଁଥିବେ,–ଯେମିତି ତାକୁ ଖାଇଯିବେ । କାହିଁକି ଏମିତି ଚାହାନ୍ତି ? ଓଃ, ରତିଅପାଟା ଯେଉଁ ସୁନ୍ଦରୀ ତ !

 

ମୁଁ କ’ଣ ଭଲ ଦେଖାଯାଉ ନି ?

 

ଆରେ, ଗୁନା ଭାଇଙ୍କ ଘର ଆସି ଗଲାଣି । ଆରବର୍ଷ ଆମ ଘର ପାଖ ମେସ୍‌ରେ ଥିଲେ, କଲେଜରେ ପଢ଼ୁଥିଲେ । ଏବେ ଆମ ସ୍କୁଲରେ ମାଷ୍ଟ୍ର ହୋଇ ନୂଆ ବସା ନେଲେଣି । ଭଲ ହେଲା । ରତିଅପା କହୁଥିଲା,–ଗୁନାଭାଇ କୁଆଡ଼େ ପ୍ରଫେସର ହେବେ । ଗୁନାଭାଇ କ’ଣ ? ଗୁନା ସାର୍‌ । ନାଇଁ ନାଇଁ, ଗୁନାଭାଇ ।

 

ଗୁନାଭାଇ ବାହାରେ ବସିଛନ୍ତି । ପାଖରେ କିଏ ଜଣେ ବୁଢ଼ୀ । ତାଙ୍କ ବୋଉ ? ଗୁନାଭାଇ ଏଇନେ ଚାହିଁବେ ?

 

ରେଖା ସଡ଼କ ଧାରେ ଧାରେ ଚାଲିଲା । ପଞ୍ଜାବିଟାକୁ ସେ ଦୁଇ ଥର ତଳକୁ ଟାଣି ଦେଲା । ତା’ପରେ ଛାତି ଉପରର ଦୋପଟାଟିକୁ ସଜାଡ଼ିନେଇ କାନ୍ଧ କୁଣ୍ତାଇବା ଛଳନାରେ ହାତଟା ଆଣି ଛାତି ଆଗକୁ ରଖିଲା, ତା’ର ଚାଲି ବଦଳିଗଲା । ତଳକୁ ମୁହଁ କରି ଚାଲୁ ଚାଲୁ ତୀର୍ଯ୍ୟକଭାବେ ସେ ଚାହିଁଦେଲା ଗୁନାଭାଇଙ୍କ ଆଡ଼କୁ ।

 

ଆଉ କେତେ ପାଦ ଗଲେ ଗୁନାଭାଇଙ୍କ ଘର ପଛରେ ରହିଯିବ ।

 

ହେଇଟି ଗୁନାଭାଇ ଡାକିଲେଣି ।

 

ଏ ଆଡ଼କୁ ଚାହିଁ ମା-ପୁଅ ଧୀରେ ଧୀରେ କଥାବାର୍ତ୍ତା ହେଉଛନ୍ତି-

 

‘‘-ଗୁନା : ସେ କିଏ ?’’

 

-‘‘ଆମ ସ୍କୁଲରେ ପଢ଼େ ।’’

 

-‘‘କେଡ଼େ ସୁନ୍ଦର ଝିଅଟିଏ ମ ! ଏମିତି ଝିଅଟିଏ ହେଲେ ବୋହୂ ହୁଅନ୍ତା ।’’

 

ରେଖା ସବୁ ଶୁଣିପାରିଲା, ସେଇକଥା ଭାବୁ ଭାବୁ ସେ ସଡ଼କ ଉପରୁ ତଳକୁ ଆସିଲା । ମତେ ବୋହୂ କରିବାର ଇଚ୍ଛା ! କାହିଁକି ?

 

ସୁନ୍ଦର ଦେଖାଯାଉଛି ବୋଲି ?

 

ତାଙ୍କ ବୋଉ ପଚାରୁଛନ୍ତି–ନାଁ କ’ଣ ?

 

ନାଁ ଟା କାହିଁକି ପଚାରୁଛନ୍ତି ? କି ଜାତି ଜାଣିବାକୁ ?

 

ଗୁନାବୋଉ ପୁଣି ନାଁ ପଚାରିଲେ

 

-କୁମାରୀ ରେଖା ପଟ୍ଟନାୟକ ! ରେଖା ଲାଜରେ ନାଁଟା ଆସ୍ତେ ଆସ୍ତେ କହିଲା ।

 

ଗୁନାବୋଉ ତାକୁ ଭିତରକୁ ନେଇଗଲେ ।

 

ଗୁନାଭାଇଙ୍କ ଶୋଇବାଘର । ଘରଟି କେମିତି ସଜା ହୋଇଛି । କାନ୍ଥରେ କେତେ ଛବି-! ଗୁନାଭାଇ ଏବେ ଏଗୁଡ଼ାକ ଆଙ୍କିଛନ୍ତି । ଆଗରୁ ତ ନ ଥିଲା ? ମତେ ହେଲେ ଏମିତି ଆସୁଥାଆନ୍ତା ?

 

କାନ୍ଥରେ ଥିବା ଦର୍ପଣରେ ତାର ନଜର ପଡ଼ିଲା । ରେଖା ଦେଖିଲା ପାଖରେ କେହି ନାହାନ୍ତି । ଦର୍ପଣ ସାମନାରେ ମୁହଁ ଉପରକୁ ଖସିଆସିଥିବା ବାଳକୁ ସଜାଡ଼ିନେଇ ଦୋପଟା କାନିରେ କପାଳରେ ଝାଳବିନ୍ଦୁଗୁଡ଼ିକ ସେ ଆସ୍ତେ ଆସ୍ତେ ଛପାଇନେଲା ।

 

ଛି ! ଗୁନାଭାଇ କେତେବେଳୁ ଆସି ଠିଆ ହୋଇଛନ୍ତି । ଦର୍ପଣରେ ମୁହଁ ଦେଖିଥିଲି–କ’ଣ ଭାବିଥିବେ ? ଛିଃ !

 

ହେଇଟି କେମିତି କହିଲେଣି-ରେଖା ! ତୁ ଆଜି ସତେ କ’ଣ ଦେଖାଯାଉଛୁ ?

 

ରେଖାର ମୁହଁ ଲାଜରେ ଲାଲ ପଡ଼ିଗଲା ।

 

ଗୁନାଭାଇ କେବେ ତ ଏମିତି କହନ୍ତି ନି !

 

ମୁଁ ସୁନ୍ଦର ଦେଖାଯାଉଛି, ନା ? ସେଇଥିପାଇଁ ଗୁନାଭାଇ କହିଲେ ? ରତିଅପା ଥରେ କହୁଥିଲା,–ସୁନ୍ଦର ଜିନିଷସବୁ ଆଗେ ଚିତ୍ରକରଙ୍କ ଆଖିରେ ପଡ଼େ ।

 

-ରେଖା ଗୁନାଭାଇଙ୍କ ଆଡ଼କୁ ଚାହିଁ ଆଖି ଫେରାଇଲା । ରେଖାକୁ ଖଟ ଉପରେ ବସିବାକୁ ନିର୍ଦ୍ଦେଶ ଦେଇ ସେ ତା’ ହାତକୁ ରଙ୍ଗୀନ ଛବିଟିଏ ବଢ଼ାଇଦେଲେ । ଛବିଟି ନେଉ ନେଉ ସେ ଭାବିଲା,-

 

ଗୋଟିଏ ବୋହୂର ଛବି !

 

କିଏ ସେ ? ଗୁନାଭାଇଙ୍କ ସ୍ତ୍ରୀ ?

 

ଗୁନାଭାଇ ପରା ବାହା ହୋଇ ନାହାନ୍ତି !

 

ରେଖା ଭଲକରି ଛବିଟା ଦେଖି ଲଜ୍ଜିତା ଓ ବିସ୍ମିତା ହେଲା ।

 

ଛିଃ ! କ’ଣ ଏମିତି ଭାବୁଛି ? ଏଇଟା ତ ମୋରି ଛବି । ଗୁନାଭାଇ କେମିତି ଏ ଛବି ଆଙ୍କିଲେ ? ଅଗଷ୍ଟ ପନ୍ଦର ଦିନ ‘ଜନ ଗଣ ମନ’ ଗାଇଲାବେଳେ ସେ ଯେଉଁ ଫଟୋ ଉଠାଇଥିଲେ, ତାକୁ ଦେଖି କରିଛନ୍ତି ? ଛବିରେ ମୋ ମୁଣ୍ତରେ ଓଢ଼ଣା ଦେଇଛନ୍ତି କାହିଁକି ?

 

ଏ ଛବିଟା ପ୍ରଦର୍ଶନୀରେ ଫାଷ୍ଟ ପ୍ରାଇଜ ପାଇଛି ବୋଲି କ’ଣ କହୁଛନ୍ତି !

 

ଗୁନାଭାଇ ରେଖାର ଦୋପଟାଟି ତା ମୁଣ୍ତ ଉପରକୁ ଓଢ଼ଣାଭଳି ଟାଣିଦେଇ ବାହାରକୁ ଚାଲିଗଲେ । ରେଖା କିଛି ବୁଝି ନ ପାରି ବାହାରକୁ ଚାହିଁ ଦୃଷ୍ଟି ଫେରାଇଲା । ତା’ର ନଜର ପଡ଼ିଲା ସାମନାରେ ଥିବା ଦର୍ପଣଟା ଉପରେ ।

 

କେଡ଼େ ସୁନ୍ଦର ଦେଖାଯାଉଛି ସତେ !!

 

ଆଖିରେ କଜଳଗାରର ଲାଞ୍ଜ ଯେମିତି ଅଛି ଛବିରେ ବି ସେମିତି । ସେଇଭଳି ଭ୍ରୂଲତା ଆଉ ନାଲି ଓଠ-ଛବିରେ । ଆଗରୁ ତ କେବେ ‘ଆଇବ୍ରୋ’ କି ଲିପଷ୍ଟିକ କି ସୁରମା (ଅଞ୍ଜନ) ଏମିତି ଲଗାଇନି । ଗୁନାଭାଇ କେମିତି ଛବିରେ ଏସବୁ କରିଛନ୍ତି ?

 

ରେଖା ଦର୍ପଣରେ ନିଜର ପ୍ରତିବିମ୍ବକୁ ଓ ସେ ରଙ୍ଗୀନ ଛବିକୁ ବାରମ୍ବାର ଲକ୍ଷ୍ୟ କରୁଥିଲା । ତା’ର ହଠାତ୍‌ କାଇଁକି କେମିତି ଧାରଣା ହୋଇଗଲା ଯେ ସେ ତା’ ରତି ଅପାଭଳି ଏକ ଯୁବତୀ । ରେଖା ତା’ ମୁଣ୍ତରୁ ଦୋପଟାଟି ଖସାଇନେବାକୁ ଭୁଲିଗଲା ।

 

ହେଇଟି ଗୁନାଭାଇ ଆସି ବସିଲେଣି ଡାହାଣପାଖେ । ରେଖାର ଡାହାଣ ବାହୁ ଆପେ ଆପେ ସଙ୍କୁଚିତ ହୋଇଗଲା ।

 

ଗୁନାଭାଇ କେତେ ପାଖରେ ବସିଛନ୍ତି । ଦେହକୁ ଦେହ ଲାଗିଯାଉଛି । ଗୀତ ସ୍କୁଲରେ ସେଦିନ ରତିଅପା ଓ ଗୀତ ସା’ରେ ଏକୁଟିଆ ଏମିତି ବସିଥିଲେ ତ !

 

ରେଖାର ଦେହରେ ରୋମାଞ୍ଚ । ତାକୁ ଶୀତ ଜଣାଗଲା ।

 

କ’ଣ ଶୀତ ହେଲାଣି ! ବାହାରେ ଖରା ପଡ଼ିଛି । ଦେହ ତ ଥରିବାକୁ ବସିଲାଣି ! ଗୁନାଭାଇ ଜାଣିଲେ ହସିବେ ।

 

ରେଖା ଦାନ୍ତ ଚାପି ଦେହର ଶୀତ ବନ୍ଦ କରିବାକୁ ଚେଷ୍ଟାକଲା । ତା’ର ଆଖିପତା ବନ୍ଦ ବନ୍ଦ ହୋଇଯାଉଥିଲା,–ନୂଆ କରି ଉଡ଼ିବାକୁ ଉଦ୍ୟମ କରୁଥିବା ପାରାଛୁଆର ଡେଣା ଭଳି । ତାକୁ ଜଣାଗଲା, ଆଖିଦୁଇଟା ଯେପରି ଭିତରକୁ ଟାଣି ହୋଇଯାଉଛି । ରେଖା ଆଉ କିଛି ଭାବି ପାରୁ ନ ଥିଲା । ତା’ ହାତରୁ ଛବିଟା ତଳେ ଖସି ପଡ଼ିଲା । ଚମକିଲା ଭଳି ଉଠିପଡ଼ି ଛବିଟା ରଖିଦେଇ ସେ ଚାଲିଗଲା । ଗୁନାବୋଉ ଡାକିବାରୁ ପରେ ଆସିବ ବୋଲି କହି ପଳାଇଲା । ତାକୁ ଜଣାଗଲା ତା’ ପଛେ ପଛେ ଗୁନାଭାଇ ଦାଣ୍ତ ଆଡ଼କୁ ଆସୁଛନ୍ତି । ବାଣୀ ପାଖକୁ ନଯାଇ ସେ ଏକମୁହାଁ ହୋଇ ଘର ଆଡ଼କୁ ଚାଲିଲା ।

 

ଆଗରେ ଆନିକଟ । ନଦୀପାଣି ଜୋରରେ ପଡ଼ିବା ଫଳରେ ଯେଉଁ ଜଳକଣା ଉଠୁଥିଲା, ସେଥିରେ ଖରାପଡ଼ି ଇନ୍ଦ୍ରଧନୁ ରଙ୍ଗ ଦେଖାଯାଉଥିଲା । ସେଠାରେ ଆକାଶ ନାହିଁ । ଅଥଚ ଇନ୍ଦ୍ରଧନୁ ପଡ଼ିଛି । ରେଖା ସେ ଇନ୍ଦ୍ରଧନୁକୁ ଚାହିଁଲା । ସେଇ ରଙ୍ଗସବୁ ଗଣିବାକୁ ଭାବୁ ଭାବୁ ପଛକୁ ଚାହିଁଲା ।

 

ଗୁନାଭାଇ ଦୁଆରେ ଠିଆ ହୋଇଛନ୍ତି ଏତେ ବେଳଯାଏଁ ? ପାତଳିଆ ଲୋକ । ସାବନା ଦେହ । ନାକ ତଳେ ସରୁ ଲମ୍ବା ନିଶ । ସ୍କୁଲରେ ଦେଖିଲେ ଭୟ ଲାଗେ । ଆଉ ବାହାରେ–ଓଠ ଚିପି ଚିପି ହସିବେ, ହସାଇବେ । ଭାରି ଶାନ୍ତ ମଣିଷ । ଗପ ଲେଖନ୍ତି, କବିତା ଲେଖନ୍ତି, ଚିତ୍ର କରନ୍ତି ।

 

ଦୁଇ ଆଡ଼ୁ ଦୁଇଟା ଟ୍ରକ ଆସି ଅତିକ୍ରମ କରିଗଲା । ରେଖାର ଭାବନାରେ ଖିଅସବୁ ଛିଡ଼ିଗଲା ।

 

କ’ଣ ଗୋଟାଏ ଭଲ କଥା ଭାବୁଥିଲି ମ ? ମନେ ପଡ଼ୁନି । ଯାଃ-

 

ରେଖାର ଆଉ କିଛି ମନେ ପଡ଼ିଲା ନାହିଁ । ତା’ ମନଟା କେମିତି ଫାଙ୍କା ଫାଙ୍କା ଜଣାଗଲା ।

Image

 

Unknown

ପ୍ରଜାପତିର ଜନ୍ମ

 

ସକାଳର ନରମ ଖରାରେ ଛୋଟ ପ୍ରଜାପତିଟିଏ ଡେଣା ସେକୁଥିଲା । ତା’ର ହଳଦିଆ ଡେଣା ଦୁଇଟି ଖରାରେ ଧପ୍‌ଧପ୍‌ ହେଉଥିଲା । ବୋଧହୁଏ ଏବେ ଖୋସା ଭିତରୁ ଜନ୍ମ ହୋଇଛି ଡେଣା ଟାଣ ହୋଇଗଲେ ଉଡ଼ିଯିବ ଫୁଲରୁ ଫୁଲକୁ । ଆଉ ଏକ ପ୍ରଜାପତି ଅନ୍ୟ ଏକ ଖୋସା ଭିତରୁ ଜନ୍ମ ହେବାକୁ ଯାଉଛି । ଖୋସା ଭିତରୁ ଦେଖାଯାଉଛି କେବଳ ତା’ର ମୁହଁଟି । ଖୋସା ଭିତରୁ ସେ ଦେଖୁଥିବ ତ ଏଇ ବିଚିତ୍ର ପୃଥିବୀକୁ ?

 

ନୂଆ ବରଷର ପହିଲି ସକାଳର ଖରା । କଞ୍ଚନ ଫୁଲିଆ ଖରା । ତେଜ ବଢ଼ୁଛି । ଉଷୁମ ଲାଗୁଛି ଦେହକୁ ।

 

ସ୍ନେକ୍‌ ଡ୍ରାଗନ୍‌ ଉପରେ ପାଚିଲା ଏଣ୍ତୁଅ ଖରା ପୁଆଁଉଚି ।

 

ତା’ ମୁଣ୍ତ ଉପରେ ଚୂଳ । କାନମୂଳଟା କେଡ଼େ ନାଲି ।

 

ଏଇଟା କୁଆଡ଼େ ଅଣ୍ତିରା ଏଣ୍ତୁଅ । ଏଣ୍ତୁଅଙ୍କ ଭିତରେ ପୁଣି ଅଣ୍ତିରା ମାଇ ଅଛନ୍ତି !

 

ସେଦିନ ବାଣୀ ଘର ବାରିପଟେ ଶିମ୍ବଲଟା ଉପରେ ଏମିତି ପାଚିଲା ଏଣ୍ତୁଅଟାଏ ଛୋଟ ମାଟିଆ ଏଣ୍ତୁଅଟାକୁ ମାଡ଼ିବସି କାମୁଡ଼ି ଧରିଥିଲା ଖରାବେଳଟାରେ, ବାଣୀ ଟାଣି ଟାଣି ନେଇ ସେଇଆ ଦେଖାଇଲା । କେତେ ଅସନା କଥା କହିଲା । ଛିଃ, ବାଣୀଟା କେତେ ଛତରୀ ମ !

 

ଇ ମାଁ... ! ଏଣ୍ତୁଅଟା କେମିତି ମତେ ଚାହିଁ ମୁଣ୍ତ ନାଡ଼ି ଡାକୁଚି ! ଯଦି ଧାଇଁଆସି କାମୁଡ଼ି ଦେବନା, ନୂଆ ବରଷର ମଉଜଟା ପାଣି ଫାଟିଯିବ ।

 

ଏଥର ‘ନିଉ ଇଅରସ୍‌ ଡେ’ ରବିବାରଟାରେ ପଡ଼ି ମାଟି ହୋଇଗଲା । ଆଜି ଭଳି ଦିନରେ ଗ୍ରିଟିଙ୍ଗସ୍‌ ଦେଇ ହେବନି କି ପାଇ ହେବନି । ଡାକଘର ବନ୍ଦ । ହେବ ତ ଆଗରୁ, ନ ହେଲେ ପରେ ।

 

ସକାଳୁ ମୀନା, ‘ହାପି ନିଉ ଇଅର’ ଜଣାଇବାକୁ ଆସିଥିଲେ । ଆମ କ୍ଳାସର ପ୍ରାୟ ଅଧିକାଂଶ ଝିଅଙ୍କ ଘରକୁ ଯିବେ ଏଇ ‘ହାପି ନିଉ ଇଅର’ ଜଣାଇବାକୁ । ଦି’ଟା ଯାକ ଭାରି ଡହରୀ-। ମୀନାଟା ତ ବେଶୀ । ନିଜେ ତ ସେଇଆ, ଅନ୍ୟକୁ ବା କେମିତି ନ କହିବ ? ସକାଳୁ ଆସି ନୂଆବୋଉଙ୍କୁ ଖୋଜିଲା । ସିନେମା ଯାଇଛନ୍ତି ଶୁଣି କହିଲା–‘ମଣିଂ ସୋ ? ପୁଣି କହିଲା–‘‘ତମ ନୂଆବୋଉ ଭୁବନେଶ୍ୱରରେ ବି. ଜେ. ବି. ରେ ପଢ଼ୁଥିଲାବେଳେ ଏତେ ଫରଓ୍ୱାର୍ଡ଼ ଥିଲେ ଯେ ପ୍ରତିବର୍ଷ, ନୂଆବର୍ଷ ପ୍ରଥମ ଦିନରେ ପୁଅଙ୍କ ସାଙ୍ଗରେ ଖଣ୍ତଗିରି, ଉଦୟଗିରିକୁ ଯାଆନ୍ତି ‘ହିଲ ଡେ’ କରି ।’’ ତା’ର କୋଉ ଦାଦିପୁଅ ଭାଇ ଭୁବନେଶ୍ୱରରେ ପଢ଼ୁଚି ଯେ ସେଇ କୁଆଡ଼େ ପରା କହୁଥିଲା-

 

ପୁଅ ଗୁଡ଼ାକ ଭାରି ମିଛୁଆ । ବାହା ପିଆ । ବଜାରୀ । ସକାଳୁ ସେମିତି ନୂଆବୋଉଙ୍କ ଭାଇଟା ଆସି ‘ହାପି ନିଉ ଇଅର’ ଜଣାଇ ସେକ୍‌ହାଣ୍ତ କଲାବେଳେ ତା’ ବିଶି ଆଙ୍ଗୁଠିରେ ମୋ ପାପୁଲିଟାକୁ କ’ଣ ପାଇ କେଜାଣି ସଲ୍‌ ସଲ୍‌ କରି ଦେଲା । ତା’ପରେ କେମିତି ଚୋରଙ୍କ ଭଳି ହେଇ ଗାଲକୁ ଆସ୍ତେକରି ଚାପଡ଼ାଟି ମାରିଦେଇ ପଳାଇଲା । ନାବନ ମାଆ ସେ ପାଖ ବାରଣ୍ତାରେ ବାସନ ମାଜୁଥିଲା । କଟମଟ କରି ଚାହିଁଲା–ବୋଉ ଭଳି ।

 

ବୋଉ ଥିଲେ ଓଲଟି ମତେ ଗାଳି ଦେଇଥା’ନ୍ତା । ବୋଉ ଦୋଷ, ଅଦୋଷ କିଛି ବୁଝିବନି । ଖାଲି ଗାଳି ଦବ । ସେଦିନ କାବୁଲୁନା ଗେଲରେ ଗାଲକୁ ଚାପଡ଼ାଟେ ମାରି ଦେଲେ ବୋଲି ବୋଉ ତାଙ୍କ ଉପରେ ଚିଡ଼ିଲା । କହିଲା,–‘‘କାବୁଲୁ ! ତୁ ତାକୁ ମାଇଲେ ପିଠିକି ମାରିବୁ ।’’

 

କାବୁଲୁନାଙ୍କୁ ତ ବୋଉ ଚିଡ଼ିଲା । ଆଉ ଏ ଟୋକା ଗାଲରେ ଚାପଡ଼ା ଲଗେଇ ପଳେଇବ । ନୂଆବୋଉ କାବୁଲୁନାଙ୍କ ସାଙ୍ଗରେ ମଣିଂ ସୋ ଦେଖି ଚାଲିଯାଇଛନ୍ତି । ନ ହେଲେ ଫାଜିଲର ମଜା ଛଡ଼େଇ ଦେଇଥା’ନ୍ତି ଯେ, କାଇଁ କି ସେ ମୋ ଗାଲରେ ହାତ ଲଗେଇବ ନା ?

 

ବାରବର୍ଷର ଝିଅ ରେଖା । ଅଗଣାର କୂଅ ଚଉତରା ଉପରେ ବସି ଫିଲ୍ମଫେୟାର ଚିରି ନୂଆ ବହିରେ ମଲାଟ ମଡ଼ାଉ ଥିଲା । ମଲାଟ ଉପରେ ଗୋଲ ଗୋଲ ଅକ୍ଷରରେ ନେଳି ସ୍ୟାହିରେ ନିଜର ନାଁ ଲେଖିଲା–କୁମାରୀ ରେଖା ପଟ୍ଟନାୟକ । ତା’ପରେ ସେ ବହିର ପୃଷ୍ଟା ଖୋଲି ନାକ ପାଖରେ ଲଗାଇଲା । କାରଣ ନୂଆ ବହିର ଗନ୍ଧ ତାକୁ ଭଲ ଲାଗେ ।

 

ନୂଆ ବହିର ଗନ୍ଧ ଶୁଙ୍ଘିଲେ ନୂଆବୋଉ ହସନ୍ତି । ଭାରି ହସକୁରୀ । ବାହାଘର ମାସେ ପୂରିନି, କେଡ଼େ ପାଟିରେ ହସୁଛନ୍ତି । ସେ ଯେମିତି ଲୋକ ନା-ସିନେମା ହଲ୍‌ ଭିତରେ ବି ପାଟି କରି ହସି ପକାଇବେ ।

 

ସିନେମା ଦେଖି ଗଲାବେଳକୁ ନୂଆବୋଉ ମୁରୁକି ହସି କହିଲେ,–‘‘ରେଖା ! ତୁମକୁ ସାଙ୍ଗରେ ନେଇ ଥାଆନ୍ତି ଯେ, ଏଇଟା ଫର୍‌ ଆଡ଼ଲ୍‌ଟସ ଓନଲି ।’’ ଆମର ସେମିତି ଅସନା ଛବି ଦେଖିବା ଆଦୌ ଦରକାର ନାଇଁ ।

 

ବାଣୀ କହୁଥିଲା–ସିନେମା ଚାଲିଥିଲାବେଳେ ଏମିତି ଅସନା କଥା ପଡ଼ିଲେ ଖେଚଡ଼ ଟୋକାଗୁଡ଼ାକ ସିନେମା ପର୍ଦ୍ଦା ଉପରକୁ ଟର୍ଚ୍ଚ ପକାଇବେ । ପାଟିରେ ଆଙ୍ଗୁଠି ପୂରାଇ ହୁଇସିଲ–ମାରିବେ । ଆଗ ଧାଡ଼ିର ପୁଅଗୁଡ଼ାକ ପଛକୁ, କଡ଼ପଟକୁ ମୁହଁ ବୁଲାଇ ଝିଅଙ୍କ ମୁହଁଙ୍କୁ ଅନାଇବେ ଝିଅଙ୍କୁ କେମିତି ଲାଗୁଛି ଜାଣିବାକୁ । ଏମିତି ଅବସ୍ଥାରେ ନୂଆବୋଉ କେମିତି କାବୁଲୁନାଙ୍କ ପାଖରେ ବସି ଏ ଅସନା ଛବିଟା ଦେଖିବେ ? ଲାଜ ଲାଗିବ ନି ? କାବୁଲୁନାଙ୍କ ପାଖରେ ନୂଆବୋଉଙ୍କର କିଛି ଲାଜ ସରମ ନାଇଁ । କେମିତି କେଜାଣି ?

 

ତାଙ୍କ ଶୋଇଲା ଘରେ ପ୍ଲାଷ୍ଟର୍‌ର ଯେଉଁ ଲଙ୍ଗଳା ବଡ଼ ମାଇପି ମୂର୍ତ୍ତିଟା ଅଛି, ତା’ରି ପାଖରେ ଠିଆ ହୋଇ ସେଦିନ ଦୁହେଁ କ’ଣ କଥାବାର୍ତ୍ତା ହେଉଥିଲେ । କାବୁଲୁନା ସେଇଟା ନୂଆବୋଉଙ୍କୁ ଦେଖାଉ ଥାଆନ୍ତି, କ’ଣ କହୁଥା’ନ୍ତି, ଆଉ ନୂଆବୋଉ ହସୁଥାନ୍ତି । ଛିଃ, ଏଡ଼ିକି ଅସନା ମୂର୍ତ୍ତି ! ନୂଆ ବୋଉଟା ଏଡ଼ିକି ଅଲାଜୁକୀ ? ସେଇଠି ସେମିତି ଠିଆ ହେଇ କାବୁଲୁନାଙ୍କ ମୁହଁକୁ ଚାହିଁ ହସୁଥାନ୍ତି । କାବୁଲୁନା ଏମିତି ଅସନା ମୂର୍ତ୍ତିଟେ ଘରକୁ କେମିତି ଆଣିଲେ ? ସେଇଥିପାଇଁ ତାଙ୍କ ଶୋଇଲା ଘରକୁ ଯିବାକୁ ଖରାପ ଲାଗେ । ସହଜେ ତ ନୂଆବୋଉ ଓ କାବୁଲୁନା ସେ ଘରେ ଥିଲାବେଳେ ବୋଉ ନାହିଁ କରେ ସେ ଘରକୁ ଯିବାକୁ । କହେ-ବାହାରେ ଠିଆ ହେଇ ନୂଆ ବୋଉକୁ ଡାକିବୁ, ପଶିଯିବୁ ନାହିଁ । କାହିଁକି ? ପଶିଗଲେ କ’ଣ ହବ ? ସବୁ କଥାରେ ବୋଉର କଟକଣା । ସବୁ କଥାରେ ଖାଲି ଆକଟ । ସଦାବେଳେ କାବୁଲୁନା କ’ଣ ସେଇ ମୂର୍ତ୍ତିଟା ନୂଆବୋଉଙ୍କୁ ଦେଖାଉଥିବେ ଯେ-

 

ସେଦିନ ଏଡ଼େ ଟିକିଏ ଟିକିଏ ଛିଟକନା ଦି’ଖଣ୍ତ ନେଇ ସେ ଲଙ୍ଗଳା ମାଇପି ମୂର୍ତ୍ତିଟାର ଛାତି ଆଉ ଅଣ୍ଟାରେ ଗୁଡ଼େଇ ଦେଇଥିଲି ଅସନା ଦିଶୁଚି ବୋଲି । କାବୁଲୁନା ନୂଆବୋଉଙ୍କୁ ବିରକ୍ତ ହୋଇ ପଚାରିଲେ,–କିଏ ଏକିତି କରିଚି ? ଏ ନୂଆବୋଉଟା ଏଡ଼ିକି ବେଅକଲ ମଣିଷ ! କାବୁଲୁନାଙ୍କୁ ମୋ ନାଁଟା କହିଦେଲେ । ଭାରି ଭୟ ଲାଗୁଥାଏ କାଳେ କାବୁଲୁନା ରାଗ ହେବେ । ସେ କିନ୍ତୁ କିଛି କହିଲେନି । ପ୍ରଥମେ ଚୁପ୍‌ ହେଇଗଲେ ଓ ତା’ପରେ ଅନ୍ୟ କଥା ପକାଇଲେ । ଛିଃ, କାବୁଲୁନା କ’ଣ ଭାବିଥିବେ ?

 

ଗୁନା ଭାଇ ଏମିତି ଲଙ୍ଗଳା ଲଙ୍ଗଳା ମାଇପି ଛବି ଆଙ୍କିବାକୁ ଭଲ ପାଆନ୍ତି । ତାଙ୍କ ଖାତାରେ ଏମିତି କେତେ ଲଙ୍ଗଳା ମାଇପି ଛବି, ଅଛି । ସେ ଥରେ ମୋର ଗୋଟେ ବୋହୂ ବେଶର ଛବି ଆଙ୍କି କୋଉଠା ପ୍ରଦର୍ଶନୀରେ ଫାଷ୍ଟ୍‌ ପ୍ରାଇଜ୍‌ ପାଇଥିଲେ । ସେ ଯଦି କୋଉ ଦିନ ମୋର ସେମିତି ଗୋଟାଏ ଲଙ୍ଗଳା ଛବି ଆଙ୍କି ପକାଇବେ... । ଛିଃ, ଅସନା କଥା ।

 

ସେ ଥର ମୋ ଛବି ଆଙ୍କି ପ୍ରାଇଜ୍‌ ପାଇଥିବା ଶୁଣି ବାଣୀ କେତେ ଦିନ ଯାଏଁ ମତେ ଚିଡ଼େଇଲା । କହିଲା,–ତତେ ସେ ଭଲ ପାଆନ୍ତି । ତୁ ବଡ଼ ହେଲେ ତାଙ୍କୁ ବାହା ହବୁ କି ? ମୁଁ ନାହିଁ କରିବାରୁ କହିଲା,–‘‘ଛୋପରୀ’’ ସତରେ କ’ଣ ଗୁନାଭାଇ ଭଲ ପାଆନ୍ତି ? କାଇଁ ମୁଁ ତ ଜାଣିପାରୁନି । ତାଙ୍କ ପାଖକୁ ଗୋଟେ ଗ୍ରିଟିଙ୍ଗ୍‌ ପଠେଇଥିଲେ ହେଇଥାନ୍ତା । ନାଇଁ କାଳେ ରାଗିବେ-। ଦିନେ ଦିନେ ସ୍କୁଲକୁ ଏକୁଟିଆ ଯାଉଥିଲାବେଳେ ପଛକୁ ଚାହିଁଲାବେଳକୁ ଗୁନାଭାଇ ଆସୁଥାନ୍ତି-। ସେତେବେଳେ ଥରେ ଥରେ ଇଚ୍ଛା ହୁଏ, କୁଆଡ଼ୁ ଟ୍ରକ୍‌ କି ଜିପ୍‌ଟାଏ ଆସି ମତେ ଧକ୍‌କା ଦେଇ ପଳାନ୍ତା କି । ମୁଁ ପଡ଼ିଯାଆନ୍ତି । ଦେଖନ୍ତି, ଗୁନାଭାଇ ଆସି ‘ଆହା’ କହି ଉଠାନ୍ତେ କିନାଇଁ । ଦୁଃଖ କରନ୍ତେ କି ନାଇଁ ।

 

ସତରେ ଯଦି କେବେ ଟ୍ରକ୍‌ ଜିପ୍‌ ଧକ୍‌କା ଖାଇ ଡାକ୍ତର ଖାନାରେ ମଲା ଗଲା ଅବସ୍ଥାରେ ପଡ଼ନ୍ତି ଏବଂ ଡାକ୍ତର ମୋର ବଞ୍ଚିବାର ଆଶା ଛାଡ଼ି ଦିଅନ୍ତେ, ତା’ହେଲେ ଗୁନାଭାଇ ନିଶ୍ଚେଁ ଦେଖିବାକୁ ଯାଆନ୍ତେ । ହେଡ଼ମାଷ୍ଟ୍ରେ ଯାଆନ୍ତେ । ଆଉ କିଏ କେମିତି ପିଲା ସବୁ–ବାଣୀ, ରୀତା, ରମେଶ, ଦୀପକ୍‌, ଆଉ କିଏ କିଏ । ବାପା, ବୋଉ, ନୂଆବୋଉ ଓ କାବୁଲୁନାତ ସହଜେ । ବାପା, ବୋଉତ ପାଖ ଛାଡ଼ନ୍ତେନି । କୋଉମାନଙ୍କର କେତେ ସ୍ନେହ; ସେତିକିବେଳେ ଜଣାପଡ଼ନ୍ତା-

 

ଏମିତି ଭାବୁ ଭାବୁ ରେଖା ସ୍ଥିର କଲା କିଏ କିଏ ତାକୁ କେତେ ପରିମାଣରେ ସ୍ନେହ କରନ୍ତି । ତା’ ମୃତ୍ୟୁ ଶଯ୍ୟାରେ କିଏ କିଏ ତାକୁ କ’ଣ କହନ୍ତେ । କିଏ କିଏ କେମିତି କାନ୍ଦି ପକାନ୍ତେ-। ସେ ନିଜେ ହାତଠାରି କେମିତି ସମସ୍ତଙ୍କୁ ମନା କରନ୍ତା ଦୁଃଖ କରିବାକୁ ।

 

ରେଖାର ଆଖି ସାମନାରେ ଭାସିଗଲା ଡାକ୍ତରଖାନାର ଖଟ, ଟିଣ ସେଲ୍‌ଫ୍‌, ଔଷଧ ବୋତଲ, କାଚ ଗ୍ଳାସ ଓ କମଳା ଚୋପା; ତା’ ଉପରେ ବସୁଥିବା ମାଛି ।

 

ସେ ପୁଣି ଭାବିଲା,–ଗୁନାଭାଇ ହୁଏ ତ ଅଙ୍ଗୁର, ବେଦନା ଆଉ କମଳା ନେଇ ଆସନ୍ତେ ତା’କୁ ଦେଖିବାକୁ । ଆସି ଦେଖନ୍ତେ–ସମସ୍ତେ ଚୁପ୍‌ ହେଇ ଠିଆ ହେଇଛନ୍ତି । ଡାକ୍ତର ବି । କେହି କାହାକୁ କିଛି କହୁନାହାଁନ୍ତି । ଗୁନା ଭାଇଙ୍କ ଆଖି ନିଶ୍ଚେଁ ଛଳ ଛଳ ହେଇଯାନ୍ତା । ସେ କ୍ଳାସରେ ପଢ଼ାଉ ପଢ଼ାଉ ଟିକିଏ କାନ୍ଦ କଥା ପଡ଼ିଲେ ଆଖି ଛଳ ଛଳ କରିପକାନ୍ତି ।

 

ରେଖା ଆଶ୍ଚର୍ଯ୍ୟ ହେଲା–ଏମିତି ଭାବୁ ଭାବୁ ତା’ ଆଖିରୁ କେତେବେଳେ ଲୁହ ଝରି ପଡ଼ିଛି । ମନେ ମନେ ସେ ହସି ପକାଇଲା । ଶେଷରେ ତା’ ନିଜପାଇଁ ସେ ନିଜେହିଁ ଦୁଃଖ କରି କାନ୍ଦି ପକାଇଛି ।

 

ରେଖା ଆଖିରୁ ଲୁହ ପୋଛିଲା । ନୂଆବହିର ମଲାଟ ଟେକି ନେଳି ସ୍ୟାହିରେ ଇଂରାଜୀରେ ଲେଖିଲା,-

 

ଦି ଗ୍ରାସ୍‌ ଇଜ୍‌ ଗ୍ରୀନ୍‌

 

ଦି ରୋଜ୍‌ ଇଜ୍‌ ରେଡ଼୍‌ ।

 

ଦିସ୍‌ ବୁକ୍‌ ଇଜ୍‌ ମାଇଁନ୍

 

ଟିଲ୍‌ ଆଇ ଆମ୍‌ ଡେଡ଼୍‌ ।

 

ତା ତଳକୁ ତିନୋଟି ପତ୍ରଥିବା ଗୋଟିଏ ଦରଫୁଟିଲା ଗୋଲାପ ଫୁଲର ଚିତ୍ର କଲା । ରୀତା ଘର ବାଡ଼ିରେ କେତେ ଗୋଲାପ ଫୁଲ ! ବଡ଼ ବଡ଼ ଗୋଲାପ । ଧଳା, ନାଲି ଆଉ ଗୋଲାପୀ ରଙ୍ଗର । ସିନେମା ଗଲାବେଳେ ଥରେ ଥରେ ଗୋଲାପ ଫୁଲ ଖୋସିଯାଏ । ଦେଖେଇ ହୁଏ ସୁନ୍ଦରୀ ବୋଲି । ସେଥିପାଇଁ ଥରେ ଗୋଟାଏ ଟୋକା କହିଲା;–ସତେ ମୁଁ ପଡ଼ିଯିବିକି ?

 

ସେଥର ସ୍କୁଲର ସ୍ପୋଟ୍‌ସ୍‌ ଦିନ ବେଣୀରେ ଗୋଲାପ ଫୁଲର ପେନ୍ଥା ଖୋସି ସ୍କୁଲକୁ ଯାଇଥିଲା । ପୁଅ ପିଲାମାନେ ତା’କୁ ଚିଡ଼ାଇଲେ । ଶୁଣାଇଁ ଶୁଣାଇଁ କହିଲେ,–ହଇରେ ଜି. ପି. (ଗୁଣ ପଟ୍ଟନାୟକ) କୁଆଡ଼େ ଗଲା କିରେ ? ହେଇଟି; ହେଇଟି ଜି. ପି. ପ୍ରଜାପତି ହେଇଯାଉଚି, ବସିବ ଫୁଲରେ ।

 

ରେଖା ତା’ ବହିରେ ଦରଫୁଟିଲା ଗୋଲାପ କଢ଼ ଉପରେ ଗୋଟିଏ ପ୍ରଜାପତିର ଚିତ୍ର କଲା ।

 

ରୀତାକୁ ଜି. ପି. (ଗୁଣ ପଟ୍ଟନାୟକ) କହିଲେ ଚିଡ଼େ । ଗୁଣ ତାଙ୍କ ଘରକୁ ସବୁଦିନେ ଯାଉଥିଲା ପଢ଼ିବାକୁ । ରୀତାର ପଢ଼ାଘରେ ଦୁହେଁ ପଢ଼ନ୍ତି । ମୁଁ ଏଡ଼ିକି ଓଲି । କିଛି ଜାଣି ନଥିଲି କାହିଁକି ପିଲେ ତାକୁ ଜି. ପି., ଜି. ପି. ବୋଲି କହୁଛନ୍ତି । ବାଣୀ ସିନା ସେ ଦିନ କହିଲା,–ତାପ୍ନାଙ୍କ ଦିପ୍ନି ଜପ୍ନଣପ୍ନଙ୍କପ୍ନର ଡ୍ୟାପ୍ନାସ ଅପ୍ନଛି (ତାଙ୍କ ଦି ଜଣଙ୍କର ଡ୍ୟାସ୍‌ ଅଛି) । ସେଇଥିପାଇଁ ରୀତା ଗୁଣନିଧିର ଏତେ ପ୍ରଶଂସା କରେ । ଆଉ ଗୁଣ ବିରୁଦ୍ଧରେ କିଏ କହିଲେ ସେ ସହି ପାରେନି । କିଏ ଜାଣିଚି ଇଆ ଭିତରେ ଏତେ ଅଛି ବୋଲି ।

 

କଲମରୁ କାଳି ନ ଝରିବାରୁ ରେଖା କଲମଛାଟି ଆଉ ଖଣ୍ତେ କାଗଜରେ ଗାରପକାଇ କଲମ ପରୀକ୍ଷା କଲା ।

 

ଝିଅଙ୍କ ଡେକ୍‌ସ ଉପରେ ପୁଅ ପିଲାମାନେ ରୀତା ନାଁ ସାଙ୍ଗେ ଗୁଣର ନାଁ ଯୁକ୍ତକରି ଲେଖିଥାନ୍ତି । ସ୍ୟାହିରେ ମୋଟା ଅକ୍ଷରରେ ଲେଖିଥାନ୍ତି, ଆମେ ସବୁ ଯେମିତି ଜାଣିବୁ । ଛିଃ, ପୁଅଗୁଡ଼ାକ ଏଡ଼ିକି ବଜାରୀ । ଏମିତି କ’ଣ ଲେଖିବା କଥା ? ଛେଃ । ରୀତା ଦେଖି ନ ଜାଣିଲା ପରି ରହିଯାଏ । କିନ୍ତୁ କେହି ନ ଥିଲା ବେଳେ କଲମରେ କାଟି ପକାଏ ।

 

ରେଖା ତା’ କଲମ ପରୀକ୍ଷା କରୁଥିଲାବେଳେ ନିଜ ଅଜାଣତରେ ରୀତା ଓ ଗୁଣର ନାଁ ଯୁକ୍ତ ଚିହ୍ନଦେଇ ଲେଖି ପକାଇଲା ଅନ୍ୟମନସ୍କ ଭାବରେ ଏବଂ ଏମିତି ଲେଖୁ ଲେଖୁ କେତେବେଳେ ନିଜ ନା ସହିତ ଗୁନାଭାଇଙ୍କ ନାଁ ଯୁକ୍ତ ଚିହ୍ନଦ୍ୱାରା ଯୋଗ କରି ଦେଇଛି, ତା’ର ଖିଆଲ ନାହିଁ । ନିଜେ ଏମିତି ଲେଖି ପକାଇଥିବା ଦେଖି ସେ ଆଶ୍ଚର୍ଯ୍ୟ ହେଲା । ତାକୁ ଭାରୀ ଲାଜ ଲାଗିଲା ଏବଂ ସେଇ ଲାଜରେ ଲାଜରେ ସେ ମନେ ମନେ ହସି ପକାଇଲା ।

 

ଛିଃ, ଏମିତି କ’ଣ ଲେଖି ଦେଲିମ ! ବାଣୀ ଯଦି ଦେଖି ଦେଇଥାଆନ୍ତା, ଆଉ ବାଟ ଚଲେଇ ଦିଅନ୍ତାନି । କେତେ ଚିଡ଼ାନ୍ତା । ଛିଃ, କେଡ଼େ ଲାଜ କଥା... । ଏବେ ତ ସହଜେ ତୁଚ୍ଛାଟାରେ କଥା କଥାକେ ସେ ବିଦ୍ୟାରାଣ ନ ପକାଇ ଗୁନାଭାଇଙ୍କ ରାଣ ପକାଉଚି । ଗୁନା ଭାଇ ମୋର କିଏ-?

 

ଆମେ ରାସ୍ତାରେ ଗଲାବେଳେ ଗୁନାଭାଇ ସାଇକେଲରେ ଚାଲିଗଲେ ବାଣୀ ମତେ ଚିମୁଟି ପକାଏ କହେ,–ହେପ୍ନେଇଟିଲୋ ତୋପ୍ନର ଗପ୍ନଲେ (ହେଇଟିଲୋ ତୋ’ର ଗଲେ) । ଦିନେ ଦିନେ ଆମେ ରୁମ୍‌ ଦୁଆର ମୁହଁରେ ଠିଆ ହେଇଥାଉ, ସେତେବେଳେ ଗୁନାଭାଇ ଯଦି କୋଉ କ୍ଳାସରୁ ଫେରୁଥିବେ ବାଣୀ ନହେଲେ ଶାନ୍ତି ମତେ ଥରେ ଥରେ ଆଗକୁ ପେଲିଦିଅନ୍ତି । ମୋ ମୁହଁ ନାଲି ପଡ଼ିଯାଏ । ସେଥିପାଇଁ ଏମାନଙ୍କୁ ଡରି ସାବଧାନ ହେଇଗଲେଣି ।

 

ରେଖା କଲମଟା ତା’ ପଞ୍ଜାବୀର ବେକ ପାଖରେ ଖୋସି ଦେଇ ସେ କାଗଜଟା ଟିକ୍‌ ଟିକ୍‌ କରି ଚିରି ପବନରେ ଉଡ଼ାଇଦେଲା ।

 

ଠିକ୍‌ ସେତିକିବେଳେ ଖୋସା ଭିତରେ ପ୍ରଜାପତିଟି ପୂର୍ଣ୍ଣାଙ୍ଗରୂପ ପାଇ ଖୋସା ଭିତରୁ ଜନ୍ମନେବାକୁ ଚେଷ୍ଟା କରୁଥିଲା ।

 

ନୂଆଁବର୍ଷର ପହିଲି ସକାଳର ଖରାରେ ସ୍ନେକ୍‌ ଡ୍ରାଗନ୍‌ ଗଛ ଉପରେ ସେଇ ନାଲି ଏଣ୍ତୁଅଟା ଏତେ ବେଳଯାଏଁ ଖରା ପୁଆଁଉଚି ! ମୋରି ଆଡ଼କୁ ଚାହିଁ ମୁଣ୍ତ ହଲାଉଚି–ପ୍ରଶ୍ନ ପଚାରିଲା ଭଳି, କ’ଣ ପଚାରୁଚି ? ମତେ କାମୁଡ଼ିବ ? ଏ ଏଣ୍ତୁଅ ! ମତେ କାମୁଡ଼ିବୁ ? ଇଇ...ମା’...କେମିତି ହଁ କଲାପରି ମୁଣ୍ତ ଟୁଙ୍ଗାରୁଚି । ସତରେ ଯଦି ଚାଲି ଆସି ଦେହରେ ଚଢ଼ିଯିବ ନା...

 

ତା’ର ମନେ ପଡ଼ିଗଲା–ସେଦିନ ଶିମ୍ବ ଲଟାରେ ଏମିତି ନାଲି ଏଣ୍ତୁଅଟେ କେମିତି ମାଟିଆ ରଙ୍ଗର ମାଇ ଏଣ୍ତୁଅଟାକୁ ମାଡ଼ିବସି କାମୁଡ଼ି ଧରିଥିଲା ।

 

ଛିଃ,...

 

ରେଖା ସେ କଥା ଭୁଲିଯିବାପାଇଁ ଚେଷ୍ଟାକଲା । ଅନ୍ୟକଥା ଭାବିଲା । ଏଣୁ ତେଣୁ ଭାବୁ ଭାବୁ ତା’ର ପୁଣି ମନେ ପଡ଼ିଲା,–ଆଉ ଦିନେ କେମିତି ତାଙ୍କ ଡାହାଳ କୁକୁର ଓ ପଡ଼ିଶାଘରର କାଁଚିଆ କୁତି ନିଜ ନିଜଠୁ ଅଲଗା ହେବାକୁ ଚେଷ୍ଟାକରି ପାରୁ ନ ଥିଲେ ।

 

ରେଖାର କାନମୂଳର ଶିରା ଦୁଇଟା ତାକୁ ଗରମ ଜଣାଗଲା ।

 

ତା’ ଆଖି ଆଗରେ ପୁଣି ନାଚିଗଲା ସେଇ ଏଣ୍ତୁଅ ଦି’ଟାଙ୍କ ଛବି ।

 

ସେ ତା’ ଆଖି ପତା ଦୁଇଟିକୁ ଆଖି ଉପରେ ଚାପି ରଖିଲା । ଆଖି ଖୋଲିଲାବେଳକୁ ଏଣ୍ତୁଅଟା ଆଉ ସେଠି ନ ଥିଲା ।

 

ଏଣ୍ତୁଅଟା ଗଲା କୁଆଡ଼େ ?

 

ରେଖା ଚାରିଆଡ଼କୁ ଆଖି ବୁଲାଇଲା । ଜାଣିଲା, ତା କୋଳ ଭିତରେ କ’ଣ ଗୋଟାଏ ସଲ୍‌ ସଲ୍‌ ହେଉଛି । ଇ...ମାଁ......

 

ଇଏ ବୋଉଲୋ.....

 

ରେଖା ଚିତ୍କାର କରି ଅତର୍ଚ୍ଛରେ ଡେଇଁପଡ଼ିଲା, ଖୋଳରୁ ଖସିଯାଇଥିବା କଲମଟା ତଳେ ପଡ଼ି ଗଡ଼ିଗଲା । ପଞ୍ଜାବୀରେ ଲାଗିଥିବା ଖୋଳରୁ କଲମଟା ଖସିଯାଇ କେତେବେଳେ ତା’ କୋଳ ଭିତରେ ପଡ଼ିଯାଇଛି । ରେଖା ଆଶ୍ୱସ୍ତ ହେଲା ।

 

ବାହାର କବାଟରେ ଠକ୍‌ ଠକ୍‌ ଶବ୍ଦ ଶୁଣାଗଲା । ରେଖା କବାଟ ଖୋଲିବା ପାଇଁ ତର ତର ହୋଇ ଚାଲିଗଲା ।

 

ଛନ ଛନ ହଳଦିଆ ପ୍ରଜାପତିଟିଏ ସେତେବେଳକୁ ସେଇ ଖୋସା ଭିତରୁ ଜନ୍ମପାଇ ଖରାରେ ଡେଣା ଧପ୍‌ ଧପ୍ କରୁଥିଲା ସମସ୍ତଙ୍କର ଅଲକ୍ଷ୍ୟରେ ।

Image

 

ଅଂଧାରର ଛାଇ

 

ଚାରିଆଡ଼େ ଅଂଧାର । ପାଣି ଚିଆ ଅଂଧାର । ଛାପଛାପିଆ, ମାଇ ଅଂଧାର । ଅଂଧାର, ଅଂଧାର ଏଣେ ତେଣେ । ମାଇଲିଏ ଲଂମ୍ବାର ଅଂଧାରରେ ଅଂଧାର ! ତୁ କୋଉଠି ଥିଲୁ ?

 

ରାତି କେତେ ହେବ କେଜାଣି । ପାହାଡ଼ ଉପରେ ଜହ୍ନଟା ତଂବାଳିଆ ଦିଶୁଛି, କମଳା କୋଲ ପରି ଜହ୍ନ । ବୁଡ଼ିଯିବ ଏଥର । ଏଇ ଅଂଧାର ଆହୁରି ଗାଢ଼ ହୋଇଯିବ ।

 

କେଜାଣି କାହିଁକି ନିଦଟା ଚାଉଁକିନା ଭାଙ୍ଗିଗଲା । ବୋଉ ଆଜି ନାହିଁ । ଏକୁଟିଆରେ କେମିତି କେମିତି ଲାଗୁଛି । ଘରେ ବାହାରେ ଚାରିଆଡ଼େ ଅଂଧାର । ଏ ଅଂଧାର କ’ଣ ମଣିଷକୁ ସହଜରେ ଶୁଣାଇଦେଉଛି । ଯେତେ ଆଖି ବନ୍ଦ କରି ଶୋଇଲେ ବି ଆଖିକୁ ନିଦ ଆସୁନି ।

 

ତେର ବରଷର ଝିଅ ରେଖା । ନୂଆ ଛନ ଛନ ମନରେ ତାର ଡେଣା କଅଁଳୁଛି । ଡେଣା ଥିଲେ ଅବା କେବଠାରୁ ଉଡ଼ି ଯାଆନ୍ତାଣି । ନିଦ ଭାଙ୍ଗିଯିବା ପରେ ଏ ପାଖ ସେ ପାଖ କଡ଼ ଲେଉଟାଉଥିଲା । ତା’ର ଚପଳ ମନରେ ଏଣୁ ତେଣୁ କେତେ ଭାବ ଖେଳୁଥିଲା ।

 

ପାଖ ଘରୁ କାବୁଲୁ ନାଁ ଓ ନୂଆବୋଉଙ୍କ ପାଟି ଶୁଣାଯାଉଛି । ଏତେ ବେଳଯାଏ ଶୋଇ ନାହାନ୍ତି ! ରାତି କେତେ ହେଲାଣି । ରାତି ଦଶଟାରେ ନ ଶୋଇଲେ କାବୁଲୁନା କେତେ ରାଗନ୍ତି । ପରୀକ୍ଷା ସମୟରେ ବି ରାତି ଦଶଟାରେ ଶୋଇବାକୁ ବାଧ୍ୟ କରିବେ । ଅଥଚ ସେ ଆଜି ନିଜେ ଶୋଇନାହାଁନ୍ତି ତ !

 

ଏଇ କାବୁଲୁନା ଆଉ ଆଗର ସେ କାବୁଲୁନା ହୋଇ ନାହାଁନ୍ତି । ଆଜିକାଲି କେମିତି ଅଲଗା ଅଲଗା ହୋଇ ଗଲେଣି । ଆଗେ ରତି ଅପା ଓ ମୋ ପାଖରେ କେତେ ଗପନ୍ତି, କେତେ ଚିଡ଼ାନ୍ତି । କାନ୍ଦିଲେ ପୁଣି ଲାଞ୍ଚ ଦେଇ ତୁନି କରାନ୍ତି । ଏବେ ଆଉ ତାଙ୍କର ସେଇ ଆଗ ସ୍ନେହ ନାଇଁ-। ଆଗେ କେତେ ଭଲ ଜିନିଷ ଆଣି ଦେଉଥିଲେ । ଏବେ ଯାହା ଆଣୁଛନ୍ତି ସବୁ ଖାଲି ନୂଆବୋଉଙ୍କ ପାଇଁ ।

 

ସେତେବେଳେ ଏଇ ଦାଣ୍ତ ପାଖ ଘର ଦୁଇଟା ତିଆରି ହୋଇ ନ ଥାଏ । ଆମେ ସବୁ ଗୋଟିଏ ଘରେ ଶୋଉ ଥାଉ । ଶୋଇଲାବେଳେ କାବୁଲୁନା ତାଙ୍କ ପଢ଼ାଦନିର କଥା ସବୁ କହନ୍ତି–କୋଉ ସା’ରେ ତାଙ୍କୁ କେମିତି ଭଲ ପାଆନ୍ତି, ଏମିତି କେତେ କ’ଣ । ଆଉ ଆଜିକାଲି... ?

 

ନୂଆବୋଉ ଆସିଲା ଦିନୁ କାବୁଲନା କେମିତି କେମିତି ବଦଳି ଯାଇଛନ୍ତି ।

 

ସଞ୍ଜବେଳେ ଦି’ଜଣ ଯାକ ସିନେମା ଦେଖି ଗଲେ । ଗଲାବେଳେ ଖାଲି ମନ ବୁଝିବାକୁ ନୂଆବୋଉ କହି-ଦେଲେ,–‘‘ରେଖା । ତୁମକୁ ନିଅଁନ୍ତୁ ଯେ ଏଇ ଛବିଟା ‘ଫର୍‌ ଆଡ଼ଲ୍‌ଟସ୍‌ ଓନଲି’ । ମୋର କ’ଣ ଏତେ ଥର ସିନେମା ଯିବାରେ ଇଚ୍ଛା ଅଛିକି ? ଖାଲି ତୁମ ନନା ବାଧ୍ୟ କରୁଛନ୍ତି ବୋଲି ସିନା । ସକାଳେ ଏଇ ଛବିଟା ‘ମଣିଂସୋ’ରେ ଚାଲିଥିବ ବୋଲି ଗଲୁ ଯେ ଦେଖିଲା ବେଳକୁ ଗୋଟା ଇଂଲିସ୍‌ ଛବି ।’’ ସତେ ପୁଣି ତାଙ୍କର ଇଚ୍ଛା ନାଇଁ ସିନେମା ଦେଖିବାରେ । ଇଏ ସବୁ କଥାର ଗୋଟେ ଚାତର ନା ।

 

ବାଣୀ ପରା ସକାଳେ ଠିକ୍‌ କହୁଥିଲା । କହିଲା,–କିଲୋ ତତେ ସେମାନେ କାହିଁକି ସାଙ୍ଗରେ ସିନେମା ନେବେ ? ସେ ଦି’ ଜଣ ତ ଗଲେ–ମଜା କରିବେ ।’’

 

ଆଜି ଖରାବେଳେ ନୂଆବୋଉଙ୍କ ଘରକୁ ପଶି ଗଲା ବେଳକୁ ଦୁହେଁ ମଜା କରୁଥିଲେ । ମୁହଁ ପୋଡ଼ିଗଲା ଭଳି ଲାଗିଲା । ପଳାଇ ଆସିବାକୁ ବାଟ ଅଣ୍ଟିଲାନି ।

 

ବାଣୀ ଗୋଟେ ଇଂଲିସ ଛବିର ଏମିତି ଗୋଟାଏ ମଜା କଥା କହୁଥିଲା । ସେ ଥରେ ଭୁଲ୍‌ରେ ଇଂଲିସ୍‌ ଛବିଟାଏ ଦେଖି ଆସି କହୁଥିଲା କେମିତି ମରଦଟାଏ ମାଇପିଟାକୁ ଜାକି ଧରି ଓଠରେ ଓଠ ଲଗାଇ ବୋକ ଦେଲା ।

 

ତା’ ନିଶଗୁଡ଼ାକ ମାଇପିଟାର ନାକ ତଳେ ତଳେ ଫୋଡ଼ି ହୋଇ ଯାଉଥିବ । ଛି, ଲୋ କେମିତିଆ ଲାଗିଥିବ ।

 

ଏଇ କଥା ଶୁଣି ପକାଇ ମିନତି ଅପା ସେ ଦିନ କେତେ ହସିଲେ । ଭାରି ଲାଜ ଲାଗିଲା-

 

ମିନତି ଅପା କେତେବେଳେ ପଛରୁ ଆସି ଆମ କଥା ଶୁଣୁଥିଲେ । ହସିଲେ, କହିଲେ,–‘‘ଛିଃ କାହିଁକି ? ବଡ଼ ହୋଇଗଲେ ତୁମକୁ ପୁଣି ସେଇଆ ଭଲ ଲାଗିବ । ଆମେ ଯେତେବେଳେ ତମ ଭଳି ହୋଇଥିଲୁ ଆମକୁ ବି ସେମିତି ଖରାପ ଲାଗୁଥିଲା ।’’

 

ମିନତି ଅପା କେମିତି ଜାଣିଲେ ? ତାଙ୍କ ବରର ବୋଧେ ନିଶ ଅଛି । ମିନତି ଆମ କଥା ଶୁଣି ଏମିତି କହିବେ ବୋଲି କିଏ ଜାଣିଥିଲା । ଭାରି ବଢ଼ିଆ ମଣିଷ । ପିଲାଙ୍କ ସାଙ୍ଗରେ ପିଲା, ବଡ଼ଙ୍କ ସାଙ୍ଗରେ ବଡ଼ । ଏଇ ବାଳିକା ମାଇଁନର ସ୍କୁଲରେ ସେ କୁଆଡ଼େ ‘ଦିଦି’ ହେବେ । ସତରେ କ’ଣ ତାଙ୍କ ବର ଆଉ ତାଙ୍କୁ ନେବ ନି ? କାଳିବୋଉ ମାଉସୀ ବୋଉକୁ କହୁଥିଲେ–ତା’ ବର କୁଆଡ଼େ ସବୁ ଶୁଣିଲା ଯେ ବାହାଘର ଚାରି ମାସ ଯାଇନି ଆଣି ଛାଡ଼ିଦେଇ ଗଲା । କ’ଣ ଶୁଣିଲା ? ଆହା ମିନତି ଅପା କେତେ ଭଲ ମଣିଷ । ସବୁ କାମ ହାତରେ କରନ୍ତି । ନୂଆବୋଉଙ୍କ ଭଳି ନୁହେଁ । ମିନତି ଅପା ହେଲେ ବାଣୀର ଭାଇଙ୍କୁ ବାହା ହୁଅନ୍ତେ ।

 

ତା’ ଭାଇ କାଇଁକି ବାହା ହେଉ ନାହାନ୍ତି ? ବୁଢ଼ା ହୋଇ ଯାଉଛନ୍ତି । କାଳିବୋଉ ମାଉସୀ କହୁଥିଲେ ସେ ଯାହାକୁ ବାହା ହେବାକୁ କହୁଥିଲେ, ସେ ଝିଅଟା କୁଆଡ଼େ ଅନ୍ୟଆଡ଼େ ବାହା ହୋଇଗଲା ।

 

ବାଣୀର ଭାଇଙ୍କ ସାଙ୍ଗରେ ମିନତି ଅପାଙ୍କର ବାହାଘର ହେଲେ ତ ଭଲ ହୁଅନ୍ତା । ଦି ଜଣଙ୍କର ତ ଏକା ଅବସ୍ଥା । କ’ଣ କ୍ଷତି ହୁଅନ୍ତା ? ଯୋଡ଼ିଟା ବି ଭଲ ମାନନ୍ତା । ମିନତି ଅପା ଦେଖିବାକୁ ଯେମିତି, ସେ ବି ସେମିତି ।

 

ବାଣୀର ଭାଇ କେଡ଼େ ଗୋରା ! ଖିଅର ହୋଇ ପଡ଼ିଲେ ଗୋରା ମୁହଁକୁ ତାଙ୍କ ଗାଲ ଥୋଡ଼ି ଓ ନାକ ତଳ ନେଳିଆ ଦିଶେ । ତାଙ୍କର ନିଶ ନାହିଁ । ରାଧୁନାଙ୍କର ବି ନିଶ ନାହିଁ । କିନ୍ତୁ ଗୁନାଭାଇ କାହିଁକି ନିଶ ରଖିଛନ୍ତି ? ବାଣୀଟା ସଦାବେଳେ ତାଙ୍କ ନିଶକୁ ଆଖିଆ କରେ । କହେ–‘‘ତାଙ୍କ ନିଶ ନାଁ ଫର୍‌ଗେଟ୍‌ ମି ନଟ୍‌ ।’’ ଏଇ କଥାଟା ସେ ଦିନ ମୋ ନାଁରେ ଲଗାଇ ନୂଆବୋଉଙ୍କ ଆଗରେ କହିଦେଲା, ନୂଆବୋଉ କ’ଣ ଭାବିଥିବେ ? ଏଡ଼ିକି ଇଏ ଟୋକୀ, ଯାଗା, ଅଯାଗା ବାଛ ବିଚାର ନାଇଁ । ସବୁଠି ତା’ ଯୋଗୁ ମଣିଷ ଭାଣ୍ତିଆ ହେବ ।

 

ଆଉ ଦିନେ ସେମିତି ଗୁନାଭାଇଙ୍କ କ୍ଳାସରେ ବଡ଼ ଅଡ଼ୁଆରେ ପକାଇଦେଲା । ସେ ଦିନ ଗୁନାଭାଇ ଭାରି ଅନର୍ଗଳ ଭାବରେ ପଢ଼ାଉଥାନ୍ତି । ପଢ଼ାଇଲା ବେଳେ ସବୁ ସାରଙ୍କ ମୁହଁଙ୍କୁ ଚାହିଁହୁଏ, କିନ୍ତୁ କେଜାଣି କାହିଁକି ଯେତେ ଚେଷ୍ଟା କଲେ ବି ଗୁନାଭାଇଙ୍କ ମୁହଁକୁ ଚାହିଁ ହୁଏନି । ସେ ଦିନ ସେ ପଢ଼ାଉଥିଲାବେଳେ ବାଣୀ ତା ବହିର ଛବିଗୁଡ଼ାକରେ ନିଶ ଦାଢ଼ୀ କରି ଦେଖାଇବାରୁ ହସ ଲାଗିଲା । ଗୁନାଭାଇ ବଡ଼ ବଡ଼ ଆଖିରେ କଟ କଟ କରି ଚାହିଁଲେ–ବାରଣ୍ତାରେ କିଏ ପୁରୁଷ ଲୋକ ଥିଲାବେଳେ ଗାଧୁଆ ଘରୁ ଓଦାଲୁଗା ପିନ୍ଧି ଚାଲିଆସିଲେ ବୋଉ ଯେମିତି ଚାହେଁ ।

 

ବାଣୀ ସେଦିନ ମୋ ବହିର ଛବି ଗୁଡ଼ାକରେ ସେମିତି ନିଶ ଦାଢ଼ୀ କରି ଦେବ ବୋଲି ବହିଟା ଟାଣିଲା । ରଫ୍‌ ଖାତାରେ ଲେଖି ତାକୁ ଦେଖାଇଦେଲି–‘‘ଯାହାର ଅଛି ନିଶ, ସେ ମୋର ବିଷ ।’’ ଗୁନାଭାଇ ହଠାତ୍‌ ଆସି ଖାତାଟା ଟାଣି ନେଇ କହିଲେ–‘‘କ’ଣ ଚାଲିଛି ?’’ ଭାରି ଡର ଲାଗୁଥାଏ ରାଗ ହେବେ ବୋଲି । ଗୁନାଭାଇ ଭାରି ରାଗନ୍ତି, ଅପମାନ ଦିଅନ୍ତି । କିନ୍ତୁ ସେ ଖାତାଟା ପକେଇ ଦେଇ ନୀରବରେ ଫେରିଗଲେ ତାଙ୍କ ଟେବୁଲ୍‌ ପାଖକୁ । ହଠାତ୍‌ ତାଙ୍କ ମୁହଁ କଳା ପଡ଼ିଗଲା । ତା’ପରେ କେତେବେଳେ ଯାଏଁ ସେ ଆଉ ଆଗଭଳି ପଢ଼ାଇ ପାରିଲେ ନି । ତାଙ୍କ ସ୍ୱର କେମିତି ଅଲଗା ଅଲଗା ଶୁଣାଗଲା । କେତେ ଦିନ ଯାଏଁ ସେ ଆଉ ଆମ ଆଡ଼କୁ ଚାହିଁ ନାହାନ୍ତି ।

 

କ’ଣ ତାଙ୍କର ହେଲା ? ଗୁନାଭାଇ ହଠାତ୍‌ ଏମିତି ହେଲେ କାହିଁକି ? ସେକଥା ଦେଖି ସେଦିନ କେମିତି କାନ୍ଦ କାନ୍ଦ ଲାଗିଲା । ସେ ବୋଧେ କଥାଟା ନିଜ ଆଡ଼କୁ ନେଲେ ।

 

ରାତିର ଅଂଧାର ଭିତରେ ଖଟ ଉପରେ ଶୋଇ ରହି ଏଇ କଥା ସବୁ ଭାବିଲା ବେଳେ ରେଖାର ଆଖି ଛଳ ଛଳ ହୋଇଗଲା । ଖଟ ଉପରୁ ସେ ଉଠିଗଲା ଝରକା ପାଖକୁ । ଝରକା ଆରପାଖେ ଛୋଟ ଫୁଲବଗିଚା । ଛାପ ଛାପିଆ ଅଂଧାର ଭିତରେ ଧଳା ଧଳା ଫୁଲ କେତେ ଫୁଟିଛନ୍ତି । ସେଗୁଡ଼ିକର ବାସ୍ନା ଆସୁଛି, ରେଖା ଆଖି ବୁଲାଇଲା । ଦୂରରେ ବତୀଖୁଣ୍ଟଟି ଠିଆ ହୋଇଛି, ସେଥିରେ ଆଜି କେଜାଣି କାହିଁକି ଆଲୁଅ ଜଳୁନାହିଁ । ତା’ଆଗରେ ନିରୋଳା ରାସ୍ତାଟା ଶୋଇଯାଇଛି ଯେମିତି ରେଖା ଏପାଖ ସେପାଖ ଝରକା ନିକଟକୁ ଆସିଲା । ବଡ଼ ଚାକୁଣ୍ତା ଗଛଟାର ଡାଳ ତଳକୁ ଝୁଲି ଆସିଛି । ସେଥିରେ ଚଳନ ନାହିଁ । ଦୂରରେ ପାହାଡ଼ ଦୁଇଟି ନୀରବରେ ଠିଆ ହୋଇରହିଛନ୍ତି । ଚାରିଆଡ଼େ କେମିତି ଏକ ଏକୁଟିଆ ଏକୁଟିଆ ଭାବ । ରେଖାକୁ ଭାରି ଏକୁଟିଆ ଲାଗିଲା ।

 

ଆର ଘରେ ଅଂଧାରରେ ନୂଆବୋଉ ଫିକ୍‌ ଫିକ୍‌ ହସୁଛନ୍ତି । କାବୁଲୁନାଙ୍କର ଫିସ୍‌ ଫିସ୍‌ କଥା ଶୁଣା ଯାଉଛି । କାବୁଲୁନା ତାଙ୍କୁ ହସାଉଛନ୍ତି–ଆଗେ ଆମକୁ ଯେମିତି ହସାନ୍ତି । ନୂଆବୋଉ ଆସିଲା ଦିନୁ ଆମକୁ ଆଉ ସେ ପଚାରୁନାହାନ୍ତି । ବୋଉକୁ ଏଇ କଥା କହିବାରୁ ବୋଉ ଚୁପ୍‌ କରି କହିଲା–‘‘ପାଟି କରନା ।’’ ତା’ପରେ କଥା ବାଆଁ ରେଇବାକୁ ଗୋଟେ କାମ ବତେଇ ଦେଲା ।

 

ବୋଉ ଆଜି ନାଇଁ, ଏକୁଟିଆ ଶୋଇବାକୁ ଭଲ ଲାଗୁନି । ସେଇଥି ପାଇଁ ବୋଧେ ନିଦ ଭାଙ୍ଗିଗଲା ! ସେ ଘରେ କାବୁଲୁନା, ନୂଆବୋଉ ଶୋଇଛନ୍ତି; ତାଙ୍କୁ ସବୁ ନିଦ ହେଇନି । ଅଂଧାରରେ ସେମାନେ ଫୁସୁର୍‌ ଫାସର୍‌ ହେଉଛନ୍ତି । ଘରେ ବାହାରେ ସବୁଠି ଅଂଧାର । ମଶାସବୁ ବଇଁଶୀ ବଜାଉଛନ୍ତି, ଅଂଧାର ଭିତରେ କେତେ ଛାଇ ନାଚ କଲାଭଳି ଦେଖାଯାଉଛନ୍ତି,–କାବୁଲୁନା ଓ ନୂଆ ବୋଉଙ୍କ ଭଳି (ସେଇ ଲଙ୍ଗଳା ମୂର୍ତ୍ତିଟା ପାଖରେ ଠିଆ ହୋଇ ଦି’ ପହରେ ସେମାନେ ଯେମିତି ମଜା କରୁଥିଲେ...) ବାପା ବୋଉଙ୍କ ଭଳି (ଥରେ ରାତିରେ ନିଦଭାଙ୍ଗି ଗଲା ବେଳକୁ ବାପା ବୋଉ ଯେମିତି ଅଂଧାରରେ ଠିଆ ହୋଇଥିଲେ) ମେନା ଓ ସାଇନସ୍‌ ସାରଙ୍କ ଭଳି (ଲାବୋରେଟୋରି ଭିତରେ ସେଦିନ ଯେମିତି ବସିଥିଲେ...); ପୁଣି ଗୁନାଭାଇଙ୍କ ଭଳି, ପୁଣି ଆଉ କେତେ କାହା ଭଳି ।

 

ଅଂଧାରରେ ଘଣ୍ଟାଟା ଟେବୁଲ୍‌ ଉପରେ ଟିକ୍‌ ଟିକ୍‌ ହେଉଛି, ରାତି କେତେ ହେବଣି ।

 

କାବୁଲୁନା କହନ୍ତି ଡେରିରେ ଶୋଇଲେ ଦେହ ଖରାପ ହୁଏ । ଏତେବେଳେ ଯାଏଁ ସେମାନେ ଶୋଇ ନାହାନ୍ତି–କ’ଣ ଏତେ କଥାବାର୍ତ୍ତା ହେଉଛନ୍ତି ?

 

ମିନତି ଅପା କହୁଥିଲେ, ନୂଆ ନୂଆ ବେଳେ ସ୍ୱାମୀ ସ୍ତ୍ରୀ କଥାବାର୍ତ୍ତା ହେଲେ ରାତି ସରେ, କଥା ସରେନି । ସେଇ କଥାରେ କୁଆଡ଼େ ଭୋକ ଶୋଷ ଭୁଲି ହୋଇଯାଏ । ମିଛ କଥା । କ’ଣ ଏମିତି କଥା ଅଛି ଯେ ଭୋକ ଶୋଷ ଜଣାପଡ଼ିବନି ! ପାଖଘରୁ ପୁଣି ଚପା ଚପା ହସ, ଫିସ୍‌ ଫିସ୍‌ କଥା ଶୁଣାଗଲା । ରେଖା ଉଠିପଡ଼ି ଶୁଣିବାକୁ ଚେଷ୍ଟା କଲା । ତା’ ପରେ କବାଟ ଖୋଲି ଅଗଣା ପାଖ ବାରଣ୍ତାକୁ ଆସି ନୂଆବୋଉଙ୍କ କବାଟ ପାଖରେ କାନ ପାରିଲା ।

 

ଚାରିଆଡ଼େ ଅଂଧାର । ଗାଢ଼ ନୁହେଁ, ପାଣିଚିଆ ଅଂଧାର । ସବୁ ଦିଶୁଛି ଝାପ୍‌ସା, ଝାପ୍‌ସା ।

 

ରେଖା କବାଟ ପାଖରେ ଧୀରେ ବସି ସେମାନଙ୍କର କଥାବାର୍ତ୍ତା ଶୁଣିବାକୁ ଚେଷ୍ଟା କଲା-। ମନରେ ତା’ର କୌତୂହଳ–ଏତେ ରାତି ଯାଏଁ କ’ଣ କଥା ହେଉଛନ୍ତି ? କେମିତିକା ସେ କଥା–ଯେଉଁଥିରେ ଭୋକ ଭୁଲି ହୋଇଯାଏ ?

 

ସେଇ ଫୁସ୍‌ ଫାସ୍‌ କଥା । କିଛି ପରିଷ୍କାର ଶୁଣାଯାଉନି, କାନ ପାଖରେ ଜଣେ ଫିସ୍‌ ଫିସ୍‌ କରି କହିଲେ ତ କେମିତି କୁତ୍‌କୁତିଆ ଲାଗିବ–କାନ ପାଖରେ ‘କୁର୍‌ର୍‌ର୍‌ର୍‌’ କଲେ ଯେମିତି ଲାଗେ ।

 

ତା’ର ମନେ ପଡ଼ିଲା ଥରେ ପରୀକ୍ଷା ହଲ୍‌ରେ ପରୀକ୍ଷା ଖାତା ଦସ୍ତଖତ କଲାବେଳେ ଗୁନାଭାଇ ଫିସ୍‌ ଫିସ୍‌ କରି କହିଥିଲେ;–‘‘ଯାହାଆସୁଛି ଶୀଘ୍ର ଶୀଘ୍ର ଲେଖି ଯା । ତୁ ତ ମଠୋଇଟା-। ଏତେ ଡେରିରେ ପରୀକ୍ଷା ହଲ୍‌କୁ ଆସୁଛି କାହିଁକି ?’’

 

କବାଟ ପାଖକୁ ଝରକାଟା । ଘର ଭିତରେ ଏଇ ଝରକା ପାଖକୁ ଲାଗି ତା’ ଭାଇ, ନୂଆବୋଉଙ୍କ ପଲଙ୍କ । ସେଇଠି ଶୋଇ ସେମାନେ ଟୁପ୍ ଟାପ୍‌ କଥାବାର୍ତ୍ତା ହେଉଛନ୍ତି । ରେଖା ସେମାନଙ୍କ କଥା ଶୁଣିବାକୁ ଝରକା ପାଖକୁ ଯିବାକୁ ଭାବିଲା । କାଳେ ଉଠିପଡ଼ିଲା ବେଳେ ତା ଆଣ୍ଠୁଟା ଠକ୍‌ କରି ଫୁଟି ତାକୁ ଧରା ପକାଇ ଦେବ, ସେଥିପାଇଁ ସେ ଝରକା ପର୍ଯ୍ୟନ୍ତ ଗୁରୁଣ୍ତି ଗୁରୁଣ୍ତି ଯାଇ ସେମାନଙ୍କ କଥାବାର୍ତ୍ତା ଶୁଣିବାରେ ମନ ଦେଲା,-

 

‘‘ନିଦ ଲାଗିଲାଣି ମ ।’’ [ନୂଆବୋଉଙ୍କୁ ନିଦ ଲାଗିଲାଣି ।]

 

-‘‘ମିଛୋଇ । ଇମିତି କାହାକୁ ନିଦ ଲାଗେ ?’’ [ରେଖା ଝରକା ପାଖକୁ ଲାଗି ଆସି ସେମାନଙ୍କ କଥା ଶୁଣିବାରେ ମନ ଦେଲା ।]

 

-‘‘ମତେ ଭଲ ଲାଗୁନି ।’’ [-‘ଗପିବେ ବୋଲି କ’ଣ କାବୁଲୁନା ତାଙ୍କୁ ଟିକିଏ ଶାନ୍ତିରେ ଶୁଆଇ ଦେବନି ।]

 

-‘‘ସ୍ୱପ୍ନା ! ସ୍ୱପ୍ନା ମୋର ।’’ [-ନୂଆ ବୋଉଙ୍କ ନାଁ ତ ସ୍ୱପ୍ନା ନୁହେଁ । ]

 

-‘‘........ ।’’ {ନିଦ ହୋଇଗଲା ବୋଧେ । କିଛିତ ଶୁଣା ଯାଉନି ।}

 

-‘‘......... ।’’

 

[ରେଖା ନିବିଷ୍ଟ ଭାବରେ ବସି ରହିଲା । ସେ କେଉଁଠି ଅଛି ସେ କଥା ସେ କେମିତି ଭୁଲିଗଲା । ପୁଣି ସେଇ ଟୁପ୍ ଟାପ୍‌ ଓ ଫିସ୍‌ ଫିସ୍‌ କଥା ଶୁଣାଗଲା । ରେଖାକୁ ଜଣାଗଲା ଯେମିତିକା ଗୁନାଭାଇ ତା କାନରେ କ’ଣ ଫିସ୍‌ ଫିସ୍‌ କରି କହୁଛନ୍ତି । ତା’ର ଆଖି ବନ୍ଦ ହୋଇ ଆସିଲା ।]

 

-‘‘ଛିଃ, ତୁମେ ଆଜି ଖିଅର ହେଇନ ।’’

 

[ନୂଆ ବୋଉଙ୍କର ଏଇ କଥା ଶୁଶି ରେଖାକୁ ଲାଗିଲା ସତେ ଅବା ଗୁନାଭାଇଙ୍କର ନିଶଗୁଡ଼ାକ ତା’ ଉପର ଓଠର ଧାରେ ଧାରେ ଫୋଡ଼ି ଫୋଡ଼ି ହୋଇ ଯାଉଛି, ତାକୁ କେମିତି ସଲ୍‌ ସଲ୍‌, ସଲ୍‌ ସଲ୍‌ ଲାଗିଲା ସେ ବସିବା ଯାଗାରୁ ହଠାତ୍‌ ଘୁଞ୍ଚି ଆସିଲା କିଲ୍‌ କାଲିଆ ହୋଇ । ବାରଣ୍ତାରେ ଥିବା ବାଲିଟିଟା ଅଗାଣାକୁ ଖସିପଡ଼ିଲା ରାତିର ଅଂଧାର ଭିତରେ ବାଲ୍‌ଟିର ଝଣ୍‌ ଝାଣ୍‌ ଶବ୍‌ଦ ଭାରି ଗମ୍ଭୀର ଶୁଣାଗଲା । ରେଖାର ଭାଇ କହିଲେ,–‘‘କିଏ’’ ?

 

ଭାଇଙ୍କ ଭୟରେ ତା’ ଛାତି ଧପ୍‌ ଧପ୍‌ ହୋଇଗଲା । ଚୁପ୍‌ ଚାପ୍‌ ଆସି ସେ ଶୋଇଗଲା ତା’ ବିଛଣାରେ । ତାକୁ ଲାଗିଲା ଅଂଧାର ଗୁଡ଼ାକ ତା’ଚାରିପାଖେ ଚକର କାଟୁଛନ୍ତି । ଚାରିଆଡ଼େ ଖାଲି ଅଂଧାର, ଅଂଧାର । କିନ୍ତୁ ଅଂଧାରର ସେଇ ଛାଇଗୁଡ଼ାକ ତା’ ଆଖି ଆଗରେ ଆଉ ନାଚ କରୁ ନଥିଲେ । ଆଖି ବନ୍ଦ କରି ସେ ଶୋଇ ପଡ଼ିବାକୁ ଚେଷ୍ଟା କଲା ।]

Image

 

ବିଲେଇ

 

ବଡ଼ ବଡ଼ ଢିମା ଢିମା ଦୁଇଟା ଆଖି । ସେ ଚାହାଁଣି ସତେ ଯେପରି ଛାତିରେ ପଶିଯାଏ-। ଭୟ ଲାଗେ । ଚକାଳିଆ ଗମ୍ଭୀର ମୁହଁ–ବାଘ ପରି । ଖୁବ୍‌ ମୋଟା ମୋଟା ହାତଗୋଡ଼-। ବାପା ଡାକନ୍ତି, ବଳିଆ ।

 

ସ୍କୁଲରୁ ଫେରିଲାବେଳକୁ ଅଧିକାଂଶ ଦିନ ବାପାଙ୍କ ବୈଠକଖାନାରେ ଏଇ ଝରକା ପାଖରେ ବସି ଥିବାର ଦେଖେ । ସେ ଆଡ଼କୁ ନ ଚାହିଁବାକୁ ଭାବୁଥିଲେ ବି ଚାହିଁ ହୋଇଯାଏ । ଭୟ ଲାଗେ । ତରତର ହୋଇ ପଳାଇଗଲେ ଛନ୍ଦି ହୋଇଯାଏ ଲୁଗାଟା !

 

ଆରେ, ଏଇଟା ତ ସ୍କୁଲପିନ୍ଧା ଲୁଗା ! ଏତେବେଳେ ଯାଏଁ ବଦଳି ନି ? ବୋଉ ଥିଲେ, ରାଗ ହୋଇଥାନ୍ତା । ବାପାଙ୍କ ସାଙ୍ଗରେ ବୋଉ ସିନେମା ଦେଖି ଯାଇଛି । ଘରେ ମୋତେ ଏକା ଛାଡ଼ିଦେଇ ଗଲା । ଯାଉ । ଭଲ । ଘର ଭିତରେ ଏମିତି ଏକା ଏକା ରହିବାକୁ ଭଲ ଲାଗୁଛି ।

 

(ରେଖା ଝରକା ପାଖରେ ଠିଆହୋଇି ଫୁଲବଗିଚା ଆଡ଼କୁ ଚାହିଁଲା । ଚଉଦ ବରଷର ଝିଅ ରେଖା–ଏବେ ତେର ପୂରି ଚଉଦ ଚାଲିଛି । ପାଠ ପଢ଼ୁଛି ୯ମରେ ।)

 

ବଗିଚାରେ କେତେ ଫୁଲ ଫୁଟିଛି । ଅସୁମାରି ଧଳା ଧଳା ଫୁଲ–ହେନା ଆଉ ଗଙ୍ଗଶିଉଳୀ । ଏ ଅଂଧାର ରାତିରେ ଏଇ ଫୁଲଗୁଡ଼ାକ ତାରା ଫୁଟିଲା ଭଳି ଦିଶୁଛି । ଏଃ, କି ବାସ୍ନା-! ଆଉ ସେ ଝରକା ପାଖକୁ ଲାଗି ଯେଉଁ ବାଓଗନ୍‌ ଭିଲିଆ ଗଛ–ଫୁଲ ଭାରରେ ଯେମିତି ଭାଙ୍ଗି ପଡ଼ୁଛି । ବାଓଗନ୍‌ ଭିଲିଆ ଫୁଲ ଖାଲି ନାଲି ନାଲି । ନାଲି ରଙ୍ଗର ଫୁଲ କେଡ଼େ ସୁନ୍ଦର-! ବଗିଚାଟା ଯାକ ଖାଲି ନାଲି ନାଲି ଫୁଲ ଫୁଟନ୍ତା କି ? ଏଇ ଫୁଲଗୁଡ଼ାକ କେଡ଼େ ନାଲି–ରକ୍ତ ଭଳି, ନାଇଁ; ବଳରାମ-ବାବୁଙ୍କର ସେଇ ସିଲ୍‌କ ହାଓ୍ୱାଇ ଭଳି । ବଳରାମ ବାବୁ–ବାପାଙ୍କର ପର୍‌ସନାଲ୍‌ ଆସିଷ୍ଟାଣ୍ଟ । ବାପା ଡାକନ୍ତି ବଳିଆ–ଆଗେ ତାଙ୍କର ଛାତ୍ରଥିଲେ ବୋଲି ।

 

(ରେଖା ସେ ଝରକା ପାଖରୁ ଆର ଝରକା ପାଖକୁ ଯାଇ ଝରକା ରେଲିଂ ଉପରେ ମୁହ ରଖି ଚାହିଁଲା ବଗିଚାକୁ । ପବନରେ ମହକ । ରେଖାର ଆଖି ଦୁଇଟା ବନ୍ଦ ହୋଇଗଲା ମୁହୂର୍ତ୍ତକ ପାଇଁ ।)

 

ବଗିଚା ଆର ପାଖେ କେନାଲଟା । କେନାଲ କୂଳରେ ସିନେମାଘର । ବୋଉ ତା’ ସାଙ୍ଗରେ ସିନେମା ଦେଖାଇ ନେବାକୁ ରାଜି ହେଉନି । ସିନେମା ଦେଖିଲେ କ’ଣ କ୍ଷତି ? ରତିଅପା ଥିଲାବେଳେ ତାକୁ କେମିତି ସାଙ୍ଗରେ ନେଇ ସିନେମା ଯାଉଥିଲା !

 

ସେଇ ଥରକ–ସ୍କୁଲ ହତାରେ ସିନେମା ହେଉଥିବାବେଳେ ଯାହା ଦେଖିବା କଥା । ବହୁଦିନ ହୋଇଗଲାଣି । ଆଉ ମନେ ପଡ଼ୁନି–କ’ଣ ତ...ଗୋଟାଏ କ’ଣ ବଡ଼ ସଭା ହେଉଥାଏ । ଅନେକ ରାଜା ବସିଥାଆନ୍ତି । ଗୋଟାଏ ରାଜା ଉଠି ଆସିଲା । ଖୁବ୍‌ ମୋଟା ମୋଟା ବାହୁ । ଓସାରିଆ ବାଳବାଳୁଆ ଛାତି । ଚକା ବାଘୁଆ ମୁହଁ–ଠିକ୍‌ ସେଇଭଳି । ଇଲୋ ମା ! କେଡ଼େ ବଡ଼ ମରଦ ! ଠିକ୍‌ ସେଇ ଭଳି ବଡ଼ ବଡ଼ ଢିମା ଢିମା ଆଖି । ସେମିତି ଗହୀରିଆ ଚାହାଁଣି । ସେ କଣ କଲା ନା’–ଗୋଟାଏ ମାଇପିକୁ ଟାଣି ଆଣି ତା’ ଦେହରୁ ଗୋଟି ଗୋଟି କରି ଲୁଗା ବାହାର କରି ପକାଇଲା । ସେ ଯେତେ ଲୁଗା ଫିଟାଉଥାଏ, ମାଇପିଟା ଦେହରୁ ସେତେ ସେତେ...

 

(ରେଖା ନିଜର ନଗ୍ନଦେହଟା ଦେଖି ଚମକି ପଡ଼ିଲା । ଏଣୁ ତେଣୁ ଭାବୁ ଭାବୁ ସେ ତା’ ଅଜ୍ଞାତରେ କେତେବେଳେ ନିଜ ଦେହରୁ ଲୁଗାପଟା ଖସାଇ ପକାଇଛି । ଆଗରେ ତା’ ବାପାଙ୍କ ବୈଠକଖାନାର ଚାରି ଫୁଟିଆ ବଡ଼ ଦର୍ପଣଟା । ଦର୍ପଣରେ ନିଜର ପ୍ରତିଛବି ଦେଖି ରେଖା ବିସ୍ମିତ ହେଲା ।)

 

କ’ଣ ଦେଖାଯାଉଛି ଏ ଦେହ !! ରତିଅପା ଥିଲେ କେତେ ଚିଡ଼ାଉ ଥାଆନ୍ତା– ।

 

‘‘କୋଦେଇ ମାତା

 

ଦିଅଁ ଦେବତା ।’’

 

(ରେଖା ପାଖ ଘରୁ ଶାଢ଼ୀଟିଏ ଆଣି ପିନ୍ଧିବାକୁ ଆରମ୍ଭ କଲା ।) ସତେ, ମୁଁ କ’ଣ ଦେଖାଯାଉଛି !! –ଗୁନାଭାଇଙ୍କର ସେଇ ଲଙ୍ଗଳା ଲଙ୍ଗଳା ମାଇପି ଛବିଗୁଡ଼ାକ ଭଳି ।

 

ଗୁନାଭାଇ ସେଇ ପାତଳିଆ, ସାବନ ବର୍ଣ୍ଣର ମଣିଷଟି । ମୁରୁକି ମୁରୁକି ହସନ୍ତି । ହସିଲେ, ନିଶ ତାଙ୍କର ଫୁଲି ଉଠେ । ପାତଳ ମୁହଁକୁ କଳା ମଚମଚ ସାରୁଆ ଲମ୍ବା ନିଶ ଭଲ ଦିଶେ-

 

ବାଣୀ କହୁଥିଲା–ସେ ତାଙ୍କ ଆଡ଼କୁ ଚାହିଁଲେ, ତା’ ଆଖି ଦି’ଟା ଆଗେ ତାଙ୍କ ନିଶ ଉପରେ ପଡ଼ିଯାଏ । ବାଣୀଟା ତାଙ୍କ ମୁହଁଙ୍କୁ ଚାହିଁ ଚାହିଁ କତଥାବାର୍ତ୍ତା ହେଉଥିବ, ହେଁ ହେଁ ହୋଇ ହସୁଥିବ । ଯେତେ ଭାବିଲେ ବି କାହିଁକି ତାଙ୍କ ମୁହଁକୁ ସିଧା ଚାହିଁପାରେ ନି ।

 

ଗୁନାଭାଇ ଗାର୍ଲସ କମନ୍‌ ରୁମ୍‌ ବାଟେ ଯାଉଥିଲାବେଳେ ତାଙ୍କୁ ଶୁଣେଇ ଶୁଣେଇ ବଡ଼ ପାଟିରେ କଥାବାର୍ତ୍ତା ହେବାକୁ ଇଚ୍ଛା ହୁଏ, ନ ହେଲେ ତାଙ୍କର କବିତାରୁ ହଠାତ୍‌ ପଦେ ଗାଇ ଦେବାକୁ ମନ ହୁଏ । କିନ୍ତୁ ସମାନାରେ ପଡ଼ିଗଲେ ମୁହଁ କେମିତି ଆପେ ଆପେ ତଳକୁ ହୋଇଯାଏ-। ଲାଜ ଲାଗେ ।

 

ଗୁନାଭାଇଙ୍କର କେଡ଼େ ଇଚ୍ଛାଥିଲା ମତେ ବାହା ହେବାକୁ ! କିଛି କହି ପାରିଲି ନି ସିନା-!

 

ଥରେ ଖାଲି ଏତିକି କହିଥିଲେ–‘‘ରେଖା ! ତତେ ଗୋଟାଏ କଥା କହନ୍ତି ଯେ କ’ଣ ଆଉ କହିବି ! ତୁ ତ ଛୁଆଟାଏ !’’

 

ଏବେ ଥରେ ହେଲେ ଗୁନାଭାଇଙ୍କ ସାଙ୍ଗେ ଦେଖା ହୁଅନ୍ତା ! ରତିଅପା ଯାହା କହୁଥିଲା, ସତ । ଗୁନାଭାଇ ପ୍ରଫେସର ହୋଇ କୁଆଡ଼େ ଗଲେଣି ।

 

ସେ ସ୍କୁଲ ଛାଡ଼ିଲା ଦିନ କାହିଁକି ବହୁତ କାନ୍ଦ ଲାଗିଲା । ଦାନ୍ତରେ ଦୁଇ କଳ ଚାପିରଖି ଯେତେ କାନ୍ଦ ରୋକିବାକୁ ଚେଷ୍ଟାକଲେ ବି ରୋକି ହେଲା ନି । କାହିଁକି ବାଣୀକୁ ତ କାନ୍ଦ ଲାଗିଲା ନି । ସେ କାନ୍ଦ ଦେଖି ଗୁନାଭାଇ କ’ଣ ଭାବିଥିବେ ?

 

(ରେଖାର ଦୃଷ୍ଟି ପଡ଼ିଲା ଦର୍ପଣ ଉପରେ)

 

ଆରେ, ସେତେବେଳୁ ଶାଢ଼ୀଟା ଏ ପର୍ଯ୍ୟନ୍ତ ପିନ୍ଧା ସରିନି । ଏଃ. ଏଇ ଲୁଗା ପିନ୍ଧାଟା ବଡ଼ ଅଡ଼ୁଆ ଅଡ଼ୁଆ ଲାଗୁଛି । ନୂଆ ନୂଆ କରି ପିନ୍ଧିବା କଥା । ଯେତେ ଯେମିତି ପିନ୍ଧିଲେ ବି ଲଣ୍ତସଣ୍ତ ଲାଗୁଛି । ଅଣ୍ଟାରେ ଲୁଗା ରହୁନି । ସେ ସେଲୁଆର-ପଞ୍ଜାବୀ ଭଲ ଥିଲା । ଏବେ ସେଲୁଆର-ପଞ୍ଜାବୀ ପିନ୍ଧିବାକୁ କହିଲେ ବୋଉ ଖାଲି ରାଗ ହେଉଛି ।

 

ବାଣୀଟା କି ସୁନ୍ଦର ଲୁଗା ପିନ୍ଧି ପାରୁଛି । ତା’ର ଅଭ୍ୟାସ ହୋଇଗଲାଣି । କେତେ ସିଏ ଫୁଲୁଛି ଦିନକୁ ଦିନ । କହୁଥିଲା,–ସେ ଗୋଟାଏ ଶିଖ୍‌କୁ ବାହା ହେବ । ଶିଖ୍‌ଟାକୁ କାହିଁକି ବାହା ହେବ ? ବାପ୍‌ରେ । ଶିଖ୍‌ଗୁଡ଼ାକ କେଡ଼େ କେଡ଼େ ମଣିଷ-କି ହୁଣ୍ତାଳିଆ ଚେହେରା ! ବଳରାମବାବୁଙ୍କ ଭଳି । କାହିଁକି ବାଣୀ ଏଇ ବଳରାମବାବୁଙ୍କୁ ବାହା ହେଉ ନି ? ମୋଟାମୋଟା ମରଦଙ୍କୁ ବାହା ହେଲେ କ’ଣ ଭଲ ?

 

ରତିଅପା ବର ପାତଳିଆ ମଣିଷ,–ଗୁନାଭାଇଙ୍କ ଭଳି । ଗୁନାଭାଇ ପାତଳିଆ ହେଲେ କ’ଣ ହେବ, ଭଲ ଦିଶନ୍ତି ତ । କିନ୍ତୁ ରତିଅପା ବରକୁ ଦେଖି ସମସ୍ତେ କହିଲେ,–ଝିଅକୁ ଚାହିଁ ବର ହେଲାନି । ଦିଅର ଭାଉଜ ଭଳି ଦିଶିବେ ।

 

ବାଣୀକୁ କାଲି କହିବି ବଳରାମବାବୁଙ୍କ କଥା । ବଳରାମବାବୁଙ୍କର କି ଗମ୍ଭୀର ସ୍ୱର ! ଆମ ଇଂରେଜୀ ସାର୍‌ଙ୍କ ସ୍ୱର ଭଳି । ନାଇଁ, ନାଇଁ ବାପାଙ୍କ ସ୍ୱର ଭଳି । ବାପା କଥା କହୁ କହୁ କହିବେ,–‘‘ବୁଝିଲ ?’’ ତା’ପରେ ଗମ୍ଭୀର ସ୍ୱରରେ ଗଳା ସଫା କରିବେ । ବାପାଙ୍କର ଏଇ ସ୍ୱରକୁ ବୋଉ ଭାରି ଚିଡ଼େ ।

 

-ହେଇଟି, ଫୋନ୍‌ରେ କିଏ ଡାକିଲାଣି ।

 

ରେଖା ଫୋନ୍‌ ଉଠାଇ ତା’ ବାପାଙ୍କ ଭଳି ଗମ୍ଭୀର ସ୍ୱରରେ କହିଲା,–‘‘ହଲୋ ?’’ ଉତ୍ତର ଆସିଲା,–‘‘ସାର୍‌ ! ମୁଁ ବଳରାମ କହୁଛି । ସାର୍‌ ଗୋଟାଏ ଜରୁରୀ କାମ ଅଛି,–ଏଇ ଯାଉଛି ଆପଣଙ୍କ ପାଖକୁ ।’’ ରେଖା ଧଡ଼ କରି ଥୋଇଦେଲା ଟେଲିଫୋନ୍‌ଟା ।

 

ବଳରାମବାବୁ ଏଇନେ ଆସିବେ । ବାପା ନାହାନ୍ତି ବୋଲି କହିବାକୁ ମନେ ପଡ଼ିଲା ନି । ରାତି କେତେ ହେଲାଣି । ବୋଉ ଏତେବେଳ ଯାଏଁ ଫେରିନି ।

 

ବାଣୀ କହୁଥିଲା, ଏଇ ପିକ୍‌ଚର୍‌ଟା ଡେରିରେ ସରୁଛି । ବୋଉ ଆସୁ ଆସୁ ଯଦି ଡେରି ହୁଏ... ?

 

ସେ ଗୋପିଆଟା ହେଲେ ଥାଆନ୍ତା ! ଗୋପିଆ–ମାଇଚିଆଟା । ସନ୍ଧ୍ୟାବେଳୁ ପଢ଼ାଘର ଦୁଆର ପାଖେ ବସିଥିବ । ଶେଷକୁ ଘୂମାଇ ଘୂମାଇ ସେଇଠି ଶୋଇବ । ବସିଥିବ, ବଲ ବଲ କରି ମୁହଁକୁ ଚାହିଁଥିବ । ତା’ ଆଡ଼କୁ ଚାହିଁଲେ ମୁହଁ ଫେରାଇ ନେବ । ପଚାରିଲେ, କହିବ–‘‘କିଛି ନାଇଁ-।’’

 

ଯେତେ ସବୁ ବାଜେ କଥା ଗପିବ । ତା’ ତୁଣ୍ତକୁ କଣ ବାଡ଼ ବତା ଅଛି ! ଚୁପ୍‌ ଚୁପ୍‌ କରି କହିବ–ଦେଈ, ଦେଈମ ! ତମ ପାଇଁ ଗୋଟିଏ ମୋଟାମୋଟି ଗୋଲଗାଲ ବାଲା ବର କରିବା ।

 

ମୋଟାମୋଟି ହୋଇ ଗୋଲ୍‌ ଗାଲବାଲା ବର... । କ’ଣ ଏଇ ବଳରାମବାବୁଙ୍କ ଭଳି...-?

 

ଗୋପିଆ କହୁଥିଲା, ବଳରାମବାବୁ ଭାରି ହୁଣ୍ତା, ଖେଚଡ଼ ।

 

ହୁଣ୍ତା... ?

 

ଖେଚଡ଼...... ? ବୋଉ ଏତେବେଳ ଯାଏଁ ଆସି ନି । ଯଦି ବଳରାମବାବୁ ଏଇନେ ଆସିଯିବେ.... ?

 

ନିଜର ମନ ଭୁଲାଇବାକୁ ରେଖା ବହିଟା ଖୋଲି ପଢ଼ିବାକୁ ବସିଲା । ପଢ଼ୁ ପଢ଼ୁ ବହିର ଅକ୍ଷରଗୁଡ଼ାକ ଗୋଟାକ ଦୁଇଟା ହୋଇ ତାକୁ ଦେଖାଗଲା । ତା ପରେ ଅକ୍ଷରଗୁଡ଼ାକ କ୍ରମେ ଅସ୍ପଷ୍ଟ ହୋଇଗଲା । ତା’ରି ଭିତରେ ତାକୁ ଦେଖାଗଲା ଗୋଟାଏ ଚକା ମୁହଁରେ ଦୁଇଟା ବଡ଼ ବଡ଼ ଆଖି ।

 

ବଳରାମବାବୁ ! ସେଇ ମୋଟା ଲୋକଟା । ଚକା ମୁହଁରେ ଢିମା ଢିମା ଆଖି ବିଲେଇ ଆଖି ପରି । ଗାରେଡ଼େଇ ଗାରେଡ଼େଇ ଚାହାନ୍ତି–ଭାଡ଼ି ଉପରୁ ବିଲେଇ ଯେମିତି ତେରଛା ଭାବରେ ଚାହେଁ ।

 

ସେଦିନ..... ଦାଣ୍ତ ଦୁଆରେ ଠିଆ ହୋଇଥିଲାବେଳେ, ହଠାତ୍‌ ଆସି ପଚାରିଲେ ସାର୍‌ ଅଛନ୍ତି ? ନାହାନ୍ତି ? କୁଆଡ଼େ ଯାଇଛନ୍ତି ? ଫେରିଲେ କହିବେ–ମୁଁ ଆସିଥିଲି । ମୋ ନା ଜାଣିଛନ୍ତି-? ......ଏମିତି କେତେ କ’ଣ । କେତେ ପାଖକୁ ଲାଗି ଠିଆ ହୋଇଥିଲେ । ଭାରି ଭୟ ଲାଗୁଥାଏ-। କେତେ ଉଚ୍ଚ ସାର ମଣିଷ । ଏଇ ଆଲମାରୀ ଉଚ୍ଚ ।

 

ଦାଣ୍ତ ଫାଟକଟା ଖଡ଼୍‌ ଖଡ଼୍ ହେଲା । ରେଖା ଚମକି ପଡ଼ି କବାଟ ପାଖରେ କାନ ଡେରିଲା–କାହାର ପାଦଶବ୍ଦ ଶୁଣା ଯାଉଛି କି ନାହିଁ ଜାଣିବାକୁ ।

 

ନାଇଁ, କେହି ନାହିଁ । ଏତେବେଳ ଯାଏ ବୋଉଟା ଆସିଲା ନି । ସିନେମା କ’ଣ ଭାଙ୍ଗିନି-? ବୋଉ କହୁଥିଲା, ଆସିଲା ବେଳେ ବଜାରରୁ କଣ କିଣାକିଣି କରି ଆସିବ । ବାପା ଆଜି ଦରମା ପାଇଚନ୍ତି । ବୋଉ ଆସୁ ଆସୁ ଯଦି ଡେରି ହୁଏ...... ? ଘରଟା କାହିଁକି କେମିତି ମାଡ଼ି ମାଡ଼ି ପଡ଼ିଲା ଭଳି ଲାଗୁଛି ।

 

ରେଖା ଟେବୁଲ୍‌ ପାଖକୁ ଫେରି ଆସିଲାବେଳେ ତା’ର ନଜର ପଡ଼ିଲା କାନ୍ଥରେ ଝୁଲୁଥିବା ଫଟୋଟା ଉପରେ । ତା’ ବାପା ଓ ତାଙ୍କ ଅଫିସ ଲୋକଙ୍କର ଫଟୋ ଉଠିଛି ।

 

ତଳୁ ଚାହିଁଲେ ଫଟୋ ଭିତରୁ ସେ ଜାଣି ହୋଇ ଯାଉଛନ୍ତି । ବାପ ରେ ! କି ହୁଣ୍ତାଳିଆ ଚେହେରା, ସ୍କୁଲକୁ ଗଲାବେଳେ ଦିନେ ଦିନେ ବାଟରେ ଦେଖାହୋଇଯାଏ । ଦୂରରୁ ତାଙ୍କୁ ଦେଖି ନ ଚାହିଁବାକୁ ଭାବୁଥିଲେ ବି ଚାହିଁ ହୋଇଯାଏ । ଆଖିରେ କଳା ଚଷମା ପିନ୍ଧିଥାନ୍ତି ବୋଲି ରକ୍ଷା । ଦେଖାହେଲେ, ମୁହଁକୁ ଚାହିଁ ହସିବେ, ପଚାରିବେ,–କ’ଣ ସ୍କୁଲକୁ ? ନ ହେଲେ,–‘‘ସାର୍‌ ଅଛନ୍ତି-?’’ ଏମିତି କିଛି ।

 

ଆଜି ସେମିତି ବାଟରେ ପଚାରିଲେ,–‘‘କ’ଣ ମନ ଭଲ ନାହିଁ ?’’ ବାଣୀକୁ ଏସବୁ କହିବାରୁ ଖାଲି ହସିଲା । କହିଲା–‘‘ସିଏ ବଡ଼ ବିଲେଇ ।’’

 

ଗୋପିଆ କହୁଥିଲା,–ବଳରାମବାବୁ ହୁଣ୍ତା, ଖେଚଡ଼ । ରାତି କେତେ ହେଲାଣି । ବଳରାମବାବୁ ଯଦି ଏଇନେ ଆସିବେ...... ?

ଘର ଭିତରେ ଖଡ଼୍‌କରି କ’ଣ ଗୋଟାଏ ଶବ୍ଦ ହେଲା । ରେଖା ଆଶଙ୍କିତ ଆଖିରେ ଚାହିଁଲା ଚାରି ଆଡ଼କୁ ।

ଆସିଲେ !!! ନାଇଁ......

ବାପ ରେ ! କାଲି ରାତିରେ ସେଇ ଯେଉଁ ଭୟଙ୍କର ସ୍ୱପ୍ନ,–ବଗିଚା ଆର ପାଖ ଆମ୍ବଗଛ ମୂଳେ ଯେଉଁ ଉଇହୁଙ୍କାଟା ଅଛି, ବଳରାମବାବୁ ତା’ରି ଉପରେ ବସି କ’ଣ ମନ୍ତ୍ର ପଢ଼ି ଗୋଟାଏ ବାଘ ପାଲଟି ଗଲେ, ତା’ପରେ ଝରକା ଭାଙ୍ଗି ହଠାତ୍‌ ମୋ ଶୋଇବା ଘର ଭିତରକୁ ପଶି ଆସି ମାଡ଼ି ବସିଲେ ।

ରେଖାର ଦେହ ଶିତେଇ ଗଲା ।

ଜେଜେମା’ ତ ଟୁଲୁକୁ ଏମିତି କେତେ ପାଲଟା ବାଘ କଥା କହେ ।

ଘର ଭିତରେ ପୁଣି ଥରେ ଖଡ଼୍‌ ଖଡ଼୍‌ ଶବ୍ଦ ହେଲା । ରେଖା ଚମକି ପଡ଼ି ଚାହିଁଲା ପଛକୁ-। ଦେଖିଲା,–ସେଇ ପାଖ ଆଲମାରୀ ଉଚ୍ଚରେ ସେଇ ବଡ଼ ବଡ଼ ଢିମା ଢିମା ଆଖି ଦୁଇଟା । ସେଇ ଚାହାଁଣି । ସେଇ ଗମ୍ଭୀର, ଗୋଲ ମୁହଁ । ରେଖା ଥକା ହୋଇଗଲା । ହଠାତ୍‌ ଟେବୁଲ ଉପରେ ଥିବା ମୋଟ ରୋଲ୍‌ ବାଡ଼ିଟାରେ ସେହି ଗମ୍ଭୀର ଗୋଲ ମୁହଁଟାକୁ ପାହାରେ ପିଟିଦେଇ ସେ ପାଖ ଘରକୁ ଦୌଡ଼ିଗଲା ଏବଂ ଭିତର ପାଖରୁ କବାଟଟା ବନ୍ଦକରି ଠେଲି ଧରିଲା ।

 

ଓଃ ! ଖିଡ଼ିକିଟା କେତେ ଉଚ୍ଚରେ । ହାତ ପାଉନି ।

 

ରେଖା ସମସ୍ତ ବଳ ଖର୍ଚ୍ଚ କରି ପେଲିଧରିଲା କବାଟଟା । ତାକୁ ଜଣାଗଲା, ତାର ଦେହ ହାତ ସବୁ ହାଲୁକା ହୋଇ ଯେପରି ଉଡ଼ି ଯିବାକୁ ବସିଛି । ମୁଣ୍ତଟା ତା’ର ଝିମ୍‌ ଝିମ୍‌ ଲାଗୁଥିଲା । କଟା ଗଛ ପଡ଼ିଲା ଭଳି ରେଖା ହଠାତ୍‌ ତଳେ ଖସି ପଡ଼ିଲା ।

 

ଚେତା ଆସିବା ପରେ ରେଖା ଦେଖିଲା, ତା’ ବୋଉ ଝରକା ପାଖେ ଡାକୁଛି । ରେଖା ଦାଣ୍ତଘର ଦୁଆର ଖୋଲି ତା’ ବୋଉ ଅଣ୍ଟାରେ ହାତ ରଖି ଭିତରକୁ ଆସିଲା । ଚାରିଆଡ଼କୁ ଆଖି ବୁଲାଇ କହିଲା,–‘‘ବୋଉ ! ତୁ ଏତେବେଳେଯାଏଁ କଅଣ କରୁଥିଲୁ ?

 

ବୈଠକଖାନାରୁ ଡାକ ଶୁଭିଲା,–‘‘ହଇଏ ! ହେଇଟି ଦେଖିଯାଅ, ଦେଖିଯାଅ ।’’

 

ରେଖା ତା ବୋଉର ପଣତ କାନି ଧରି ପଛେ ପଛେ ଗଲା । ଆଲମାରୀ ପାଖକୁ ମରି ପଡ଼ିଛି ବଡ଼ ବିଲେଇଟାଏ । ଦୁଇ ଧାଡ଼ି ଦାନ୍ତ ମଝିରେ ଜିଭଟା ଚାପି ହୋଇ ବାହାରକୁ ବାହାରି ଆସିଛି । ପାଖରେ ତାର ରୋଲ ବାଡ଼ିଟାଏ ଗଡ଼ୁଛି ।

 

କିଏ ମାରିଛି ? –ପଚାରିଲା ଦୁଇଟି ଆଖିର ଚାହାଣୀ ଲମ୍ବି ଆସିଲା ରେଖାର ମୁହଁ ଉପରକୁ । ରେଖା ବିସ୍ମିତ ହେଲା ।

 

-ସତେ, କିଏ ମାଇଲା !!

 

ଲୋହିତ ଅଂଧାର

 

କାର୍‌ଟା ଚାହୁଁ ଚାହୁଁ ଛୋଟ ହୋଇଯାଉଛି । ଦିଶୁଛି, ଯେମିତି ମେଞ୍ଚାଏ ଅଂଧାର ।

 

କେହି କୁଆଡ଼େ ନାଇଁ । ଦି’ପହର ଖରା । ଏକୁଟିଆ ରାସ୍ତାଟା ଲମ୍ବି ଯାଇଛି । ଦି’ ପାଖରେ କୃଷ୍ଣଚୂଡ଼ା । ଫୁଲ ଫୁଟିଛି । ନାଲି, ନାଲି ହଳଦିଆ ହଳଦିଆ ଫୁଲ ।

 

ବୋଉ ବଜାରକୁ ଗଲା । କେତେବେଳକୁ ଆସିବ କୋଉ ଠିକଣା ଅଛି ? ପୁଣି ବାପା ଯେମିତି ଗପୁଡ଼ି । ରାସ୍ତାରେ କାହା ସହିତ ଗପୁଥିବେ ତ ଗପୁଥିବେ । ବୋଉ ଏକା ଏକା ବିରକ୍ତ ହେଉଥିବ । ଏଣେ ମୁଁ ଏକୁଟିଆ...

 

କେହି କେଉଁଠି ନ ଥିଲେ । ଲୋକଟିଏ କୁଆଡ଼ୁ ଆସି କୃଷ୍ଣଚୂଡ଼ା ମୂଳେ ଠିଆ ହେଲାଣି । ପେଣ୍ଟ ଜାମା ପିନ୍ଧିଛି–‘ହଳଦୀ ବସନ୍ତ ।’

 

ରେଖା ମନେ ମନେ ହସିଲା ।

 

ହଁ ହଁ ହଳଦୀ ବସନ୍ତ । କୃଷ୍ଣଚୂଡ଼ା ଫୁଲ ସାଙ୍ଗକୁ ହଳଦିଆ ପେଣ୍ଟ ଓ ଗେରୁଆ ଜାମା । ଭଲ ନାଁଟିଏ ହେଲା–‘ହଳଦୀ ବସନ୍ତ ।’ ରୀତା ଶୁଣିଲେ ଭାରୀ ହସିବ ।

 

‘ହଳଦୀ ବସନ୍ତ’ ମୋରି ଆଡ଼କୁ ଚାହୁଁଛି । କ’ଣ ଭାବୁଛି ? ଭାବୁଛି କି ରେଖା ସବୁଦିନେ ସେଲୁଆର ପଞ୍ଜାବୀ ପିନ୍ଧେ, ଆଜି ଶାଢ଼ୀ ପିନ୍ଧଛି । ଶାଢ଼ୀଟା ତା’ ବୋଉର ହୋଇଥିବ । ଶାଢ଼ୀ ପିନ୍ଧିଛି, ବ୍ଲାଉଜ ନାଇଁ । ଗୋରାଦିହ ଦେଖାଯାଉଛି । ଦିଶିଲେ ଦିଶୁଥାଉ । କ’ଣ ହେଲା ସେଠୁ ? ଆମ ଫାଟକ ଭିତରେ ମୁଁ ଅଛି । ବାହାରେ ତ ବୁଲୁନାହିଁ । ଆମ ବଗିଚା ଭିତରେ ମୁଁ ଯେମିତି ଠିଆହେଲି, କାହାର କ’ଣ ଗଲା ?

 

ହଳଦୀ ବସନ୍ତଟା ଠିଆ ହେଇଚି । କଳା ଚଷମା ପିନ୍ଧିଛି । ଲମ୍ବା କଲି । ମଝିରେ ମଝିରେ ଅନ୍ୟଆଡ଼େ ମୁହଁ ବୁଲାଉଚି । ପୁଣି ଚାହୁଁଚି । ଚାହୁଁ, ଦେଖିବ–ବାଳମୁକୁଳା ଅଛି, କେତେ ଲମ୍ବା ବାଳ ? ମୁଁ କ’ଣ ଜାଣିପାରୁନି ଏଇଥିପାଇଁ ସେ ଅନାଉଁଚି । ବାଳ ଦେଖିବ । ବାଳ ତ ପିଠିପାଖେ ଅଛି, ଖରା ଖାଉଚି । ମୁଣ୍ତ ଧୋଇ ଦେଇଥିଲି । କାହିଁକି ଧୋଇଲି ତା’ର କ’ଣ ଗଲା ? ବୋଉ ରାଗ ହେଲା । କହିଲା–ଧୋଇଦିଏ । ମୁଁ ଏକାବେଳକେ ସାଂପୁ କରିଦେଲି । ଆହୁରି କହୁଥିଲାନା ଗାଥୋଇଲାବେଳେ ମୁହଁରେ ହଳଦୀଗୁଣ୍ତା ମାଖିବାକୁ ।

 

ବାଳ ଶୁଖିଗଲାଣି । ଭାରୀ ଗହଳ ହେଇଚି । ତା’ ଆରବର୍ଷ କେତେ ଛୋଟ ଥିଲା । ଭାରୀ ଲାଜ ଲାଗୁଥିଲା । ଗୁନା ଭାଇ ଏମିତି ବାଳକୁ ଭାରୀ ଲୋଭାନ୍ତି ।

 

ସେଦିନ–କ୍ଳାସ୍‌ ପିକ୍‌ନିକ୍ ଦିନ–ଆମେ ସବୁ ପାହାଡ଼ ଚଢ଼ିଥିଲୁ–ମୁଁ, ରୀତା ରମେଶ, ଦୀପକ୍‌, ଗୁନାଭାଇ ଓ ଅନ୍ୟମାନେ । ଗୁନା ଭାଇ ମତେ ସେଦିନ କେମିତି କହିଲେ–ଓଃ, ତୋ ବାଳ କେତେ ଲମ୍ବା ହୋଇଗଲାଣି ମ । ଭାରୀ ଗହଳିଆ ହେଇଛି । ବିଗତ ବର୍ଷ ତୋ ଅପା ସାଙ୍ଗରେ ବୁଲି ଆସିଥିଲା ବେଳେ ଏଡ଼ିକି ଟିକିଏ ଟିକିଏ ହୋଇଥିଲା ।

 

ସେତେବେଳେ ଭାରୀ ଲାଜ ଲାଗିଲା ।

 

ଆରେ ହଳଦୀ ବସନ୍ତଟା ଯାଉନି । ଠିଆ ହେଇଚି । ତା’ର ସିଏ ଠିଆ ହେଇଥାଉ । କିଏ ପଚାରୁଚି । ସେ ପଟକୁ ଚାହିଁଚି । ପୁଣି ଏଇନେ ଏ ଆଡ଼କୁ ଚାହିଁବ ।

 

ରେଖା ଫାଟକର ଲୁହା ଖିଡ଼ିକି ପକାଇଦେଲା ଯେମିତି ଶବ୍ଦ ହେବ । ଖିଡ଼ିକିଟା ଖଡ଼୍‌ କରି ଶବ୍ଦ ହେଲା ଓ ରେଖା ପିଠି ବୁଲାଇଲା ।

 

ଦି’ ପାଖରେ ଘାସ ଲନ୍‌, ଆଉ ଭରା ଫୁଲ । ପାହାଚ ଉପରେ ଗୋଲାପ କୁଣ୍ତ । ଫୁଲ ଫୁଟିଛି–ଫ୍ଳେମିଙ୍ଗ୍ ସନ୍‌ସେଟ୍‌, କୁଇନ୍‌ ରୋଜ୍‌, କେତେ ରଙ୍ଗର ଗୋଲାପ । ଏକୁଟିଆ ପ୍ରଜାପତିଟିଏ ବସିଛି । ଡେଣା ଦପ୍‌ ଦପ୍‌ କରୁଚି । କହୁଚି–ରେଖା ! ମତେ ଧରିବୁ ? ଧରି ପାରିବୁ ? ଧରିଲୁ ଦେଖି ? ଧରିଦେବି । ନିଶ୍ଚେଁ ଧରିଦେବି । ହେଃ, ପିଲାଳିଆମି ହେବ । ବାପା କହୁଥିଲେ,–‘‘ଏଡ଼େ ଝିଅଟିଏ ହେଲୁଣି, ଏଇ ପିଲାଳିଆମି ଗଲାନି’’–ମାନେ ଏଇ ପ୍ରଜାପତି ଧରିବା ।

 

ରେଖା ପ୍ରଜାପତି ଧରିବାକୁ ଗଲା ନାହିଁ । ଗେଲ ଗେଲ ଚାଲିରେ ପାହାଚ ଉଠିଲା ।

 

ପାହାଚ ଉଠିଲାବେଳେ କଟି ହଲିଲା । ନିତମ୍ବ ଦୋହଲିଲା । ତା’ ନିଜର ଧାରଣା ହେଲା ଯେ ସେ ଭଲ ଚାଲି ଜାଣୁଛି ଓ ତା’ ଚାଲି ଭାରି ସୁନ୍ଦର ।

 

ମୋଜାଇକ୍‌ ବାରଣ୍ତା । ରେଖା ବାରଣ୍ତା ପାରିହେଲା ଓ ଦୁଆରେ ଟିକିଏ ଠିଆ ହେଲା । ତା’ପରେ ପଛ ପାଖକୁ ହାତ ନେଇ କବାଟ ଆଉଜାଇ ଦେଲା ଏବଂ ଖୋଲା ପିଠିରେ କବାଟକୁ ଠେଲି ଧରି କବାଟର ହୁକ୍‌ ଲଗାଇଲା ।

 

ତା’ପରେ ଦାଣ୍ତଘର । ରେଖା କୁଆଡ଼େ ଚାହିଁଲା ନାହିଁ । ଦାଣ୍ତଘର ପାରିହେଲାବେଳେ ଶାଢ଼ୀଟା ଛନ୍ଦି ହେଲାପରି ଲାଗିଲା ।

 

ଘରେ କେହି ନାହାନ୍ତି । ଏକୁଟିଆ, ଏକୁଟିଆ ।

 

ରେଖା ଚାଲୁ ଚାଲୁ ଝୁଣ୍ଟିଲା ଶାଢ଼ୀଟାକୁ । ସିଲିକ୍‌ ଶାଢ଼ୀ କାନ୍ଧରୁ ଖସି ଖସି ପଡ଼ୁଥିଲା । ସେ ସଜାଡ଼ିବାର ଯତ୍ନ କଲା ନାହିଁ ।

 

ରେଖାର ପଢ଼ାଘର । ପଢ଼ା ଟେବୁଲ୍‌, ବହିପତ୍ର, ଖଟ, ଡ୍ରେସିଂ ଟେବୁଲ ରେଖା ସବୁଆଡ଼େ ଚାହିଁଲା । କ’ଣ କରିବ କିଛି ସ୍ଥିରକରି ପାରିଲା ନାହିଁ । କୌଣସି ଭାବନା ତା’ ମନକୁ ଛୁଉଁ ନ ଥିଲା । ରେଖା ତା’ ପଢ଼ା ଟେବୁଲ୍‌ ପାଖରେ ବସିଲା ।

 

ଟେବୁଲ୍‌ ଉପରେ ଥିବା ‘ଷ୍ଟାର୍‌ ଆଣ୍ତ ଷ୍ଟାଇଲ୍‌’ ପତ୍ରିକା ଉପରେ ତା’ର ନଜର ପଡ଼ିଲା ଓ ସେ ଆଣିବା ପାଇଁ ହାତ ବଢ଼ାଇଲା । ହାତ ପାଉନି । ରେଖା ଉଠିଯାଇ ପତ୍ରିକାଟି ଆଣିବାର ଚେଷ୍ଟା କଲାନାହିଁ ।

 

ସେ ଚାରିଆଡ଼କୁ ଚାହିଁଲା ।

 

ତା’ର ଗୋଟିକିଆ କୋଠରୀ ।

 

କୋଠରୀର ଚାରିକାନ୍ଥ । କାନ୍ଥର ସୁଇଚ୍‌ ବୋଡ଼୍‌ । କାଲେଣ୍ତର । ଲୁଗାପଟା ଆଉ ବହିପତ୍ର । ସମସ୍ତେ ଘେରି ରହିଛନ୍ତି । ମତେଇ ଘେରି ରହିଛନ୍ତି । କାହିଁକି ଘେରିଛନ୍ତି–ବୋଉ ସବୁ କଥାରେ ଆକଟ କଲାପରି, ବାପା ମୁହଁ ଗମ୍ଭୀର କରି ମୋ ନାଁରେ ବୋଉ ଆଗେ ଫୁସ୍‌ ଫୁସ୍‌ ହେଲାପରି । ଦୁହିଁଙ୍କର ଦୁଇଦୁଇଟା ଆଖି ମତେ ଜଗୁଛି । କାହିଁକି, ମୁଁ କ’ଣ କରୁଛି କି ?

 

ସେଦିନ ରାତିରେ...ନିଦ ଭାଙ୍ଗିଲା ବେଳକୁ......ବାପା ବୋଉ...ମୋ କଥା... । କାହିଁକି ? ମତେ କୁଆଡ଼େ ଛାଡ଼ୁ ନାହାଁନ୍ତି । ସଦାବେଳେ ଖାଲି ଘର ଭିତରେ ଥା’ । କୁଆଡ଼େ ଯିବୁ ? କାହିଁକି, କ’ଣ ଦରକାର ? ଘରଭିତରକୁ ଯାଆ । ମତେ ବାନ୍ଧିରଖିବାକୁ ଚାହୁଁଛନ୍ତି; କୁକୁରକୁ ବାନ୍ଧି ରଖିଲା ପରି ।

 

ସେପାଖ ବାରଣ୍ତାରେ ଟାଇଗର୍‌ ଭୁକୁଚି । ଲୁହା ଶିକୁଳିରେ ବନ୍ଧା ହେଇଚି । ବାପା କହୁଥିଲେ, ଟାଇଗର୍‌କୁ ଏବେ ଆଉ ଫିଟାଇବନି । ବାରବୁଲା କୁତିଙ୍କ ସଙ୍ଗେ ମାତିବ । ଜିମ୍‌ଟା ମରିଗଲା । ଟାଇଗର୍‌କୁ ଏକୁଟିଆ ଏକୁଟିଆ ଲାଗୁଥିବ ।

 

ଟାଇଗର୍‌ ଭୁକୁଚି । ଦି’ ଗୋଡ଼ରେ ଠିଆ ହେଇଚି । ଆଗ ଦି’ ଗୋଡ଼ ଉଠାଇ ଡାକୁଚି–ଉଁହୁଃ, ଉଁହୁଃ,...ଉଁହୁଃ...ଉଁହୁଃ । ମିନତି କରୁଚି–ଫିଟା, ଫିଟା, ଫିଟାଇ ଦେ’ । ଆହା ବିଚରା ବାନ୍ଧି ହୋଇ ପଡ଼ିଚି । ଫିଟାଇଦେଲେ କେଡ଼େ ଖୁସି ହୁଅନ୍ତା ।

 

ବାହାରେ କୁତି ସବୁ ଭୁକୁଛନ୍ତି । ଟାଇଗର୍‌ର ଜିମ୍‌ କଥା ମନେ ପଡ଼ୁଥିବ । ଏକୁଟିଆ ଏକୁଟିଆ ଏମିତି ବାନ୍ଧିହୋଇ ପଡ଼ିବାକୁ ତା’କୁ ଭଲ ଲାଗୁନି ।

 

ଟାଇଗର ସେମିତି ଭୁକୁଛି । ଅନୁରୋଧ କରୁଛି । ପୁଣି ଡାକୁଛି, ମତେଇ ଡାକୁଛି,–ଉଁହୁଃ...ଉଁହୁଃ...ଉଁହୁଃ ବୁଝି ହେଉଛି ତା’ ଭାଷା । ଆଗ ହାତ ହଲାଇ ସେ ଡାକୁଛି ।

 

ଟାଇଗର ଡାକୁଛି ।

 

ତା’ ଆଖି କେମିତି ଦିଶୁଛି ।

 

କେମିତି ଦିଶୁଚି ?

 

କେମିତି ଢଳଢ଼ଳ କରି ଚାହିଁଚି ।

 

ନେଳି ନେଳି ଆଖି । ପତା ଉପରେ ବଡ଼ ବଡ଼ ବାଳ ।

 

ମୁନିଆଁ ମୁନିଆଁ ଦାନ୍ତ ।

 

ମତେ ଯଦି ଧରି ଦେବନା ମୁନିଆଁ ଦାନ୍ତ ଭିତରକୁ ଟପ୍‌ କରି ଗଳିଯିବ, ଆଉ ପିଚ୍‌କିନା ରକ୍ତ ବାହାରି ପଡ଼ିବ । କେତେ ସଫା ଦାନ୍ତ । ମୋଟା ମୋଟା ହାତ ଗୋଡ଼ । ପେଟ ପାଖଟା ମଇଳିଆ ଧଳା । ପିଠିରେ ଚିକ୍‌କଣ କଳା ଲୋମ । ବୋଉ ସ୍କାର୍ଫ ଘୋରି ହେଲାପରି ଦିଶେ ।

 

ରେଖାକୁ ଶୀତ ଶୀତ ଲାଗିଲା ।

 

ଟାଇଗର ଭୁକୁଚି ।

 

ରେଖା ଅଳସ ଭାଙ୍ଗିଲା ।

 

ଟାଇଗର୍‌ଟା କେମିତି ଦିଶୁଚି । ଦୁଇ ଗୋଡ଼ରେ ଠିଆହୋଇ ଏଇଆଡ଼କୁ ଚାହିଁଛି । ଅଳସ ଭାଙ୍ଗି ଆଙ୍ଗୁଠି ଫୁଟାଇଲା । ଦେଖିଲା ଟେବୁଲ୍‌ ଉପରେ ଲିପ୍‌ଷ୍ଟିକ୍‌ଟା ଫିଟା ଥୁଆ ହୋଇଚି । ଲିପ୍‌ଷ୍ଟିକ୍‌ । ସେ ଲିପ୍‌ଷ୍ଟିକ୍‌ ଉପରେ ଠିପି ଦେଇଦେଲା ।

 

ଟାଇଗର୍‌ ଡାକୁଚି । ନଖ ମୁନରେ ଭୂଇଁକୁ ରାମ୍ପୁଡ଼ି ପକାଉଚି ।

 

ରେଖାକୁ ତା’ ଦେହ ରାମ୍ପି ହୋଇଗଲା ପରି ଲାଗିଲା ।

 

ଟାଇଗର୍‌ ପୁଣି ମିନତି କରୁଚି । ପୁଣି ଡାକୁଚି । ପୁଣି ଡାକୁଚି । ସେ ବାନ୍ଧି ହୋଇ ପଡ଼ିଚି-। ସେ ଫିଟା ହେବାକୁ ଚାହୁଁଚି । ଓଃ ବାନ୍ଧି ହୋଇ ରହିବା କି କଷ୍ଟ ! ସେ ଚାହୁଁଚି ମୁଇଁ ତାକୁ ଖୋଲି ଦିଅନ୍ତି ।

 

ପୁଣି କେମିତି ଚାହୁଁଚି ? କ’ଣ ଚାହୁଁଚି ? କେମିତି ତା’ର ଚାହାଣି !

 

ରେଖା ଉଠି ପଡ଼ିଲା ।

 

ଟାଇଗର୍‌ ଡାକୁଚି । ଦି’ ଗୋଡ଼ରେ ଠିଆ ହୋଇ ହାତ ହଲାଇ ଡାକୁଚି ।

 

ରେଖା ସେ ଆଡ଼କୁ ଆଗେଇଗଲା ।

 

ଓଃ ରହ । ଟାଇଗର୍‌ ! ଆରେ ରହ । ଟାଇଗର ! ଟାଇଗର ! ନ ହେଲେ ସେମିତି ବାନ୍ଧି ହୋଇ ପଡ଼ିଥା । ଓଃ ରହ । ଏଃ... ।

 

ସେ କୁକୁରର ବେକଧରି ଶିକୁଳି ଫିଟାଇଦେଲା । ଟାଇଗର୍‌ ଦୌଡ଼ି ପଳାଇଲା ବାହାରକୁ ।

 

ରେଖା ତା’ କୋଠରୀକୁ ଆସିଲା । ଦେହ, ମୁଣ୍ତ, କପାଳ କେମିତି ଲାଗୁଚି ।

 

ଏଃ, ବୋଉର ଏ ସ୍କାର୍‌ଲେଟ୍ ଶାଢ଼ୀଟା ଚିରିଗଲା । ବୋଉକୁ ଏଇ ଲୋହିତ ରଙ୍ଗର ଶାଢ଼ୀଟା ଭାରୀ ଭଲ ଲାଗେ । ବୋଉ ଏ ଶାଢ଼ୀଟାକୁ ମତେ କେବେ ହେଲେ ଟିକିଏ ବଦଳି ପକାଇବାକୁ ବି ଦିଏନି ।

 

ରେଖା କବାଟ ଝରକା ବନ୍ଦକରି ଶାଢ଼ୀଟା ଖୋଲି ଚାରିଆଡ଼ ଦେଖିଲା ଓ ଆଲଣା ଉପରକୁ ପକାଇଦେଲା । ଦେହମୁଣ୍ତ କେମିତି ଲାଗୁଚି; ଲାଗୁଚି ଯେମିତି ତା’ ଦେହରୁ କେତେ ଦିନର ଗୋଟାଏ କାତି ଛାଡ଼ିଯାଇଛି । ତାକୁ ହାଲୁକା ଲାଗୁଛି କାହିଁ ଦୌଡ଼ିଯିବ । କାହିଁ ଉଡ଼ିଯିବ । ମାତ୍ର ତା’ ଚାରିପଟେ କାନ୍ଥ, ପାଚିରୀ । ସେ ବାନ୍ଧି ହୋଇ ପଡ଼ିଚି । କୁକୁର ଯେମିତି ବନ୍ଧା ହୋଇଥାଏ ।

 

ଏଃ, ଦିହ ରାମ୍ପୁଡ଼ି ହୋଇ ଯାଇଚି–ଛି, କ’ଣ ଏମିତି ହେଲା । ବେକ ତଳକୁ ରୁଗ୍‌ ରୁଗ୍‌ ହୋଇ ପୋଡ଼ୁଚି ।

 

ଘର ଭିତରେ ଅଂଧାର । ଅଂଧାରରେ ସେ ଏପାଖ ସେପାଖ ହେଲା । ରାମ୍ପୁଡ଼ା ଜାଗାରେ ବିନ୍ଦୁବିନ୍ଦୁ ରକ୍ତ ଜମି ଯାଇଥିଲା । ରେଖା ଜିଭ ବଢ଼ାଇଲା ସେ କ୍ଷତ ଜାଗାକୁ । ଜିଭ ପାଉନି । ଗରମରେ ଦେହ ଝାଳୋଉଚି । ରେଖା କୋଠରୀର ଅଂଧାର ଭିତରେ ଖଟ ଉପରେ ଗଡ଼ପଡ଼ ହେଲା । ଦେହର ଝାଳବାଜି ରାମ୍ପୁଡ଼ା ଜାଗା ବେଶି ରୁଗ୍‌ ରୁଗ୍‌ ଲାଗିଲା । ରେଖା ଆଖିବୁଜି ପଡ଼ିରହି ସେଇଆ ଅନୁଭବ କରୁଥିଲା ।

Image

 

ଚୋରା ବାଲି

।। ୧ ।।

 

କଳା ଘୁମ ମେଘ ଅଂଧାର ରାତିରେ ବାଟ ଭୁଲା ବାଟୋଇ ମଣିଷର କଥା ଶବ୍ଦ ଶୁଣି ପାରିଲେ ବା କାହିଁ ଦୂରରେ ଅନ୍ଧାରେ ଅନ୍ଧାରେ ଯାଉଥିବା ଶଗଡ଼ର କେଁ କଟର ଶୁଣିପାରିଲେ ମନଟା ତା’ର ଯେମିତି ଲାଗେ, ତୁ ମୋର ଏତେ ଉଚ୍ଛ୍ୱସିତ କରୁଛି ଶୁଣି ମତେ ସେମିତି ଲାଗିଲା । ମନେହେଲା, ତୋ ଅଡ଼ୁଆ ମନରୁ ଖିଅଟିଏ ଧରି ପକାଇଛି ଅବା ! ସତରେ ଧରି ପାରିଛି କି ନାହିଁ, ସେ କଥା ତୁ ଜାଣୁ । ତେବେ ଥୋପ ଦେଖି ମାଛର ପ୍ରତିକ୍ରିୟା ବଢ଼ିଲା ଭଳି ତୋର ଶାନ୍ତ ନିରୀହ ମନରେ ମୋର ଛାଇ ଦେଖି ମୋର ଆବେଗ-ଚପଳ ହୃଦୟ ଚଞ୍ଚଳ ଆଉ ଉଚ୍ଛନ୍ନ ହୋଇ ଉଠିଛି ।

 

ତୁ ସତେ କ’ଣ ଜାଣିନାହୁଁ ରେଖା, ଅନେକ ଦିନରୁ ତୋ’ରି କାମନା ଧରି ମୁଁ ଦିନ କଟେଇ ଆସିଛି । କୂଳରେ ପହଞ୍ଚିବାର କାମନା ନେଇ ପାଲଟଣା ତରୀଟିଏ ନିସ୍ତରଙ୍ଗ ସାଗର ଭିତରେ ଏକା ଏକା ତ ଭାସି ଭାସି ଚାଲିଛି; କେବେ କୂଳରେ ପହଞ୍ଚିବ କି ନାହିଁ, କିଏ ଜାଣେ ?

 

କି ଏକ ଦୁର୍ବଳ ମୁହୂର୍ତ୍ତରେ ତୋ ହସିତ ପୁଣି ଥରେ ମୋର ଦେଖାହେଲା କେଜାଣି, ପହିଲି ଆଷାଢ଼ୀ ଅସରାର ଦାଗ ଚାତକ ମନରୁ ନ ଲିଭିଲା ଭଳି ତୋ’ର ଉଦାସ ଛାଇ ମୋ ମନରୁ ଲିଭୁ ନାହିଁ ।

 

ରେଖା କଡ଼ ଲେଉଟାଇଲା । ବୁକୁ ତଳେ ତା’ର କେମିତି ଏକ ମୃଦୁ ଆଘାତ ଜଣାଗଲା-

 

ଉପରେ ଆକାଶ । ଚାରି ପାଖରେ ଅଂଧାର । କିରାସିନୀ ବତୀର କ୍ଷୀଣ ଆଲୁଅ ସେଇ ଅନ୍ଧକାରକୁ ଦୂରକୁ ତଡ଼ିଦେବାକୁ ଚେଷ୍ଟା କରୁଥିଲା, କୁକୁର ଛୁଆ ବାଘକୁ ଦେଖି ଭୁକିଲା ଭଳି ।

 

ଚରିପାଖେ ନୀରବତାର ଉଦାସ ଛାଇ । ତା’ରି ଭିତରେ ପାଦ ଗଣି ଗଣି ଚାଲିଥିଲା ସମୟ ଆଉ ରେଖାର ବୁକୁ ତଳର ଦୁକୁଦୁକି ।

 

ରେଖାର ଆଖି ଆଗରେ ଗୁନାଭାଇଙ୍କର ମୁହଁ ନାଚିଗଲା–କିଏ ଜାଣିଥିଲା ତିନିବର୍ଷ ପରେ ପୁଣି ଥରେ ତାଙ୍କ ସହିତ ଦେଖା ହେବ ! ସେଦିନ ଦେଖି ଦୋ’ ଦୋ’ ଚିହ୍ନା ହୋଇ କହିଲେ–‘‘ଇଏ ରେଖାଟି ? ମତେ ଲାଜ କରି ଲୁଚୁଛି କ’ଣ ?’’ ତାଙ୍କର ସେଇ କଥା ଦି ପଦ ଶୁଣି କେମିତି ଅତି ନିଜର ଭଳି ଲାଗିଲା ।

 

ସେଥର ସେ ଭାଷଣ ଦେଉଥିଲେ । କି ମିଠା ତାଙ୍କ କଥା ! ଯେମିତି ମନ କିଣି ହୋଇଯାଏ ।

 

ଗୁନାଭାଇ ବେଳେ ବେଳେ ଘରକୁ ଆସନ୍ତି । ବୋଉ ଡାକିଲେ ଆସିବେ–ମନକୁ ନୁହେଁ-। ବୋଉକୁ ଭଲ ଲାଗେ ତାଙ୍କ ସହିତ ଗପିବାକୁ । ବୋଉ ପାଖରେ ଘଣ୍ଟା ଘଣ୍ଟା କାଳ ଠିଆ ହୋଇ ଗପନ୍ତି–କେତେ କେତେ କଥା । ସେତେବେଳେ ଖୁଣ୍ଟି ଉହାଡ଼ରୁ ତାଙ୍କ କଥା ଶୁଣିବାକୁ କେଡ଼େ ଭଲ ଲାଗେ ! ଭାରି ଗପୁଡ଼ି ମଣିଷ । ସ୍ନେହୀ ବି । ରତିଅପା ବି ସେଇଆ କହେ । ତାଙ୍କ ମୁହଁକୁ ତ କେବେ ଚାହିଁ ହୁଏ ନି । ସେଦିନ କେମିତି ଚାହିଁ ହୋଇଗଲା । ସେ ମୁହଁ ଫେରାଇ ଦେଖିଲେ ଆଖି ଦୁଇଟା ତାଙ୍କ ଉପରେ ଅଛି । ସେଦିନ କ’ଣ ଏମିତି ହେଲା କେଜାଣି, ତାଙ୍କ ଆଖି ଉପରୁ କାହିଁକି ଆଖି ଦୁଇଟା ଫେରିଲା ନି । ସେ ବି ସେମିତି... । ତାଙ୍କ ଆଖିରେ କ’ଣ ଥିଲା ! ଛାତି ଭିତରଟା କଟ କଟ ଲାଗୁଥାଏ । କଣ୍ଠ ଶୁଖିଗଲା ଭଳି ଲାଗୁଥାଏ । ସେ ଆଗ ଆଖି ଫେରାଇଲେ ।

 

ଆଉ ଥରେ ବାଣୀକୁ କହୁ କହୁ ମିଛରେ କେମିତି କହି ହୋଇଗଲା ବୋଉ ତାଙ୍କୁ ଡାକିଛି ବୋଲି କହି ଦେବାକୁ । ସତକୁ ସତ ସେ ଘରକୁ ଗଲେ । ମିଛେଇ ବୋଲି ଧରାପଡ଼ିଲି; ମୁହଁଟା ପୋଡ଼ିଗଲା । ସେଇଦିନ ଚା’ ଦେଲାବେଳେ କେଜାଣି କେମିତି...ଲାଜରେ ମରିଗଲି ।

 

ରେଖା ଦେଖିଲା, ପତଙ୍ଗଟିଏ କିରାସିନୀ ବତୀରେ ଜଳିଗଲା । ଗୁନାଭାଇଙ୍କର ଚିଠି ଉପରକୁ ସେ ଆଖି ଫେରାଇଲା ।

 

ରେଖା ! ଅଗଣିତ ତାରାର ସପନ ମୋ ଆଖିରେ, ଅସରନ୍ତି ଆକାଶର ଭାବନା ମୋ ମନରେ । ଆଖିରେ ସପନ ଧରି, ମନରେ ଭାବନା ଭରି ମୁଁ ଭାବେ–ଏଇ ତାରାର ରାତି ହେବ ଆମର । ମେଘର ବରଷା ହେବ ଆମର । ଆକାଶର ରଙ୍ଗ ଆମର ହେବ । ବଇଁଶୀର ସ୍ୱର ଆମର ହେବ ।

 

ଫୁଲସଞ୍ଜର ସୁଲୁସୁଲିଆ ବାଆରେ ଜହ୍ନରାତିରେ ଫିକା ଫିକା ଆଲୁଅରେ, ନୂଆ ମେଘର ଟିପ୍‌ଟିପ୍‌ ବରଷାରେ ମୋର ମନ ହୁଏ, କେଉଁ ଅଳସୋଇ ରାଜଜେମାର ଗଭାଫିଟା ଶିଥିଳ ବେଣୀ ଭଳି କାହିଁ କେତେ ଦୂର ଲମ୍ବି ଯାଇଥିବା କଳା କଳା ଏଇ ନିର୍ଜନ ଘୂମନ୍ତ ସଡ଼କରେ ଆମେ ବୁଲୁଥାନ୍ତେ, ଚାଲୁ ଚାଲୁ ଦେହରେ ଦେହ ଲାଗି ଯାଉଥାଆନ୍ତା, ମନରେ ମନ ଲାଗି ଯାଉଥାଆନ୍ତା, ହସ ମିଶି ଯାଆନ୍ତା ହସରେ । ଖୁସିଗପରେ ବାଟ ଜଣାପଡ଼ନ୍ତା ନି । ଫେରିଆସିବାକୁ ଇଚ୍ଛା ହୁଅନ୍ତା ନି । କେମିତି ହୁଅନ୍ତା ?

 

ହାତରୁ ଚିଠିଟା ଖସିପଡ଼ିଲା ରେଖାର ଛାତି ଉପରେ । ତା’ର ଆଖିର ଚାହାଣି ଲମ୍ବିଗଲା ଆକାଶ ଆଡ଼କୁ । ସେ ଦେଖିଲା, ଆକାଶ ସଞ୍ଜୁଆ ସିନ୍ଦୂର ଧରି ତାକୁ ଚାହିଁ ରହିଛି । ଝାଉଁବଣର ପବନ ଆସୁଛି ତାକୁ କୁତୁକୁତୁ କରିବାକୁ, ଆଉ ଜହ୍ନ ତାକୁ ଡାକି ଆସିବାର ଇସାରା ଦେଲାଣି । ରେଖା ଦୀର୍ଘଶ୍ୱାସ ଛାଡ଼ିଲା ।

 

ସତେ ରେଖା ! ତୁ ହୁଏତ ମତେ ପାଗଳ କହିବୁ । ମୁଁ କିନ୍ତୁ ଭାବେ–ଆକାଶର ମେଞ୍ଚାଏ ଫିକା ରଙ୍ଗ, ସଞ୍ଜର ଗୋଟିଏ ତାରା, ଅଦୂରର ଦୁଇଟି କଳା କଳା ପାହାଡ଼ ଆଉ କେତୋଟି ଗହଳିଆ ଗଛ ଯେତେବେଳେ ପାଣିଚିଆ ଅଂଧାରକୁ ଉସ୍‌କାଉଥାନ୍ତେ, ସେତିକିବେଳେ ଆମେ ହଜିଯାଆନ୍ତେ ସେଇ ଅଂଧାର ଭିତରେ । ଅଂଧାର ଲୁଚାଇ ରଖନ୍ତା ଆମକୁ, ଆମର ଲାଜକୁ । ମିଟି ମିଟି ତାରାର ଆଖିରେ ଆମେ ପୁଣି ଧରା ଦିଅନ୍ତେ । ମୁଁ ଗୀତ ଗାଆନ୍ତି, ତୁ ଶୁଣନ୍ତୁ; ତୁ ଗୀତ ଗାଆନ୍ତୁ, ମୁଁ ଶୁଣନ୍ତି । ଆମେ ଗୀତ ଗାଆନ୍ତେ–ଶୁଣନ୍ତେ ଏଇ ଆକାଶର ତାରା, ଶୁଣନ୍ତା ଏଇ ଶ୍ୟାମଳ ଧରା । ଭଲ ଲାଗନ୍ତା ନି ତତେ ?

 

ରେଖା ପୁଣି କଡ଼ ଲେଉଟାଇଲା । ଦେଖିଲା, ଅଂଧାର ତାକୁ ଚାରିଆଡ଼ୁ ହାତ ଠାରି ଡାକୁଛି । ରେଖା ଆଖି ବନ୍ଦ କରି ଦେଲା । ଅଂଧାରର ସେ ଡାକ ତୁହାଇ ତୁହାଇ କାନରେ ବାଜୁଛି । ସତେ ଯେମିତି ସେ ଡାକ ଏଡ଼ାଇ ହେବ ନି, ସେ ମୋହ ତୁଟାଇ ହେବନି । କାରଣ ତାକୁ ଅଂଧାର ଭଲଲାଗେ । ରେଖା ଚିଠି ଉପରକୁ ପୁଣି ଆଖି ଫେରାଇଲା ।

 

ତୋ କେଶରେ ଉଆଁସର ଅଂଧାର, ଆଖିରେ ନୀଳନଈର ଢେଉ, କପୋଳରେ ଫଗୁଣ ଫଗୁଣର ଅବିର, ଓଠରେ ନୂଆ ପ୍ରୀତିର ଭୀତି, ଗଳାରେ ବିଜନ ଝରଣାର ସ୍ୱର, ଦେହରେ ପୂର୍ଣ୍ଣିମାର ଜୁଆର, ଆଉ ଗତିରେ ବନହଂସୀର ଲୀଳା ମୋ ମନରେ ଇନ୍ଦ୍ରଧନୁର ରଙ୍ଗ ବୋଳିଦେଇଛି । –ତୁ କ’ଣ ବିଶ୍ୱାସ କରିବୁ ନି ରେଖା ? ଏମିତି ଏକ ଓମାରଖାୟାମୀ ମନର ମୂଲ୍ୟ ତୁ କ’ଣ ବୁଝିବୁ ନି ?

 

ରେଖାର ଦେହ ଉଲସି ଉଠିଲା ।

 

ରାସ୍ତାର ଆଲୁଅଗୁଡ଼ାକ ଚାରି ଦିଗରେ ହଠାତ୍‌ ଜଳି ଉଠିଲେ–ହରତାଳ ପରେ ପିଲାମାନେ ସ୍କୁଲ କଲେଜରେ ଯୋଗଦେଲା ଭଳି ଆଲୁଅରେ ଆଖି ଝଲସି ଗଲା । ରେଖାର ମନେ ହେଲା ସେ ଯେମିତି ସପନ ନିଦରୁ ଉଠି ବସିଛି । ସପନ ଦେଖୁ ଦେଖୁ ନିଦଟା ଭାଙ୍ଗି ଗଲେ ବି ଅଳସୁଆ ନିଦୁଆ ସପନର ମୋହଟା କଟି ନ ଥିଲେ ଯେମିତି ସେଇ କାହାଣୀ ମନେପକେଇବାକୁ ଭଲ ଲାଗେ, ଗୁନାଭାଇଙ୍କ ସେ ଚିଠିର ଧାଡ଼ିଗୁଡ଼ାକ ମନେ ପକାଇବାକୁ ରେଖାକୁ ସେମିତି ଭଲ ଲାଗୁଥିଲା । ରେଖା ମୁଗ୍‌ଧ ହୋଇଗଲା–ଗୁନାଭାଇଙ୍କୁ ଏ ଭାଷା ଶିଖାଇଲା କିଏ ? ବାଣୀ ଦେଖିଲେ କହନ୍ତା, ଏ ଭାବ ଓ ଭାଷାକୁ ସରବତ କରି ପିଇ ଦେବ । ଆଉ ଅକ୍ଷରଗୁଡ଼ିକ କି ସୁନ୍ଦର ! ଇଚ୍ଛା ହେଉଛି,ଏ ଅକ୍ଷରଗୁଡ଼ାକ ଖାଇ ଦେବାକୁ ।

 

ଆକାଶର ବୁକୁ ଉପରେ ନିଶାଚର ପକ୍ଷୀଟାଏ ରାବି ରାବି ଉଡ଼ିଗଲା । ରେଖାର ମୋହ କଟିଗଲା । ଦେଖିଲା, ଚାରିପାଖରେ ଆଲୁଅଗୁଡ଼ାକ ତାକୁ ଉଗ୍ର ଆଖିରେ ଚାହିଁଛନ୍ତି । ଚାହିଁଛନ୍ତି ତାରାମାନେ । ହାତରେ ଗୁନାଭାଇଙ୍କ ଚିଠିଟା ଦେଖି ନିଜକୁ ଅପରାଧିନୀ ଭଳି ମନେକଲା । ନିଦ ମଳ ମଳ ଆଖିରୁ ସୁଖ-ସପନର ନିଶା କଟିଗଲା ପରେ ଅସଙ୍ଗତ ସ୍ୱପ୍ନ ହେତୁ ମନଟା ଯେମିତି ଖରାପ ଲାଗେ, ରେଖାର ମନଟା ତାକୁ ସେମିତି ଜଣାଗଲା । ଆଲୁଅଗୁଡ଼ାକର ଦୃଷ୍ଟି ଯେମିତି ତା’ ଉପରେ ତୀକ୍ଷ୍‌ଣ ଆଉ ତୀବ୍ର । ପାଖରେ ଦୁଇଟା ଝିଟିପିଟି ଚିତ୍କାରକରି ଉଠିଲେ । ରେଖାର ମନେହେଲା–ସତ, ସତ, ସେ ଅପରାଧିନୀ । ସେ ସ୍ଥିରକରି ପାରିଲା ନି ଗୁନାଭାଇଙ୍କ ଚିଠିଟା ରଖିବ ନା ଫେରାଇ ଦେଇ ତାଙ୍କ ଦୁଃସାହସିକତାର ଜବାବ୍‌ ଦେବ ।

 

।। ୨ ।।

 

ଆକାଶରେ ଫିକା ଜହ୍ନ ।

 

ସେଇ ଜହ୍ନକୁ ଚାହିଁ ଚାହିଁ ରେଖା ଭାବୁଥିଲା ବଡ଼ ବଡ଼ ଅଙ୍କ କୋଠାବାଡ଼ି ଓ ମଟର୍‌ଗାଡ଼ି-। ବାପ-ମାଆଙ୍କର ଏଇ ସ୍ୱପ୍ନକୁ ସେ କେଉଁଦିନଠାରୁ ଯେ ତା’ ନିଜର କରିନେଲାଣି ତା’ ହୁଏତ ସେମାନଙ୍କୁ ବି ଅଜଣା ।

 

ଏମିତି ରାତିରେ ପକାଛାତ ଉପରେ ଶୋଇ ଶୋଇ ରେଖା ଆକାଶ ପାତାଳ ଭାବେ କେତେ କ’ଣ । ଭାବନାର ଅନ୍ତ ନାହିଁ । କି ସପନର ଅନ୍ତ ନାହିଁ । ତା ଭିତରେ ବେଳେ ବେଳେ ମନେ ପଡ଼େ ଗୁନାଭାଇଙ୍କ ସେଇ ସବୁଜସ୍ୱପ୍ନ । ତାକୁ ଲାଗେ ଦିନ ଆଲୁଅରେ ଦୀପଟିଏ ଜଳୁଛି । ସେଇ ଦୀପ ନେଇ ଦୀନମଣିଙ୍କର ପୂଜାକରିହୁଏ ମାତ୍ର ସେଇ ଦୀପ ଆଲୁଅରେ ତ ଦୂରପଥ ଯାଇ ହୁଏ ନା ।

 

ରେଖା ଭାବେ, କେଉଁ କଳ୍ପିତ ସୁଠାମ ଯୁବା ସହିତ ପାରାଦୀପ ବନ୍ଦରରେ ଚହଲା ପାଣିର ଢେଉ ଦେଖିବା କେଉ ନଦୀବନ୍ଧ ଯୋଜନାରେ ଭରା ପାଣିରେ ପାହାଡ଼ର ଛାଇ ଦେଖି ମନଫୁଲାଣିଆ ଗୀତ ଗାଇବ । ସେତେବେଳେ ଗୁନାଭାଇଙ୍କର ସେଇ ସ୍ୱପ୍ନର ମାଧୁରୀକୁ ମନେ ପକାଇ ଆନନ୍ଦ ପାଇ ହେବ ।

 

ଅବା କେବେ କେମିତି ସେ ଫିକା ଜହ୍ନରେ ବା ଟିପ୍‌ଟିପ୍ ମେଘବରଷା ରାତିରେ ଆମ୍ୱାସଡ଼ାର ଗାଡ଼ିରେ ଫାଙ୍କା ମନରେ ଫେରିଲାବେଳେ ତାଙ୍କର ସେ ଓମାରଖୟାମୀ ସପନର ସେଇ ରାତିକୁ ଅନୁଭବ କରିବାକୁ ବେଶ୍‌ ଭଲ ଲାଗିବ, ଯେମିତି ଭଲ ଲାଗେ କାମ ଜଞ୍ଜାଳର ଅବସର ଭିତରେ ଉପନ୍ୟାସ ପଢ଼ିବାକୁ ।

 

ରେଖା ଭାବେ ଗୁନାଭାଇ ସତେ ଯେମିତି ଏକ ଶସ୍ତା ସୁନ୍ଦର ଉପନ୍ୟାସ । ଉପନ୍ୟାସର ପରିପାଟି ତାଙ୍କ ବେଶରେ । ଉପନ୍ୟାସର ସ୍ୱପ୍ନ ତାଙ୍କ ମନରେ । ଖବରକାଗଜ ବିକାଳୀ ଗାଡ଼ି ମଟର ଭିତରେ ଶସ୍ତା ମାସିକ ଉପନ୍ୟାସ ବିକିଲା ଭଳି ସେ ଆପେ ଆପେ ଆଗେଇ ଆସନ୍ତି ଉପଦେଶ ଦେବାକୁ ସାହାଯ୍ୟ ଦେବାକୁ ।

 

ଗୁନାଭାଇ ଆଗେ ତ ଏମିତି ନ ଥିଲେ ! ଏବେ କାହିଁକି ଏମିତି ହେଲେ ? ଦୁଇ ଜଣଙ୍କ ଭିତରେ କଥାବାର୍ତ୍ତା ନ ଥାଇ, କିଛି ବି ନ ଥାଇ କେବଳ ମନେ ମନେ ଭଲ ପାଇଲେ କ’ଣ ହୁଅନ୍ତା ନି ? ସେଦିନ ଏମିତି ଏକ ଚିଠି ପଠାଇବାକୁ ସେ ଟିକିଏ ବି ଦ୍ୱିଧାବୋଧ କଲେ ନି । ଚିଠିଟା ତାଙ୍କ ପାଖକୁ ଫେରିଯାଇଛି, ଭଲ ହୋଇଛି । ଜଣକୁ ପ୍ରଶଂସା କରିବା, ଭଲ ପାଇବା ଓ ବିବାହ କରିବା–ଏସବୁକୁ ସେ ଗୋଟିଏ କଥା ବୋଲି ଭାବନ୍ତି । କେମିତି କେଜାଣି ?

 

ଆକାଶରୁ ତାରାଟିଏ ଖସିଗଲା । କେଉଁଠୁ ଖସିଗଲା କିଏ ତା’ର ହିସାବ ରଖୁଛି ? ରେଖା ତା’ର ସେଇ ନୂଆ ରଙ୍ଗୀନ ସପନର ଝିଅ ଧରିବାକୁ ଚେଷ୍ଟାକଲା ।

 

ଲିଭିଗଲା ଦୀପର ଧୂଆଁ ଲହରେଇ ଲହରେଇ ଘର ସାରା ଖେଳି ବୁଲିଲା ଭଳି ସେ ଦିନ ରେଖାର ମନ କେଜାଣି କାହିଁକି ଅଶାନ୍ତ ହୋଇ ପଡ଼ିଥିଲା । ହଠାତ୍‌ ତା’ର ନଜର ପଡ଼ିଲା ଟେବୁଲ ଉପରେ ଥିବା ଚିଠିଟିଏ ଉପରେ । ଗୁନାଭାଇଙ୍କ ହାତର ନାଲି ନାଲି କେତୋଟି ଅକ୍ଷର–‘‘ରେଖା ! ଶୁଣି ଖୁସି ହେବୁ, ତୋର ଅପରିଚିତା ଗୋଟିଏ ଝିଅ ସହିତ ମୋର ବାହାଘର ଆସନ୍ତା ଫଗୁଦଶମୀରେ । ତତେ ମୋର ନିମନ୍ତ୍ରଣ ।’’

 

ରେଳଗାଡ଼ି ନ ଦେଖିଥିବା ଲୋକର ପାଖ ଦେଇ ଗାଡ଼ିଟା ହଠାତ୍‌ ଦମ୍‌ ଦମ୍‌ ହୋଇ ଚାଲିଗଲାବେଳେ ଦେହ ମୁଣ୍ତ ଯେମିତି ଲାଗେ, ରେଖାକୁ ଠିକ୍‌ ସେମିତି ଜଣାଗଲା ।

 

ରେଖା ବସିଛି । ଫାଙ୍କା ମନ । ଫାଙ୍କା ଦୃଷ୍ଟି । ମୁହଁରେ କଥା ନାହିଁ । ଆଖିରେ ଚାହାଣୀ ନାହିଁ । ମନରେ ଭାବନା ନାହିଁ ।

 

ବାଣୀ ହସି ହସି ପଶି ଆସି ଟାଣିଦେଲା ରେଖାକୁ । ରେଖାର ଦେହରେ ତାତି ।

 

ବାଣୀ ଆଖିରେ ବିସ୍ମୟ–କିଲୋ ! କ’ଣ ହେଇଛି ?

 

ଅତି ସଂକ୍ଷେପ ତା’ର ଉତ୍ତର–‘‘କିଛି ନାହିଁ ।’’

 

ବାଣୀ ଚିଠିଟିରୁ ନାଲି ନାଲି ଅକ୍ଷରଗୁଡ଼ିକ ଦେଖି ରେଖାକୁ ଚାହିଁଲା । ଈଷତ୍‌ ହସି କହିଲା,–ମିଛଟା ମ !

 

ରେଖା ବାଣୀକୁ ଚାହିଁଲା । ଖୁସି ହେବ କି କ’ଣ ଜାଣିପାରିଲା ନି ।

Image

 

ମଧ୍ୟାହ୍ନର ମାନଚିତ୍ର

 

ରବିବାର......

 

ଲାଲ ରଙ୍ଗରେ ସୂଚିତ କ୍ୟାଲେଣ୍ତରର ସେ ଏକ ନିଯୁକ୍ତିହୀନ ଛୁଟିଦିନ ।

 

ଝରକାର ସନ୍‌ସେଡ଼ ଉପରକୁ ମନିପ୍ଲାଣ୍ଟଟା ବେଶ୍‌ ମାଡ଼ିଗଲାଣି । କିଛି ସମୟ ପୂର୍ବର ବର୍ଷାପୀଡ଼ିତ ସେଇ ମନିପ୍ଲାଣ୍ଟର ଏକ ପ୍ରଶସ୍ତ ପତ୍ରତଳେ ନୀରବରେ ବସି ରହିଛି ଶୀତାର୍ତ୍ତ ଏଣ୍ତୁଅଟିଏ ।

 

ଦକ୍ଷିଣ ପାଖର ଝରକା ପରଦା ଖୋଲି ବାହାରକୁ ଚାହିଁଲେ ଆଖିର ସରଳରେଖା ସବୁଜ ଧାନକ୍ଷେତ ଡେଇଁ ମିଳାଇଯାଏ ଦୁଇଟି ପାହାଡ଼ ପାଖରେ ।

 

ଝରକା ଉପରେ କହୁଣୀ ଭରାଦେଇ ଗୁନାବାବୁ ସେଇ ପାହାଡ଼ ଦୁଇଟିକୁ ଅନ୍ୟମନସ୍କ ଭାବରେ ଚାହିଁ ରହିଛନ୍ତି । ଈଷତ୍‌ ଧଳା ମେଘର ପଣତରେ ପାହାଡ଼ର ସ୍ତନାଗ୍ର ଲୁଚିଯାଇଛି । ପାହାଡ଼ ଶିଖରରେ ମେଘ ଧୀରେ ଧୀରେ ସଞ୍ଚରୁଛି, ତାଳବଣର ଗର୍ଭବତୀ ସରୀସୃପ ଭଳି ।

 

ଶ୍ରାବଣର ଅଳସ ମଧ୍ୟାହ୍ନ ବିଜନ ‘କବିତାପୁରୀ’ର ନିଃସଙ୍ଗତା ଭିତରେ କେମିତି କୌତୂହଳଭରା ମନେ ହେଉଥିଲା । ଗୁନାବାବୁ ଝରକା ପାଖରୁ ଆସି ବହିଥାକରୁ କବିତା ବହିଟିଏ ଟାଣିନେଇ କେତୋଟି ପରିଚିତ ପଂକ୍ତି ଖୋଜି ପଢ଼ିଲେ ଏବଂ ବହିଟାକୁ ସଶବ୍ଦେ ବନ୍ଦ କରି ଟେବୁଲ ଉପରକୁ ପକାଇ ଦେଲେ । ତା’ପରେ ଲମ୍ବ ହୋଇ ଶୋଇଯାଇ ବେକତଳେ ତକିଆଟିକୁ ଚାପିଧରି ଚାହିଁଲେ ଆକାଶ ଆଡ଼କୁ । ସତେଜ ମନିପ୍ଲାଣ୍ଟ ସାଙ୍ଗକୁ ଝରକାର ଗ୍ରିଲ୍‌ ଭିତରେ ଶ୍ରାବଣ ମଧ୍ୟାହ୍ନର ଖଣ୍ତିତ ଆକାଶ ସୁନ୍ଦର ଦେଖାଯାଉଥିଲା ।

 

ଉଁ ହୁଃ.....

 

ଗୁନାବାବୁ ଗୋଟିଏ ଲମ୍ବା ନିଃଶ୍ୱାସର ସହିତ ବିଛଣା ଉପରେ ଉଠି ବସିଲେ ଏବଂ ତକିଆଟିକୁ କୋଳ ଉପରକୁ ଟାଣିନେଇ ତା’ ଉପରେ କହୁଣୀ ଭରାଦେଇ ଅଙ୍ଗୁଳି ଗୁଡ଼ିକ ଭିତରେ ମୁହଁ ଘୋଡ଼ାଇ ଚିନ୍ତାକଲେ–‘‘ଶ୍ରାବଣର ଏ ଅଳସ ମଧ୍ୟାହ୍ନ କିପରି କଟାଯାଇପାରେ ? ଲର୍‌କା ? ...ଆଜରା ପାଉଁଣ୍ତ ? ...ନା ବେଟର୍‌ (better) ମୋରାଭିଆ ।’’

 

ଗୁନାବାବୁ ବହିଥାକ ପାଖକୁ ଉଠିଗଲାବେଳେ ମନେ ପଡ଼ିଲା ଯେ ବହିଟା ରହିଯାଇଛି ମିସ୍‌ ରାୟଙ୍କ ପାଖରେ । ଗୁନାବାବୁ ଅନ୍ୟମନସ୍କ ଭାବରେ ଟେବୁଲ ଉପରୁ ପୁରୁଣା ଇଲଷ୍ଟ୍ରେଟେଡ଼ ଉଇକ୍ଳି ଟିଏ ଟାଣି ଆଣିଲେ । ତା’ ଉପରେ ଥିବା ଏକ ଚାବି ଓ ସିଗାରେଟଟା ତଳକୁ ଖସି ପଡ଼ିଲେ ବି ତାକୁ ଉଠାଇଲେ ନାହିଁ । ମୋଜାଇକ ଚଟାଣ ଉପରେ ଚାବିଟିର ଧ୍ୱନି କବିତା ପୁରୀରେ ଅଖଣ୍ତ ନୀରବତା ଭିତରେ ଗୋଟିଏ କ୍ଷୀଣ ଶବ୍ଦତରଙ୍ଗ ସୃଷ୍ଟି କଲା, ଯାହା କି ତାଙ୍କୁ ମନେ ହେଲା ରେବା ରାୟଙ୍କର ଚମ୍ପକ ଅଙ୍ଗୁଳି ତାଡ଼ିତ ତାନ୍‌ପୁରାର ଧ୍ୱନି ଭଳି ।

 

ରେବା ରାୟ–ପାଞ୍ଚଫୁଟ ସାଢ଼େ ଏକ ଇଞ୍ଚ ଉଚ୍ଚତା ବିଶିଷ୍ଟ ସ୍ୱାସ୍ଥ୍ୟବତୀ ତରୁଣୀ, ଯାହାଙ୍କ ସହିତ ଗୁନାବାବୁଙ୍କର ଆକସ୍ମିକ ପରିଚୟ ହୋଇଥିଲା କେଉଁ ଏକ ଯୁବ ଉତ୍ସବରେ !

 

ରେବା ରାୟଙ୍କ ସହିତ ଠିଆହୋଇ ଗପିବାକୁ ତାଙ୍କୁ ଭଲଲାଗେ–ସେ କେବଳ ରେବା ରାୟଙ୍କର ଏଇ ଉଚ୍ଚତା ଓ ସୁନ୍ଦର ସ୍ୱାସ୍ଥ୍ୟ ଯୋଗୁଁ ଅନୂଢ଼ା ତରୁଣୀମାନଙ୍କ ସହିତ ଆଳାପ କଲାବେଳେ ସେମାନଙ୍କର ଉଚ୍ଚତା ସମ୍ପର୍କରେ ଗୁନାବାବୁ ଟିକିଏ ସଚେତନ ଥାଆନ୍ତି । ରେବା ରାୟ ବା ତାଙ୍କରି ସ୍ୱାସ୍ଥ୍ୟ ଓ ଉଚ୍ଚତାର ସୁନ୍ଦରୀ ତରୁଣୀଟିଏ ଦେଖିଲେ ଗୁନାବାବୁ ତାଙ୍କର ଅନାଗତ ସ୍ତ୍ରୀର ସ୍ୱାସ୍ଥ୍ୟ ଓ ଉଚ୍ଚତା ସମ୍ପର୍କୀୟ ଏକ କାଳ୍ପନିକ ରୂପ ମନେ ମନେ ଆଙ୍କି ନିଅନ୍ତି । ଅବଶ୍ୟ ଆଜିକାଲି ଆଉ ଏମିତି ଭାବନା ତାଙ୍କୁ ସ୍ପର୍ଶ କରୁ ନାହିଁ ଏବଂ ନିଜର ବିବାହ ବିଷୟରେ ବି ସେ ଆଗ୍ରହୀ ବା ଇଚ୍ଛୁକ ନୁହନ୍ତି । ତେବେ ତାଙ୍କର ଏଇ ଉଦାସୀନତା ସମ୍ଭବ ହୋଇଛି ରେଖା ଓ ତାଙ୍କ ସମ୍ପର୍କରେ ବିଭିନ୍ନ ମହଲରେ ଚପାଚପା ଗଳାରେ ଆଲୋଚାନ ଚାଲିବା ଦିନଠାରୁ ।

 

ଇଲଷ୍ଟ୍ରେଟେଡ଼ ଉଇକ୍ଳିର ପ୍ରଚ୍ଛଦରେ ଥିବା ଏକ ସୁନ୍ଦରୀ ତରୁଣୀର ଗୋଲାପୀ କପୋଳ ଉପରେ ନିଜର କେଉଁ ନୂତନ କଳମର ପରୀକ୍ଷା ସ୍ୱରୂପ ଲେଖାଯାଇଛି ନିଜର କେତେଗୁଡ଼ିଏ ଇଂରାଜୀ ଦସ୍ତଖତ । ସେ ନିଜର ଦସ୍ତଖତକୁ କିଛି ସମୟପାଇଁ ଚାହିଁ ରହିଲେ । ବେଶ୍‌ ଲମ୍ବା ଅଥଚ ସରୁ ଦସ୍ତଖତଟିଏ । ଉଇକ୍ଳିଟିକୁ ଟିକିଏ ଦୂରରେ ରଖି ଗୋଟିଏ ଭିନ୍ନ କୋଣରୁ ସେ ଦସ୍ତଖତଟିକୁ ଚାହିଁ ତାର ସୌନ୍ଦର୍ଯ୍ୟ ଦେଖିବାକୁ ଲାଗିଲେ । ମାଛିଟିଏ ନିର୍ବିକାର ଭାବରେ ଆସି ଦସ୍ତଖତ ଉପରେ ବସି ପଡ଼ିଲା । ଗୁନାବାବୁ ମାଛିଟା ଉଡ଼ାଇବାର ଚେଷ୍ଟା କଲେ ନାହିଁ ।

 

ହଠାତ୍‌ କଏ ଟର୍ଚ୍ଚ ଚିପିଦେଲା ଭଳି ଗ୍ରିଲ ଛାଇ ସହିତ ବିଛାଇ ହୋଇ ପଡ଼ିଲା ଶ୍ରାବଣ ଆକାଶର ପାଣିଚିଆ ଖରା ।

 

ଗୁନାବାବୁ ସୂର୍ଯ୍ୟକୁ ଦେଖିବା ପାଇଁ ଝରକାପାଖକୁ ଉଠିଗଲେ । ବାହାରୁ ପରିଚିତସ୍ୱର ଶୁଣି କେଉଁ ସ୍କୁଲର ଯୁବତୀ ଝିଅ ଆଖିରେ କୌତୂହଳ ନେଇ ଝରକାର ପରଦା ଆଡ଼େଇ ଚାହିଁ ରହିଥିଲା ବେଳେ ହଠାତ୍‌ ତା’ ଉପରେ ନଜର ପଡ଼ିଗଲେ, ସେ ଯେମିତି ପରଦା ଉହାଡ଼ରେ ଆଖି ପିଛୁଡ଼ାକରେ ଲୁଚିଯାଏ, ଶ୍ରାବଣ ଆକାଶର ସୂର୍ଯ୍ୟ ସେହିପରି ବଉଦର ଅନ୍ତରାଳରେ ଅଦୃଶ୍ୟ ହୋଇଗଲେ ।

 

ଶୋଇବାକୁ ଇଚ୍ଛା ହେଉ ନାହିଁ । ସମୟ ସରୁନାହିଁ । ବର୍ଷା ବି ହେଉନାହିଁ ।

 

ଗୁନାବାବୁ ଆରାମ ଚଉକୀ ଉପରେ ଦେହ ଢାଳିଲେ ।

 

ପୁରୁଣା ଇଲଷ୍ଟ୍ରେଟେଡ଼ ଉଇକ୍ଲିର ପୃଷ୍ଠା ଲେଉଟାଇ ସେଥିରୁ ନବଦମ୍ପତିମାନଙ୍କର ଫଟୋ ଦେଖିଲେ ଏବଂ ତା’ ଭିତରୁ କିଏ ବେଶି ସୁନ୍ଦରୀ ତା ମନେ ମନେ ସ୍ଥିର କଲେ । ତା’ପରେ ଦେଖିଲେ ଯେ ସେ ସୁନ୍ଦରୀଙ୍କ ପାଇଁ ତାଙ୍କ ସ୍ୱାମୀ ଉପଯୁକ୍ତ ନୁହଁନ୍ତି । ତେଣୁ ସେ ତାଙ୍କ ପାଇଁ ସେହି ଫଟୋଗୁଡ଼ିକ ମଧ୍ୟରୁ ଅନ୍ୟ ପୁରୁଷଟିଏ ମନେ ମନେ ବାଛିଦେଲେ । ଅନ୍ୟଦିନ ହୋଇଥିଲେ ସେ ସେହି ସ୍ଥାନରେ କଳ୍ପନାରେ ନିଜର ଛବି ଯୁକ୍ତ କରିଥାନ୍ତେ । କିନ୍ତୁ ରେଖା ପ୍ରତି ତାଙ୍କର ଅସମ୍ଭବ ସ୍ନେହ, ମମତା ଜାତହେଲା ଦିନଠାରୁ ତାହା ଆଉ ସମ୍ଭବ ହେଉନାହିଁ ।

 

ଗୁନାବାବୁ ପୁଣି ଇଲଷ୍ଟ୍ରେଟେଡ଼ ଉଇକ୍ଲିର ପୃଷ୍ଟା ଲେଉଟାଇଲେ । ତାଙ୍କର ନଜର ପଡ଼ିଲା ‘ବିଉକା’ ବ୍ରେସିଅର୍‌ର ଏକ ବିଜ୍ଞାପନ ଉପରେ ।

 

ବ୍ରେସିଅର୍‌ ଛବି ପ୍ରଦତ୍ତ ହୋଇଛି । ଗୁନାବାବୁ ଅନୁଚ୍ଚସ୍ୱରରେ ତାହାର ନିର୍ମାତା କମ୍ପାନୀର ନାମ ଉଚ୍ଚାରଣ କଲେ । ବ୍ରେସିଅର୍‌ ଛବିକୁ କିଛି ସମୟ ଚାହିଁ ସେ ଭାବିଲେ ମିସେସ୍‌ ଗନ୍ତାୟତଙ୍କପାଇଁ ବ୍ରେସିଅର ମିଳିବ କି ନାହିଁ ଏବଂ ରେଖାପାଇଁ କେତେ ନମ୍ବର ବ୍ରେସିଅର ଦରକାର ହେବ, ତାହାର ଏକ ଆନୁମାନିକ ସଂଖ୍ୟା ସ୍ଥିର କଲେ ।

 

ତା’ ପରେ ଭେନସ୍‌ ପେନସିଲ୍‌ର ଏକ ବିଜ୍ଞାପନ ଉପରେ ଆଖି ପଡ଼ିଲା । ପେନ୍‌ସିଲ୍‌ର ମୁନ ଖୁବ୍‌ ତୀକ୍ଷ୍‌ଣ ହୋଇ ଆଗକୁ ଲମ୍ବି ଯାଇଛି । ତାଙ୍କର ଇଚ୍ଛାହେଲା ଏମିତି ଏକ ପେନ୍‌ସିଲରେ ମନିପ୍ଲାଣ୍ଟର ସେଇ ସତେଜ ପତ୍ରରେ ଏକ ରନ୍ଧ୍ର କରି ଦିଅନ୍ତେ ଏବଂ ତା’ ଦେହରୁ ଝରିପଡ଼ନ୍ତା । କେତେ ବିନ୍ଦୁ ପତ୍ର ରସ; କିମ୍ବା କଳା ମଚମଚ ପ୍ଳାଇମାଉଥ ଗାଡ଼ିର ଝରକା ବାଟେ ନୀଳ ଭେଲଭେଟୀ ସ୍ଳିଭ୍‌ଲେସ ବ୍ଳାଉଜର କାନ୍ଧପାଖରୁ ବାହାରି ଆସିଥିବା ମିସେସ୍‌ ଗନ୍ତାୟତଙ୍କର ସମବର୍ତ୍ତୂଳ ଅଥଚ ପୃଥୁଳ ଓ ଗୌରବର୍ଣ୍ଣର ପେଲବ ବାହୁ (ଯେଉଁଥିରେ ଦୁଇଟି ଟିକାର ଚିହ୍ନ) ମୂଳରେ ଯଦି ଭେନସ୍‌ ପେନ୍‌ସିଲର ଏକ ଚୁମ୍ବକୀୟ ସ୍ପର୍ଶ ଦିଅନ୍ତେ..., ତେବେ ମିସେସ ଗନ୍ତାୟତ ହୁଏ ତ ଏକ ଅପ୍ରତିଭ ହସ ହସି ଦିଅନ୍ତେ ହେଁ ହେଁ ହୋଇ ଏବଂ କହନ୍ତେ–ଗୁନାବାବୁ ! ୟୁ ଆର ଜଷ୍ଟ୍‌ ଏ ଚାଇଲ୍‌ଡ଼, ହେଁ, ହେଁ । ତାଙ୍କର ସେଇ ପୁରୁଷ ସୁଲଭ ହସ ଶୁଣି ବି ପୁରୁଣା ଡ୍ରାଇଭର ଇଦ୍ରିସ ମିଆଁ ହସି ପକାନ୍ତା ।

 

ପେନ୍‌ସିଲର ଚିତ୍ର ପାଖକୁ ଲାଗି ଭେନସଙ୍କର ହସ୍ତବିହୀନ ଅର୍ଦ୍ଧନଗ୍ନ ମୂର୍ତ୍ତିର ଛବି । ଗୁନାବାବୁଙ୍କର ମନେ ପଡ଼ିଲା, ତାଙ୍କର ହସ୍ତାଙ୍କିତ ମାଂସଳଦେହୀ ନଗ୍ନ ନାରୀ ଛବି କେତୋଟି ଅତି ଗୋପନ ଭାବରେ ଦେଖି ଦେଖି ସେ ଦିନର ସ୍କୁଲ ଝିଅ ଦଶ ବରଷର ରେଖା ତାଙ୍କୁ ଅସଭ୍ୟ ଭାବି କେତେ ଦିନ ଯାଏଁ କଥା କହି ନ ଥିଲା ।

 

ଗୁନାବାବୁ ଭେନ୍‌ସର ଛବି ଉପରେ ହସ୍ତ ସଞ୍ଚଳନ କରି ଆଣିଲେ । ତାଙ୍କର ମନେ ହେଲା ରେଖା ସେଇ ଭେନ୍‌ସ ଭଙ୍ଗୀରେ ଠିଆ ହୋଇଛି ।

 

ରେଖା...ତାଙ୍କର ସକଳ କବିତାର ନାୟିକା...ନୂଆ ବହିର ‘ସ୍ୱପ୍ନ’...ଅଗଣିତ ଶିଳ୍ପ ଚେତନାର ଉତ୍ସ... ଯାହାର ସ୍ନେହ ପାଖରେ ବାପ, ମାଆ, ଭଉଣୀ ବି ବଡ଼ ଦିଶନ୍ତି ନାହିଁ । ଗୁନା ବାବୁଙ୍କୁ ଭାରୀ ଭଲ ଲାଗେ, ବାରମ୍ବାର ସେଇ ନାମଟି ଉଚ୍ଚାରଣ କରିବାକୁ–କେବଳ ସେଇ ଦୁଇଟି ଅକ୍ଷର–ରେ ଖା ।

 

ସେ ଏକ ଅଳସ ମଧ୍ୟାହ୍ନ...

 

ଖଣ୍ତ ଖଣ୍ତ ଧଳା ବଉଦର ଛାଇ ବଗିଚା ଉପରେ ସନ୍ତରି ଯାଉଥିଲା । ଝରକା ଦରଜା ଉପରେ କର ଭରାଦେଇ ବ୍ରୀଡ଼ାବତୀ ରେଖା ଅଯଥା ଶଙ୍କିତ ପଲ୍ଲୀବାଳା ପରି ଠିଆ ହୋଇଥିଲା । ଗୁନାବାବୁ ରେଖାର ଆଲୁଳାୟିତ କୁନ୍ତଳ ସଜାଡ଼ି ନେଇ ନୀରବରେ ତା’ର କପାଳ ଚୁମ୍ବନ କଲେ ।

 

ରେଖା ତର ତରରେ କପାଳରୁ ତା’ର ଦାଗ ପୋଛି ପକାଇଲା ଏବଂ ନିଜର ପେଲବ ବାହୁରେ ମୁଖ ଆବୃତ କରି ନୀରବ ରହିଗଲା । ତା’ର କପାଳରେ ସେତେବେଳେ ଫୁଟି ଉଠିଥିଲା କେତୋଟି ଛନ ଛନ ପଲାସ ଫୁଲ ।

 

ଗୁନାବାବୁ ଶଙ୍କିତ ନରମ ଗଳାରେ ପଚାରିଥିଲେ,–‘‘ରାଗିଲୁ କି ?

 

ରେଖା ନୀରବ ।

 

‘‘ଏଁ ରାଗିଲୁ ? ତୁ ରାଗିଲୁ, ରେଖା ? ହଉ, ତେବେ ଆଉ ଦିନେ’’...

 

ରେଖା ବିରକ୍ତି ମିଶା ସ୍ୱରରେ ଉତ୍ତର ଦେଇଥିଲା,–‘‘କିଏ ରାଗିଚି ମ ।’’

 

ଗୁନାବାବୁଙ୍କୁ ସେତେବେଳେ ମେଘଭରା ମଧ୍ୟାହ୍ନର ପାଣିଚିଆ ଖରା ଚନ୍ଦ୍ରକିରଣ ଭଳି ଜଣାଯାଇଥିଲା ଏବଂ ତାଙ୍କର ଉତ୍ସାହ ଅଧର ନଇଁ ଆସିଥିଲା ରେଖାର ଭୀରୁ ଆଖିପତା ଉପରକୁ ।

 

ରେଖା ଆପତ୍ତି ଜଡ଼ିତ କଣ୍ଠରେ କହିଥିଲା,–‘‘ତମର ତ ଏଇନେ ଏ ଦେହ ଉପରେ ଅଧିକାର ନାହିଁ । ସେ ଅଧିକାର ଯେଉଁଦିନଠାରୁ ଆସିବ-

 

‘‘ଓ, ତେବେ ସେମିତି ଏକଦିନ ଆସିବାର ଭରସା ରଖିବି ତ ?’’

 

ରେଖା କହିଥିଲା,–‘‘ମୋ କଥା ଉପରେ କିଏ ଭରସା ରଖିବ କି ନାହିଁ ସେ କଥା ମୁଁ କେମିତି କହିବି ?’’ ଅଥଚ ତା’ର ଚାହାଁଣି ସେତେବେଳେ ସତେ ଯେମିତି କହି ଦେଇଥିଲା ତା’ ଉପରେ ସେଇ ଭରସା ରଖିବାକୁ ।

 

ଗୁନାବାବୁ ଆରାମ ଚଉକୀ ଉପରୁ ଉଠି ପଡ଼ିଲେ ।

 

ବାହାରେ ଆକାଶ ବେଶ୍‌ ତୋଫା ଦେଖାଯାଉଛି । ତଥାପି ବି ମେଘ ସଞ୍ଚରୁଛି ଦୂରର ନୀଳ ପାହାଡ଼ ଦୁଇଟିର ପୃଥୁଳ ଶିଖର ଉପରେ । ଏଇ ମେଘଘେରା ଉଦ୍ଧତ ପାହାଡ଼ ଦୁଇଟିକୁ ଦେଖିଲେ ରେଖାର କୁଆଡ଼େ ହଠାତ୍‌ ମନେ ପଡ଼ିଯାଏ ଗୁନା ଭାଇଙ୍କର ସେଇ ଉପମାଟା ଏବଂ ତା’ ସହିତ ବି ମନେ ପଡ଼ିଯାଏ ତା’ ନିଜର ସେଇ ଟିପ୍‌ପଣୀ,–‘‘ଛିଃ, ଗୁନାଭାଇ ! ତମେ କେଡ଼େ ଇଏ ଲୋକ ମ ? ତମ ପାଟିକୁ ଲଗାମ ନାଇଁ ।’’

 

ଗୁନାବାବୁ ଶେଯ ଉପରେ ଗଡ଼ପଡ଼ ହେଲେ ।

 

ଧୀର ଧୀର ପବନରେ ମନିପ୍ଳାଣ୍ଟ ଦୋଳି ଖେଳୁଛି । ତା’ର ଏକ ପ୍ରଶସ୍ତ ପତ୍ର ଉପରେ ଏଣ୍ତୁଅଟି ମଥାଟେକି ବସିଲାଣି । ମୁହଁରେ ତା’ର ଈଷତ ପାଟଳିମା ।

 

ଗୁନାବାବୁ ତକିଆ ଉପରେ ବକ୍ଷଭାର ରଖି ଶୋଇଲେ ।

 

‘କବିତା ପୁରୀ’ର ମୌନ ନୀରବତା ଭିତରେ ଘଣ୍ଟାର ଟିକ୍‌ ଟିକ୍‌ ଶବ୍ଦ ତାଙ୍କୁ ହାତୁଡ଼ିର ଶବ୍ଦଭଳି ମନେ ହେଉଥିଲା ।

 

ମନିପ୍ଲାଣ୍ଟର ପତ୍ର ଉପରୁ ଏଣ୍ତୁଅଟି ଚାହିଁଛି ଗୁନାବାବୁଙ୍କୁ ।

 

ମେଘର ଝୀନ ଆବରଣ ତଳୁ ପ୍ରଗଳ୍‌ଭ ପାହାଡ଼ ଦୁଇଟିର ଅଗ୍ରଭାଗ ଅସ୍ପଷ୍ଟ ଭାବରେ ଦେଖାଯାଉଛି । ମେଘ ତା’ ଉପରେ ଘଷିହେଉଛି । ଗୁନାବାବୁ ତକିଆର ଏକ ପ୍ରାନ୍ତୀୟ କୋଣକୁ ଦନ୍ତାଗ୍ରରେ ଚାପିଧରିଲେ ।

 

ପାଦତଳେ କେମିତି ଏକ ମାଂସଳ ଉଷ୍ଣତା ଜଣାଗଲା ପାଦକୁ । ଧୀରେ ଧୀରେ ପଦ ସଞ୍ଚାଳନ କରି ଗୁନାବାବୁ ଜାଣିପାରିଲେ ଯେ ଉଷ୍ଣତା ତାଙ୍କର ଧଳା ଲୋମଶ ବିଲେଇ, ‘ପୁସି’ର, ଯେ କି ବେଳେବେଳେ ତାଙ୍କ ମୁହଁକୁ କେମିତି ପିପାସିତ ଆଖିରେ ଚାହେଁ ଓ ତାହା ଏକ ପରିଚିତ ଚାହାଣି ଭଳି ଲାଗେ, ଯାହାକୁ ଅନେକ ବିଶ୍ଳେଷଣ ପରେ ଗୁବାବାବୁ ସ୍ଥିର କରିଛନ୍ତି ଯେ ସେଥିରେ ରେଖାର ପ୍ରଣୟ ନିବେଦନକାଳୀନ ଚାହାଁଣିର ଅନେକଟା ସାମଞ୍ଜସ୍ୟ ଥିବାରୁ ତାଙ୍କୁ ଏତେ ଭଲ ଲାଗେ ।

 

ଗୁନାବାବୁ ପୁସିକୁ କୋଳ ଉପରକୁ ଉଠାଇଆଣିଲେ ଏବଂ ଦାନ୍ତ ଚାପି ଚାପି ଉଚ୍ଚାରଣକଲେ–‘‘ପୁସି ! ପୁସି ଲୋ ! ଏ ପୁସି’’ । ତା’ପରେ ପୁସିର ମଥା ଉପରେ ନିଜର ମଥାରଖି କହିଲେ,–‘‘ମ୍ୟାଉଁ...’’ ପୁସିଟା ଡେଇଁ ପଳାଇଯାଇ ଅଳସ ଭାଙ୍ଗିଲା । ପୁସିର ଏଇ ଅଳସ ଭାଙ୍ଗିବା ଭଙ୍ଗୀଟି ବି ତାଙ୍କୁ ମନେ ପକାଇଦେଲା ଏକ ପରିଚିତ ଆଳସ୍ୟଭରା ଭଙ୍ଗୀ ।

 

ମନିପ୍ଲାଣ୍ଟ ଉପରେ ଏଣ୍ତୁଅଟି ତାଙ୍କୁ ଚାହିଁ ମୁଣ୍ତ ହଲାଇଲା ପ୍ରଶ୍ନ ପଚାରିଲାଭଳି । ମୁହଁରେ ତା’ର ପାଟଳିମା ।

 

ଗୁନାବାବୁ ଶେଯ ଉପରୁ ଉଠି ବସିଲେ ।

 

ଉଁ ହୁଁ...... (ଏକ ଲମ୍ବା ନିଃଶ୍ୱାସ ଏବଂ କିଛିଟା ଅସ୍ୱସ୍ତି)

 

ରବିବାରର ଅଳସ ମଧ୍ୟାହ୍ନ...ଏକ ଦୀର୍ଘ ମଧ୍ୟାହ୍ନ । ଗୁନାବାବୁଙ୍କୁ ବୋଧହେଲା ଶିମ୍ବଲତା ତଳେ କୁକୁଡ଼ା ଘୂମାଇଲାଭଳି ଏ ମଧ୍ୟାହ୍ନ ଯେମିତି ଘୂମାଇ ପଡ଼ୁଛି ।

 

କୁଣିଆଁ ହିସାବରେ ବନ୍ଧୁ ଘରକୁ ଆସିଥିବା ମଫସଲର ଯେଉଁ ଏକ ସ୍ୱାସ୍ଥ୍ୟବତୀ ଝିଅ ଅଳସ ଭାଙ୍ଗିଲାବେଳେ ଯେମିତିତ ଭାରି ଇଚ୍ଛାହୁଏ ତାକୁ ବିଧାଟିଏ ମାରିବାକୁ ଏବଂ କେତେକ କାରଣବଶତଃ ବିଧାଟି ମାରି ନ ପାରିବା ହେତୁ ମନଟା ଯେମିତି ଯେମିତି ଲାଗେ, ରବିବାରର ଏ ଦୀର୍ଘ ଅଳସ ମଧ୍ୟାହ୍ନ ଗୁନାବାବୁଙ୍କୁ ସେମିତି ଲାଗୁଥିଲା ।

 

ଏମିତି ଅନେକ ମଧ୍ୟାହ୍ନରେ ରେଖାର ସାନ୍ନିଧ୍ୟ ମଧ୍ୟାହ୍ନର ଦୀର୍ଘତାକୁ ହ୍ରାସ କରି ଦେଉଥିଲା । ରେଖା ହୁଏତ ଏବେ ଶେଯ ଉପରେ ଦେହଢ଼ାଳି ‘ଆସନ୍ତାକାଲି’ ପଢ଼ୁଥିବ ବା ତା’ର ଏକଦା ମାଇଚିଆ ଥିବା ସେଇ ସମ୍ପର୍କୀୟ ଭାଇଟି ପାଖରେ ବସି କେଉଁ ଚଳଚ୍ଚିତ୍ରର ଗୀତ ଓ ତା’ର ଗାୟକ ବିଷୟରେ ଯୁକ୍ତି କରୁଥିବ । ତା’ର ସେଇ ଏକଦା ମାଇଚିଆ ଥିବା ଭାଇଟି ତା’ ପାଖରେ ନ ଥିଲେ ଏଇ ଦୀର୍ଘ ମଧ୍ୟାହ୍ନଟା ତା’ର ବି ଅସର ହୁଅନ୍ତା ।

 

ରେଖା ଲେଖିଥିଲା,–ଭଲପାଇ ଦୂରରେ ରହିବା ଏତେ କଷ୍ଟ ବୋଲି ଜାଣି ନ ଥିଲି । ସେଥିରେ ପୁଣି ମଝିରେ ମଝିରେ ଗୋଟାଏ ଗୋଟାଏ ରବିବାର ଆସି ସେଇ ଦୂରତାର କଷ୍ଟକୁ ଆହୁରି ବଢ଼ାଇ ଦେଉଛି । ରବିବାରର ଏଇ ମଧ୍ୟାହ୍ନ ଗୁଡ଼ାକ କି ଯନ୍ତ୍ରଣାଦାୟକ, ଯଦିଓ ତୁମେ କହ ତାହା ଏକ ମଧୁର ଯନ୍ତ୍ରଣା ।

 

ଓଃ ମଧ୍ୟାହ୍ନରେ... ! ମଧ୍ୟାହ୍ନ... !

 

ଗୁନାବାବୁ ଶେଯଉପରେ ଗଡ଼ପଡ଼ ହେଲେ ।

 

ଶ୍ରାବଣର ଖଣ୍ତିତ ଆକାଶ ଗ୍ରିଲ୍‌ ଭିତର ଦେଇ ସତେ ଯେମିତି ଭିତରକୁ ପଶିଆସୁଛି । ଗୁନାବାବୁ ବେକତଳେ ତକିଆଟା ଚାପି ଧରିଲାବେଳେ ଜାଣିଲେ ଯେ ତା’ର କୌଣସି ଏକ ଅଂଶରେ ମୂଷାଦାନ୍ତର କାରିଗରୀର ଏକ ରନ୍ଧ୍ର । ସେ ସେଇ ରନ୍ଧ୍ରଟିରେ ନିଜର ବିଶି ଅଙ୍ଗୁଳିଟି ଦୁଇ ଚାରିଥର ପ୍ରବେଶ କରାଇ ତୂଳାର କୋମଳତା ଅନୁଭବ କଲେ ଏବଂ କେମିତି ଏକ ଖିଆଲରେ କନାଟା ସେହିଠାରୁ ହଠାତ୍‌ ଚିରି ପକାଇଲେ ।

 

ଆକାଶରେ ମେଘ ଘୋଟିଲାଣି । ପୁଣି ବର୍ଷା ହେବ । ଝଲକା ଝଲକା ପବନରେ ବର୍ଷାର ଢେଉ ନାଚିଯିବ ଘାସର ନୀଳଗାଲିଚା ଉପରେ ।

 

ଆଃ...ବର୍ଷା ଆସନ୍ତା କି ! ବର୍ଷୁକ ପବନରେ ଜଳକଣା ଭାସି ଆସି ଲୋମ ଉପରେ ଜମି ଯାଆନ୍ତା–ସକାଳର ନୀଳ ଘାସ ଉପରେ ରାତିର କାକର ବିନ୍ଦୁ ଲାଗି ରହିଥିଲା ଭଳି । ରେଖା ବି ଏ ବର୍ଷାରେ ଉନ୍ମନା ହୋଇ ପଡ଼ନ୍ତା । ରେଖା ଲେଖିଥିଲା–ମୁଁ ତ ଜାଣେ ତମେ ଏମିତି ବର୍ଷା ପାଗରେ ତମ ଝରକା ପାଖରେ ଠିଆ ହୋଇ ପାହାଡ଼ ଉପରେ ବର୍ଷାର ନାଚ ଦେଖୁଥିବ ବିଭୋର ହୋଇ ଏବଂ ଏତେବେଳେ ସେ ଅସଭ୍ୟ ପାହାଡ଼ ଦୁଇଟା ତୁମକୁ କ’ଣ ନାଇଁ କ’ଣ ଭଳି ଦେଖା ଯାଉଥିବ । ମୁଁ ଏଠି ନୀରବରେ ଶୋଇ ଶୋଇ ତମର ପଦ୍ମତୋଳା ଶୁଣୁଛି । ଆଉ ଏମିତି ପଦ୍ମତୋଳା ଶୁଣୁ ଶୁଣୁ କେତେବେଳେ ଦିନେ ମୋ ଅଜାଣତରେ ଯାଇ ତମ ପାଖରେ ପହଞ୍ଚି ଯାଇଥିବି ଏବଂ ତମେ ହଠାତ୍‌ ଶେଯ ଉପରେ ମତେ ଆବିଷ୍କାର କରି ଆଶ୍ଚର୍ଯ୍ୟ ହେବ ।

 

ଗୁନାବାବୁ ଉଠିବସି ଆଙ୍ଗୁଳିଗୁଡ଼ାକ ଫୁଟାଇଲେ ।

 

ମନିପ୍ଲାଣ୍ଟର ପତ୍ର ଉପରୁ ଏଣ୍ତୁଅଟା ସେମିତି ଚାହିଁଛି । ମୁହଁ ତାର ଲାଲ ଦେଖାଯାଉଛି । ଏଣ୍ତୁଅଟା ଦୁଇ ଚାରିଥର ମଥା ହଲାଇଲା । ଗୁନାବାବୁଙ୍କର ମନ ହେଲା ଏଣ୍ତୁଅଟାର ବେକ ମୋଡ଼ି ଦିଅନ୍ତେ । ତା’ ହେଲେ ତା’ର ହାଡ଼ଟା ଠକ୍‌ କରି ଫୁଟନ୍ତା ଅଥବା ଏଣ୍ତୁଅଟା ହୁଏତ ମରିଯାଆନ୍ତା ।

 

ଗୁନାବାବୁ କେମିତି ଏକ ଅସହନୀୟ ଉତ୍ତେଜନାରେ ଘର ଭିତରେ ପଦଚାରଣ କରିବାକୁ ଲାଗିଲେ ।

 

ଏଣ୍ତୁଅଟା ତଥାପି ଚାହିଁ ରହିଛି । ରେଖା ଏମିତି ଏଣ୍ତୁଅ ଦେଖିଲେ ଡରେ । ଆଃ ! ରେଖା ଆଜି ଆସନ୍ତା କି ! ସେ କିନ୍ତୁ ଏଠାରେ ନାହିଁ । ସେ ଯାଇଛି ଭୁବନେଶ୍ୱର ଏବଂ ସେଠାରୁ କୋଣାର୍କ ଯିବ ତା’ର ସେଇ ଏକଦା ମାଇଚିଆ ଥିବା ଭାଇଟି ସହିତ । ରେଖା ଥରେ ଲେଖିଥିଲା–ତମେ ଯଦି ତମ ବନ୍ଧୁମାନଙ୍କ ସହିତ କୋଣାର୍କ ପରିଦର୍ଶନରେ ଯାଇଥାଆନ୍ତ, ସତରେ ମୁଁ ତମ ଉପରେ ଭାରି ରାଗି ଥାଆନ୍ତି । ମୁଁ ଜାଣେ, ମୁଁ ସାଙ୍ଗରେ ନଗଲେ କୋଣାର୍କର ମୂର୍ତ୍ତି ଶିଳ୍ପ ତୁମକୁ ଭଲ ଲାଗିବ ନାହିଁ । ଆମ ବାହାଘର ପରେ ଆମେ ଦୁହେଁ କୋଣାର୍କ ଯିବା ଓ ତମର ସେଇ ଅବାନ୍ତର ସ୍ୱପ୍ନ ସତହେବ । ନୁହେଁ ?

 

ଗୁନାବାବୁ ଅସ୍ଥିର ଭାବରେ ପଦଚାରଣ କରୁଥିଲେ ।

 

ମନିପ୍ଲାଣ୍ଟର ଏକ ହୃଷ୍ଟପୁଷ୍ଟ ସତେଜ ପତ୍ର ଉପରୁ ଏଣ୍ତୁଅଟା ମୁଣ୍ତ ହଲାଇଲା । ମୁହଁରେ ତା’ର ଫୁଟନ୍ତା ପଲାଶର ରଙ୍ଗ । ମନିପ୍ଲାଣ୍ଟର ପତ୍ରଟା କେତେ ବହଳ ଓ କେତେ ପ୍ରଶସ୍ତ ! ଗୋରା ଦେହର ନୀଳ ଶିରାଭଳି ପତ୍ରର ଶିରାଗୁଡ଼ାକ ସ୍ପଷ୍ଟ । ପତ୍ରର ଗୋଟିଏ ପାଖ ଈଷତ୍‌ ଧଳା ଦିଶୁଛି । ପହିଲମାନ ଦଣ୍ତ ମାରିଲା ଭଳି ଏଣ୍ତୁଅଟା ପତ୍ର ଉପରେ ବ୍ୟାୟାମ କରିବାକୁ ଆରମ୍ଭ କରିଥିଲା । ତା’ର ମୁନିଆ ନଖଗୁଡ଼ାକ ତାଙ୍କର ପ୍ରିୟ ମନିପ୍ଲାଣ୍ଟର ପତ୍ରଟାରେ ଫୁଟି ଯାଇଥିଲା ।

 

ଗୁନାବାବୁ ଝରକାର କାନ୍ଥ ଦେହରେ ଚାପିହୋଇ ଗ୍ରିଲଗୁଡ଼ାକ ଟାଣିଧରି ଏଣ୍ତୁଅଟାକୁ ଖସାଇପକାଇବାକୁ ମନିପ୍ଳାଣ୍ଟ ଆଡ଼କୁ ହାତ ବଢ଼ାଇଲେ ।

 

ହାତ ପାଉନାହିଁ । ଏଣ୍ତୁଅଟା ଭୟ କରୁନାହିଁ ।

 

ଗୁନାବାବୁ ଖୁବ୍‌ ଜୋରରେ ଦାନ୍ତ ଚାପି ଗ୍ରିଲଗୁଡ଼ାକ ମୁଠାଇ ପକାଇଲେ ।

 

ମନିପ୍ଲାଣ୍ଟର ସତେଜ କୋମଳପତ୍ରଟି ଉପରେ ଏଣ୍ତୁଅଟା ଦୁଇ ଚାରିଥର ବ୍ୟାୟାମ କଲା-

 

ଝରକାର ଗ୍ରିଲ ଉପରେ ମୁଣ୍ତ ଲଗାଇ ଝରକାର କବାଟଟାକୁ କାନ୍ଥଦେହରେ ଖୁବ୍‌ ଜୋରରେ ଚାରି ପାଞ୍ଚଥର ଧକ୍‌କା ଦେଲେ । ତାଙ୍କର ଆଖି ବନ୍ଦ ହୋଇଗଲା । ମୁହୂର୍ତ୍ତକପରେ ମୁଣ୍ତଟା ତାଙ୍କର କେମିତି ଝିମି ଝିମି ଜଣାଗଲା । ତାଙ୍କୁ ଲାଗିଲା ସତେ ଯେମିତି ଅଂଧାର ରାତିରେ ରେଲଗାଡ଼ିର ଡବାଗୁଡ଼ାକ କେଉଁ ରେଲପୋଲ ଉପରେ ଗୋଟିଏ ପରେ ଗୋଟିଏ ଅତିକ୍ରମ କରିଯାଉଛି ।

 

କ୍ରମେ ତାଙ୍କର ଦେହ ନିସ୍ତେଜ ଜଣାଗଲା । ନିଜର ଅବଶ ଦେହଟାକୁ ସେ ଶେଯ ଉପରେ ଜଡ଼ାଇଦେଲେ ।

 

ମନିପ୍ଲାଣ୍ଟର ପତ୍ର ଉପରେ ଏଣ୍ତୁଅଟା ଆଉ ନ ଥିଲା । ପତ୍ରଟା ତାଙ୍କୁ ବିବର୍ଣ୍ଣ ଦେଖାଗଲା-

 

ଗୁନାବାବୁଙ୍କର ଦେହ ଝିମି ଝିମି ଲାଗୁଥିଲା । ସେ ଆଖି ବନ୍ଦକରି ଦେହର ଅନୁଭବକୁ ଜାଣିବାକୁ ଚେଷ୍ଟା କଲେ । ଦେହରୁ ସାବୁନ୍‌ ଫେଣ ଶୁଖି ଯାଉଥିଲାବେଳେ ଯେମିତି ଲାଗେ, ତାଙ୍କୁ ଠିକ୍‌ ସେମିତି ଜଣାଯାଉଥିଲା ।

Image

 

ସଂଧ୍ୟାର କାକଳି

 

ବୋତଲରୁ ଝରି ପଡ଼ିଲାବେଳେ ସାମ୍ପେନ୍‌ ଗାଉଛି ଆଜି ଝରଣାର ଗୀତି । କେତେ ଯୁଗର ସଙ୍ଗୀତ ଭରି ରହିଛି ସେଥିରେ, କେତେ ରାତିର ତାତି ଜଡ଼ି ରହିଛି ତାରି ଭିତରେ । ଏମିତି ଏକ ଏପ୍ରିଲ ସଂଧ୍ୟାରେ ଗୋଟାଏ ପେଗା ସାମ୍ପେନ୍‌... ଆଃ, କି ମଜେଦାର...

 

ଗ୍ଳାସର ଧାରେ ଧାରେ ସାମ୍ପେନ୍‌ର ବୁଦ୍‌ ବୁଦ୍‌ ମରି ମରି ଯାଉଛି । ରାତିର ଅଂଧାର ଭିତରେ ଆକାଶର ରଙ୍ଗ ମରି ମରି ଗଲା ଭଳି ସଂଧ୍ୟା ଆକାଶର ରଙ୍ଗ....ଲାଲ୍‌ ଲାଲ୍‌ ସାମ୍ପେନ୍‌....ଲାଲ୍‌ ଗୋଲାପ...ଲାଲ୍‌ ଶାଢ଼ୀରେ ସରୁ ସରୁ ପତରର ଛାପା.... ରେଖା ପଟ୍ଟନାୟକ... ଆଃ, ଗୋଟାଏ ପେଗ୍‌ ସାମ୍ପେନ ।

 

ମନର ଅଜସ୍ର ଗ୍ଳାନିକୁ ଅନାୟାସରେ ଭୁଲାଇ ନେବାରେ ଏଇ ସାମ୍ପେନ୍‌ର ଅନେକ ପ୍ରଶସ୍ତି । ସମ୍ଭବତଃ ସେଇଥିପାଇଁ ପାଖ କକ୍ଷଟିରେ ସେଇ ଭଦ୍ର ଲୋକଟି ପେଗ୍‌ ପରେ ପେଗ୍‌ ଶେଷକରି ଚାଲିଛି । ତାର ମୁଖର ଭଙ୍ଗୀରୁ ମନର ଅବସ୍ଥାଟି ଗୁନବାବୁ ବେଶ୍‌ ଅନୁମାନ କରିପାରି ଥିଲେ । କଫି ହାଉସର ଆଉ ଏକ ନିଭୃତ କକ୍ଷରେ ବସି ଗୁନବାବୁ ଭାବୁଥିଲେ ସେଇ ଲୋକଟି କଥା ।

 

ସମୟ ଆଗେଇ ଚାଲିଛି । ବନ୍ଧୁ ସୁକାନ୍ତ କହୁଥିଲା ଏଇଠି ତାକୁ ଅପେକ୍ଷା କରିବାକୁ । ହାତ ତିଆରି ଗୋଟିଏ ପଟ୍‌ ସ୍ପେଶାଲ୍‌ କଫିର ସୁରଭି ଭିତରେ ସେ କହିଥାନ୍ତା ରେଖାର ଏକ କାହାଣୀ । ଡେରି ହୋଇଗଲାଣି, ଆଉ କ’ଣ ସେ ଆସିବ ? କେଜାଣି ।

 

କକ୍ଷଟିର ସଫେଦ୍‌ କାନ୍ଥରେ ଆସନ୍ନ ସନ୍ଧ୍ୟା ଆକାଶର ପାଟଳିମା,–ବଳୟୀତ ଅଧର ପରଶରେ ରେଖା କପୋଳର ଦୁଧ ଅଳତା ରଙ୍ଗର ଢେଉ ଭଳି । କାନ୍ଥର କାଲେଣ୍ତରରେ ନାଁ ନଜଣା କେଉଁ ଏକ ତରୁଣୀର ଛବି–ଘୂମନ୍ତ ଆଖିରେ କି ଇଙ୍ଗିତ ଭରା ସ୍ୱପ୍ନିଳ ଚାହାଣି–ରେଖା ଆଖିର ନୀଳ ଢେଉ ପରି, ଆଉ ଓଠରେ ସେଇ ଚପଳ ହସ ।

ଗୁନବାବୁ ବୟକୁ ଅପେକ୍ଷା କରୁଥିଲେ କଫି ପାଇଁ । କପେ ସ୍ପେଶାଲ କଫିର ସୁରଭି ନାଁ ନଜଣା ତରୁଣୀର ଘୂମନ୍ତ ନୀଳ ଆଖି....ଆଉ ରେଖା ବାଃ, ଚମତ୍କାର ହେବ ।

ପାଖ କକ୍ଷଟିର ଭଦ୍ରଲୋକଟି ସାମ୍ପେନ୍‌ ଶେଷ କରି ଉଠେ ଯିବଣି ନିରୋଳା ନଈ କୂଳକୁ-। ରେସ୍ତୋରାଁର ସାମ୍ପେନ୍‌ ଆଉ ନଈ କୂଳର ନୀରବତା ଭିତରେ ସେ ଯେମିତି ଭୁଲି ଯିବାକୁ ଚାହୁଁଛି ତା’ର ଅତୀତକୁ, ନିଜକୁ । ଆହା ବିଚରା ଭଦ୍ର ଲୋକଟି.... ।

ସାମ୍ପେନ୍‌ ସେବନରେ ଗୋଟାଏ କି ଆଭିଜାତ୍ୟ । ବୟର ସଲାମଟା ବି ଲମ୍ବା ହୋଇଯାଏ । କେତେ ପରିଚିତ ଆଖିରେ ଦରଦ ଖେଳିଯାଏ ।

ସେ ଥର ନାୟକ ଭୂମିକାରେ ମଦ୍ୟପର ଅଭିନୟ ଜନିତ ପ୍ରଶଂସା ଏବେ ବି ମନେ ପଡ଼େ । ହତୋତ୍ସାହୀ ନାୟକର ସାମ୍ପେନ୍‌ ସେବନକାଳୀନ ଅଭିନୟ ବେଳେ ପ୍ରେକ୍ଷାଳୟ ଭିତରେ ରେଖା ଆଖିରୁ ତା’ର ଅଜାଣତରେ ଖସି ପଡ଼ିଥିଲା ଲୁହ ଧାରଟିଏ । ଆଜି କୁଆଡ଼େ ଗଲା ରେଖା ଆଖିର ସେ ଲୁହ ? ରେଖା... (ଛାତି ଥରା ଏକ ଦୀର୍ଘଶ୍ୱାସ)

ଗୁନାବାବୁଙ୍କ ଆଖିଆଗରେ ନାଚିଗଲା ତା’ଙ୍କର ସେଥର ମଦ୍ୟପ ଭୂମିକାରେ ଅଭିନୟର ସେଇ ଦୃଶ୍ୟଟି ।

ବୟ ନିଃଶବ୍ଦରେ ଆସି ସାଲାମ୍‌ ଜଣାଇଲା । ଆଖିରେ ତାର କଣ ଆଣିବି’ର ଚାହାଣି । ଗୁନାବାବୁ ବୟ୍‌କୁ ବରାଦ ଦେଇ ପୁଣି ଭାବିଗଲେ ସେଇ ଦୃଶ୍ୟଟିର ଅଭିନୟ ।

ପଶ୍ଚିମର ମେଘାଲୋକ ଗୁନାବାବୁଙ୍କ ଉପରେ ଓ କାନ୍ଥର କାଲେଣ୍ତର୍‌ଟା ଉପରେ ପଡ଼ୁଥିଲା । ତାଙ୍କର ମନେ ହେଲା, ଉଇଙ୍ଗ୍‌ସ ପଛରୁ ମଞ୍ଚ ଭିତରକୁ ତାଙ୍କ ମୁହଁକୁ ଆଲୋକ ସଂପାତ ହେଉଛି । ତାଙ୍କୁ ଲାଗିଲା ସେ ଯେମିତି ନାୟକ ‘ବନୁ’ ଭୂମିକାରେ ଅଭିନୟ କରନ୍ତି ।

: ‘‘ମୁଁ କାହିଁକି ମଦ ଖାଉଛି ଶୁଣିବ, ପାନ୍ନା ? ମଦ ଅନ୍ତତଃ ମୋ ନିକଟରେ କେବେ ଅଭିନୟ କରିନାହିଁ । ମଦ କେବେହେଲେ ମତେ ଭଲ ପାଇବାର ମୋହ ଦେଖାଇ ପ୍ରତାରିତ କରିବାର ଚେଷ୍ଟା କରିନାହିଁ ।’’

: ‘‘ବନୁବାବୁ, ଅନ୍ୟ ଉପରେ ଅଭିମାନ କରି ଜୀବନଟାକୁ ଏମିତି ନଷ୍ଟ କରିଦେଇ କ’ଣ ବା ଲାଭ ପାଇବେ ? କଣ ହେଲାଣି ଆପଣଙ୍କ ଦେହ ? ସେ ଆଡ଼କୁ ଥରେ ନଜର ଦେଲେଣି ? ନା’ ନା ବନୁ ବାବୁ ! ମୁଁ ଆଉ ଏସବୁ ସହି ପାରିବିନି । ମୁଁ ଆଉ ଏ ଗୁଡ଼ାକ ଆପଣଙ୍କୁ ଖାଇବାକୁ ଦେବିନି ।’’

: ମୁଁ ତୁମକୁ କହିଥିଲି ନା, ପାନ୍ନା ! ତୁମେ କେବେ ଏମିତି ସରାଗବୋଳା କଥା ଅନ୍ତତଃ ମୋ ଆଗରେ କହିବନି । କେବେହେଲେ ମନ ଭୁଲାଣିଆ କଥାରେ ମୋ ମନ କିଣି ନେବାକୁ ଚେଷ୍ଟା କରିବ ନାହିଁ । ଭାରି ବିଶ୍ୱାସଘାତିନୀ ତମ ଜାତିଟା...ଗୁନାବାବୁଙ୍କ ଆଖି ଆଗରେ ନାଚିଗଲା ସେ ଥର ଅଭିନୟ ବେଳେ ତାଙ୍କର ଏଇ କଥା ଶୁଣି ରେଖା କେମିତି ପ୍ରେକ୍ଷାଳୟ ଭିତରୁ ଚିଡ଼ି ଉଠୁଥାଏ । ତାହା ଲକ୍ଷ୍ୟକରି ସେ ସେତେବେଳେ ଗୋଟାଏ ପେଗ୍‌ ଏକା ନିଶ୍ୱାସରେ ଖାଇ ଦେଇଥିଲେ ଅସ୍ୱାଭାବିକ ଭାବରେ ।

 

ବୋତଲରୁ ଗ୍ଲାସ ଭିତରକୁ ଖଳ୍‌ ଖଳ୍‌ ସ୍ୱରରେ ଡେଇଁ ପଡ଼ିଲାବେଳେ ସାମ୍ପେନ୍‌ର ସଙ୍ଗୀତ ଗୁନାବାବୁଙ୍କୁ ଭଲ ଲାଗୁଥିଲା । ସେ ହଠାତ୍‌ ଆଶ୍ଚର୍ଯ୍ୟ ହେଲେ ତାଙ୍କ ସାମନାକୁ ସାମ୍ପେନ୍‌ ଆସିଲା କେଉଁଠୁ ? ସେ ତ ଆସିଥିଲେ କଫି ଖାଇବାକୁ । ତାଙ୍କୁ ଆହୁରି ଆଶ୍ଚର୍ଯ୍ୟ ଲାଗିଲା ଯେ ସେ ଅଭିନୟ କଥା ଭାବୁ ଭାବୁ କେତେବେଳେ ଗୋଟାଏ ପେଗ୍‌ ଶେଷ କରି ପକାଇଛନ୍ତି ।

 

ଗ୍ଲାସ ଭିତରେ ସାମ୍ପେନର ଢେଉ ଖେଳୁଛି । ଲାଲ ଲାଲ ସାମ୍ପେନ–ସନ୍ଧ୍ୟା ଆକାଶର ରଙ୍ଗ ଭଳି ।

 

ବାହାରେ ଆକାଶ ବେଶ୍‌ ରଙ୍ଗୀନ । ଟେଲିଫୋନ୍‌ ତାର ଉପରେ ଛୋଟ ଛୋଟ ପକ୍ଷୀମାନଙ୍କର ମେଳା ବସିଛି । ଶୁଭୁଛି ସେମାନଙ୍କର କାକଳି । ତାଙ୍କର ମନହେଲା ସତେ ଯେମିତି ସେଇ କାକଳିରୁ କିଛି ସେ ସାମ୍ପେନ୍‌ ଭିତରେ ଗୋଳି ହୋଇ ରହିଛି ଏବଂ ଗ୍ଲାସ ଭିତରୁ ସାମ୍ପେନ୍‌ ଗାଉଛି ବୃନ୍ଦାବନୀ ସାରଙ୍ଗ । ପକ୍ଷୀର କାକଳିକୁ ଧରି ରଖିଛି ଏଇ ସାମ୍ପେନ୍‌, ସନ୍ଧ୍ୟା ଆକାଶର ରୂପକୁ ଧରି ରଖିଛି ସେଇ ସାମ୍ପେନ୍‌, ଧରି ରଖିଛି ବି ରେଖାର ଲାଲ ଗୁଲାବ ଅଧରର କିଛି ରଙ୍ଗ । ଆଃ ରେଖାର ସ୍ୱାସ୍ଥ୍ୟ ପାଇଁ ଗୋଟାଏ ପେଗ୍‌....

 

ଗ୍ଲାସ ଭିତରେ ସାମ୍ପେନ୍‌ ଚହଲୁଛି । ତା ଭିତରୁ ରେଖାର ଥରିଲା ଓଠ ପକ୍ଷୀର କଳରବରେ ଯେମିତି କହୁଛି–‘‘ମୁଁ ଜାଣେ ମୋରି ଯୋଗୁଁ ତମର ଆଜି ଏତେ ଦୁଃଖ । ମୁଁ ଆଜି ଧୋଇ ନେବି ତମର ସବୁ ଗ୍ଳାନି ।

 

ସାମ୍ପେନ୍‌-ଗ୍ଲାସ୍‌ ଭିତରେ ରେଖାର ମୁହଁ ଭାସିଲା ଭଳି ଦେଖାଗଲା । ଗୁନାବାବୁଙ୍କ ଅଧର ନଇଁ ଆସିଲା ଗ୍ଲାସ ଉପରକୁ ।

 

ସନ୍ଧ୍ୟା ଛନ ଛନ ହେଲାଣି ଆସିବାକୁ । ଆଉ ଟିକିଏ ଡେରି । ପଶ୍ଚିମ ଆକାଶରେ ରଙ୍ଗର ଢେଉ–ରେଖାର ସେଇ ଲାଲ୍‌ ଶାଢ଼ୀଟି ଭଳି, ଯେଉଁଥିରେ ସରୁ ସରୁ ପତରର ଛାପ । ସେଇ ଶାଢ଼ୀଟି ପିନ୍ଧିଲେ ରେଖା ସନ୍ଧ୍ୟା ଆକାଶରେ ରଙ୍ଗ ବୋଳି ହେଲାଭଳି ଦେଖାଯାଏ । ସେଥିପାଇଁ ରେଖାକୁ ସେଇ ଶାଢ଼ୀରେ ଦେଖିଲେ ସେ ବିଭୋର ହୋଇଯାଆନ୍ତି ।

 

ଟେଲିଫୋନ୍‌ ତାରରୁ ପକ୍ଷୀମାନେ ଉନ୍ମୁଖ ହୋଇ ଚାହିଁଛନ୍ତି, ଆନନ୍ଦରେ ଉଠୁଛନ୍ତି, ବସୁଛନ୍ତି–ଯେମିତି ଗେଲେଇ ହେଉଛନ୍ତି ରେଖା ପରି । କେତେ ମଧୁର ସେମାନଙ୍କର କଳରବ ।

 

ରେଖା ଏମିତି ମଧୁର ଗଳାରେ କହିଥିଲା–ମୁଁ ଯେଉଁଦିନଠାରୁ ତମ ଘରକୁ ଚାଲିଯିବି ତମେ ସେଠି ମତେ ପ୍ରଥମେ ଏମିତି ଏକ ଶାଢ଼ୀରେ ଦେଖିବ ଯେଉଁଥିରେ କି ଥିବ ଆକାଶର ରଙ୍ଗ ଆଉ ସନ୍ଧ୍ୟାର ପକ୍ଷୀ । ସେଇ ଶାଢ଼ୀଟି ପିନ୍ଧି ସେଦିନ ମୁଁ ତୁମକୁ ଗୋଟିଏ ନୂଆ ସମ୍ବୋଧନ କରିବି । ତା’ ହେଲେ ତମେ ଖୁସି ହେବ ତ ? ମୁଁ କେବଳ ଭାବୁଛି କେବେ ଆସିବ ଆମର ସେଇ ସୁଖ ସପନର ଦିନ । ତେବେ ଆଉ ବେଶି ଦିନ ନୁହେଁ, ଗୁନା ଭାଇ ତମେ ବିଶ୍ୱାସ କର । ଆଜି ଏଇ ଏପ୍ରିଲ୍‌ ସଂଧ୍ୟାରେ ଆମେ ଏମିତି ଅଛେ, ଦେଖିବ ଆସନ୍ତା ଏପ୍ରିଲ୍‌ ବେଳକୁ ମୁଁ ତମ ଘରେ ଥିବି ।

 

କାଲେଣ୍ତର୍‌ ଭିତରୁ ନାଁ ନ ଜଣା ତରୁଣୀଟି ଚାହିଁଛି ନିରଳସ ଭାବରେ । ଆଖିରେ ତାର ରେଖାର ଚାହାଁଣି, ଓଠରେ ସେଇ ଚପଳ ହସ ଆଃ ରେଖା......

 

ଆଜି ଯଦି ସେହି ପୁରୁଣା ନାଟକର ଅଭିନୟ ହୁଅନ୍ତା ଏବଂ ସେଇ ହତୋତ୍ସାହୀ ନାୟକ ବନୁ ଭୂମିକାରେ ପୁଣି ଓହ୍ଲାଇବାକୁ ପଡ଼ନ୍ତା । ଆଉ ରେଖା ଆସନ୍ତା ଦେଖିବାକୁ–ବେଶ୍‌ ହୁଅନ୍ତା । ସେ ଦିନର ଅଭିନୟ ଦେଖି ରେଖା ରାଗିଯାଇଥିଲା–ଗୁନାଭାଇ, ତମେ କେମିତି କହିପାରିଲ ଯେ ଭାରି ବିଶ୍ୱାସଘାତିନୀ ଆମ ନାରୀ ଜାତିଟା । ତମେ କଣ ମତେ ଆଜିଯାଏ ଚିହ୍ନି ପାରିଲନି ? ତମର ଯଦି ମୋଠି ବିଶ୍ୱାସ ଥାଆନ୍ତା ତାହାହେଲେ ତମେ ଅନ୍ତତଃ ଏମିତି ଗୋଟିଏ ଭୂମିକାରେ ଅଭିନୟ କରି ନ ଥାନ୍ତ, ପୁଣି କେଉଁଠାର ବୋଇଲେ କେଉଁଠାରେ ଗୁଡ଼ାଏ ଝିଅଙ୍କ ସାଙ୍ଗରେ । ମତେ ଦୁଃଖ ଲାଗୁଛି, ତମେ ମୋ କଥାକୁ ନିତାନ୍ତ ଶୀତଳ ମନେ କରି ଭାରି ଆଘାତଭରା କଥାଗୁଡ଼ାଏ କହିଯାଉଛି । ତମର ଯଦି ମୋ କଥାରେ ବିଶ୍ୱାସ ନାହିଁ, ତେବେ ତମେ ମତେ ଭଲ ପାଉଥିଲ କାହିଁକି ? ସତେ ମୁଁ ତୁମକୁ କେମିତି ବୁଝାଇବି ଜାଣି ପାରୁନି ।

 

ଗୁନାବାବୁ ସାମ୍ପେନ୍‌ ବୋତଲ ଉପରେ ମୁହଁ ଘଷି ଚୁମା ଦେଲା ।

 

ନଇଁ ଆସୁଛି ଏପ୍ରିଲର ସନ୍ଧ୍ୟା । ଟେଲିଫୋନ୍‌ ତାରରେ ପକ୍ଷୀମାନେ ମୁଖର ହୋଇ ଉଠୁଛନ୍ତି ବେପରୁଓ୍ୱା ଭାବରେ ।

 

କାଲି ଏଇଭଳି ଏକ ସଂଧ୍ୟାରେ ଦେଖା ହୋଇଗଲା ରେଖା ସହିତ । କେମିତି ଏକ ଘୃଣା ଓ ହତାଦରରେ ସେ ଯେମିତି ମୁହଁ ଫେରାଇ ନେଲା । ହସି ହସି ସେ ତା’ର କେଉଁ ଏକ ଭାଇ ସହିତ କଥାର ଆସର ଜମାଇ, ତା’ ସହିତ ପାଦମିଳାଇ ଚାଲିଗଲା ବେଶ୍‌ ଫୂର୍ତ୍ତିରେ । ମୁହଁରେ କେମିତି ଏକ ବେପରୁଓ୍ୟା ଭାବ ଜଣାଇ ଦେଇଗଲା ସତେ ଯେମିତି ତା’ ମନରେ ତିଳେ ଦୁଃଖ ନାହିଁ । ପୁଣି ରାତିରେ ସେଇ ଦୁହେଁ ସିନେମାରୁ ଫେରିଲାବେଳେ ଆଉ ଥରେ ଦେଖାହେଲା ନିରୋଳା ରାସ୍ତାରେ । ଦୂରରୁ ଦେଖି ତାର ଚାଲି ହଠାତ୍‌ ବଦଳି ଗଲା । ସେ ଛଳନା କଲା ସତେ ଯେମିତି ସେ ଚିହ୍ନେନା । ଏଇ ଛଳନା କ’ଣ ନାରୀର ସହଜାତ ପ୍ରକୃତି ? ନିଜର ସାଧୁତା ଦେଖାଇବା ପାଇଁ ରେଖା ତାଙ୍କ ଘରେ ଛଳନାରେ ଅଭିନୟ କରିଗଲା ସେ ଯେମିତି ପ୍ରକୃତରେ ଭଲ ପାଇନାହିଁ କି ମତେ ତା’ର ବିବାହ କରିବାର ଇଚ୍ଛା ନାହିଁ । ମାତ୍ର ସେ କି କୈଫିୟତ୍‌ ଦେବ ତା’ ନିଜକୁ ତା’ ବିବେକକୁ ?

 

ଗୁନାବାବୁ ଦୀର୍ଘଶ୍ୱାସ ଛାଡ଼ିଲେ ।

 

ନାଁ ନ ଜଣା ସେଇ ତରୁଣୀର ଛବି ଭିତରୁ ରେଖା ଚାହିଁଛି ନୀଳ ଢଳ ଢଳ ଆଖିରେ । ଛବିଟାର ଆଖି ଦୁଇଟା ଫୁଟାଇଦେଲେ ଟିକିଏ ଶାନ୍ତିରେ ଅନ୍ତତଃ ବସି ହୁଅନ୍ତା । ଓଃ, କି ଶାଣିତ ଆଖି ରେଖାର ! ବୁକୁ ଭିତରେ ପଶିଯାଏ । ଅଥଚ ସେଥିରେ ଭରି ରହିଛି କେତେ ସ୍ୱପ୍ନ । କେତେ ମାଦକତା !

 

ଛବିଟିର ଆଖି ଦୁଇଟି ଉପରେ ଗୁନବାବୁ ନିଜର ବଳୟିତ ଅଧର ପରଶରେ ଆଙ୍କି ଦେଲେ ଦୁଇଟି ଉଷ୍ଣ ବୃତ୍ତ ।

 

...ତଥାପି ସେ ଆଖି କ୍ଳାନ୍ତ ନୁହେଁ ।

 

...ତଥାପି ସେ ଆଖି ଶାନ୍ତ ନୁହେଁ ।

 

କେତେ ଯେ ପିପାସା ସତେ !

 

ଛବିଟାକୁ ଯଦି ନିଆ ଯାଇ ପାରନ୍ତା ଆଃ...

 

ପକ୍ଷୀମାନେ ଏଥର ଉଦ୍‌ବିଘ୍ନ ହୋଇ ଉଠିଲେ ଟେଲିଫୋନ୍‌ ତାର ଉପରେ । ସେମାନେ କିଚିରି, ମିଚିରି ହୋଇ ଉଡ଼ୁଛନ୍ତି, ବସୁଛନ୍ତି, ପୁଣି ଉଡ଼ୁଛନ୍ତି ।

 

ଏପ୍ରିଲର ସନ୍ଧ୍ୟା ନଇଁ ଆସିଲାଣି । ଆକାଶର ରଙ୍ଗ ସଂଧ୍ୟା ଦେହରେ ମିଳାଇ ଯିବାକୁ ଚେଷ୍ଟା କରୁଛି । ମେଘର ରଙ୍ଗରେ ସବୁ ଦିଶୁଛି ଲାଲ୍‌ ଲାଲ୍‌ । ପକ୍ଷୀମାନେ ଯେମିତି ସେଇ ରଙ୍ଗର ଢେଉରେ ଗାଧୋଇବାକୁ ଲାଗିଛନ୍ତି ।

 

ଗୁନାବାବୁ ମୁହଁ ଫେରାଇଲେ ।

 

ସେଇ ଆଖି...

 

ସେଇ ସ୍ୱପ୍ନ...

 

ସେଇ ପିପାସା...

 

ଛବିଟାକୁ ଯଦି ନେଇ ଯାଇ ହୁଅନ୍ତା... । ବୟ୍‌ ତ ନାହିଁ ।

 

ଗୁନାବାବୁ ଛବିଟା ଆଣିବାକୁ ସୋଫାରୁ ଉଠି ଠିଆ ହେଲେ । ସାମନା କାନ୍ଥରେ ଛବିଟା ଝୁଲୁଛି ।

 

ଆଃ, ଛବିଟା...ରେଖା...

 

ଆଃ, ଆଖି...ରେଖା...

 

ଟିକ୍‌, ଟିକ୍‌...ଟିକ୍‌...ଟିକ୍‌–ଆରେ ଘଣ୍ଟାଟା । ବୟ୍‌ ! ବୟ୍‌ ! ବୟ୍‌ ଟା ନାହିଁ ।

 

ଗୁନାବାବୁ ପାହାଚରେ ତଳକୁ ଯେମିତି ଓହ୍ଲାଇଗଲେ ନିର୍ବିକାର ଭାବରେ । ପାହାଚ ଉପରେ ତାଙ୍କ ଜୋତାର ମୃଦୁ ସଂଗୀତ–କଚ୍‌ କଚ୍‌...କଚ୍‌-କଚ୍‌ । କେହି ତ ଚାହୁଁ ନାହାଁନ୍ତି ? ଭଲ । ନିଜ ନିଜ କାମରେ ସମସ୍ତେ ବ୍ୟସ୍ତ, କିଏ ଚାହୁଁଛି । ଆଉ ପାଞ୍ଚ ପାଦ ପରେ ପରଦାଟା ଅତିକ୍ରମ କରିଗଲେ ଗଲା ।

 

ପୋଟିକୋ ତଳେ ଗୋଡ଼ ଖସି ଯାଇଥାଆନ୍ତା ।

 

କଫିହାଉସ ଭିତରେ ସମସ୍ତେ ହସି ଉଠିଲେ । କାହିଁକି ? କାହିଁକି ହସିଲେ ? ଏଃ ହାତରେ ରେଖାର ଛବିଟା–ନାଇଁ ନାଇଁ କାଲେଣ୍ତରଟା ।

 

ରାତିର ଅଂଧାର ଭିତରେ ‘କଫିହାଉସ୍‌’ ଠିଆହୋଇଛି ନୀରବରେ । ଦୁଆର ଝରକା ବାଟେ ନିୟନ୍‌ ଆଲୋକ ବାହାରକୁ ପଡ଼ୁଛି ।

 

‘କଫି ହାଉସ’ ଭିତରୁ ବାହାରକୁ ଆସି ସେମାନେ ହସୁଛନ୍ତି । କେତେ ରକମର ହସ । ଦୂରରୁ ତା’ ଆଡ଼କୁ ଫୋପାଡ଼ୁଛନ୍ତି ଅଧାଖିଆ ସାମ୍ପେନ୍‌ ଓ କଫି । ବୟଟା ଯଦି ଆସେ ?

 

-ଆହୁରି ଜୋର୍‌ରେ ଚାଲିବାକୁ ହେବ । ପଛରୁ ସେମାନଙ୍କର ବିଦ୍ରୂପର ହସ ଶୁଭୁଛି । ଧାଇଁବାକୁ ପଡ଼ିବ । କିଏ ଜଣେ ପଛରୁ ପାଟି କରୁଛି,–ହାଁ ହାଁ...ହାଁହାଁ’’

 

ଗୁନାବାବୁ ଯେମିତି ଖୁବ୍‌ ଜୋର୍‌ରେ ଦୌଡ଼ିବାକୁ ଚେଷ୍ଟା କଲେ ।

 

କେନାଲ୍‌ କୂଳର ନିରୋଳା ରାସ୍ତା ଲମ୍ବି ଯାଇଛି ମହାନଦୀ ଆଡ଼କୁ । ଦୁଇ ପାଖରେ ଟେଲିଫୋନ୍‌ ତାର ଖୁଣ୍ଟି, ବତୀଖୁଣ୍ଟ ଓ ଦେବଦାରୁ ଗଛ । ସବୁ ଧାଇଁଛନ୍ତି ପଛକୁ ପଛକୁ ।

 

ଆହୁରି ଜୋରରେ ଦୌଡ଼ିବାକୁ ପଡ଼ିବ ଆହୁରି ଜୋର୍‌ରେ...

 

ଦେବଦାରୁ ଗଛଗୁଡ଼ାକ ବେଳେ ବେଳେ ଦିଶୁଛି ସାମ୍ପେନ୍‌ ଗ୍ଲାସ୍‌ ଭଳି । ଗଛସବୁ ପଛକୁ ଧାଇଁଛନ୍ତି । ନିଜର ଛାଇଟା ଧାଇଁଛି ଆଗକୁ । ବତୀଖୁଣ୍ଟ ଅତିକ୍ରମ କରିଗଲେ ଛାଇଟାକୁ ଟପି ହେଉନି । ଛାଇଟା ଦିଶୁଛି ଅସୁରଭଳି–କେତେ ଲମ୍ବା ।

 

ଆନିକଟ ପାଖେଇଲାଣି । ପାଦ ଶିଥିଳ ହୋଇ ଆସୁଛି । ଆଉ ଯାଇ ହେବନି । ନା’ ଆଉ ନୁହେଁ ।

 

ଗୁନାବାବୁ ଥକା ହୋଇ ବସିଗଲେ । ମୁଣ୍ତ ଚକର କାଟୁଛି । ତାଙ୍କୁ ଲାଗୁଛି ସତେ ଯେମିତି ତା’ଙ୍କ ଚାରିପାଖେ ବୃତ୍ତାକାରରେ ଘୂରିବୁଲୁଛି ତାରଖୁଣ୍ଟ, ବତୀଖମ୍ବ ଓ ଦେବଦାରୁ । ...ଓଃ...ରେଖା...

 

ଗୁନାବାବୁ ମୁହଁ ଟେକି ଦେଖିଲେ ପାଖରେ ଠିଆ ହୋଇଛି ବୟଟା । ତାଙ୍କ ମୁହଁ କଳା ପଡ଼ିଗଲା । ତର ତର ହୋଇ ସେ କାଲେଣ୍ତରଟାକୁ ଲୁଚାଇ ଦେବାକୁ ଚେଷ୍ଟାକଲା । କିନ୍ତୁ କାଲେଣ୍ତର୍‌ଟା ନାହିଁ ? ବୟ୍‌ର ମୁହଁଟା ଦିଶୁଛି ଝାପ୍‌ସା ଝାପ୍‌ସା–ଚହଲା ପାଣିରେ ମଣିଷର ଛାଇ ଯେମିତି ଦିଶେ ।

 

ବୟ୍‌ ଠିଆ ହୋଇଛି । ସାମନା କାନ୍ଥରେ କାଲେଣ୍ତର୍‌ଟା ଝୁଲୁଛି । ତାଙ୍କ ଚାରିପାଖେ ସବୁ କିଛି ସ୍ଥିର ହୋଇ ଯାଇଛି ଫଟୋଗ୍ରାଫ୍‌ ଭଳି ।

 

ସେ ଦେଖିଲେ ସେ କେବଳ କକ୍ଷଟିର ସୋଫା ଉପରେ ବସି ପଡ଼ିଛନ୍ତି ନିସ୍ତେଜ ହୋଇ-

 

ବିଲ୍‌ ଟଙ୍କା ସହିତ ନିଜର ପାଉଣା ନେଇ ସଲାମ୍‌ ବୟ୍‌ ଫେରିଗଲା ନୀରବରେ ।

 

ନିୟନ୍‌ ଆଲୋକ ଝରୁଛି । ଗୁନାବାବୁ ସାମ୍ପେନ୍‌ ବୋତଲକୁ ଚାହିଁଲେ । ଚାହିଁଲେ କାଲେଣ୍ତର୍‌ର ନାଁ ନଜଣା ସେଇ ତରୁଣୀକୁ–ସେଇ ପରିଚିତ ଚାହାଁଣୀ, ସେଇ ଚପଳ ହସ ।

 

ପାଖ କୋଠାରେ ଏସରାଜ କାନ୍ଦୁଛି ଦରବାରୀ କାନଡ଼ାରେ ।

 

କି ଏକ ଖିଆଲରେ ଗୁନାବାବୁ ସାମ୍ପେନ ବୋତଲଟା ସେଇ ନାଁ ନଜଣା ତରୁଣୀର ଛବି ଉପରକୁ ଫୋପାଡ଼ି ଦେଲେ ।

 

ଭଙ୍ଗା କାଚର ସଂଗୀତ ମିଳାଇଗଲା ଏସ୍‌ରାଜର ବିଳାପରେ । ଗୁନାବାବୁଙ୍କ ମୂର୍ଚ୍ଛିତ ଦେହ ଚଟାଣ ଉପରେ ଟଳି ପଡ଼ିଲା ।

 

ଟେଲିଫୋନ ତାରରୁ ପକ୍ଷୀମାନେ ଉଡ଼ିଗଲେଣି କେତେବେଳୁ । ସଂଧ୍ୟା ଆକାଶର ରଙ୍ଗ ରାତିର ଅଂଧାର ଭିତରେ ମରି ମରି ଆସୁଥିଲା ।

Image

 

ଶ୍ୱାପଦ

 

ଗୁନାବାବୁ ପ୍ରମାଦ ଗଣିଲେ । ଓଲଟ ଖଣ୍ତା ପରି ବିପଦ ଝୁଲୁଛି । ସେଥିରୁ ନିସ୍ତାର ପାଇବାର ସମ୍ଭାବନା ନାହିଁ । ନାଃ ଆଉ ନୁହେଁ । ଆଉ କିଛି କରି ହେବନି । ସେ ଦୀର୍ଘ ଶ୍ୱାସ ଛାଡ଼ିଲେ ।

 

ରେଖା ମୁହଁ ତଳକୁ କରି ବସିଛି, ମୁହଁର ଭାର ହାତ ଓ ପାପୁଲି ଉପରେ ରହିଛି । ଆଲରା ବାଳ ଉପରେ ହାତ ବୁଲାଉଛି । ମୁହଁ ଉଦାସ ଦିଶୁଛି । ବିରସ ଦିଶୁଛି । କେବଳ ଲୁହ ଝରୁ ନାହିଁ । ଯେମିତି ମେଘ ଢାଙ୍କି ରଖିଛି । ଭିତରେ ଭିତରେ ଝଡ଼ ଉଠୁଛି ଏବଂ ତାକୁ ଚାପି ରଖିବାକୁ ସେ ସାହସ ସଂଚୟ କରୁଛି ।

 

ଗୁନାବାବୁ ପୁଣି ଦୀର୍ଘ ଶ୍ୱାସ ମାରିଲେ । ମୁହଁ ଫାଟି ଫାଟି ପଡ଼ୁଥାଏ । ମୁହଁ ଉପରେ ହାତ ବୁଲାଇଲେ । ରେଖାକୁ ଚାହିଁଲେ । କହିଲେ–ମୁଁ ଆଶିଂକ କରୁଥିଲି, କାଳେ ଏଇଆ ହେଇଯିବ-। ଶେଷରେ ସେଇଆ ହେଲା ।

 

ରେଖା ବିଚଳିତ ହେଲା ନାହିଁ । ବିପଦ ଆସୁଛି; ତା’ର ସାମନା କରିବାକୁ ହେବ । ମାତ୍ର କଣ୍ଠ ଓଦା ହୋଇ ଆସୁଥିଲା, ପୁଣି ଦୃଢ଼ ହେଲା–ମତେ ଟିକିଏ ପୋଟାସିୟମ୍‌ ସାଇନାଇଡ଼୍‌ ଖୁଆଇଦିଅ ତମ ଲାବରୋଟୋରୀରୁ ।

 

ଗୁନାବାବୁ ଭାଙ୍ଗି ପଡ଼ିଥାନ୍ତି, ତାଙ୍କ ସ୍ୱର ଅଲଗା ଶୁଣାଗଲା,–ପୁଣି ସେଇ କଥା ? ମୋ କଥା ଟିକିଏ ଭାବ । ମୁଁ ଏବେ କ’ଣ କରିବି ?

 

ରେଖା ତାଙ୍କ ମୁହଁକୁ ଚାହିଁଲା, ଗୁନାବାବୁଙ୍କ ମୁହଁ ଭାରି କରୁଣ ଦେଖାଯାଉଥିଲା । ରେଖାକୁ ବିରକ୍ତ ଲାଗିଲା–ମୁଁ ଜାଣେ ତମେ କିଛି କରିପାରିବ ନାହିଁ । ବରଂ ମତେ ଦିଅ । ମୁଁ ତୁମକୁ ପୋଟାସିୟମ୍‌ ସାଇନାଇଡ଼୍‌ ଖୁଆଇ ଦେବି ।

 

ଗୁନାବାବୁ ଆଶ୍ଚର୍ଯ୍ୟ ହେଲେ । ସବୁ କଥାରେ ଲାଗ–ପଚାରିଲେ ରେଖା ସହଜରେ କଥା କହେନାହିଁ । ପାଞ୍ଚପଦରେ ପଦେ ଉତ୍ତର । ଆଜି ସେ ଏ କଥା କହିପାରିଛି ଗୁନାବାବୁ ରେଖା ମୁହଁକୁ ଚାହିଁଲେ । ଦେଖିଲେ ତା ମୁହଁରେ ସଂଘର୍ଷର ଛାଇ ।

 

ରେଖା ଆହୁରି ଦୃଢ଼ ହେଲା–ମୋ ବାଟରେ କାହିଁକି ଠିଆ ହେଉଛ ? ବାପା ଯେଉଁଠି ଠିକ୍‌ କରିଛନ୍ତି, ମୁଁ ସେଇଠି ବାହା ହେବି । ମୁଁ ଜାଣେ ତମେ ଭୀରୁ । ତମେ କାପୁରୁଷ । ତମ ଦେହ କିଛି ହେବନି ।

 

ଗୁନାବାବୁଙ୍କ ପାଟି ଅଠା ଲାଗିଲା । ମୁହଁ ଫାଟି ଫାଟି ପଡ଼ିଲା । ସେ ଆଉ କିଛି କହିପାରିଲେ ନାହିଁ । କେବଳ କହିଲେ,–ରେଖା ? ତାଙ୍କର ସ୍ୱର ଆହୁରି କରୁଣ ଶୁଣାଗଲା । ସେ କରୁଣ ଓ ଅସହାୟ ଭାବରେ ରେଖାକୁ ଚାହିଁଲେ । ଭାବିଲେ–ଆଉ କ’ଣ କରିପାରିଥାନ୍ତି ? ଜୀବନ ନଷ୍ଟ ହୋଇଗଲା ।

 

ରେଖାକୁ ତାଙ୍କ ମୁହଁର ଭାବ ଭଲ ଲାଗିଲା ନାହିଁ । ସେ ଚିଡ଼ିଲା । ଏ କଣ ? ସହି ହେଲା ନାହିଁ, କହିଲା–କିଏ ତୁମକୁ ମନା କରୁଥିଲା ମତେ ଏଠୁ ନେଇ କୁଆଡ଼େ ଚାଲିଯିବାକୁ । କିଏ ତୁମକୁ ମନା କରୁଥିଲା, ମତେ...କିଏ ତୁମକୁ ମନା କରୁଥିଲା ମତେ... ମତେ...ତୁମଠି ପୁରୁଷତ୍ୱ ନାହିଁ । ତମେ ମାଇଚିଆ ।

 

ଗୁନାବାବୁ ପିଲାଙ୍କ ପରି କାନ୍ଦି ପକାଇଲେ ।

 

ରେଖାର ଦେହ ମୁଣ୍ତ ଗରମ ହୋଇଗଲା । ଏ କ’ଣ ? କାନ୍ଦିଲେ କଣ ହେବ ? ପୁରୁଷ ହୋଇ ଜଣେ କାନ୍ଦିବ କାହିଁକି ? ରେଖା ନିଜକୁ ସମ୍ଭାଳି ପାରିଲା ନାହିଁ । ଧାରୁଆ ନଖରେ ତାଙ୍କୁ ଧରି ମୁହଁ, ଓଠ ସବୁ ପୁଳା ପୁଳା କାମୁଡ଼ି ପକାଇଲା ।

 

ଗୁନାବାବୁ କିଛି କହିଲେ ନାହିଁ । ସେ ଭାରି ନିରୀହ ଜଣାଗଲେ ।

 

ରେଖା ଦେଖିଲା ବିବର୍ଣ୍ଣ ପୁରୁଷଟିଏ ଠିଆ ହୋଇଛି । ସେ ଯେମିତି ଗୁନାବାବୁ ନୁହନ୍ତି, ଆଉ ଜଣେ କିଏ । ସେ ତାଙ୍କୁ ଚାହିଁ ପାରିଲାନାହିଁ । ସେ ଆଉ ସେଠାରେ ଠିଆହୋଇ ପାରିଲା ନାହିଁ । ସିଡ଼ିରେ ତଳକୁ ତଳକୁ ଓହ୍ଲାଇ ଗଲା । ବାଟରେ ଅସ୍ପଷ୍ଟ ଭାବରେ କହିଲା–‘ପୁଅର୍‌ ଫେଲୋ-।’

Image

 

ପ୍ଳାବନ

।। ୧ ।।

 

ମତୁଆଲ ପବନ ବେଳା ତଟର ଝାଉଁ ବଣ ସାଥିରେ ଲାଗିଛି ମାତବରିଆ ହୋଇ । ଦେହ ଉଲସି ଉଠୁଛି । ଝାଉଁ ଦେହରେ ପବନର କେମିତି ଏକ କୁତୁକୁତିଆ ପରଶ ।

 

ଆଶାନ୍ତ ସାଗର ଲାଗିଆସିଲା ତଟିନୀ ପାଖକୁ ।

 

ମେଘ ତଳେ ଜହ୍ନ ଘୁମାଇ ପଡ଼ିଛି । କେହି କେଉଁଠି ନାଇଁ ।

 

‘‘ଗୋଟେ କଥା କହିବି,...... ରାଗିବୁନି ?’’

 

‘‘...............’’

 

ତଟିନୀ ଛଳ ଛଳ ହେଲା । କିଛି କହିଲାନି । କ’ଣ ବା କହନ୍ତା ।

 

‘‘ତତେ ମୋର ଭାରି ଭୟ’’–ସାଗର ଲାଗି ଆସିଲା ଆହୁରି ପାଖକୁ ପାଖକୁ ।

 

ତଟିନୀ ଦେହରେ ଢେଉ ଖେଳିଗଲା ।

 

‘‘କେତେ ଫବେଇ ହଉଚ ମ । ଭାରି ଗୋଟେ ଆଡ଼ା... ।’’

 

-ତଟିନୀ ଏଇ କଥାରେ ସାଗର ହସି ପକାଇଲା–ସେ ଏକ ଫେନିଳ ହସ ।

 

‘‘କହିବି,–ଆକୁଳ ଧରଣୀ ଯେଉଁ ଆବେଗରେ କଳାହାଣ୍ତିଆ ମେଘକୁ ଚାହିଁ ରହିଥାଏ ତା’ ନିଜ ଉପରେ ଫାଟି ପଡ଼ିବାକୁ ମେଘ ବରଷିଗଲେ ସେଇ ସବୁ ବରଷା ପାଣିକୁ ଧରଣୀ କ’ଣ ଧରି ରଖିପାରେ ?’’

 

-ସାଗର ଟିକିଏ ଫେଣେଇଁ ଉଠିଲା ।

 

‘‘ଆଚ୍ଛା, ସାଗର ! ତମେ କାହିଁକି ଭାବୁଚ ମୁଁ ତମଠୁ ଯାହା ଆଶା କରୁଥିଲି, ତମର ସେଇ ସ୍ନେହ, ମମତାର ମୂଲ ଦେଇ ପାରୁନି ବୋଲି ? ସେମିତି ଭାବୁଥିଲେ ଭାବୁଥା’ ଯା’ ।’’

 

-ତଟିନୀ ସତେ ଯେପରି ଅଭୀମାନରେ ଫୁଲିଗଲା ।

 

‘‘ନାଇଁ ମ ନାଇଁ, ଶୁଣ୍‌ । ତୁ ଶୁଣିଛୁ ତଟିନୀ ! ପିଲାଏ କହନ୍ତି, ହାତୀ ଦେବି, ଛତି ଦେବି ମୋ ପେଁକାଳି ବା’ଜେ । ପେଁକାଳି ବାଜିଲେ ଆଉ କିଏ ହାତୀ ଦିଏ ନା ଛତି ଦିଏ ?’’

 

‘‘ମୁଁ ଛୋଟପିଲା ନୁହେଁ ଯେ ମୋ କଥା ମୁଁ ରଖିବିନି । ମୋର ଯଥେଷ୍ଟ ଜ୍ଞାନ ଅଛି, ବିବେକ ଅଛି । ତମେ କ’ଣ ଜାଣିନ, ମୁଁ ତମ ବ୍ୟତୀତ ଅନ୍ୟ ପାଖରେ ଆଶ୍ରୟ ଖୋଜିବିନି,–ଖୋଜି ପାରିବିନି ! ମୁଁ କଣ ତମକୁ ଛାଡ଼ି ରହି ପାରିବି ଏତେ କଥା ପରେ ବି...... ?’’

 

-ତଟିନୀ ସାଗରକୁ ବୁଝାଇ ବସିଲା, ଯେମିତି ଛଇଳା ନାରୀ ସରାଗ ବୋଳା କଥାରେ ବୁଝାଇ ଦିଏ ପୁରୁଷର ଅବୁଝା ମନକୁ ।

 

‘‘ଶୁଣିଚି ହୋୟାଂହୋ ନଦୀର ନା ? ନଦୀ ଗତି ବଦଳାଇବାର ବହୁ ଇତିହାସ ତ ରହିଛି-। ଶାସ୍ତ୍ର ପରା କହେ–ନଦୀ ଓ ନାରୀ ଏମାନଙ୍କୁ...

 

-ସାଗର ପୁଣି ଫେଣେଇଁଲା । ସ୍ୱର ତା’ର କେମିତି ଥଟାଳିଆ ଅଥଚ ଗମ୍ଭୀର ।

 

‘‘ଦେଖ, ବିଶ୍ୱାସରେ ବିଷ ଦେଲେ ବି ଲୋକେ ଖାଉଚନ୍ତି । ମୁଁ ଯଦି ବି ତୁମକୁ ବିଶ୍ୱାସରେ ବିଷ ଦେଉଥାଏ, ତଥାପି ତମେ ବିଶ୍ୱାସ ରଖିବା ଉଚିତ । ବିଶ୍ୱାସ ରଖିଲେ ବିଶ୍ୱାସ ମିଳେ । ମୋ’ଠି ଯଦି କାହାର ବିଶ୍ୱାସ ନାହିଁ, ତେବେ ଆଜିଠୁ ମତେ କିଏ ଆଉ କିଛି କହିବା ଦରକାର ନାହିଁ କି ମୁଁ କାହାର କିଛି ନୁହେଁ ।’’

 

-ଅଭିମାନରେ ଫୁଲିଯାଇ ତଟିନୀ ଭାରି ସୁନ୍ଦର ଦିଶୁଥିଲା ସାଗରକୁ, ଶଙ୍ଖୀ ବିଲେଇ ରୋମ ଫୁଲାଇ ଦେଇ ଚୁପ୍‌ ଚାପ୍‌ ବସିଥିଲାବେଳେ ଯେମିତି ଦିଶେ ।

 

ସାଗର ଆଗେଇ ଆସିଲା ତଟିନୀ ଆଡ଼କୁ,–

 

‘‘ତୋଠି ମୋର ବିଶ୍ୱାସ ଅଛି, ସତ । କିନ୍ତୁ ତୋର ଯଦି ପଥ ରୋଧ କରିଦେବେ ? ତତେ ଯଦି ଭୁଲାଇ ନେବେ... ? ତୋ ପାଇଁ ଯଦି ଯୋଜନା କରିବେ ?

 

-ସାଗର ଅଧୀର ହେଲା, ଅଥୟ ହେଲା ।

‘‘ମୁଁ କ’ଣ ସେଥିରେ ଭୁଲିଯିବି ? ସେଃ... । ତମେ ଏତେ ପ୍ରଶାନ୍ତ, ଏତେ ଗଭୀର । ମୁଁ କ’ଣ ତମକୁ କେବେ ଉପେକ୍ଷା କରି ପାରିବି ? ତମ ପ୍ରତି ମୋର କର୍ତ୍ତବ୍ୟ ଅଛି, ସେଇଟା ମୁଁ ଭଲ କରି ଜାଣେ । ସାଗର ତମେ ଧୈର୍ଯ୍ୟ ଧର । ମୁଁ ତ ତମ ପାଖେ ପାଖେ ଅଛି’ ।’’

-ତଟିନୀ ଅଶାନ୍ତ ସାଗରକୁ ଆଶ୍ୱାସନା ଦେଲା ।

‘‘ତୁ କେତେ ମଧୁର ସତେ ! ଆଉ ମୁଁ... ? ତୋ ମୋ ଭିତରେ ଏତେ ତଫାତ୍ ବୋଲି କାଳେ...’’–ସାଗର ଫେଣେଇଁ ହେଉଥାଏ ।

‘‘ପୁଣି ସେଇ କଥା କହିଲ ? ଭଲ ପାଇବାର ମୋହ ଓ ଆଦର୍ଶ ନିକଟରେ ବ୍ୟକ୍ତିଗତ ବୈଷମ୍ୟର ସ୍ଥାନ ନାହିଁ । ମୁଁ ଆଉ କିଛି ଖୋଜେନି ସାଗର ! ମୁଁ କେବଳ ଚାହେଁ ତମ ଭିତରେ ନିଜକୁ ହଜାଇ ଦେବାକୁ । ତମଠୁ ଆଉ କାହାର ଅଧିକ ଯୋଗ୍ୟତା ଥିଲେ ବି ମୁଁ ଗ୍ରହଣ କରି ପାରିବିନି ।’’

-ଚପଳା ତଟିନୀ କଅଁଳ କଥାରେ ଅଧୀର ସାଗରର ମନ ନେଇ ଅଗାଧ ବିଶ୍ୱାସ ଆଣିଦେଲା ।

ସାଗର ହସି ଉଠିଲା–‘‘ତୋ ଠାରେ ଗୋଟାଏ କି ଆକର୍ଷଣ ଅଛି କେଜାଣି, ମୁଁ ବେଳେ ବେଳେ ବାଉଳା ହୋଇ ତୋ ଭିତରକୁ ପଶିଯାଏ । ତୁ କ’ଣ ଭାବୁଥିବୁ ଜାଣେନା, ସତେ ତଟିନୀ, ତୁ କେତେ ଛଳଛଳ, କେତେ ସୁନ୍ଦର ।’’

‘‘ମିଛୁଆ’’ ।

-ତଟିନୀ ଏମିତି ମଧୂର ଭର୍ତ୍ସନା ଭଲଲାଗେ ସାଗରକୁ ।

ସାଗର କହିଲା,–‘‘ତୁ କ’ଣ ଜାଣିନୁ । ତଟିନି ! ଏମିତି ଅଂଧାର ରାତିରେ ମୁଁ ଶୋଇ ଶୋଇ ତୋରି କଥା କେତେ ଭାବେ । ଜହ୍ନ ରାତିରେ ତୋ’ ପାଇଁ ମୋ ବୁକୁ ଉଲସି ଉଠେ ଖୁବ୍ ଆନ୍ଦୋଳିତ ହୁଏ । ମୁଁ ପାଗଳ ହୋଇଥାଏ । ସତେ, ତୁ ମୋର ଛନ୍ଦ ଚପଳା ତଟିନୀ ନୁହଁ, ତୁ କବିତା । କି ସୁନ୍ଦର ତୋ’ର ଛନ୍ଦୟିତ ଗତି । ମୁଁ ବିଭୋର ହୋଇଯାଏ ।’’

 

‘‘ସବୁବେଳେ ତମର ଖାଲି ଏମିତି ଗୁଡ଼ାଏ ଅଯଥା ପ୍ରଶଂସା । ତମେ ଏବେ ଭାରି ଇଏ ହେଇଗଲଣି ।

 

ସାଗର କେମିତି ଏକ ଉତ୍ତେଜନାରେ ଟାଣି ହୋଇଗଲା ତଟିନୀ ଆଡ଼କୁ । ତଟିନୀ ଦେହରେ ଶିହରଣର ତରଙ୍ଗ ଖେଳିଗଲା । ସାଗର ଓ ତଟିନୀ,–ତଟିନୀ ଓ ସାଗର–ଦୁହେଁ ଏକାକାର ହୋଇଗଲେ ଗୋଟାଏ ମୁହୂର୍ତ୍ତରେ ।

 

ବେଳାଭୂଇଁ ଶୋଇଥିଲା ସବୁ ଜାଣି ନ ଜାଣିଲା ପରି । ପବନ ସତେ ଯେମିତି ମହୁଲି ନିଶାରେ ବେଳେ ବେଳେ ଝାଉଁ ଶାଖାରୁ ଘୂମାଇଁ ପଡ଼ୁଥିଲା । ଝାଉଁ କିନ୍ତୁ କାନ ପାରି ଶୁଣୁଥିଲା ସାଗର ଓ ତଟିନୀର ଆଳାପ ।

 

।। ୨ ।।

 

ସେ ଦିନ ତଟିନୀ ଆସିଲା ଅତି ଧୀରେ ଧୀରେ । ଗତିରେ ସେଇ ମାଦକତା ନାହିଁ । ଦେହରେ ତେଜ ନାହିଁ । କ’ଣ ଏମିତି ହେଲା !! ତଟିନୀର ବେଣୀ କ୍ଷୀଣ ହୋଇ ସିଧା ଲମ୍ବି ଆସିଛି-। ସେଇ ବେଣୀକୁ ଦେଖି ସାଗର ବୁଝିଗଲା ଯେ ତଟିନୀ ଆଉ ଏଣିକି ଆସିବନି ।

 

ସାଗରର ଅନୁମାନ ସତ, ତଟିନୀ କହିଲା–‘‘ମତେ କ୍ଷମାକର ସାଗର ! ମୁଁ ତମର ଏତେ ଦିନର ସ୍ନେହ ମମତାର ମୂଲ ଦେଇ ପାରୁନି । ତମର ଅସରନ୍ତି ସ୍ନେହ ମମତା ମୋ ପାଖରେ ଅବୁଝା ରହିଗଲା । ମୋର ଆସିବାର ବାଟ ବନ୍ଦ ହୋଇ ଯାଇଛି । ପ୍ରତିରୋଧ କରିବାର ସାହସ ମୋର ଆଜି ନାହିଁ । ମୋ ପାଇଁ ଇଞ୍ଜିନିୟର ଆସି ବସିଛି । ମୋପାଇଁ କୁଆଡ଼େ ନୂଆ ଯୋଜନା ହେଉଛି । ସେମାନେ ମୋତେ ବାନ୍ଧି ଦେବେ । ମୁଁ ସେମାନଙ୍କୁ ଏଡ଼ାଇ ଦେଇ ପାରୁନି । ତମେ ତମର ଆଦର୍ଶ ନେଇ ବଞ୍ଚ । ତମକୁ ମୋର ଶେଷ ଅନୁରୋଧ, ତମେ ଆଉ ମୋ ପାଇଁ ଦୁଃଖକରି ବେଳା ଭୂଇଁରେ ମୁଣ୍ତ ପିଟିବନି । ମତେ ଭୁଲିଯିବ ।’’

 

ସାଗର ହଠାତ୍‌ ଯେମିତି ବରଫ ପାଲଟି ଗଲା । ତାର ଦୁଃଖ–କେମିତି ତଟିନୀ ଏତେଶୀଘ୍ର ବଦଳି ଗଲା । ତା’ ନିଜ ମୁହଁର ଏତେ ବିଶ୍ୱାସ ଭରା କଥା, ତାର କର୍ତ୍ତବ୍ୟ, ତାର ମନର ବଳ ସବୁ କୁଆଡ଼େ ସେ କେମିତି ଭୁଲିଗଲା !! ତଥାପି ସେ ତଟିନୀକୁ ଆଘାତ ଦେଲାନି । ବୁକୁତଳେ ନିଃସ୍ୱାର୍ଥପର ସ୍ନେହ ସରାଜର ପ୍ରବାହ ଧରି ସେ କେମିତି ବା ଆଘାତ ଦିଅନ୍ତା ? ତାର ଦୀର୍ଘଶ୍ୱାସର ଝାଉଁବଣ ଥରିଗଲା, ବେଳା ବିଳାପି ଉଠିଲା । ଅଧୀର ସାଗର ବେଳାଭୂଇଁ ଉପରେ ଖାଲି କଚାଡ଼ି ହୋଇ ପଡ଼ୁଥାଏ ।

 

ତଟିନୀ ଆଉ ଫେରିଲାନି । ସେମାନେ ତାକୁ ବାଟ ଭୁଲାଇ ନେଲେ ଯେଉଁଠି ଦୁଇଟି ପାହାଡ଼କୁ ଯୋଗକରୁଛି ଗୋଟିଏ ବନ୍ଧ । ସଞ୍ଜ ପହରରେ ସେମାନେ ତାକୁ ଭୁଲାଇ ଦେଲେ–ସାଗର ପାଖରେ କୁଆଡ଼େ ତଟନୀର ସବୁ ମଧୁରତା ନଷ୍ଟ ହୋଇଯିବ । ସାଗର କେଉଁ କାଳର (ତଟିନୀ ନବୀନା), ସାଗର ଉଦ୍ଧତ, ସାଗର ବିକଳାଙ୍ଗ, ସାଗର ଚରିତ୍ର ହୀନ (ପୁରୀର ବେଳାଭୂଇଁ କୁଆଡ଼େ ତା’ର ଇତିହାସ କହେ ସେଇମାନଙ୍କୁ) । ତଟିନୀ ସବୁ ଶୁଣେ । ସତ ମିଛ ଜାଣେନା । ତଥାପି କେମିତି ଏକ ଅଭିମାନରେ ମନେ ମନେ ରାଗିଯାଏ ସାଗର ଉପରେ । ତେବେ ବି ସେ ବେଳେ ବେଳେ ଭାବେ–ସତେ ସାଗର କେମିତି ଜାଣିଲା ଭଳି ଆଗରୁ କହୁଥିଲା ଯେ ସେମାନେ ତାକୁ ଭୁଲାଇ ନେଇ ନୂଆ ଯୋଜନା କରିବେ । ରାତ୍ରିର ଅଂଧାରରେ ଜହ୍ନର ଆଲୁଅରେ, ତଟିନୀ ସତେ ଯେମିତି ଛଟପଟ ହୁଏ ନୀରବରେ । ସାଗର ଭଳି ସାରା ରାତି ଆକାଶକୁ ଚାହିଁ ଚାହିଁ କେବଳ ଦୀର୍ଘ-ଶ୍ୱାସ ଛାଡ଼ିବା ସାରହୁଏ ।

 

ନୂଆ ନୂଆ ଯୋଜନା ଚାଲେ । ତଟିନୀ ପ୍ରତିବାଦ କରେନା । ସ୍ୱାର୍ଥପର ନାରୀ ଭଳି ନିଜକୁ ରକ୍ଷା କରିବାକୁ ଯାଇ ସେ ନୀରବ ରହିଯାଏ । ଦିନ ଗଡ଼ିଚାଲେ । ନୂଆ ଯୋଜନା ବଢ଼ିଚାଲେ ।

 

।। ୩ ।।

 

ରାତି ଅନ୍ଧାରେ ଝଡ଼ ମାତିଛି । ଫାଟିପଡ଼ୁଛି କଳାହାଣ୍ତିଆ ମେଘ । ମେଘ ପବନରେ ଆକାଶ ପାତାଳ ଯେମିତି ଏକାକାର ହୋଇ ଯାଉଛି । ଝାଉଁବଣ ବି ଅଥୟ ହେଉଛି ସାଗର ଭଳି । କେତେ ଯେ ପାଣିଥିଲା ଏ ମେଘରେ !! ସବୁ ଭସାଇ ନେବ କି ଆଉ ?

 

ଏଇ ବରଷା ଭଲ ଲାଗେ ସାଗରକୁ–ସାଗର ମୁକୁଳା ଆକାଶ ତଳେ ରହି ଭିଜେ । ସେଇଥିପାଇଁ ଏ ବରଷାରେ ତଟିନୀ ଉଚ୍ଛନ୍ନ ହୁଏ ସାଗର ପାଇଁ ।

 

ମେଘ ଟିକିଏ ଥମି ଗଲା । ସାଗର ଆଖିରୁ ତାର ଅମାନିଆ ଲୁହ ଧାର ପୋଛି ପକାଇଲା । ସେ ଲୁହ ତା’ ନିଜର କଷ୍ଟପାଇଁ ନୁହେଁ, ତଟିନୀର ଆଘାତ ପାଇଁ । ନିଜକୁ ତ ସେ ଜାଣି ଜାଣି ମାରି ଦେଇଛି ନିଜ ହାତରେ । ପବନର ଝଲକରେ ତା’ର ଅସମାପ୍ତ ପାଣ୍ତୁଲିପି ସବୁ ଉଡ଼ି ଉଡ଼ି ଗଲା । ସେ ପବନ ତାକୁ ସତେ ଯେମିତି କହିଦେଲେ–ତଟିନୀ ଛୁଟି ଆସୁଛି । ତଟିନୀର ଆସିବା ନ ଆସିବା ସାଗରକୁ କେମିତି ଜଣାପଡ଼େ । ପବନର ଝଙ୍କାରରେ ଶୁଭିଲା ତଟିନୀର ଡାକ-। ସାଗର ଶୁଣିଲା, ଶୁଣି ପାରିଲାନି । ବନ୍ଧଭଙ୍ଗା ସୁଅ ଭଳି ତଟିନୀ ପଶିଆସିଲା ଭିତରକୁ । ନିଜ ଆଖିକୁ ବିଶ୍ୱାସ କରିପାରିଲାନି ସାଗର । ତଟିନୀର ଆକୁଳ ଅନୁନୟ–‘‘ସାଗର ମତେ କ୍ଷମାକର-। ତମେ କବି, ତମେ ଶିଳ୍ପୀ । ତମର ଓମରଖାୟମୀ ମନକୁ ମୁଁ ଆଉ ଅବହେଳା କରି ପରିଲିନି-। ତମର ନିଃସ୍ୱାର୍ଥପର ଭଲ ପାଇବାକୁ ମୁଁ ଏଡ଼ାଇ ଦେଇ ପାରନ୍ତି କେତେକେ ? ମୁଁ ତମର ଜୀବନକୁ ଏମିତି ଭାବରେ ନଷ୍ଟ ହେବାକୁ ଦେବନି । ଏଇ କେତେଦିନରେ କ’ଣ ହେଲାଣି ତମ ଦେହ-।’’ ସାଗର ଆବେଗରେ ଶେଜ ଉପରୁ ଉଠିବାକୁ ଚେଷ୍ଟାକଲା ପାରିଲାନି । ତଟିନୀ ଦେଖିଲା ଏଇ କେତେଦିନ ଭିତରେ ସାଗର ନିଜେ ତିଆରି କରିଛି ତାର ଏକ ବିରାଟ ତୈଳଚିତ୍ର । ଅଧୀର ହୋଇ ସେ ଲୋଟି ପଡ଼ିଲା ସାଗର ଉପରେ ।

 

ଆକୁଳ ଝାଉଁବଣ ଶୁଣିଲା କେବଳ ଦୁଇଟି ଶବ୍ଦ-

 

‘‘ତ-ଟି-ନୀ......’’

 

‘‘ଉଁ......’’

 

X X X X

 

କଲେଜ ପତ୍ରିକାରୁ ରେଖା ଗୁନାଭାଇଙ୍କର ଏଇ ଗଳ୍ପଟି ପଢ଼ିଲା । ତା ଆଖିରୁ ଝରି ପଡ଼ିଲା ଦୁଇ ଟୋପା ଲୁହ । ମିଃ ସାମନ୍ତରା ପଚାରିଲେ,–ହାଲୋ, କ’ଣ ହେଲା ? ସେ ଉତ୍ତର ଦେଲେ,–କିଛି ନାଇଁ ।

Image

 

ଅଲିଭା ଶିଖା

।। ୧ ।।

 

ରେଖାର ମନ ଭିତରେ ଆଶା–ନିରାଶାର ଢେଉ ଖେଳୁଥିଲା ।

 

ବାହାରେ ଜହ୍ନ ପଡ଼ିଛି । ସେ ଆଲୁଅରେ ଯାଦୁ ନାହିଁ । ପବନ ବହୁଛି । ସେଥିରେ ମନ ଚହଲା ପରଶ ନାହିଁ । ବିଜନ ରାତି ଶୋଇ ଯାଇଛି ବିଧବା ଭଳି ।

 

ଦିଆସିଲି କାଠିଗୁଡ଼ିଏ ଚିତା ଭଳି ସଜାଇ ସେଥିରେ ନିଆଁ ଧରାଇ ରେଖା ଚାହିଁ ରହିଥିଲା ସେଇ ଆଲୁଅକୁ । ତାକୁ ଭଲ ଲାଗେ ନିଆଁର ରଙ୍ଗ । ଦିଆସିଲିକାଠି ସବୁ ସେଁ ସେଁ ହୋଇ ଜଳିଗଲାବେଳେ ତାକୁ ଲାଗେ ଚିତାନିଆଁରେ ଯେମିତି ମଲା ମଣିଷର ଦେହଫଟା ପାଣି ପଶୁଛି, ଯଦିଓ ସେ କେବେ ଚିତାନିଆଁ ଦେଖି ନି । କାଠି ଜାଳି ଜାଳି ନିଆଁର ଏଇ ରଙ୍ଗ ଦେଖିବା ରେଖାର ଏକ ସଉକ ହୋଇଗଲାଣି । ଦେବେନ୍ଦ୍ର ଏଇଥିପାଇଁ ତା’ ଉପରେ ଚିଡ଼ନ୍ତି ।

 

ରାତି ଅନେକ ହେବ । ରେଖା ଆଖିକୁ ନିଦ ନାହିଁ । ସେ ଭାବିଥିଲା, ସଫେଦ ଜୋଛନାର ଏଇ ରାତିକୁ ସେ ନିଜର କରିନେବ । ସେଇ ରାତି ଆଜି ତାକୁ ଭୟ ଲାଗେ ।

 

ଆକାଶରେ ଜହ୍ନ ମାତିଲେ, ଝାଉଁବଣରେ ପବନ ମତୁଆଲ ହେଲେ ଜହ୍ନ ରେଖାର ମନ ଚଞ୍ଚଳ ହୋଇଉଠେ, ପୂର୍ଣ୍ଣମୀ ରାତିରେ ସାଗର ଅଥୟ ହେଲା ଭଳି । ତାକୁ ଲାଗେ ଝାଉଁବଣ ଭିତରୁ ତାକୁ ଯେମିତି କିଏ ଡାକୁଛି । ପରେ ପରେ ସେ ଦେଖେ ଧୋତି, ପଞ୍ଜାବୀ ପରିହିତ ଗୋଟାଏ ଲୋକ–ମୁହଁରେ ବହଳ ଦାଢ଼ୀ, ମୁଣ୍ତରେ ଗହଳ ବାଳ, ଆଖି ଦୁଇଟା ଜଳିଲା ଭଳି, ଅଂଧାର ରାତିରେ ବିଲେଇ ଚାହିଁଲେ ଯେମିତି ଦିଶେ । ଝାଉଁବଣର ସେଇ ଭୂତ ତାକୁ ବାଟ ଓଗାଳେ, ତା’ର ଗର୍ଭସ୍ଥ ଅନାଗତ ଶିଶୁକୁ ନେବା ପାଇଁ ହାତ ପତାଇ ମାଗେ, ଆଉ ଜହ୍ନରାତିରେ ଜଗି ବସେ ତାକୁ ସେଇ ଝାଉଁବଣ ଭିତରକୁ ଟାଣିନେବାକୁ ।

 

ରେଖା ଭୟରେ ଚିତ୍କାର କରି ଉଠେ । ସେଇ ଭୟରେ ତା’ର ଦୁଇଗୋଟି ଅନାଗତ ଶିଶୁ ଗର୍ଭାବସ୍ଥାରେ ନଷ୍ଟ ହୋଇ ଗଲେଣି । ଏଥର କ’ଣ ହେବ କିଏ ଜାଣେ ?

 

ସେ ବ୍ୟସ୍ତ ହୁଏ, ବ୍ୟଥିତ ହୁଏ । ମାତୃତ୍ୱର କାମନାରେ ତା’ର ଅନ୍ତର କାନ୍ଦିଉଠେ । ହେଲେ ଫଳ କିଛି ହୁଏ ନି ।

 

ଛୋଟ ଛୁଆଙ୍କ ପ୍ରତି ରେଖାର କେତେ ଶ୍ରଦ୍ଧା । ରତିଅପା ଗାଁକୁ ଆସିଥିଲାବେଳେ ରେଖା ଆପେ ଆପେ ଅତି ଆଗ୍ରହରେ ତା’ ଛୁଆ ଦୁଇଟିର ସବୁ କାମ ତୁଲାଇ ନେଇ ସଦାବେଳେ କୋଳେଇ ଥାଏ ବୋଲି ରତିଅପା ହସି ହସି କହେ,–‘‘ରେଖା ! ତୁ ଯେମିତି ଛୁଆରଙ୍କୁଣୀ ନା, ବାହାହେଲେ ତୋର ଗୋଠେ ପିଲା ହେବେ ।’’ ରତି ଅପାର ଏଇ କଥା ତାକୁ ଭଲ ଲାଗେ । କିନ୍ତୁ ମନ କଥା ଜଣାଇ ନ ପାରି ଖାଲି ମିଛରେ କହିଦିଏ–ସେ ବାହା ହେବ ନି, ପାଠ ପଢ଼ିବ, ଚାକିରି କରିବ । ଆଜି ରତିଅପାର ସେ କଥା ମନେ ପଡ଼ିଲେ ତାକୁ ଦୁଃଖ ଲାଗେ ।

 

ଦିଆସିଲି କାଠିର ନିଆଁ ଲିଭିଗଲାଣି କେତେବେଳୁ । ତୋଫା ଜହ୍ନ ଦିଶିଲାଣି । ରେଖାର ଇଚ୍ଛା ହେଉଥିଲା ଚକୋର ଭଳି ସେ ଜହ୍ନଆଲୁଅ ପିଇ ଯିବାକୁ । ହଠାତ୍ ଏକ ଅସ୍ୱାଭାବିକ ହସରେ ତା ଛାତିରେ ଛନକା ପଶିଗଲା । ଦେଖିଲା,–ଖୁବ୍‌ ନିକଟରେ ଠିଆ ହୋଇଛି ସେ ଭୂତଟା । ଦେହରେ ସେଇ ଧୋତି ପଞ୍ଜାବୀ, ମୁହଁରେ ବହଳ ଦାଢ଼ୀ, ମୁଣ୍ତରେ ଗହଳ ବାଳ । ରେଖା ଭୟରେ ଚିତ୍କାର କରି ଉଠିଲା ।

 

ବାହାରେ ପ୍ରେତାୟିତ ରାତି ଶାନ୍ତ, ନୀରବ, ନିସ୍ପନ୍ଦ । ଦେବେନ୍ଦ୍ର ରେଖାକୁ ନେଇ ଶୁଆଇଛନ୍ତି ଶେଯରେ । ଭୟରେ ତା’ର ଆଖିପତା ଉପରେ ନିଦ ଜମିଯାଇଛି ।

 

ରେଖା କଥା ଭାବିଲେ ତାଙ୍କୁ ଆଶ୍ଚର୍ଯ୍ୟଲାଗେ । ବଡ଼ ଅଦ୍ଭୂତ ନାରୀ ଏଇ ରେଖା । ଜହ୍ନ ଆଲୁଅର ଭୂତକୁ ତା’ର ଏତେ ଭୟ, ଅଥଚ ଜହ୍ନ ଆଲୁଅ ତା’ର ଭାରି ପ୍ରିୟ । ରାତିର ଅଂଧାର ବି ତାକୁ ଭଲ ଲାଗେ । ଅଂଧାର ରାତିରେ ସେ ବାହାରକୁ ଚାହିଁ ରହେ । ପଚାରିଲେ କହେ–‘‘ଅଂଧାର ହାତ ଠାରି ଡାକୁଛି, ଚାଲ ବୁଲିଯିବା ।’’ ଅବଶ ଦେହ ଓ କ୍ଳାନ୍ତ ମନ ନେଇ ରେଖାର କଥା ମାନିହୁଏ ନା ।

 

ରାତି ଅନ୍ଧାରେ ପକା ଛାତ ଉପରେ ଶୋଇ ସେ ଆକାଶ ପାତାଳ କେତେ କ’ଣ ଯେମିତି ଭାବେ, ଡାକିଲେ ଶୁଣେ ନି । କହେ, ତାକୁ ଶୁଭିନି । ଟିପ୍‌ ଟିପ୍‌ ମେଘ ବରଷାରେ ତାକୁ ଭଲ ଲାଗେ ଭିଜିବାକୁ–ନୂଆ ପାଣିର ପରଶ ପୋଖରୀର ମାଛକୁ ଯେମିତି ଭଲ ଲାଗେ । ସେଇ ବରଷାରେ ନିରୋଳା ରାସ୍ତାରେ ବୁଲିଯିବା ପାଇଁ ସେ ଅନୁରୋଧ କରେ । ତା’ର ଏଇ ପିଲାଳିଆ ଅନୁରୋଧ ରଖି ହୁଏ ନା । ରେଖାଟା ନିହାତି ପିଲାଳିଆ, ନିହାତି ଖିଆଲୀ ।

 

ସାଧାରଣ ଲୋକ ମନସ୍ତାତ୍ତ୍ୱିକ ଉପନ୍ୟାସ ପଢ଼ିଲା ଭଳି ଦେବେନ୍ଦ୍ର ରେଖାଠାରୁ କେବଳ ନିଜର ସୁଖ ଟିକକ ଆଦାୟ କରି ନିଅନ୍ତି; ରେଖା ତାଙ୍କ ନିକଟରେ ଅବୋଧ୍ୟ ରହିଯାଏ ।

 

ଦେବେନ୍ଦ୍ରଙ୍କ ଆଖି ଆଗରେ ରେଖା ଯେମିତି ଏକ ପ୍ରଶ୍ନବାଚୀ । ସେ ଭାବନ୍ତି, କ’ଣ ବା ତା’ର ଅଭାବ ? ତାଙ୍କର ସବୁ କିଛି ଥାଇ ବି.... !! ସେଇ କଥା ପଚାରିଲେ ରେଖା ଓଲଟି ପ୍ରଶ୍ନ କରେ–‘‘ଘାସଫୁଲ ବଣରେ ଶୋଇ ଆକାଶକୁ ଚାହିଁବାର ଆନନ୍ଦ କ’ଣ ପାରିଜାତର ଶେଯରେ ଥାଏ ?’’ ତରୁଣ ଇଞ୍ଜନିୟର ଦେବେନ୍ଦ୍ର ରେଖାର ଏମିତି କଥାର ଅର୍ଥ କିଛି ଧରି ପାରନ୍ତି ନାହିଁ ।

 

ରେଖାର ଦୁଃଖ–ଦେବେନ୍ଦ୍ର ତା’ର କଥାର ଚାତୁରୀ ବୁଝିପାରନ୍ତି ନି । ବୁଝିପାରନ୍ତି ନି ତା’ର ମନର ସରାଗ । ରୁକ୍ଷ, ନୀରସ ଇଞ୍ଜିନିୟର ଜୀବନରେ ରେଖାର କଳା-ପ୍ରାଣତା ବୁଝିବା ତାଙ୍କ ପକ୍ଷରେ ସମ୍ଭବ ହୁଏ ନି । ସମୟ ବି ନ ଥାଏ । ସମୟ ଥିଲାବେଳେ ମନ ବି ନ ଥାଏ । ରେଖା ଆହତ ଅଭିମାନରେ ଫୁଲି ଫୁଲି ନୀବରରେ କେବଳ ଲୁହ ଢାଳେ । ବେଳେବେଳେ ସେ ରାଗି ଉଠେ ରତିଅପା ଆଉ ବାପା ବୋଉଙ୍କ ଉପରେ । ସେମାନେ ବି ତା’ ମନ ବୁଝିଲେ ନି । ସବୁ କଥା କହିଦେଲା ପରେ ବି ରତିଅପା ମଧ୍ୟ କିଛି ଶୁଣିଲା ନି, ରାଗିଲା । ରେଖା ଯେମିତି ରାଗି, ସେମିତି ଅଭିମାନିନୀ । ମାତ୍ର ଶୀତ ସକାଳର କୁହେଳି ଭଳି ସେ ସବୁ କେବଳ ମୁହୂର୍ତ୍ତକ ପାଇଁ ।

 

ରାତିର ସ୍ୱପ୍ନ ପରି ରେଖା ଆଜି ସବୁ ଭୁଲିଯାଇଛି । ଭୁଲି ଯାଇଛି ତା’ ନିଜକୁ । କବିତା ତା’ର ମରିଛି । ମରିଯାଇଛି ତା’ର କଳା । ବେଳେବେଳେ ବାଣୀ ଦେଖା ହେଲେ କହେ–‘‘ରେଖା ! ତୁ ଆଉ ଆଗର ସେ ରେଖା ହୋଇ ନାହୁଁ । ତୁ ସତେ ଯେମିତି ଆଉ ଜଣେ କିଏ ।’’ ରେଖା ଜାଣିପାରେ ନା କ’ଣ ତା’ର ପରିବର୍ତ୍ତନ ।

 

X X X କ୍ଳାନ୍ତ ନିଶୀଥ ଶୋଇଛି ପ୍ରସୂତି ଭଳି ।

 

ଆକାଶରେ ଆଉ ଜହ୍ନ ନାହିଁ ।

 

ଝାଉଁବଣରେ ପବନ ନାହିଁ ।

 

ବହୁ ସମୟ ପର୍ଯ୍ୟନ୍ତ ଗାଡ଼ିକୁ ଅପେକ୍ଷା କରିଥିବା ଲୋକ ଭଳି ଦେବେନ୍ଦ୍ର ଅସ୍ଥିର ଭାବରେ ବାରଣ୍ତାରେ ପଦଚାରଣ କରୁଥିଲେ । ମଝିରେ ମଝିରେ ଚାହୁଁଥିଲେ ହାତଘଡ଼ିକୁ ଓ ବନ୍ଦ ହୋଇଥିବା କବାଟକୁ ।

 

କବାଟ ଖୋଲିବାର ଶବ୍ଦ ଶୁଭିଲା । ଦେବେନ୍ଦ୍ର ଝଡ଼ ଭଳି ଭିତରକୁ ପଶିଗଲେ । ଦେଖିଲେ, ସେ ଆଜି ପିତା ହୋଇଛନ୍ତି । ପିତା ହୋଇଛନ୍ତି ଏକ ମୃତ ଶିଶୁର ।

 

ଡାକ୍ତରଙ୍କ ପରାମର୍ଶରେ ମନ ପରିବର୍ତ୍ତନ ପାଇଁ ରେଖାକୁ କିଛି ଦିନ ସକାଶେ ସେ ତା’ ଗାଁକୁ ଛାଡ଼ି ଦେବାକୁ ସ୍ଥିର କଲେ ।

 

ରେଖା ଶୋଇଛି । ରାତି ଶୋଇଛି ।

 

।। ୨ ।।

 

ଆଗରେ ଲମ୍ବି ଯାଇଛି କଳା ମଚ ମଚ ଗୂମନ୍ତ ସଡ଼କ–ଉଠାଣି, ଗଡ଼ାଣି । ରେଖା ଆଗକୁ ପାଦ ବଢ଼ାଇଲା । ସାଙ୍ଗରେ ତା’ର ସାନଭାଇ । ଚାଲିଲାବେଳେ ତାକୁ ଜଣାଗଲା, ସତେ ଯେପରି ସେ କେତେବର୍ଷ ପଛକୁ ଫେରିଯାଇଛି । ଆଗେ ସେଇ ସଡ଼କରେ ଚାଲିଯାଉଥିଲାବେଳେ ଲୋକେ କହୁଥିଲେ,–‘‘ଚାଲିଲେ ପଦ୍ମ ଫୁଟେ ।’’ ସେଇ ପରିଚିତ ଜାଗାର ମୋହ ଏଡ଼ାଇ ନ ପାରି ରେଖା ତା’ର ସାନଭାଇକୁ ନେଇ ବୁଲି ବାହାରିଥିଲା ସରାଗରେ । ଚାରି ବର୍ଷ ପରେ ଗାଁକୁ ଆସିଛି ଏଇ ଦୁଇ ଦିନ ହେଲା ।

 

ଚାରି ପାଖରେ ଅଳସ ଜ୍ୟୋତ୍ସ୍ନା, ଚପଳ ପବନ ଆଉ କେତେଗୁଡ଼ିଏ ଘୂମନ୍ତ ପାହାଡ଼ । ସମସ୍ତଙ୍କର ସାଦର ନିମନ୍ତ୍ରଣ । ସବୁ ତା’ ନିଜର । ସବୁ ଆପଣାର । ସବୁଥିରେ କେମିତି ଏକ ମନ ହେଲା ଭାବ । ସବୁ ପରିଚିତ । ତଥାପି ଯେମିତି ସବୁ ନୂଆ ନୂଆ । ସାନଭାଇଟି ଫୂର୍ତ୍ତି ମନରେ ଆଗେଇ ଆଗେଇ ଚାଲିଛି । ରେଖାର ଗତି ଶିଥିଳ ହୋଇ ଆସୁଥିଲା ।

 

ଉପରେ ଝଙ୍କାଳିଆ ଚାକୁଣ୍ତାଗଛ । ତଳେ ତା’ର ତିଳ-ତଣ୍ତୂଳିତ ଛାଇ । ପାଖରେ ଗୋଟିଏ ବିଜନ କୋଠା–ନୀଳ ଆଲୁଅ ଝରୁଥିଲା । ରେଖାର ପାଦ ଅଟକିଗଲା ଆପେ ଆପେ–ବିଜନ ପଥିକ କେଉଁ ପରିଚିତ ଗୀତର ଲହର ଶୁଣିଲେ ଯେମିତି ଥକିଯାଏ ।

 

ରେଖା ଦେହରେ ନୀଳ ଆଲୁଅର ଢେଉ । କେତେବେଳେ ସେ ପଶିଯାଇଛି ସେଇ ବିଜନ ଘରଟି ଭିତରକୁ । ସାମନାରେ ଗୋଟିଏ ତୈଳଚିତ୍ର–ମୁହଁରେ ଏକ ଅକୁହା ବେଦନାର ଛାପ, ଓଠ ପାଖରେ ବଂଶୀ । ରେଖାର ଓଠ ଥରି ଉଠିଲା;–ଗୁ-ନା-ଭା-ଇ... !’ କିଏ ଯେମିତି ତା’ କଥାରେ ଉତ୍ତର ଦେଲା । ସେ ମୁହଁ ଫେରାଇ ଦେଖିଲା–ଦୁଆର ପାଖରେ ସେଇ ଧୋତି-ପଞ୍ଜାବୀ ପରିହିତ ଲୋକଟି–ମୁହଁରେ ବହଳ ଦାଢ଼ୀ, ମୁଣ୍ତରେ ଗହଳ ବାଳ–ଝାଉଁ ବଣର ସେଇ ଭୂତ !! ରେଖାର ଛାତି ଚମକି ଗଲା ।

 

‘‘କ’ଣ ଚିହ୍ନପାରୁନି କି ? ହଁ, କେମିତି ଚିହ୍ନିବୁ ?’’

 

‘‘ଗୁନାଭାଇ !!’’ –ରେଖା ତା’ ଆଖିକୁ ବିଶ୍ୱାସ କରିପାରୁ ନଥିଲା ।

 

‘‘ଦି ଦିନ ହେଲା ପରା ଆସିଲୁଣି ?

 

ପିଲାମାନଙ୍କୁ ଏଠିକି ଆଣିଲୁନି ଦେଖିଥାନ୍ତେ ।

 

‘‘କେତୋଟି ଛୁଆ ?’’–ଭଙ୍ଗା କଣ୍ଠରେ ସେ କହିଲେ ।

 

‘‘କିଛି ନାଇଁ । ଭୂତ ଭୟରେ ତ ସବୁ......’’

 

-ରେଖାର ଛାତି ଥରୁଥିଲା, କେଉଁ

 

ଚାହାଳୀର ଅପରାଧୀ ଛାତ୍ର ହଠାତ୍‌

 

ବେତଧାରୀ ଅବଧାନଙ୍କୁ ଦେଖିଲେ ଯେମିତି ହୁଏ ।

 

‘‘ଭୂତ ? ଭୂତ ଗୋଟାଏ ପୁଣି କେମିତି... ?’’

 

‘‘ଦେହରେ ଧୋତି ପଞ୍ଜାବୀ, ...ମୁହଁରେ ବହଳ ଦାଢ଼ୀ...’’

 

-ରେଖାର କଥା ତା’ ଓଠରେ ମରିଗଲା ।

 

ଆରେ, ମୁଁ ନୁହେଁ ତ ଆଉ ?’’

 

-ସେ ହସିବାକୁ ଚେଷ୍ଟାକଲେ ।

 

ରେଖା ଭୟରେ ଆଖି ବନ୍ଦ କରିଦେଲା । ଦେହ ତା’ର ଶୀତେଇ ଗଲା ।

 

‘‘କ’ଣ ଡରିଲୁ କି, ରେଖା ? ଆଚ୍ଛା, କେମିତି ଆଜି ଏଠିକି ଆସିଲୁ ? ବାଟ ଭୁଲିଗଲୁ ବୋଧହୁଏ । ଜଣେ ପ୍ରଖ୍ୟାତ ତରୁଣ ଇଞ୍ଜନିୟରର ସ୍ତ୍ରୀ ଆସିଛି ଗୋଟାଏ ନିଃସ୍ୱ....’’

 

‘‘ଗୁନାଭାଇ !!

 

ରେଖା ମୁହଁ ଟେକି ଚାହିଁଲା । ମୁହଁରୁ ଭୀତିର ଛାୟା ଲିଭି ନି ।

 

‘‘ମୁଁ...ମୁଁ ଆସିଥିଲି...ନୂଆବୋଉଙ୍କ ପାଖକୁ ।’’

 

-କ’ଣ କହିବ ନ ଜାଣି ଶଙ୍କିତ କଣ୍ଠରେ ରେଖା କଥା ଗୁଡ଼ାକ କହି ପକାଇଲା ତା’ ଅଜାଣତରେ ।

 

‘‘ନୂଆବୋଉ ?’’ (ତାଙ୍କ କଣ୍ଠରେ ତାଚ୍ଛଲ୍ୟର ସ୍ୱର)

 

‘‘ସେ ଦିନ ତୋ ଦେହ ଛୁଇଁ କହିଥିଲି ପରା ତୋର ବିବାହର ରାତି ହିଁ ହେବ ମୋର ଚିର ବିଦାୟର ତିଥି । ତୁ ନିଜେ ବି ଆଗେ ଏଇ କଥା କହିଥିଲୁ । ମୁଁ କ’ଣ ଆଜି ଆଉ ବଞ୍ଚିଛି ଯେ...’’

 

ରେଖା ଶୁଣିଲା ଗୋଟାଏ ବିରାଟ ହସ । ଭୂତ ଭୟରେ ସେ ଚିତ୍କାର କରି ଉଠିଲା । ଭୟରେ ଥରିଗଲା ତା’ର ଦେହ ।

 

ଝଡ଼ ପରର ବନଲତା ଭଳି ସବୁ ଶାନ୍ତ, ନୀରବ । ରେଖା ଯାହାକୁ ଡରୁଥିଲା, ଜହ୍ନ ଆଲୁଅ ଭିତରେ ସେ ହଜିଗଲାଣି କେତେବେଳୁ । ଦେଖିଲା, ପାଖରେ ଘରର ପୁରୁଣା ଚାକର ମଦନ । ଦେହରେ ଚେତା ପଶିଲା ଭଳି ଲାଗିଲା । ମଦନ ସହିତ ଦୁଇ ଥର ଦେଖା ହେଲାଣି । ହେଲେ, ସେ କିଛି ନ କହି ଚାଲି ଆସୁଛି ।

 

ମଦନ ରେଖାକୁ ଅନୁନୟ କଲା,–ଆଉ: କାହିଁକି ଏଠିକି ଆସିଲ ଦେଈ ? ସବୁ ତ ସାରିଛ, ଆଉ କ’ଣ ଦେଖିବାକୁ ଆସିଛ ? ମୁଁ ତୁମକୁ ନେହୁରା ହେଉଛି, ଦେଈ, ତମେ ଶିଘ୍ର ଫେରି ଯା’ । ବାବୁ ବୁଲିବୁଲି ଏବେ ଆସି ପହଞ୍ଚିବେ ! ଯଦି ପୁଣି ଦେଖିବେ...

 

‘‘ମଦନ ! ତମ ବାବୁ ତା ହେଲେ.... !!!’’

 

-ରେଖାର ଆଖିରେ ବିସ୍ମୟ । ମନରେ ଉତ୍କଣ୍ଠା ।

 

ମଦନ କହୁଛି, ଛାଉଁବଣରେ ହୁଏ ତ ତା ବାବୁ ଏକାକୀ ବସିଥିବେ, ନ ହେଲେ ନିରୋଳାରେ ବୁଲୁଥିବେ କେଉଁଠି । ତା’ର ଅନୁରୋଧ–ତା’ ବାବୁ ଫେରିବା ଆଗରୁ ତାକୁ ଫେରିଯିବାକୁ ପଡ଼ିବ ।

 

ଏତେ ଦିନଯାଏଁ ଏକ ଭ୍ରାନ୍ତଧାରଣା ନେଇ ଗୁନାଭାଇଙ୍କୁ ସେ ଆଜି ଏତେ ପାଖରେ ପାଇ ବି ତାଙ୍କର ଉପସ୍ଥିତିକୁ ବିଶ୍ୱାସ କରିପାରିଲାନି । ତାଙ୍କର ତୈଳଚିତ୍ରଟିକୁ ସେ ଚାହିଁଲା । ଆଖିରୁ ତା’ର ଝରି ଆସିଲା ଦୁଇ ଧାର ଲୁହ । ରେଖା କାନ୍ଦୁ ନ ଥିଲା ।

 

ସାନଭାଇଟିର ଖୋଜିଲା ଖୋଜିଲା ସ୍ୱରର ଡାକ ଶୁଭୁଛି । ଝାଉଁବଣରେ ବଇଁଶୀ କାନ୍ଦୁଛି । ସେଇ ପରିଚିତ ସ୍ୱର । କି ଆତୁର ସେ ଧ୍ୱନି !! ରେଖା ସେଇଆଡ଼କୁ ପାଦ ବଢ଼ାଇଲା–ସତେ ଯେମିତି ପଦ୍ମତୋଳା ରାଗିଣୀ ଅନୁସରଣ କରି ଚାଲିଛି ନାଗୁଣୀଟିଏ ।

Image

 

ଓଲଟା ଢେଉ

।। ୧ ।।

 

‘‘ସୂର୍ଯ୍ୟର ସାତଟି ରଙ୍ଗକୁ ନେଇ

 

ଆକାଶରେ ସୁନ୍ଦର ଇନ୍ଦ୍ରଧନୁଟିଏ ସୃଜିବାର ଗୌରବ

 

କ’ଣ ବରଷାର ନୁହେଁ ?’’

 

‘‘ନିଶ୍ଚୟ ।’’

 

‘‘ଦେଖ, ତୁମରି ରୂପକୁ ନେଇ

 

ଅବିକଳ କେମିତି ରୂପ ଦେଇଛି ଏଇ ‘ବାବୁନି’କୁ ।’’

 

‘‘ସତେ ରେଖା ! ବାବୁନିକୁ ଦେଖିଲା ଦିନରୁ

 

ତମ ପ୍ରତି ମୋ ମନ କୃତଜ୍ଞତାରେ ଭରିଯାଇଛି ।

 

ସେ ମୋରି ରୂପ ନେଇ ଆସିଛି; ଦେଖିବ, ସେ ଠିକ୍‌

 

ମୋରି ଭଳି ଇଞ୍ଜିନିୟର ହେବ ।’’

 

‘‘ଆଉ ଠିକ୍‌ ତମରି ଭଳି ସେ ତା’ର ସ୍ତ୍ରୀର ମନ ବୁଝିବ ନି–ଚବିଶ ଘଣ୍ଟା ଖାଲି କାମ ଓ କ୍ଳାନ୍ତି,–ନୁହେଁ ?’’

 

ଉଭୟେ ହସିଉଠିଲେ । ସେ ଏକ ପ୍ରାଣଖୋଲା ହସ । ଦେବେନ୍ଦ୍ରଙ୍କର ମନେହେଲା ରେଖା ଯେପରି ତାଙ୍କ ପାଖରେ କେବେ ଏମିତି ଥରେ ହସିପାରି ନ ଥିଲା ।

 

ରେଖା କେତେ ଆଶା କରିଥିଲା ତା’ର କୋଳକୁ ଆସିବ ଝିଅଟିଏ–ଠିକ୍‌ ତା’ରି ଭଳି । ତା’ରି ରୂପ, ତା’ରି କଳା ନେଇ ଆସିବ । ନାଁ ଦିଆ ହେବ–ମାଳବିକା, ସାଗରିକା, ନ ହେଲେ କସ୍ତୁରିକା । ଏମିତି ନାଁ ସବୁ ତାକୁ ଭାରି ଭଲ ଲାଗେ । ଗୁନାଭାଇଙ୍କୁ ବି । ସେ ତା’ରି ଭଳି କବିତା ଲେଖିବ, ଗୀତ ଗାଇବ, ଛବି ଆଙ୍କିବ । ସେଇ ଝିଅଟି ଭିତରେ ସେ ଖୋଜି ପାଇବ ତା’ ନିଜକୁ । ସେ କିନ୍ତୁ ତା’କୁ ବାହା ଦେବ ଜଣେ......

 

ରେଖା ତା’ ବୁକୁରେ ବାବୁନିର ଉଷ୍ଣତା ଅନୁଭବ କରୁଥିଲା ରତିଅପା କହୁଥିଲା–ପ୍ରଥମ କରି ଝିଅ ହେଲେ କୁଆଡ଼େ ଭାରି ଭଲ । ରତିଅପାର ଦୁଇଟା ଝିଅ । ରେଖା ଭାବିଥିଲା, ତା’ର ସେମିତି ମୋଟାମୋଟି ହୋଇ ଗୋଟିଏ କୁଲୁକୁଲିଆ ଝିଅ ହୋଇ-ଥାଆନ୍ତା । ଆଗେ ଏମିତିକା ଛୁଆର ଛବି ଦେଖିଲେ ସେ ଭାରି ଖୁସି ହେଉଥିଲା । ସେମିତି ଛବି ପାଇଲେ ସେଗୁଡ଼ାକ ସେ ପଠାଇଦିଏ ଗୁନାଭାଇଙ୍କ ପାଖକୁ । ଗୁନାଭାଇ ଖୁସି ହୁଅନ୍ତି । କେତେ କଥା କହନ୍ତି । ତା’ର ମନେ ପଡ଼ିଗଲା ଗୁନାଭାଇଙ୍କର ଗୋଟିଏ କଥା-

 

‘‘ରେଖା ! ତୁ ଆମ ଛୁଆକୁ ତୋ ବୁକୁରୁ କ୍ଷୀର ଦେବୁ ନି ।’’

 

‘‘ସେ ବୋତଲରୁ କ୍ଷୀର ଖାଇବ, ଏଁ ?’’

 

-ଗୁନାଭାଇଙ୍କ ଆଖିରେ ଦୁଷ୍ଟ ହସ ।

 

‘‘କାହିଁକି ?’’ –ଭସାଣିଆଁ ଆଖିରେ ତରଳ ଚାହାଁଣିଟିଏ ସେ ଢାଳି ଦେଇଥିଲା ତାଙ୍କ ଉପରେ । ସେ ଚାହାଁଣି ସତେ ଯେପରି କହି ଦେଇଥିଲା–‘‘ତମେ ଭାରି ସ୍ୱାର୍ଥପର ।’’

 

ବାବୁନି କାନ୍ଦିଉଠିଲା । ରେଖା ଦେଖିଲା, ତା’ ମୁହଁରୁ ‘ଦଦ’ ଖସିଯାଇଛି । ତାକୁ ଜାକି ଧରି ସେ ତା’ ପାଟିରେ ପୁଣି ‘ଦଦ’ ଦେଲା । ବାବୁନି ତା’ର କେତେ ଦୁଃଖର ଧନ । ତାକୁ ଦେଖିଲେ ରେଖାର ସବୁ ଦୁଃଖ ଯେମିତି ଭୁଲି ହୋଇଯାଏ ।

 

ପାଟିରେ ଗୋଟିଏ ‘ଦଦ’ ଧରି ବାବୁନି ତା’ର କଅଁଳ କଅଁଳ ହାତରେ ଆର ‘ଦଦ’ଟିକୁ ସଲସଲ କରୁଥିଲା । ରେଖା ଦୁଇଥର ତା’ ହାତଟା ଖସାଇ ଦେବାରୁ ସେ କାନ୍ଦିଲା । ବୁଝାଇଲେ ବି ସେ ବୁଝିଲା ନି । ନିହାତି ଅବୁଝାପିଲା ।

 

ଗୁନାଭାଇ ଥରେ ଏମିତି ଭାରି ଅବୁଝା ହୁଅନ୍ତି । ତାଙ୍କୁ ବୁଝାଇବା ବଡ଼ କଷ୍ଟ । ରେଖାର ମନେ ପଡ଼ିଗଲା ତା’ ନିଜ ମୁହଁର ପଦେ କଥା–‘‘ତମେ ଯେତେବେଳେ ଛୋଟ ପିଲାଙ୍କ ଭଳି ଅଳି କଲା ପରି ମତେ ଲାଗେ, ମୋର ଇଚ୍ଛା ହୁଏ ତୁମକୁ କୋଳରେ ଧରି ତମ ବାଳକୁ ଆଉଁଷି ତମ ଅବୁଝା ମନକୁ ବୁଝାଇ ଦେବାକୁ ।’’

 

କ’ଣ ଭାବି ରେଖା ବାବୁନିକୁ କୋଳରେ ଖୁବ୍‌ ଜୋର୍‌ରେ ଜାକି ପକାଇଲା ।

 

ବାହାରୁ ଦେବେନ୍ଦ୍ରଙ୍କର ପାଟି ଶୁଣାଯାଉଛି । ପଡ଼ୋଶୀମାନେ ବେଳେ ବେଳେ କହନ୍ତି,–ବାବୁନି ରେଖାର ପୁଅ ନୁହେଁ,–ଦେବେନ୍ଦ୍ରର । ସେ କିଛି ଶୁଣେ ନି । ବାବୁନିକୁ ସେ ଜନ୍ମ ଦେଇଛି । ତା’ରି ରକ୍ତରେ ଗଢ଼ିଛି, ବାବୁନି ତା’ର । ତା’ରି ପୁଅ ବାବୁନି !

 

ରେଖା ବାବୁନି ମୁହଁରେ କେତୋଟି ଚୁମାର ରେଖା ଆଙ୍କି ଦେଲା ଆବେଗରେ ।

 

।। ୨ ।।

 

ବାବୁନିକୁ କୋଳରେ ଧରି ରେଖା ଚାହିଁଥିଲା ସେଇ ଆଡ଼କୁ । ଗୋଟାଏ ଅଶୁଭ ସ୍ୱପ୍ନରେ ତା’ ମୁହଁ ଫିକା ପଡ଼ିଯାଇଥିଲା । ହଠାତ୍‌ ନିଦରୁ ଉଠି ଦେବେନ୍ଦ୍ର ରେଖାକୁ ଏମିତି ଅବସ୍ଥାରେ ଦେଖି ବିଚଳିତ ହୋଇଗଲେ ।

 

ରେଖା ସ୍ୱପ୍ନ ଦେଖିଲା, କୋଳରୁ ତା’ ଛୁଆପୁଅକୁ ଯେମିତି କଳା ହୋଇ କିଏ ଜଣେ ଆସି ଛଡ଼ାଇ ନେଇ ଯାଉଛି ।

 

ଦେବେନ୍ଦ୍ରଙ୍କ ମନକୁ ପାପ ଛୁଇଁଲା । କି ଏକ ଅଜଣା ଆଶଙ୍କାରେ ତାଙ୍କର ଛାତି ଦୁଇଥର ଧପ୍‌ ଧପ୍‌ ହୋଇଗଲା ।

 

ରେଖା କହେ–ସତକୁ ସତ ତା’ ଛୁଆକୁ କିଏ ଏ ଘରୁ ସେ ଘରକୁ, ସେ ଘରୁ ଏ ଘରକୁ ଆଣି ଲୁଚାଇ ଦେଉଛି ସଦାବେଳେ । କେତେବେଳେ ଦୋଳିରୁ ନେଇ ଖଟ ଉପରେ, ଖଟରୁ ନେଇ ଟେବୁଲ୍‌ ତଳେ ରଖୁଛି । ଦିନ ଦି’ ପହରେ ବି ଏମିତି ହେଇଛି । ରେଖା କାନ୍ଦେ, ବ୍ୟସ୍ତ ହୁଏ । ସମସ୍ତଙ୍କୁ ଡାକି ଦେଖାଏ । ଦେବେନ୍ଦ୍ର ଜଡ଼ବାଦୀ ହେଲେ ବି ନିଜ ଆଖିକୁ ଅବିଶ୍ୱାସ କରିପାରନ୍ତି ନି-

 

ସମସ୍ତେ କହନ୍ତି, ଏ ସବୁ ‘ହାଡ଼ବାଇ’ର କାଣ୍ତ । ସରଳ ଶିଶୁ ଭଳି ରେଖା ସବୁ ବିଶ୍ୱାସ କରିଯାଏ । ଦେବେନ୍ଦ୍ର ବି ବିଶ୍ୱାସ କରନ୍ତି । ଏଥିପାଇଁ ବହୁ ଉପାୟ କରାହୁଏ । ମାତ୍ର ଫଳ କିଛି ହୁଏ ନି । ରେଖାର ଅଧୈର୍ଯ୍ୟର ସୀମା ରହେନି । ତା’ର ଈଶ୍ୱର ବିଶ୍ୱାସ ଆଦୌ ନାହିଁ । ହୋମ, ଯଜ୍ଞ ଓ ଦେବ ପୂଜାକୁ ସେ ଖୁବ୍‌ ଘୃଣା କରେ । ବ୍ରତ, ଉପବାସକୁ ସେ ପସନ୍ଦ କରେ ନି । ତଥାପି କେବଳ ବାବୁନି ପାଇଁ ସେ ସବୁ କିଛି କରିଛି । ହେଲେ, ତା’ର ଦୁଃଖ ଯାଇ ନି ।

 

ରାତିର ନୀରବତା ଭାଙ୍ଗି ଦେବେନ୍ଦ୍ର କହିଲେ–ମୋର ମନସ୍ତତ୍ତ୍ୱବିତ୍‌ ବନ୍ଧୁ ହେମନ୍ତ ଦାସ କହୁଥିଲେ ସେ ଏ ଘଟଣା ପରୀକ୍ଷା କରିବାକୁ ଆସିବେ ।

 

ଅଶୁଭ ସ୍ୱପ୍ନ ଦେଖି ରେଖାର ମନଟା କେମିତି ଫେଣେଇଁ ଉଠିଥିଲା ।

 

‘‘କେତେବେଳ ଯାଏ ଆଉ ଏମିତି ଧରି ବସିବ ।

 

ଶୋଇବ ଚାଲ ।’’

 

ଝରକାଟା ବନ୍ଦ କରିଦିଅ–ରେଖାର ସ୍ୱର ଅତି କ୍ଷୀଣ ।

 

ଅଷ୍ଟମୀ ଜହ୍ନ ବୁଡ଼ି ଯାଉଥିଲା ।

 

।। ୩ ।।

 

ରେଖା କାନ୍ଦି କାନ୍ଦି ବେଦମ ହୋଇ ଯାଇଥିଲା । ଝଡ଼ ବାଉଳା ପକ୍ଷୀ ଭଳି ଦେବେନ୍ଦ୍ର ଭିତରକୁ ପଶି ଆସିଲେ ।

 

କ’ଣ ହେଇଛି କହ ? କ’ଣ ? କ’ଣ ହେଇଛି ମୋ ପୁଅର ? –ରେଖା ଅଧୀର ଭାବରେ ଦେବେନ୍ଦ୍ରଙ୍କୁ ଦୋହଲାଇ ଦେଲା ।

 

କ’ଣ ଆଉ ହେବ ? ତମେ ନିଜ ହାତରେ ଛୁଆଟିକୁ ମାରି ଦେଇଛ । ଡାକ୍ତର ପରୀକ୍ଷା କରି କହିଲେ, ସେଥିରେ ଡି.ଡି.ଟି ଗୁଣ୍ତ ମିଶିଛି । ଯାଅ ଦେଖିବ, ସେ ଘରେ ଚିନି ଡବା ଆଉ ଡି.ଡି.ଟି ଡବା ଏକାଠି ଅଛି । ତମେ ଚିନି ଆଣିବାକୁ ଯାଇ ଡି.ଡି.ଟି ଗୁଣ୍ତ ଆଣିଛ । ତମେ ଏ କ’ଣ କଲ ରେଖା ?

 

ମୁଁ ମାରିଦେଇଛି !!! ରେଖାର ଆଖିରେ ବିସ୍ମୟ । ସେ ଥକା ହୋଇଗଲା ।

 

ହଁ ହଁ ତମେ ମାରି ଦେଇଛ । ହେମନ୍ତ ଦାସ ପରୀକ୍ଷା କରି କହୁଥିଲେ, ତମେ ହିଁ ସେ ଛୁଆକୁ ଏଠାରୁ ସେଠାକୁ ନେଇ ଲୁଚାଅ । ମୁଁ କିନ୍ତୁ ତାଙ୍କ କଥା ବିଶ୍ୱାସ କରୁ ନ ଥିଲି । ତମର କ’ଣ ହୋଇଛି, ତମେ ମତେ କହୁନ କାହିଁକି ? ତମେ ସଦାବେଳେ ଅନ୍ୟମନସ୍କା ଥାଅ କାହିଁକି ? ଡାକିଲେ ତମେ ଶୁଣିପାର ନି କାହିଁକି କ’ଣ ତୁମେ ଭାବୁଥାଅ ସଦାବେଳେ ? ତମେ ଏମିତି....

 

ରେଖା ଜଡ଼ ଭଳି ଠିଆ ହୋଇ ସବୁ ଶୁଣିଗଲା । ଆଖିରେ ତା’ର ଚଳନ ନାହିଁ । ଅପଲକ ଆଖିରେ ଦେଖାଗଲା ଗୋଟାଏ ଦୀପ୍ତି । ଓଠରେ ତା’ର ଉଠି ଆସୁଥିଲା । ପାଟିକରି ସେ କହି ପକାଇଲା-

 

ରତିଅପା କହୁଥିଲା, ବାହାହେଲେ ମୋର ଗୋଠେ ପିଲା ହେବେ । ରତିଅପା ଶୁଣିବ, ଛୁଆରଙ୍କୁଣୀ ରେଖା ଆଜି ତା’ ନିଜ ହାତରେ ନିଜ ଛୁଆକୁ ମାରିଦେଇଛି ।

 

ଗୁନାଭାଇ ଶୁଣିବେ ଦେବେନ୍ଦ୍ରଙ୍କ ଛୁଆଙ୍କୁ ରେଖା ତା’ ନିଜ ହାତରେ ହତ୍ୟା କରିଛି ।

 

ରତିଅପା ଆଜି ବୁଝିବ......

 

-ରେଖା ଖୁବ୍‌ ଜୋରରେ ହସି ଉଠିଲା, ସତେ ଯେମିତି ହସର ଗୋଟାଏ ଢେଉ ଖେଳିଗଲା ।

 

ଦେବେନ୍ଦ୍ର ନିର୍ବେଦ ।

 

ରଙ୍ଗମଞ୍ଚର ଯବନିକା ଭଳି ରେଖାର ଓଠରୁ ହସର ରେଖା ଲିଭି ଲିଭି ଆସୁଥିଲା ।

Image